ପ୍ରଧାନମନ୍ତ୍ରୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ପୁଣିଥରେ ମୋର ସମସ୍ତ ପରିଜନଙ୍କୁ ସ୍ୱାଗତ କରୁଛି । ଆଜି ପୁଣି ଥରେ ଆଲୋଚନା ହେବ – ଦେଶର ଉପଲବ୍ଧି ସମ୍ପର୍କରେ, ଦେଶର ସାମୂହିକ ପ୍ରଚେଷ୍ଟା ସମ୍ପର୍କରେ । ଏକବିଂଶ ଶତାବ୍ଦୀର ଭାରତରେ ଏଭଳି ବହୁତ କିଛି ଘଟୁଛି, ଯାହା ବିକଶିତ ଭାରତର ମୂଳଦୁଆକୁ ସୁଦୃଢ଼ କରୁଛି । ଯେମିତିକି, ଏଇ ଅଗଷ୍ଟ ୨୩ ତାରିଖ ଦିନ ଆମେ ସମସ୍ତ ଦେଶବାସୀ ପ୍ରଥମ ଜାତୀୟ ମହାକାଶ ଦିବସ ପାଳନ କଲୁ । ଆପଣମାନେ ସମସ୍ତେ ଏହି ଦିନଟି ସହ ଚନ୍ଦ୍ରଯାନ-୩ର ସଫଳତାକୁ ନେଇ ପୁଣିଥରେ ଉତ୍ସବ ପାଳନ କରିଥିବେ ବୋଲି ମୋର ବିଶ୍ୱାସ । ଗତବର୍ଷ ଠିକ୍ ଏହି ଦିନ ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ଭାଗରେ ଶିବ-ଶକ୍ତି ପଏଣ୍ଟ ଠାରେ ସଫଳତାର ସହ ଅବତରଣ କରିଥିଲା । ଏହି ଉପଲବ୍ଧି ହାସଲ କରିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ହୋଇପାରିଲା ।

ବନ୍ଧୁଗଣ, ମହାକାଶ କ୍ଷେତ୍ରରେ ସଂସ୍କାର ଯୋଗୁଁ ଦେଶର ଯୁବବର୍ଗଙ୍କୁ ଅନେକ ଲାଭ ହୋଇଛି । ତେଣୁ, ଆଜି ‘ମନ୍ କି ବାତ୍’ରେ ମହାକାଶ କ୍ଷେତ୍ର ସହ ଜଡ଼ିତ କିଛି ଯୁବବନ୍ଧୁଙ୍କ ସହିତ କଥା ହେବା ପାଇଁ ମୁଁ ଚିନ୍ତା କଲି । ମୋ ସହିତ କଥା ହେବାପାଇଁ ସ୍ପେସଟେକ୍ ଷ୍ଟାର୍ଟ-ଅପ୍ ଗ୍ୟାଲେକ୍ସାଇର ଟିମ୍ ଯୋଡ଼ି ହୋଇଛନ୍ତି । ଏହି ଷ୍ଟାର୍ଟ-ଅପକୁ ଆଇ.ଆଇ.ଟି. ମାଡ୍ରାସର ପୂର୍ବତନ ଛାତ୍ରମାନେ ଆରମ୍ଭ କରିଥିଲେ । ଏହି ସମସ୍ତ ଯୁବବନ୍ଧୁ ଆଜି ଆମ ସହିତ ଫୋନଲାଇନରେ ଉପସ୍ଥିତ ଅଛନ୍ତି – ସୁୟଶ, ଡେନିଲ୍, ରକ୍ଷିତ, କିଶନ୍ ଆଉ ପ୍ରନିତ । ଆସନ୍ତୁ ଏହି ଯୁବବନ୍ଧୁମାନଙ୍କ ଅନୁଭୂତି ସମ୍ପର୍କରେ ଜାଣିବା ।

ପ୍ରଧାନମନ୍ତ୍ରୀ          :                                ହ୍ୟାଲୋ !

ସମସ୍ତ ଯୁବବନ୍ଧୁ      :                                ହ୍ୟାଲୋ !

ପ୍ରଧାନମନ୍ତ୍ରୀ          :                             ନମସ୍କାର . . .

ସମସ୍ତ ଯୁବବନ୍ଧୁ (ଏକସଙ୍ଗେ)                             :                                      ନମସ୍କାର ସାର୍ . . .

ପ୍ରଧାନମନ୍ତ୍ରୀ          : ବନ୍ଧୁମାନେ, ଏକଥା ଦେଖି ମୋତେ ଖୁସି ଲାଗୁଛି ଯେ, ଆଇ.ଆଇ.ଟି. ମାଡ୍ରାସରେ ଥିବାବେଳେ ଆପଣମାନଙ୍କ ବନ୍ଧୁତା ଆଜି ବି ବେଶ୍ ମଜଭୁତ ହୋଇରହିଛି । ସେଇଥିପାଇଁ ଆପଣମାନେ ମିଶି GalaxEye ଆରମ୍ଭ କରିବାକୁ ନିଷ୍ପତ୍ତି କଲେ । ଆଜି ମୁଁ ସେ ବିଷୟରେ ବି ଟିକିଏ ଜାଣିବାକୁ ଚାହୁଁଛି । ସେ ସମ୍ପର୍କରେ କୁହନ୍ତୁ । ତା ସହିତ ଏ କଥା ବି କୁହନ୍ତୁ ଯେ, ଆପଣମାନଙ୍କ ଜ୍ଞାନକୌଶଳ ଦ୍ୱାରା ଦେଶର କେତେ ଲାଭ ହେବାକୁ ଯାଉଛି ।

ସୁୟଶ                 : ଆଜ୍ଞା, ମୋ ନାଁ ସୁୟଶ୍ । ଆପଣ ଯାହା କହିଲେ, ଆମେ ସମସ୍ତେ ଆଇ.ଆଇ.ଟି. ମାଡ୍ରାସରେ ପରସ୍ପର ସହ ପରିଚିତ ହେଲୁ । ସେଇଠି ଆମେ ସମସ୍ତେ ପାଠ ପଢ଼ୁଥିଲୁ । ଅଲଗା ଅଲଗା ଶ୍ରେଣୀରେ ଥିଲୁ । ସେହିଠାରୁ ଇଂଜିନିୟରିଂ ପାସ୍ କଲୁ । ସେହି ସମୟରେ ଆମେ ଚିନ୍ତାକଲୁ ଯେ, ହାଇପରଲୁପ୍ ନାମକ ଗୋଟିଏ ପ୍ରୋଜେକ୍ଟ ରହିଛି, ଯାହା ଆମେ ମିଶିକରି କରିବାକୁ ଚିନ୍ତା କରିଥିଲୁ । ସେହି ସମୟରେ ଆମେ ଗୋଟିଏ ଟିମ୍ ଗଠନ କରି ତାହାର ନାଁ ଦେଲୁ “ଆବିଷ୍କାର ହାଇପରଲୁପ୍” । ଏହାକୁ ନେଇ ଆମେ ଆମେରିକା ମଧ୍ୟ ଯାତ୍ରା କଲୁ । ସେହି ବର୍ଷ ଆମ ଦଳଟି ଏସିଆରୁ ଏକମାତ୍ର ଦଳ ଭାବେ ଯାଇଥିଲା ଏବଂ ସେଠାରେ ଆମେ ଜାତୀୟ ପତାକା ଉଡ଼ାଇଥିଲୁ । ସମଗ୍ର ବିଶ୍ୱରୁ ଆସିଥିବା ପ୍ରାୟଃ ଦେଢ଼ ହଜାର ଦଳରୁ ଆମ ଦଳ ଶ୍ରେଷ୍ଠ ୨୦ଟି ଦଳ ମଧ୍ୟରେ ସ୍ଥାନ ପାଇଥିଲା ।

