ରାଜନୀତିର ପଥପ୍ରଦର୍ଶକ ସାହିତ୍ୟ ପଞ୍ଚାନନ କାନୁନ୍‌ଗୋଙ୍କ ଗଳ୍ପ ସଂକଳନ ବିବର୍ଣ୍ଣ ମମତା ଉନ୍ମୋଚିତ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ଆଜି ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନଠାରେ ରତ୍ନଚୀରା ପବ୍ଲିକେସନ୍ ଦ୍ୱାରା ପ୍ରକାଶିତ ବର୍ଷିୟାନ୍ ରାଜନେତା ପଞ୍ଚାନନ କାନୁନଗୋଙ୍କ ଲିଖିତ ଗଳ୍ପ ପୁସ୍ତକ ‘ବିବର୍ଣ୍ଣ ମମତା’ ଲୋକାର୍ପିତ ହୋଇସାରିଛି । ଏହି କାର୍ଯ୍ୟକ୍ରମରେ ଉଦ୍‌ଘାଟକ ରୂପେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ମୁଖ୍ୟ ଅତିଥି ରୂପେ ସୌମ୍ୟରଂଜନ ପଟ୍ଟନାୟକ, ମୁଖ୍ୟବକ୍ତା ରୂପେ ରବି ନାରାୟଣ ଶତପଥୀ ଓ ଏହି କାର୍ଯ୍ୟକ୍ରମଟିକୁ ସଭାପତିତ୍ୱ କରିଥିଲେ ଅଧ୍ୟାପକ ବିଶ୍ୱରଂଜନ । ଭାଷା ଓ ସାହିତ୍ୟ ହେଉଛି ସମାଜର ଅନେକ ପରିବର୍ତ୍ତନର ଉତ୍ସ, ଯେଉଁ ବ୍ୟକ୍ତିମାନେ ରାଜନୀତିରେ ଥାଇ ମଧ୍ୟ ସାହିତ୍ୟ ଅନୁରାଗୀ ସେମାନେ ଅନେକ ସମୟରେ ରାଜନୀତିର ମାର୍ଗଦର୍ଶକ ଭାବେ କାମ କରିଥାଆନ୍ତି । ଏହି ଅବସରରେ ଶ୍ରୀଯୁକ୍ତ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ ଯେ, ରାଜନୀତିରେ ଥିବା ବ୍ୟକ୍ତି ଭଲ ସାହିତ୍ୟ ସୃଷ୍ଟି କରିପାରୁନଥିବା ଅନେକ ମତ ରଖିଥାଆନ୍ତି । କିନ୍ତୁ ବାସ୍ତବରେ ତାହା ସତ୍ୟ ନୁହେଁ, ସେହିମାନେ ହିଁ ସମାଜରେ ପରିବର୍ତ୍ତନ ଆଣିପାରନ୍ତି, ଯିଏ ରାଜନୀତି ଓ ସାହିତ୍ୟକୁ ଏକାଠି କରି ସଫଳତା ହାସଲ କରିଥାଆନ୍ତି । ଶ୍ରୀଯୁକ୍ତ ରବି ନାରାୟଣ ସେନାପତି ସାହିତ୍ୟର ମୂଲ୍ୟବୋଧ ଓ ସମାଜର ମୂଲ୍ୟବୋଧ ଏକ ହେଲେ ସାହିତ୍ୟ ଓ ସମାଜ ଠିକଣା ମାର୍ଗରେ ଯାଇଥାଏ ବୋଲି ମତ ଦେଇଥିଲେ । ପଦ୍ମଶ୍ରୀ ଶ୍ରୀଯୁକ୍ତ ଦେବୀ ପ୍ରସନ୍ନ ପଟ୍ଟନାୟକ ଓଡ଼ିଆ ଭାଷା ସାହିତ୍ୟର ପ୍ରାଚୀନତା ଉପରେ ଆଲୋକପାତ କରି ପ୍ରତିଟି ଆଧୁନିକ ଲେଖା ଭିତରେ ନୂଆ ନୂଆ ସୃଷ୍ଟିର ଆଭାସ ମିଳୁଛି ଓ ଏହା ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରୁଛି ବୋଲି ମତବ୍ୟକ୍ତ କରିଥିଲେ । ଅଧ୍ୟାପକ ବିଶ୍ୱରଂଜନ କହିଥିଲେ ଯେ, ସମ୍ବାଦ କାଗଜର ପ୍ରଥମ ସମ୍ପାଦକ ଭାବେ ଶ୍ରୀଯୁକ୍ତ ସୁରେନ୍ଦ୍ର ମହାନ୍ତି ଯେଉଁ ସାହିତ୍ୟ ସୃଷ୍ଟି କରିଛନ୍ତି, ତାକୁ ଅନୁଶୀଳନ କଲେ ଆମେ ସମସ୍ତେ ଜାଣିପାରିବା ଯେ ସମାଜ ଓ ରାଜନୀତି ଉଭୟ ସାହିତ୍ୟ ସହ ଗତିଶୀଳ ଓ ପରସ୍ପରର ପରିପୂରକ । ଏହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ଝୁନା ପଟ୍ଟନାୟକ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଲେଖକ ପଞ୍ଚାନନ କାନୁନ୍‌ଗୋ ଓ ଧନ୍ୟବାଦ ଅର୍ପଣ କରିଥିଲେ ରତ୍ନଚିରା ପ୍ରକାଶନ ତରଫରୁ କରୁଣାକର ପୃଷ୍ଟି ଓ ସ୍ନେହା ପୃଷ୍ଟି । ଏହି କାର୍ଯ୍ୟକ୍ରମଟିକୁ ମୀର ଅହମ୍ମଦ ଅଲ୍ଲୀ, ବିନୋଦ କୁମାର ରାଉତ, ତାପସ ଦେ, କ୍ଷୀରୋଦ ଜେନା ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *