ଓଡ଼ିଶା ମନରେଗା ସଂଯୋଜକ ଓ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ସଂଘର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଅଧିନରେ ଥିବା ମନରେଗା ଯୋଜନାରେ ରାଜ୍ୟର ସମସ୍ତ ବ୍ଲକରେ କାର୍ଯ୍ୟରତ ଥିବା ମନରେଗା କୋର୍ଡିନେଟର ଓ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ସଂଘର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ସଂଘର ରାଜ୍ୟସଭାପତି ଗୋପାଳ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ସବୁ ଜିଲ୍ଲାର ସଂଘର କର୍ମକର୍ତ୍ତାମାନେ ଯୋଗଦେଇଥିଲେ । ସଂଘର ମୁଖ୍ୟତଃ ଦୁଇଟି ଦାବି ଯାହାକୁ ପୂର୍ବରୁ ବାରମ୍ବାର ସରକାରଙ୍କୁ ପ୍ରଦାନ କରାଯାଇଥିଲା ସେହି ଦାବି ସମ୍ପର୍କରେ ଆଲୋଚନା କରାଯାଇଥିଲା । ପ୍ରମୁଖ ଦୁଇଟି ଦାବି ହେଲା – (୧) ସ୍ଥାୟୀ ନିଯୁକ୍ତି (୨) ସମାନ କାମକୁ ସମାନ ଦରାମା ପ୍ରଦାନ ଇତ୍ୟାଦି ଉପରେ ସରକାର କି ପଦକ୍ଷେପ ନେଇଛନ୍ତି ବିଚାର କରିବା ସହ ଓ ଦାବିଗୁଡ଼ିକ ପୂରଣ କରିବା ପାଇଁ ସରକାରଙ୍କୁ ପୁନର୍ବାର ଅନୁରୋଧ କରାଯାଇଛି । ସଂଘ ତରଫରୁ ମନରେଗା କାର୍ଯ୍ୟକ୍ରମରେ ସମ୍ପୃକ୍ତ ଥିବା ସମସ୍ତ ଜି.ଆର.ଏସ୍. ଭାଇ ଭଉଣୀମାନଙ୍କୁ ନିକଟ ଅତୀତରେ ସରକାର ଆକାଉଟାଣ୍ଟ-କମ୍-ଡାଟା ଏଣ୍ଟ୍ରି ଅପରେଟର ଭାବେ ନିଯୁକ୍ତି ଦେଇଥିବା ଯୋଗୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଓ ୫-ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଅର୍ପଣ କରାଯିବା ସହ ଆଗାମୀ ଦିନରେ ଏମ.ସି. ଓ ଏ.ପି.ଓ. ମାନଙ୍କର ଦାବିଗୁଡ଼ିକୁ ତୁରନ୍ତ ପୂରଣ କରିବେ ବୋଲି ସଂଘ ତରଫରୁ ଆଶା ରଖି ସରକାରଙ୍କୁ ଅନୁରୋଧ କରିଛନ୍ତି । ଏହି ବୈଠକରେ ସଂଘର ସାଧାରଣ ସମ୍ପାଦକ ମାନସ ରଂଜନ କର, ମହିଳା ସମ୍ପାଦିକା ସିକତା ମହାନ୍ତି, ଅନ୍ୟାନ୍ୟ କର୍ମକର୍ତ୍ତାବୃନ୍ଦ ଯଥା- ପ୍ରେମାନନ୍ଦ ମିଶ୍ର, ମିତନ ମହାପାତ୍ର, ଅରୁଣ ସାହୁ, ସମ୍ବିତ୍ ମହାପାତ୍ର, ସୁମନ୍ତ ଦ୍ୱିବେଦୀ, ବିଭୂଦତ୍ତ ଧଳ, ଦୀପଙ୍କର ଜେନା, ହେମନ୍ତ ପ୍ରଧାନ, ଜିତୁ ତ୍ରିପାଠୀ, କେତନ ପ୍ରଧାନ, ସବ୍ୟସାଚୀ ଦଣ୍ଡସେନା, ସୌମେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।