ପ୍ରଧାନମନ୍ତ୍ରୀ          : ଯାହାହେଉ, ଆଗକୁ ଶୁଣିବା ପୂର୍ବରୁ ପ୍ରଥମେ ଏଥିପାଇଁ ଅଭିନନ୍ଦନ ଜଣାଉଛି ।

ସୁୟଶ                 : ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ । ସେହି ଉପଲବ୍ଧି ସମୟରେ ଆମମାନଙ୍କର ବନ୍ଧୁତା ଆହୁରି ଦୃଢ଼ ହେଲା, ଆଉ ଏହିଭଳି କଠିନ ପ୍ରୋଜେକ୍ଟ କରିବା ପାଇଁ ଆତ୍ମବିଶ୍ୱାସ ମଧ୍ୟ ସୃଷ୍ଟି ହେଲା । ସେହି ସମୟରେ ୨୦୨୦ରେ spaceXକୁ ଦେଖି ମହାକାଶ କ୍ଷେତ୍ରକୁ ଆପଣ ଘରୋଇ କ୍ଷେତ୍ର ପାଇଁ ଉନ୍ମୁକ୍ତ କରିଥିବା ଘଟଣା ଗୋଟିଏ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ଥିଲା । ଏହାକୁ ନେଇ ଆମ ମନରେ ବହୁତ ଉତ୍ସାହ ଥିଲା । ଆମେ କ’ଣ ତିଆରି କରୁଛୁ ଏବଂ ଏହାର ଲାଭ କ’ଣ, ସେ ବିଷୟରେ କହିବା ପାଇଁ ମୁଁ ରକ୍ଷିତଙ୍କୁ ଅନୁରୋଧ କରିବାକୁ ଚାହୁଁଛି ।

ରକ୍ଷିତ                 : ଆଜ୍ଞା, ମୋ ନାଁ ରକ୍ଷିତ୍ । ଏହି ଜ୍ଞାନକୌଶଳ ଦ୍ୱାରା ଆମର କ’ଣ ଲାଭ ହେବ, ତା ଉତ୍ତର ମୁଁ ଦେଉଛି ।

ପ୍ରଧାନମନ୍ତ୍ରୀ          :    ରକ୍ଷିତ୍, ଆପଣ ଉତ୍ତରାଖଣ୍ଡର କେଉଁ ଅଂଚଳରୁ ଆସିଛନ୍ତି?

ରକ୍ଷିତ                 :                 ସାର୍, ମୁଁ ଅଲମୋଡାର ବାସିନ୍ଦା ।

ପ୍ରଧାନମନ୍ତ୍ରୀ          :        ମାନେ, ସେହି ବାଲ୍ ମିଠେଇର ସହରରୁ ଆସିଛନ୍ତି ?

ରକ୍ଷିତ                 :           ଆଜ୍ଞା ହଁ, ସେହି ମିଠେଇ ମୋର ଅତି ପ୍ରିୟ ।

ପ୍ରଧାନମନ୍ତ୍ରୀ          : ଆମର ଯେଉଁ ଲକ୍ଷ ସେନ୍ ରହିଛନ୍ତି, ସେ ମୋତେ ସବୁବେଳେ ସେହି ମିଠା ପଠାନ୍ତି । ହଉ ରକ୍ଷିତ, ଏଥର କୁହନ୍ତୁ ।

ରକ୍ଷିତ                 : ସାର୍, ଆମର ଏହି ଜ୍ଞାନକୌଶଳ ଦ୍ୱାରା ମହାକାଶରୁ ବାଦଲକୁ ଭେଦକରି ପୃଥିବୀକୁ ପରିଷ୍କାର ଭାବେ ଦେଖିହେବ । ରାତି ସମୟରେ ମଧ୍ୟ ଏହାଦ୍ୱାରା ଦେଖାଯାଇପାରିବ । ତେଣୁ, ଏହାଦ୍ୱାରା ଆମେ ପ୍ରତିଦିନ ଦେଶର ଯେକୌଣସି ଅଞ୍ଚଳର ସ୍ପଷ୍ଟ ଚିତ୍ର ଉତୋଳନ କରିପାରିବା ଏବଂ ଏଥିରୁ ଯାହା ତଥ୍ୟ ମିଳିବ, ତାହାର ଉପଯୋଗ ଆମେ ଦୁଇଟି କ୍ଷେତ୍ରରେ ବିକାଶ ଦିଗରେ କରିପାରିବା । ପ୍ରଥମଟି ହେଲା, ଭାରତକୁ ଅତ୍ୟନ୍ତ ସୁରକ୍ଷିତ କରିବା । ଆମ ଦେଶର ସୀମା, ସାଗର, ମହାସାଗର ଉପରେ ଆମେ ପ୍ରତିଦିନ ନଜର ରଖିପାରିବା । ଆମ ଶତ୍ରୁମାନଙ୍କ ଗତିବିଧି ଉପରେ ନଜର ରଖିପାରିବା ଏବଂ ଆମ ସଶସ୍ତ୍ର ବାହିନୀକୁ ଗୁପ୍ତତଥ୍ୟ ଯୋଗାଇପାରିବା । ଦ୍ୱିତୀୟଟି ହେଲା, ଭାରତର କୃଷକମାନଙ୍କୁ ସଶକ୍ତ କରିବା । ଆମେ ଗୋଟିଏ ପ୍ରଡକ୍ଟ ତିଆରି କରିସାରିଛୁ, ଯାହା ଭାରତର ଚିଙ୍ଗୁଡ଼ି ଚାଷୀମାନଙ୍କ ପାଇଁ ଉଦ୍ଦିଷ୍ଟ । ଏହା ମହାକାଶରୁ ସେମାନଙ୍କ ପୋଖରୀର ଜଳର ମାନ ପରୀକ୍ଷା କରିପାରିବ । ଏଥିପାଇଁ ଏବେ ହେଉଥିବା ଖର୍ଚ୍ଚର ଦଶଭାଗରୁ ଭାଗେ ଖର୍ଚ୍ଚ ହେବ । ଆଗକୁ ଆମେ ସାରା ବିଶ୍ୱ ପାଇଁ ଉତ୍ତମ ମାନର ଉପଗ୍ରହଭିତ୍ତିକ ତଥ୍ୟ ପ୍ରସ୍ତୁତ କରିବାକୁ ଚାହୁଁଛୁ, ବିଶ୍ୱ ତାପାୟନ ଭଳି ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ଆମକୁ ତଥ୍ୟ ଯୋଗାଇବ ।

ପ୍ରଧାନମନ୍ତ୍ରୀ          : ମାନେ, ଆପଣଙ୍କ ଦଳ ଜୟ ଯବାନ ସହ ଜୟ କିଷାନ ମଧ୍ୟ କରିବାକୁ ଯାଉଛି ।

ରକ୍ଷିତ                 :                      ହଁ ଆଜ୍ଞା, ନିଶ୍ଚିତ ଭାବେ ।

ପ୍ରଧାନମନ୍ତ୍ରୀ          : ବନ୍ଧୁଗଣ, ଆପଣମାନେ ଏତେ ଭଲ କାମ କରୁଛନ୍ତି । ତେବେ, ମୁଁ ଏକଥା ବି ଜାଣିବାକୁ ଚାହୁଁଛି ଯେ, ଆପଣଙ୍କର ଏହି ଜ୍ଞାନକୌଶଳର ସଠିକତା କେତେ ମାତ୍ରାରେ ରହିଛି ?

