ପବିତ୍ର ଶ୍ରୀ ରାଧାଷ୍ଟମୀ

ଶ୍ରୀକୃଷ୍ଣଙ୍କ ଧର୍ମପତ୍ନୀ ରାଧା ନୁହନ୍ତି। ଶ୍ରୀକୃଷ୍ଣଙ୍କର ପତ୍ନୀ ଅଷ୍ଟ ପାଟ୍ଟରାଣୀ- ରୁକ୍ମିଣୀ, ସତ୍ୟଭାମା, ଜାମ୍ବବତୀ, ଲକ୍ଷ୍ମଣା ଇତ୍ୟାଦି, ପୁନଶ୍ଚ ପଦ୍ମା, ଲକ୍ଷ୍ମୀ, କମଳୀ ଅଟନ୍ତି। ତେବେ ଏ ରାଧା କିଏ ? ରାଧା ହେଉଛନ୍ତି ଶ୍ରୀକୃଷ୍ଣଙ୍କର ‘ଆତ୍ମା’। ଯେପରିକି ଆମ୍ଭମାନଙ୍କର ଇନ୍ଦ୍ରିୟ, ମନ, ବୁଦ୍ଧି ହେଉଛି ‘ମୁଁ’ ନାମକ ଆତ୍ମାର ଦାସ, ଠିକ୍ ସେହିପରି ସମସ୍ତ ଆତ୍ମାର ଆତ୍ମା ପରମାତ୍ମା ଶ୍ରୀକୃଷ୍ଣଙ୍କ ସବୁ ଆତ୍ମା ଦାସ ଅଟନ୍ତି। ସେହି ନ୍ୟୟରେ ଶ୍ରୀକୃଷ୍ଣଙ୍କ ଆତ୍ମା ହେଉଛନ୍ତି ‘ଶ୍ରୀରାଧା’। ଅତଏବ୍‌ ରାଧାଙ୍କ ଦାସ ମଧ୍ୟ ଶ୍ରୀକୃଷ୍ଣ ଅଟନ୍ତି। ବଡ଼ ସାଧାସିଧା କଥା ରାଧା କୃଷ୍ଣଙ୍କର ପତ୍ନୀ ନୁହନ୍ତି, ସେ ‘ସେବ୍ୟ’ ଅଟନ୍ତି। କିନ୍ତୁ ଲୀଳାକ୍ଷେତ୍ରରେ ଦୁହେଁ ଦୁହିଁଙ୍କର ସେବା କରିଥା’ନ୍ତି।

ଯଦ୍ବାରା ଶ୍ରୀକୃଷ୍ଣ ରାଧାଙ୍କର ଉପାସକ ଅଟନ୍ତି ଏବଂ ଶ୍ରୀରାଧା ଶ୍ରୀକୃଷ୍ଣଙ୍କର ଉପାସିକା ଅଟନ୍ତି। ଲୀଳା କ୍ଷେତ୍ରରେ ଦୁହେଁ ଦୁହିଁଙ୍କୁ ପରସ୍ପର ଅପ୍ରାକୃତ ପ୍ରେମରେ ବାନ୍ଧି ରଖିଥା’ନ୍ତି। ଏଥିରେ ନା କେହି ଛୋଟ ନା କେହି ବଡ଼ ଅଟନ୍ତି। କିନ୍ତୁ ସିଦ୍ଧାନ୍ତ ଦୃଷ୍ଟିରେ ‘ରାଧା’ ବଡ଼ ଅଟନ୍ତି। କିନ୍ତୁ ଲୀଳା କ୍ଷେତ୍ରରେ ଶ୍ରୀକୃଷ୍ଣ, ରାଧା ହୋଇଯାଇଥା’ନ୍ତି ଏବଂ ରାଧା ମଧ୍ୟ ଶ୍ରୀକୃଷ୍ଣ ହୋଇଯାଇଥା’ନ୍ତି। ଏମାନେ ଦୁଇ ନୁହନ୍ତି, ଏକ ଏବଂ ଅଭିନ୍ନ ଅଟନ୍ତି। ଦୁହିଁଙ୍କର ଶରୀର, ମନ, ବୁଦ୍ଧି, ଇନ୍ଦ୍ରିୟ ସବୁ ଏକ ହିଁ ଅଟେ। ଦେଖିବାକୁ ଆମେ ଦୁଇ, କିନ୍ତୁ ବାସ୍ତବରେ ସେ ଏକ।

