ପ୍ରଥମ ସୋମବାରରେ ମୁର୍ଗା ମହାଦେବରେ କାଉଡିଆଙ୍କ ଜଳାଭିଷେକ

ଯୋଡ଼ା, ପ୍ରବାହ : ଯୋଡା ବ୍ଲକ ଅନ୍ତର୍ଗତ ଦେଓଝର ପଞ୍ଚାୟତର ମୁର୍ଗାଠାରେ ଅବସ୍ଥିତ ରାଜ୍ୟ ପ୍ରସିଦ୍ଧ ଧବଳେଶ୍ୱର ଶୈବପୀଠରେ ଶ୍ରାବଣ ମାସର ପ୍ରଥମ ସୋମବାରରେ ଦଶ ହଜାରରୁ ଉର୍ଦ୍ଧ୍ବ ଶୈବ କାଉଡିଆ ଜଳାଭିଷେକ କରିବା ସହ ଦର୍ଶନ କରିଥିବାର ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରକାଶ କରାଯାଇଛି । ରାତି ପ୍ରାୟ ତିନିଟା ସୁଦ୍ଧା ମନ୍ଦିରର ମୁଖ୍ୟ ପୂଜକ ପୂର୍ଣ୍ଣ ନାଏକ ଓ ତାଙ୍କର ସହଯୋଗୀ ମୁର୍ଗା ଧବଳେଶ୍ୱର ମହାଦେବଙ୍କ ବିଧି ମୁତାବକ ସମସ୍ତ ପ୍ରାତଃ ପୂଜାର୍ଚ୍ଚନା ନୀତି ସମ୍ପନ୍ନ ମାଧ୍ୟମରେ ସାଢେ ତିନିଟା ସୁଦ୍ଧା ମନ୍ଦିରର ମୁଖ୍ୟ ଫାଟକକୁ ଭକ୍ତ ମାନଙ୍କ ନିମନ୍ତେ ଉନ୍ମୁକ୍ତ କରିଥିବାର ଖବରରୁ ପ୍ରକାଶ । ଓଡିଶା ସହିତ ଝାଡଖଣ୍ଡ ରାଜ୍ୟ ଅନ୍ତର୍ଗତ ଗୋଆ, ମେଘାତବୁରୁ, କିରିବୁରୁ ତଥା ଚାଇଁବାସା, ଚକ୍ରଧରପୁର, ମନୋହରପୁର,ନୂଆମୁଣ୍ଡି ପ୍ରମୁଖ ଅଞ୍ଚଳର ଅଧିକାଂଶ କାଉଡିଆ କାରୋ ଓ କୁଜୁ ଚିରସ୍ରୋତା ନାଳରୁ ପବିତ୍ର ଜଳ ଉତ୍ତୋଳନ କରିଥିବା ସମୟରେ ଓଡିଶାର ଅଧିକାଂଶ ଶୈବ ଉପାସକ ପୂଣ୍ୟତୟା ବୈତରଣୀ ନଦୀର କଣ୍ଡରା ଘାଟରୁ ଜଳ ଉତ୍ତୋଳନ କରି ମୂର୍ଗା ମହାଦେବ ପୀଠରେ ଜଳାଭିଷେକ କରିଥିବାର ଖବର ମିଳିଛି । ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୂର୍ଗା ଧବଳେଶ୍ୱର ଶୈବପୀଠରେ ପ୍ରଥମ ସୋମବାରରେ ଡାକ ବୋଲବୋମ ଭକ୍ତଙ୍କ ନିମନ୍ତେ ଜଳାଭିଷେକ ଭଳି ସ୍ୱତନ୍ତ୍ର ସୁବିଧା ଉପଲବ୍ଧ କରାଯାଇଥିବା ସମୟରେ କାଉଡିଆ ଓ ସାଧାରଣ ଭକ୍ତଙ୍କ ନିମନ୍ତେ ଧାଡିରେ ଜଳାଭିଷେକ ଓ ଦର୍ଶନ ସୁବିଧା କରାଯାଇଥିବାର ଖବର ମିଳିଛି । ମନ୍ଦିର କମିଟି ସମ୍ପାଦକ ବୃନ୍ଦାବନ ଖିଲାର, ଉପସଭାପତି ବୀର ନାଏକଙ୍କ ସମେତ ଅନ୍ୟ ସଦସ୍ୟ ସମୂହ ଉପସ୍ଥିତ ରହି ପରିଚାଳନା କରୁଥିବା ଜଣାପଡିଛି।
ସୂଚନାଯୋଗ୍ୟ, ପ୍ରଶାସନିକ ଅବହେଳା କାରଣରୁ ବିଲେଇପଦାରୁ ଦେଓଝର ରାସ୍ତା ଖଣିଜ ସମ୍ପଦ ବୋଝେଇ ଭାରୀଯାନଙ୍କ କବଜାରେ ଥିବାରୁ ସମ୍ପୃକ୍ତ ରାସ୍ତାରେ ସ୍ୱଚ୍ଛନ୍ଦ ଯାତାୟତ ପ୍ରତିହତ ହୋଇଥିବା ସମ୍ବନ୍ଧେ ଅନେକ ଶୈବାଶକ୍ତ ସେମାନଙ୍କ ବିରକ୍ତି ଜାହିର କରିଥିବାର ଜଣାପଡିଛି ।

Leave a Reply

Your email address will not be published. Required fields are marked *