ରକ୍ଷିତ                 : ସାର୍, ଆମେ ୫୦ ସେଣ୍ଟିମିଟର ଠାରୁ ବି କମ୍ ରିଜୋଲ୍ୟୁଶନକୁ ଯାଇପାରିବା । ଆଉ ଗୋଟିଏ ଥରରେ ଆମେ ୩୦୦ ବର୍ଗ କିଲୋମିଟର ଅଞ୍ଚଳର ଫଟୋ ଉଠାଇପାରିବା ।

ପ୍ରଧାନମନ୍ତ୍ରୀ          : ମୁଁ ଭାବୁଛି, ଦେଶବାସୀ ଯେତେବେଳେ ଏକଥା ଶୁଣିବେ, ସେମାନେ ବହୁତ ଗର୍ବ ଅନୁଭବ କରିବେ । ତେବେ ମୁଁ ଆଉ ଗୋଟିଏ କଥା ପଚାରିବାକୁ ଚାହୁଁଛି ।

ରକ୍ଷିତ                 :                                ଆଜ୍ଞା ।

ପ୍ରଧାନମନ୍ତ୍ରୀ          : ସ୍ପେସ୍ ଇକୋସିଷ୍ଟମ୍ ବହୁତ Vibrant ହେଇଚାଲିଛି । ଆପଣଙ୍କ ଦଳ ଏଥିରେ କି ପ୍ରକାର ପରିବର୍ତ୍ତନ ଦେଖୁଛି?

କିଶନ୍                 : ମୋ ନାଁ କିଶନ୍ । GalaxEyeର ଆରମ୍ଭ ହେବା ପରେ ଆମେ ଓଘ-ଝଚଇଉର ଆସିବା ଦେଖିଛୁ । ଅନେକଗୁଡ଼ିଏ ନୀତି ମଧ୍ୟ ପ୍ରଣୟନ ହୋଇଛି, ଯେମିତିକି geo-Spatial ଡାଟା ନୀତି ଆଉ ଭାରତ ମହାକାଶ ନୀତି. . . ବିଗତ ତିନିବର୍ଷରେ ଆମେ ଅନେକଗୁଡ଼ିଏ ପରିବର୍ତ୍ତନ ଦେଖିଛୁ । ଅନେକ ପ୍ରଣାଳୀ, ଭିତ୍ତିଭୂମି, ସୁବିଧା ଇସ୍ରୋ ଦ୍ୱାରା ଖୁବ ଭଲଭାବେ ଉପଲବ୍ଧ କରାଯାଇଛି । ଯେମିତିକି, ଆମେ ଇସ୍ରୋକୁ ଯାଇ ଆମ ହାର୍ଡ଼ୱେୟାରକୁ ପରୀକ୍ଷା କରିପାରିବା ବାଟ ଏବେ ଖୁବ ସହଜ ହୋଇଯାଇଛି । ତିନିବର୍ଷ ପୂର୍ବେ ଏସବୁ ଏତେ ସହଜ ନ ଥିଲା । ଆମ ପାଇଁ, ଆମ ଷ୍ଟାର୍ଟଅପ୍ ପାଇଁ ଏବଂ ଆମଭଳି ଅନ୍ୟ ଷ୍ଟାର୍ଟଅପଗୁଡ଼ିକ ପାଇଁ ମଧ୍ୟ ଏହା ବହୁତ ସହାୟକ ହେଲା । ଏବେକାର ଏଫ୍.ଡି.ଆଇ. ପଲିସି ଏବଂ ସୁବିଧା ଉପଲବ୍ଧ ହେବା ଯୋଗୁଁ ଷ୍ଟାର୍ଟଅପଗୁଡ଼ିକ ପାଇଁ ଏହା ଆହୁରି ଉତ୍ସାହଜନକ ହୋଇପାରିଛି । ଏହାଦ୍ୱାରା ସେମାନେ ସହଜରେ ଉନ୍ନତି କରିପାରିବେ, ଯେଉଁଠି ଆଗକୁ ବଢ଼ିବା ଆଗରୁ ବହୁତ ବ୍ୟୟସାପେକ୍ଷ ଏବଂ ସମୟସାପେକ୍ଷ ଥିଲା । କିନ୍ତୁ, ଏବେକାର ନୀତି ଏବଂ IN-SPACe ଆସିବା ପରେ ଷ୍ଟାର୍ଟଅପମନଙ୍କ ପାଇଁ ବହୁତ କିଛି ସହଜ ହୋଇଯାଇଛି । ମୋ ବନ୍ଧୁ ଡେନିଲ୍ ଚାୱଡ଼ା ମଧ୍ୟ ଏ ସମ୍ପର୍କରେ କିଛି କହିବାକୁ ଚାହୁଁଛନ୍ତି ।

ପ୍ରଧାନମନ୍ତ୍ରୀ          :                          କୁହନ୍ତୁ ଡେନିଲ୍ . . .

ଡେନିଲ୍               : ସାର୍, ଆଉ ଗୋଟିଏ କଥା ଆମେ ଲକ୍ଷ୍ୟ କରିଛୁ । ଇଂଜିନିୟରିଂ ଛାତ୍ରମାନଙ୍କ ଚିନ୍ତାଧାରାରେ ମଧ୍ୟ ଆମେ ପରିବର୍ତ୍ତନ ଲକ୍ଷ୍ୟ କରୁଛୁ । ସେମାନେ ଆଗରୁ ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାକୁ ଇଚ୍ଛା କରୁଥିଲେ ଏବଂ ସେହିଠାରେ ମହାକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ । କିନ୍ତୁ ଏବେ ଭାରତରେ ଗୋଟିଏ ସ୍ପେସ୍ ଇକୋ ସିଷ୍ଟମ୍ ଖୁବ ଭଲ ଭାବେ ବିକଶିତ ହୋଇସାରିଲାଣି । ତେଣୁ ସେମାନେ ଭାରତକୁ ଫେରି ଏହି ଇକୋ ସିଷ୍ଟମର ଅଂଶ ହେବାକୁ ଚାହୁଁଛନ୍ତି । ଏ ସମ୍ପର୍କରେ ଏହି ଭଲ ତଥ୍ୟଟିଏ ମିଳିଛି । ଆମ ନିଜ କମ୍ପାନୀରେ ମଧ୍ୟ କିଛି ବିଦେଶ ଫେରନ୍ତା ବ୍ୟକ୍ତି କାମ କରୁଛନ୍ତି ।