ଶ୍ରୀମଦ୍‌ ଭାଗବତରେ ‘ରାସ ପଞ୍ଚାଧ୍ୟାୟୀ’କୁ ପରମ ଶାସ୍ତ୍ରର ‘ପ୍ରାଣ’ ବା ‘ଆତ୍ମା’ ବୋଲି କୁହାଯାଏ। କାରଣ ସ୍ବୟଂ ରାସେଶ୍ବରୀ ଶ୍ରୀରାଧା ଏହାର ପ୍ରାଣର ପ୍ରାଣ ଅଟନ୍ତି, ତେଣୁ ରସିକ ମହାପୁରୁଷମାନେ ଏହି ଭାଗବତର ଦଶମ ସ୍କନ୍ଧ (ଗୋପ ଲୀଳା) ପ୍ରସଙ୍ଗକୁ ଗୁରୁତ୍ବ ଦେଇଥା’ନ୍ତି। ମାଆ ରାସେଶ୍ବରୀ ଶ୍ରୀରାଧା ଯଦି ପରମ ଶାସ୍ତ୍ର ଗ୍ରନ୍ଥରେ ଧଳା କାଗଜ ହୁଅନ୍ତି, ବ୍ରଜେନ୍ଦ୍ରନନ୍ଦନ ଶ୍ରୀକୃଷ୍ଣ ହେଉଛନ୍ତି ତହିଁ ଉପରେ ଲେଖାଯାଇଥିବା ଶବ୍ଦାବଳୀ ସମୂହ। ଯେପରିକି ଶରୀରରୁ ଆତ୍ମା ଚାଲିଗଲେ ଏ ଶରୀର ‘ଜଡ଼’ ବା ‘ମୃତ’, ଠିକ୍‌ ସେହିପରି ଏ ‘ରାସ ପଞ୍ଚାଧ୍ୟାୟୀ’ ବା ‘ରାଧା ତତ୍ତ୍ବ’, ‘ପ୍ରେମରସ ମସିରା’କୁ ଯଦି କାଢ଼ି ନିଆଯାଏ, ତେବେ ଶ୍ରୀମଦ୍‌ ଭାଗବତ ଭଳି ଭକ୍ତି ରସାମୃତ ଗ୍ରନ୍ଥ ମଧ୍ୟ ଅଲୋଡ଼ା ଅଦରକାରୀ ହୋଇଯିବ।

ଶରୀର ମଧ୍ୟରେ ଥିବା ଆତ୍ମା ବା ପ୍ରାଣର ତତ୍ତ୍ବକୁ ଯେପରି ଆଜି ପର୍ଯ୍ୟନ୍ତ କେହି ବି ଖୋଜି ପାଇ ପାରିନାହାନ୍ତି, ଠିକ୍ ସେହିପରି ଏ ରସାଳ, ବିଶାଳ, ଭକ୍ତି ରସମୟ ସିନ୍ଧୁ ଗ୍ରନ୍ଥ ଶ୍ରୀମଦ୍ ଭାଗବତ ମହାପୁରାଣରେ ‘ରାଧା ତତ୍ତ୍ବ’ ବୁଝିବା ଓ ଶ୍ରୀରାଧା କିଏ ଜାଣିବା ବଡ଼ କଷ୍ଟ। ଭଗବାନ ସେଥିପାଇଁ କହିଛନ୍ତି, ପ୍ରଥମେ ମୋତେ ଜାଣିବାକୁ ହେଲେ ମୋର ଭକ୍ତି କରିବାକୁ ପଡ଼ିଥାଏ, ମୁଁ ଯାହା ଉପରେ କୃପା କରିବି, ସେ ହିଁ କେବଳ ମୋତେ ଜାଣିପାରିବ। ଶ୍ରୀମଦ୍‌ ଭଗବତ ଗୀତାରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ସ୍ପଷ୍ଟ ଭାବେ କହିଛନ୍ତି, ହେ ଅର୍ଜୁନ!
‘‘ଦୈବୀ ହ୍ୟୋଷା ଗୁଣମୟୀ ମମ ମାୟା ଦୁରତ୍ୟୟା,
ମାମେବ ଯେ ପ୍ରପଦ୍ୟନ୍ତେ ମାୟା‌ମେତାଂ ତଦନ୍ତି ତେ।’’
{ଗୀତା – ୭/୧୪}
ତେଣୁ ପ୍ରଥମେ ମୋତେ ଜାଣିବ ଏବଂ ମୁଁ କୃପା କଲେ ‘ଶ୍ରୀରାଧା ତତ୍ତ୍ବ’ ଅର୍ଥାତ୍‌ ‘ପ୍ରେମ ଓ ମାଧୁର୍ଯ୍ୟ ରସ’ ବା ‘ଦିବ୍ୟାନନ୍ଦ ପ୍ରେମାନନ୍ଦ’ ପ୍ରାପ୍ତି ହୋଇପାରିବ। ଏହା ହିଁ ସମ୍ୟକ୍ ‘ରାଧା ତତ୍ତ୍ବ’ର ରହସ୍ୟ।

Leave a Reply

Your email address will not be published. Required fields are marked *