ପ୍ରଧାନମନ୍ତ୍ରୀ          : ମୁଁ ଭାବୁଛି, କିଶନ୍ ଆଉ ଡେନିଲ୍, ଆପଣ ଦୁହେଁ ଯେଉଁ ଦିଗ ସମ୍ପର୍କରେ କହିଲେ, ସେକଥା ଆଡ଼କୁ ଅନେକ ଲୋକଙ୍କ ଦୃଷ୍ଟି ପଡ଼ିନଥିବ । କୌଣସି କ୍ଷେତ୍ରରେ ଯେତେବେଳେ ସଂସ୍କାର ହୁଏ, ସେତେବେଳେ ଏହାର ବହୁବିଧ ପ୍ରଭାବ ପଡ଼ିଥାଏ । ଅନେକ ଲୋକଙ୍କୁ ଏହାଦ୍ୱାରା ଲାଭ ହୋଇଥାଏ ଯାହା ଆପଣ କହିଲେ . . . ଆପଣ ସେହି କ୍ଷେତ୍ରରେ ରହିଥିବାରୁ ଏହା ଆପଣଙ୍କୁ ଦୃଷ୍ଟିକୁ ଆସିଛି, ଏବଂ ଆପଣ ଲକ୍ଷ୍ୟ ମଧ୍ୟ କରିଛନ୍ତି ଯେ ଦେଶର ଯୁବବର୍ଗ ଏବେ ଏହିଠାରେ ହିଁ ରହି ନିଜ ଭବିଷ୍ୟତ ଗଢ଼ିବାକୁ ଚାହୁଁଛନ୍ତି, ନିଜ ପ୍ରତିଭାକୁ ବିନିଯୋଗ କରିବାକୁ ଚାହୁଁଛନ୍ତି । ଆପଣ ବହୁତ ଭଲକଥା ଲକ୍ଷ୍ୟ କରିଛନ୍ତି । ମୁଁ ଆଉ ଗୋଟିଏ କଥା ପଚାରିବାକୁ ଚାହୁଁଛି । ଷ୍ଟାର୍ଟଅପ୍ ଏବଂ ମହାକାଶ କ୍ଷେତ୍ରରେ ସଫଳତା ଅର୍ଜନ କରିବାକୁ ଚାହୁଁଥିବା ଯୁବବନ୍ଧୁମାନଙ୍କୁ ଆପଣ କ’ଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି?

ପ୍ରନିତ୍‌                 :         ମୁଁ ପ୍ରନିତ୍‌ କହୁଛି ଆଉ ମୁଁ ପ୍ରଶ୍ନର ଉତ୍ତର ଦେବି ।

ପ୍ରଧାନମନ୍ତ୍ରୀ          :                          ହଁ ପ୍ରନିତ୍‌, କୁହନ୍ତୁ ।

ପ୍ରନିତ୍‌                 : ସାର୍‌, ମୁଁ ମୋର କିଛି ବର୍ଷର ଅଭିଜ୍ଞତାରୁ ଦୁଇଟି କଥା କହିବାକୁ ଚାହୁଁଚି । ପ୍ରଥମ କଥା ହେଲା ଯଦି ନିଜର ଷ୍ଟାର୍ଟ ଅପ୍‌ କରିବାର ଅଛି ତ ବର୍ତ୍ତମାନ ସୁଯୋଗ ରହିଛି, କାହିଁକିନା ସମଗ୍ର ପୃଥିବୀରେ ଭାରତ ଆଜି ସେହି ଦେଶ ପାଲଟିଛି ଯାହା ବିଶ୍ୱର ସବୁଠୁ ଦ୍ରୁତ ବିକାଶ କରୁଥିବା ଅର୍ଥନୀତି, ଆଉ ଏହାର ଅର୍ଥ ହେଲା ନିଜ ପାଖରେ ସୁବିଧାସୁଯୋଗ ବହୁତ ରହିଛି । ଯେପରିକି ମୁଁ ୨୪ ବର୍ଷ ବୟସରେ ଏହାଭାବି ଗର୍ବ ଅନୁଭବ କରୁଛି ଯେ ଆସନ୍ତା ବର୍ଷ ଆମର ଏକ ଉପଗ୍ରହ ଛଡ଼ାଯିବ; ଯାହାର ଆଧାରରେ ଆମର ସରକାର କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ ଓ ସେଥିରେ ଆମର ଏକ ଛୋଟିଆ ଅବଦାନ ରହିଛି । ଏଭଳି କେତେକ ଜାତୀୟ ପ୍ରଭାବଶାଳୀ ପ୍ରକଳ୍ପରେ କାମ କରିବାକୁ ମିଳିଲା । ଏହା ଏପରି ଏକ ଉଦ୍ୟୋଗ ଏବଂ ଏପରି ଏକ ସମୟ, ଯେଉଁ ସମୟରେ ମହାକାଶ ଉଦ୍ୟୋଗ ଆରମ୍ଭ ହେଉଛି । ତେଣୁ ମୁଁ ନିଜର ଯୁବବନ୍ଧୁମାନଙ୍କୁ କହିବାକୁ ଚାହୁଁଛି ଯେ ଏ ସୁଯୋଗ କେବଳ ପ୍ରଭାବର ନୁହେଁ, ବରଂ ତାଙ୍କ ନିଜର ଆର୍ଥିକ ବିକାଶର ଏବଂ ଏକ ବୈଶ୍ୱିକ ସମସ୍ୟା ସମାଧାନ କରିବାର । ଆମେ ନିଜ ନିଜ ଭିତରେ ଏକଥା ଆଲୋଚନା କରୁ ଯେ ପିଲାବେଳେ ଆମେ କହୁଥିଲୁ ଯେ ବଡ଼ ହୋଇ ଅଭିନେତା ହେବୁ, କ୍ରୀଡ଼ାବିତ୍‌ ହେବୁ, ତ ଏଇଠି ଏଭଳି କିଛି ଘଟିଥାଏ, କିନ୍ତୁ ଆଜି ଆମେ ଶୁଣୁଛୁ କିଏ କହୁଛି ଯେ ମୁଁ ବଡ଼ ହେବାପରେ ଏଣ୍ଟର୍‌ପ୍ରିନିଅର୍‌ ହେବି, ମହାକାଶ ଉଦ୍ୟୋଗରେ କାମ କରିବି । ଏହା ଆମ ପାଇଁ ବହୁତ ଗର୍ବର ମୁହୂର୍ତ୍ତ ଯେ ଆମେ ଏହି ପୁରା ପରିବର୍ତ୍ତନରେ ଏକ ଛୋଟିଆ ଭୂମିକା ନିଭାଉଛୁ ।

ପ୍ରଧାନମନ୍ତ୍ରୀ          : ବନ୍ଧୁଗଣ, ଗୋଟିଏ ପ୍ରକାର ପ୍ରନିତ୍‌, କିଶନ, ଡେନିଲ୍‌, ରକ୍ଷିତ୍‌, ସୁୟଶ ଆପଣମାନଙ୍କ ବନ୍ଧୁତା ଯେତିକି ନିବିଡ଼ ଆପଣଙ୍କ ଷ୍ଟାର୍ଟଅପ୍‌ ମଧ୍ୟ ସେତିକି ମଜଭୁତ୍‌ । ସେଇଥିପାଇଁ ତ ଆପଣମାନେ ଏଭଳି ଚମତ୍କାର କାର୍ଯ୍ୟ କରୁଛନ୍ତି । କିଛିବର୍ଷ ତଳେ ମୋତେ ଆଇଆଇଟି-ମାଡ୍ରାସ୍‌ ଯିବାର ସୁଯୋଗ ମିଳିଥିଲା ଏବଂ ମୁଁ ସେହି ଅନୁଷ୍ଠାନର ଉତ୍କର୍ଷକୁ ନିଜେ ଅନୁଭବ କରିଥିଲି । ଆଉ ଏମିତିରେ ବି ଆଇଆଇଟି ବିଷୟରେ ସମଗ୍ର ପୃଥିବୀରେ ଏକ ସମ୍ମାନଜନକ ଭାବନା ରହିଛି ଏବଂ ସେଇଠୁ ବାହାରୁଥିବା ଆମ ଲୋକେ ଯେତେବେଳେ ଭାରତ ପାଇଁ କାମ କରନ୍ତି ତ ନିଶ୍ଚିତ ଭାବେ କିଛି ନା କିଛି ଭଲ ଅବଦାନ ଦିଅନ୍ତି । ଆପଣ ସମସ୍ତଙ୍କୁ ଏବଂ ମହାକାଶ କ୍ଷେତ୍ରରେ କାମ କରୁଥିବା ଅନ୍ୟ ସମସ୍ତ ଷ୍ଟାର୍ଟଅପ୍‌ଗୁଡ଼ିକୁ ମୋର ବହୁତ ବହୁତ ଶୁଭକାମନା, ଆଉ ଆପଣ ପାଞ୍ଚଜଣଙ୍କ ସହିତ କଥାହୋଇ ମୋତେ ବହୁତ ଭଲ ଲାଗିଲା । ବହୁତ ବହୁତ ଧନ୍ୟବାଦ ବନ୍ଧୁଗଣ ।

ସୁୟଶ                 :                        ଥ୍ୟାଙ୍କ୍‌ ୟୁ ସୋ ମଚ୍‌ ।

ମୋର ପ୍ରିୟ ଦେଶବାସୀଗଣ, ଏ ବର୍ଷ ମୁଁ ଲାଲ୍‌କିଲାରୁ କୌଣସି ରାଜନୈତିକ ପୃଷ୍ଠଭୂମି ନ ଥିବା ଏକ ଲକ୍ଷ ଯୁବକଯୁବତୀଙ୍କୁ ରାଜନୈତିକ ବ୍ୟବସ୍ଥା ସହିତ ଯୋଡ଼ିହେବା ପାଇଁ ଆହ୍ୱାନ କରିଛି । ମୋର ଏ କଥାକୁ ନେଇ ବହୁତ ପ୍ରତିକ୍ରିୟା ଆସିଛି । ଏଥିରୁ ଜଣାପଡ଼ୁଛି ଯେ କେତେ ଅଧିକ ସଂଖ୍ୟାରେ ଆମର ଯୁବପିଢ଼ି ରାଜନୀତିକୁ ଆସିବା ପାଇଁ ପ୍ରସ୍ତୁତ ଅଛନ୍ତି । ବାସ୍‌ ସେମାନଙ୍କୁ ଠିକ୍‌ ସୁଯୋଗ ଓ ଉଚିତ ମାର୍ଗଦର୍ଶନ ଆବଶ୍ୟକ । ଏ ବିଷୟରେ ମୋତେ ସମଗ୍ର ଦେଶର ଯୁବକଯୁବତୀଙ୍କଠାରୁ ଚିଠି ମଧ୍ୟ ମିଳିଛି । ସୋସିଆଲ୍‌ ମିଡିଆରେ ମଧ୍ୟ ବହୁତ ପ୍ରତିକ୍ରିୟା ମିଳୁଛି । ଲୋକେ ବିଭିନ୍ନ ପ୍ରକାରର ପରାମର୍ଶ ଲେଖି ମୋ ପାଖକୁ ପଠାଇଛନ୍ତି । କେତେକ ଯୁବକଯୁବତୀ ଚିଠିରେ ଲେଖଛନ୍ତି ଯେ ଏହା ତାଙ୍କପାଇଁ ସତକୁ ସତ ଅକଳ୍ପନୀୟ । ଦାଦା ବା ମାତାପିତାଙ୍କର କୌଣସି ରାଜନୈତିକ ଇତିହାସ ନ ଥିବା କାରଣରୁ ସେମାନେ ଇଚ୍ଛା କଲେ ମଧ୍ୟ ରାଜନୀତିକୁ ଆସିପାରୁ ନ ଥିଲେ । କେତେକ ଯୁବକଯୁବତୀ ଲେଖିଛନ୍ତି ଯେ ତାଙ୍କ ନିକଟରେ ତୃଣମୂଳ ସ୍ତରରେ କାମ କରିବାର ଭଲ ଅଭିଜ୍ଞତା ରହିଛି, ତେଣୁ ସେମାନେ ଲୋକଙ୍କ ସମସ୍ୟାର ସମାଧାନ କରିବାରେ ସହାୟତା କରିପାରିବେ । କେତେଜଣ ଏଇଆ ବି ଲେଖିଛନ୍ତି ଯେ ପରିବାରବାଦୀ ରାଜନୀତି ନୂଆ ପ୍ରତିଭାଙ୍କୁ ଦମନ କରିଥାଏ । କେତେକ ଯୁବକଯୁବତୀ କହିଛନ୍ତି ଯେ ଏହି ଉଦ୍ୟମ ଦ୍ୱାରା ଆମ ଗଣତନ୍ତ୍ର ଅଧିକ ଶକ୍ତିଶାଳୀ ହେବ । ଏଇ ବିଷୟରେ ପରାମର୍ଶ ପଠାଇଥିବାରୁ ମୁଁ ପ୍ରତ୍ୟେକଙ୍କୁ ଧନ୍ୟବାଦ ଅର୍ପଣ କରୁଛି । ମୋର ଆଶା ଯେ ବର୍ତ୍ତମାନ ଆମର ସାମୂହିକ ପ୍ରୟାସ ଦ୍ୱାରା କୌଣସି ରାଜନୈତିକ ପୃଷ୍ଠଭୂମି ନ ଥିବା ଏଭଳି ଯୁବକଯୁବତୀମାନେ ମଧ୍ୟ ରାଜନୀତିରେ ପ୍ରବେଶ କରିବେ, ସେମାନଙ୍କ ଅଭିଜ୍ଞତା, ଏବଂ ସେମାନଙ୍କ ଉତ୍ସାହ ଦେଶର କାମରେ ଲାଗିବ ।

ବନ୍ଧୁଗଣ, ସ୍ୱାଧୀନତା ସଂଗ୍ରାମ ସମୟରେ ମଧ୍ୟ ସମାଜର ପ୍ରତ୍ୟେକ କ୍ଷେତ୍ରରୁ ଏଭଳି ଅନେକ ଲୋକ ଆସିଥିଲେ ଯାହାଙ୍କର କୌଣସି ରାଜନୈତିକ ପୃଷ୍ଠଭୂମି ନ ଥିଲା । ସେମାନେ ଭାରତର ସ୍ୱାଧୀନତା ପାଇଁ ନିଜକୁ ଉତ୍ସର୍ଗ କରିଦେଇଥିଲେ । ଆଜି ଆମକୁ ବିକଶିତ ଭାରତର ଲକ୍ଷ୍ୟ ହାସଲ ପାଇଁ ପୁଣିଥରେ ସେହି ଭାବନାର ଆବଶ୍ୟକତା ରହିଛି । ମୁଁ ମୋର ସମସ୍ତ ଯୁବସାଥୀମାନଙ୍କୁ କହିବି ଯେ ସେମାନେ ଏହି ଅଭିଯାନ ସହ ନିଶ୍ଚିତ ଭାବେ ଯୋଡ଼ି ହୁଅନ୍ତୁ । ଆପଣଙ୍କର ଏହି ପଦକ୍ଷେପ ନିଜର ଓ ଦେଶର ଭବିଷ୍ୟତ ପରିବର୍ତ୍ତନକାରୀ ହେବ ।

ମୋର ପ୍ରିୟ ଦେଶବାସୀଗଣ, ‘ହର୍‌ ଘର୍‌ ତ୍ରିରଙ୍ଗା ଔର୍‌ ପୂରା ଦେଶ୍‌ ତ୍ରିରଙ୍ଗା’, ଏଥର ଏହି ଅଭିଯାନ ତା’ର ସର୍ବୋଚ୍ଚ ଶିଖର ସ୍ପର୍ଶ କରିଥିଲା । ଦେଶର କୋଣଅନୁକୋଣରୁ ଏହି ଅଭିଯାନ ସହିତ ସଂପୃକ୍ତ ଅନେକ ଚମତ୍କାର ଚିତ୍ର ଦେଖିବାକୁ ମିଳିଛି । ଆମେ ଘରେ ତ୍ରିରଙ୍ଗା ଉଡ଼ୁଥିବା ଦେଖିଲେ- ସ୍କୁଲ୍‌, କଲେଜ, ବିଶ୍ୱବିଦ୍ୟାଳୟରେ ତ୍ରିରଙ୍ଗା ଦେଖିଲେ । ଲୋକେ ନିଜ ଦୋକାନରେ, କାର୍ଯ୍ୟାଳୟରେ ତ୍ରିରଙ୍ଗା ଲଗାଇଲେ, ଲୋକେ ନିଜ ଡେସ୍କଟପ୍‌, ମୋବାଇଲ୍‌ ଏବଂ ଗାଡ଼ିରେ ମଧ୍ୟ ତ୍ରିରଙ୍ଗା ଲଗାଇଲେ । ଯେତେବେଳେ ଲୋକେ ଏକାସାଂଗେ ଯୋଡ଼ି ହୋଇ ନିଜର ଭାବନା ପ୍ରକଟ କରନ୍ତି, ସେତେବେଳେ ପ୍ରତ୍ୟେକ ଅଭିଯାନ ଏହିପରି ସଫଳ ହୁଏ । ଏବେ ଆପଣ ନିଜ ଟିଭି ସ୍କ୍ରିନ୍‌ରେ ଯେଉଁ ଚିତ୍ର ଦେଖୁଛନ୍ତି, ଏହା ଜାମ୍ମୁକାଶ୍ମୀର ଅନ୍ତର୍ଗତ ରିୟାସିର । ଏଠାରେ ୭୫୦ ମିଟର ଲମ୍ବ ପତାକା ସହିତ ତ୍ରିରଙ୍ଗା ଶୋଭାଯାତ୍ରା ବାହାର କରାଯାଇଥିଲା ଏବଂ ଏହି ଶୋଭାଯାତ୍ରା ପୃଥିବୀର ସବୁଠୁ ଉଚ୍ଚ ଚିନାବ ରେଲ୍‌ୱେ ବ୍ରିଜ୍‌ରେ ବାହାର କରାଯାଇଥିଲା । ଯିଏ ବି ଏହି ଚିତ୍ରକୁ ଦେଖିଛି ତା’ର ମନ ଖୁସିରେ ନାଚିଉଠିଛି । ଶ୍ରୀନଗରର ଡାଲ୍‌ ହ୍ରଦରେ ମଧ୍ୟ ତ୍ରିରଙ୍ଗା ଯାତ୍ରାର ମନୋମୁଗ୍ଧକର ଚିତ୍ର ଆମେ ସମସ୍ତେ ଦେଖିଲେ । ଅରୁଣାଚଳ ପ୍ରଦେଶର ଇଷ୍ଟ୍‌ କାମେଙ୍ଗ୍‌ ଜିଲାରେ ମଧ୍ୟ ୬୦୦ ଫୁଟ ଲମ୍ବର ତ୍ରିରଙ୍ଗା ସହ ଶୋଭାଯାତ୍ରା ବାହାର କରାଯାଇଥିଲା । ସେହିପରି ଦେଶର ଅନ୍ୟ ରାଜ୍ୟରେ ସବୁ ବୟସର ଲୋକେ ଏଭଳି ତ୍ରିରଙ୍ଗା ଶୋଭାଯାତ୍ରାଗୁଡ଼ିକରେ ସାମିଲ୍‌ ହୋଇଥିଲେ । ସ୍ୱାଧୀନତା ଦିବସ ଏବେ ଏକ ସାମାଜିକ ପର୍ବରେ ରୂପାନ୍ତରିତ ହୋଇଚାଲିଛି, ଏହା ଆପଣ ମଧ୍ୟ ଅନୁଭବ କରିଥିବେ । ଲୋକେ ନିଜ ଘରକୁ ତ୍ରିରଙ୍ଗା ମାଳାରେ ସଜାଇଥାନ୍ତି । ‘ସ୍ୱୟଂ ସହାୟକ ଗୋଷ୍ଠୀ’ ସହିତ ସଂପୃକ୍ତ ମହିଳାମାନେ ଲକ୍ଷ ଲକ୍ଷ ପତାକା ତିଆରି କରନ୍ତି । ଇ-କମର୍ସ ପ୍ଲାଟଫର୍ମରେ ତ୍ରିରଙ୍ଗାରେ ରଙ୍ଗାୟିତ ଜିନିଷପତ୍ରର ବିକ୍ରି ବଢ଼ିଯାଏ । ସ୍ୱାଧୀନତା ଦିବସ ଅବସରରେ ଦେଶର ପ୍ରତି କୋଣ ଅନୁକୋଣରେ, ଜଳ-ସ୍ଥଳ-ଆକାଶ- ସବୁ ସ୍ଥାନରେ ଆମ ଜାତୀୟ ପତାକାର ତିନି ରଙ୍ଗ ଦୃଶ୍ୟମାନ ହୋଇଥାଏ । ହର୍‌ ଘର୍‌ ତ୍ରିରଙ୍ଗା ୱେବ୍‌ସାଇଟ୍‌ରେ ପାଞ୍ଚ କୋଟିରୁ ଅଧିକ ସେଲ୍‌ଫି ମଧ୍ୟ ପୋଷ୍ଟ୍‌ କରାଯାଇଛି । ଏହି ଅଭିଯାନ ସମଗ୍ର ଦେଶକୁ ଗୋଟିଏ ସୂତ୍ରରେ ବାନ୍ଧି ଦେଇଛି ଓ ଏହାହିଁ ‘ଏକ ଭାରତ୍‌-ଶ୍ରେଷ୍ଠ୍‌ ଭାରତ’ର ନିଦର୍ଶନ ।

ମୋର ପ୍ରିୟ ଦେଶବାସୀଗଣ, ମଣିଷ ଓ ପଶୁଙ୍କ ମଧ୍ୟରେ ପ୍ରେମ ଉପରେ ଆପଣ ଅନେକ ଚଳଚ୍ଚିତ୍ର ଦେଖିଥିବେ! କିନ୍ତୁ ଗୋଟିଏ ବାସ୍ତବ କାହାଣୀ ଆଜିକାଲି ଆସାମରେ ଚର୍ଚ୍ଚା ସୃଷ୍ଟି କରିଛି । ଆସାମର ତିନସୁକିଆ ଜିଲାର ଛୋଟିଆ ଗାଁ ବାରେକୁରିରେ ମୋରାନ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି ଏବଂ ଏହି ଗାଁରେ ରହନ୍ତି ‘ହୁଲାକ୍‌ ଗିବନ’, ଏକ ମାଙ୍କଡ଼ର ପ୍ରଜାତି ଯାହାଙ୍କୁ ସେଠାରେ ‘ହୋଲୋ ବନ୍ଦର୍’ କୁହାଯାଏ । ହୁଲାକ୍‌ ଗିବନ ସେହି ଗାଁକୁ ହିଁ ନିଜର ଘର କରିଦେଇଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଗାଁର ଲୋକଙ୍କର ହୁଲାକ୍‌ ଗିବନଙ୍କ ସହିତ ବହୁତ ଗଭୀର ସମ୍ବନ୍ଧ ରହିଛି । ଗ୍ରାମବାସୀ ଆଜି ମଧ୍ୟ ନିଜର ପାରମ୍ପରିକ ପ୍ରଥାକୁ ପାଳନ କରୁଛନ୍ତି । ତେଣୁ ସେମାନେ ସେସବୁ କାମ କରୁଛନ୍ତି ଯାହାଦ୍ୱାରା ଗିବନ୍‌ଙ୍କ ସହିତ ସେମାନଙ୍କର ସମ୍ପର୍କ ଆହୁରି ସୁଦୃଢ଼ ହେବ । ସେମାନେ ଯେତେବେଳେ ଅନୁଭବ କଲେ ଯେ ଗିବନ୍‌ମାନଙ୍କୁ କଦଳୀ ବହୁତ ପସନ୍ଦ, ତ ସେମାନେ କଦଳୀ ଚାଷ ମଧ୍ୟ ଆରମ୍ଭ କରିଦେଲେ । ଏହାଛଡ଼ା ସେମାନେ ସ୍ଥିର କଲେ ଯେ ଗିବନଙ୍କ ଜନ୍ମ ଓ ମୃତ୍ୟୁ ସହିତ ସମ୍ପୃକ୍ତ ରୀତିନୀତିକୁ ଠିକ୍‌ ସେମିତି ପାଳନ କରିବେ, ଯେପରିକି ସେମାନେ ଆପଣାର ଲୋକଙ୍କ ପାଇଁ କରନ୍ତି । ସେମାନେ ଗିବନମାନଙ୍କୁ ବିଭିନ୍ନ ନାଁ ମଧ୍ୟ ଦେଇଛନ୍ତି । ନିକଟରେ ଗିବନଙ୍କ ପାଖଦେଇ ବିଦ୍ୟୁତ୍‌ ତାର ଯାଇଥିବା କାରଣରୁ ସେମାନଙ୍କୁ ବହୁତ ଅସୁବିଧା ଭୋଗିବାକୁ ପଡ଼ୁଥିଲା । ତେଣୁ ଏହି ଗାଁର ଲୋକେ ସରକାରଙ୍କୁ ଏ ବିଷୟ ଜଣାଇଲେ ଏବଂ ଖୁବ୍‌ଶୀଘ୍ର ଏହାର ସମାଧାନର ରାସ୍ତା ମଧ୍ୟ ବାହାର କରାଗଲା । ମୋତେ କୁହାଯାଇଛି ଯେ ଏବେ ଏହି ଗିବନମାନେ ଫଟୋ ପାଇଁ ପୋଜ୍‌ ମଧ୍ୟ ଦେଉଛନ୍ତି ।

ବନ୍ଧୁଗଣ, ପଶୁମାନଙ୍କ ପ୍ରତି ପ୍ରେମ କ୍ଷେତ୍ରରେ ଆମ ଅରୁଣାଚଳ ପ୍ରଦେଶର ଯୁବ ସାଥୀମାନେ ମଧ୍ୟ ପଛରେ ନାହାଁନ୍ତି । ଅରୁଣାଚଳର ଆମର କିଛି ଯୁବବନ୍ଧୁମାନେ 3-ଡି ପ୍ରିଣ୍ଟିଙ୍ଗ୍ ଟେକ୍ନୋଲୋଜିର ବ୍ୟବହାର ଆରମ୍ଭ କରିଛନ୍ତି – ଜାଣିଛନ୍ତି କାହିଁକି ? କାରଣ ସେମାନେ ଶିଙ୍ଗ ଆଉ ଦାନ୍ତ ପାଇଁ ବନ୍ୟଜୀବମାନଙ୍କୁ ଶୀକାର ହେବାରୁ ବଞ୍ଚାଇବା ପାଇଁ ଚାହାଁନ୍ତି । ନାବମ ବାପୁ ଏବଂ ଶିଖା ନାନାଙ୍କ ନେତୃତ୍ୱରେ ଏହି ଟିମ୍ ପଶୁମାନଙ୍କର ଭିନ୍ନ ଭିନ୍ନ ଅଙ୍ଗର 3-ଡି ପ୍ରିଣ୍ଟିଙ୍ଗ୍ କରନ୍ତି । ପଶୁମାନଙ୍କର ଦାନ୍ତ ହେଉ ବା ଶିଙ୍ଗ ହେଉ ଏସବୁ 3-ଡି ପ୍ରିଣ୍ଟିଙ୍ଗ୍ ଦ୍ୱାରା ତିଆରି ହୁଏ । ଏଥିରୁ ପୁଣି ଡ୍ରେସ୍ ଓ ଟୋପି ଭଳି ଜିନିଷଗୁଡ଼ିକ ତିଆରି କରାଯାଏ । ଏହା ଏକ ଆଶ୍ଚର୍ଯ୍ୟଜନକ ବିକଳ୍ପ ଯେଉଁଥିରେ Bio-degradable materials ର ପ୍ରୟୋଗ କରାଯାଏ । ଏଭଳି ଏକ ଅଦ୍ଭୁତ ପ୍ରୟାସକୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍ ହେବ । ମୁଁ ତ କହିବି ଯେ ଏହି କ୍ଷେତ୍ରରେ ଅଧିକରୁ ଅଧିକ ଷ୍ଟାର୍ଟ ଅପ୍ ଆଗକୁ ଆସୁ ଯାହା ଫଳରେ ଆମର ପଶୁମାନଙ୍କର ରକ୍ଷାହେବା ସଙ୍ଗେ ସଙ୍ଗେ ପରମ୍ପରା ମଧ୍ୟ ପ୍ରଚଳିତ ରହିପାରିବ ।

ମୋର ପ୍ରିୟ ଦେଶବାସୀଗଣ, ମଧ୍ୟପ୍ରଦେଶର ଝାବୁଆରେ ଏଭଳି କିଛି ବଢ଼ିଆ କାମ ହେଉଛି ଯାହା ଆପଣମାନେ ଜାଣିବା ନିହାତି ଦରକାର । ସେଠାରେ ଆମ ସଫାଇକର୍ମୀ ଭାଇଭଉଣୀମାନେ କମାଲ୍ କରି ଦେଖାଇଛନ୍ତି । ଏହି ଭାଇଭଉଣୀମାନେ “ଆବର୍ଜ୍ଜନାରୁ ଧନ” ଉକ୍ତିଟିକୁ ସତ୍ୟରେ ପରିଣତ କରି ଦେଖାଇଛନ୍ତି । ଏହି ଦଳଟି ଝାବୁଆର ଏକ ପାର୍କରେ ବର୍ଜ୍ୟବସ୍ତୁରୁ ସୁନ୍ଦର ସୁନ୍ଦର କଳାକୃତି ତିଆରି କରିଛନ୍ତି । ଏହି କାମ ପାଇଁ ସେମାନେ ଆଖପାଖରୁ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଅର୍ଥାତ୍ ବ୍ୟବହାର ହୋଇଥିବା ବୋତଲ୍ ଟାୟାର୍ ଏବଂ ପାଇପ୍ ଆଦି ଏକତ୍ରିତ କରନ୍ତି । ଏହି କଳାକୃତିଗୁଡ଼ିକରେ ହେଲିକପ୍ଟର, କାର୍ ଏବଂ ତୋପ ମଧ୍ୟ ତିଆରି କରୁଛନ୍ତି । ଅତି ସୁନ୍ଦର ଝୁଲୁଥିବା ଫୁଲଦାନୀ ମଧ୍ୟ ତିଆରି ହୋଇଥାଏ । ବ୍ୟବହାର ହୋଇସାରିଥିବା ଟାୟାର ବ୍ୟବହାର କରି ଏଠାରେ ଆରାମଦାୟକ ବେଞ୍ଚ ମଧ୍ୟ ତିଆରି କରାଯାଇଛି । ସଫାଇ କର୍ମଚାରୀମାନଙ୍କର ଏହି ଦଳ ଏଠାରେ Reduce, Reuse ଏବଂ Recycle ମନ୍ତ୍ରକୁ ଆପଣେଇ ନେଇଛନ୍ତି । ଏସବୁକୁ ଦେଖିବା ପାଇଁ ସ୍ଥାନୀୟ ଲୋକମାନେ ତଥା ଆଖପାଖ ଜିଲ୍ଲାର ଲୋକମାନେ ମଧ୍ୟ ଏଠାକୁ ଆସୁଛନ୍ତି ।

ବନ୍ଧୁଗଣ, ମୁଁ ଖୁସି ଯେ ଆଜି ଆମ ଦେଶର ଅନେକ ଷ୍ଟାର୍ଟଅପ୍ ଟିମ୍ ପରିବେଶର ଉନ୍ନତି ପାଇଁ ଏଭଳି ପ୍ରୟାସମାନ କରିଚାଲିଛନ୍ତି । E-conscious ନାମକ ଟିମ୍ ଅଛି, ଯିଏକି ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁର ଉପଯୋଗ କରି ପରିବେଶ ଅନୁକୂଳ ଉତ୍ପାଦ ତିଆରି କରୁଛି । ଆମର ପର୍ଯ୍ୟଟନସ୍ଥଳ ବିଶେଷକରି ପାହାଡ଼ି ଅଞ୍ଚଳରେ ପଡ଼ିଥିବା ଆବର୍ଜନାକୁ ଦେଖି ସେମାନଙ୍କ ମନରେ ଏଭଳି ଆଇଡିଆ ଆସିଲା । ଏହିଭଳି ଲୋକମାନଙ୍କର ଆଉ ଏକ ଦଳ “ଇକୋକାରୀ” ନାମକ ଏକ ଷ୍ଟାର୍ଟଅପ୍ ଆରମ୍ଭ କରିଛନ୍ତି । ସେମାନେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁରୁ ବିଭିନ୍ନ ପ୍ରକାର ସୁନ୍ଦର ଜିନିଷ ତିଆରି କରୁଛନ୍ତି ।

ବନ୍ଧୁଗଣ, Toy Recycling ମଧ୍ୟ ଏଇଭଳି ଏକ କ୍ଷେତ୍ର ଯେଉଁଥିରେ ଆମେ ମିଳିମିଶି କାମ କରିପାରିବା । ଆପଣମାନେ ଜାଣିଛନ୍ତି ଯେ ଅନେକ ପିଲା ଖୁବଶୀଘ୍ର ଗୋଟିଏ ଖେଳନାରୁ ବୋର୍ ହୋଇଯାଆନ୍ତି । ସେଇଭଳି ଏମିତି ପିଲା ମଧ୍ୟ ଅଛନ୍ତି ଯେଉଁମାନେ ସେଇ ଖେଳନା ପାଇଁ ଆଗ୍ରହ ରଖିଥାନ୍ତି । ଏଭଳି ଖେଳନା ଯେଉଁଥିରେ ଏବେ ଆପଣଙ୍କ ପିଲା ଖେଳୁନାହାଁନ୍ତି, ସେଗୁଡ଼ିକୁ ଆପଣ ଏଭଳି ଜାଗାରେ ଦେଇପାରନ୍ତି ଯେଉଁଠି ତା’ର ଉପଯୋଗ ହୋଇପାରିବ । ଏ ମଧ୍ୟ ପରିବେଶ ରକ୍ଷାର ଏକ ଭଲ ବାଟ । ଆମେ ସମସ୍ତେ ମିଶି ଏଭଳି ଚେଷ୍ଟା କଲେ ପରିବେଶ ସୁରକ୍ଷା ସଙ୍ଗେ ସଙ୍ଗେ ଦେଶ ମଧ୍ୟ ଆଗକୁ ବଢ଼ିବ ।

ମୋର ପ୍ରିୟ ଦେଶବାସୀଗଣ, ଏଇ କିଛିଦିନ ପୂର୍ବେ ଅଗଷ୍ଟ ୧୯ ତାରିଖ ଦିନ ଆମେମାନେ ରକ୍ଷାବନ୍ଧନ ପର୍ବ ପାଳନ କଲେ । ସେହିଦିନ ସାରା ଦୁନିଆରେ ବିଶ୍ୱ ସଂସ୍କୃତ ଦିବସ ମଧ୍ୟ ପାଳନ କରାଗଲା । ଆଜି ମଧ୍ୟ ଦେଶ-ବିଦେଶରେ ଲୋକମାନଙ୍କର ସଂସ୍କୃତ ଭାଷା ପ୍ରତି ବିଶେଷ ଆକର୍ଷଣ ଦେଖାଯାଉଛି । ବିଶ୍ୱର ଅନେକ ଦେଶରେ ସଂସ୍କୃତ ଭାଷାକୁ ନେଇ ବିଭିନ୍ନ ପ୍ରକାରର ଗବେଷଣା ଏବଂ ପ୍ରୟୋଗ କରାଯାଉଛି । ପରବର୍ତ୍ତୀ କଥା କହିବା ପୂର୍ବରୁ ମୁଁ ଆପଣମାନଙ୍କ ପାଇଁ ଗୋଟିଏ ଛୋଟିଆ ଅଡିଓ କ୍ଲିପ୍ ପ୍ଲେ କରୁଛି ।

Leave a Reply

Your email address will not be published. Required fields are marked *