ଓଡ଼ିଶା ସରକାରଙ୍କ ୧୦୮ ଆମ୍ବୁଲାନ୍ସ ମାରିଲା ଫେଲ ରୋଗୀ ହେଲେ ହନ୍ତସନ୍ତ
ବାଣପୁର: ୧୧/୩(ପ୍ରବାହ ନିଉଜ୍) ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବାଣପୁର କୁମାରଙ୍ଗ ପଞ୍ଚାୟତ ଅନ୍ତର୍ଗତ ଏକଡାଳିଆ ଗ୍ରାମର ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଥିବା ରୋଗୀ ବିଦୁଲତା ବଳ(୬୫)ଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରିବା ପାଇଁ କାର୍ଯ୍ୟରତ ଡାକ୍ତର ସନ୍ଧ୍ୟା ସାତ ଘଟିକା ସମୟରେ ରୋଗୀଙ୍କୁ ୧୦୮ ଆମ୍ବୁଲାନ୍ସ ଜରିଆରେ ରେଫର କରିଥିଲେ ।
ହେଲେ ୧୦୮ ସେବାର ତତ୍ପରତା ଏତେ ଜୋର ଯେ, ରୋଗୀଙ୍କ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ଯ ଆମ୍ବୁଲାନ୍ସ ଏକଘଣ୍ଟା ବିଳମ୍ବରେ ଆସିବା ସହିତ ସଂମ୍ପୃକ୍ତ ଡ୍ରାଇଭରଙ୍କ କହିବା କଥା ଯେ, ଆମେ ବି ମଣିଷ… ଆମେ କଣ ଖାଇବୁନି ପିଇବୁନି, ଖାଲି ରୋଗୀ ମାନଙ୍କୁ ସେବା ଦେଉଥିବୁ କହି ତାଙ୍କ ଆନ୍ତରିକତା ଦେଖାଇଥିଲେ। ତା ସାଙ୍ଗକୁ ମହରଗ ରୁ ଯାଇ କାନ୍ତାରରେ ପଡ଼ିଲା ପରି ଅବସ୍ଥା ହୋଇଥିବାର ଦେଖିବାକୁ ମିଳିଥିଲା ଭୁବନେଶ୍ଵର ରେଫର୍ ହୋଇଥିବା ରୋଗୀଙ୍କ ସହିତ । ରୋଗୀକୁ ନେଇ ହସ୍ପିଟାଲ୍ ନ ଛାଡ଼ଣୁ ହସ୍ପିଟାଲ୍ ଗେଟ ମୁହଁରେ ଆମ୍ବୁଲାନ୍ସ ର ଦୁଇଟି ଯାକ ଟାୟାର ପଙ୍କଚର ହୋଇଯିବାରୁ ଦୀର୍ଘ ଦୁଇ ଘଣ୍ଟା ଧରି ଗାଡ଼ିର ଟାୟାର ମରାମତି ହୋଇ ପାରିନଥିଲା, ଯାହା ଫଳରେ ବୃଦ୍ଧା ରୋଗୀ ଜଣକ ଆମ୍ବୁଲାନ୍ସ ଭିତରେ ପଡିରହି ଛଟପଟ ହୋଇଥିବାର କରୁଣ ଦୃଶ୍ୟ ଦେଖିବାକୁ ମିଳିଥିଲା ବାଣପୁର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ।
ଏପଟେ ରାଜ୍ୟ ସରକାର ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରକୃତରେ ଆସୁଥିବା ଅର୍ଥ କେଉଁବାଟେ ଖର୍ଚ୍ଚ ହେଉଛି ତାହା ଉପରେ ଉଠିଛି ପ୍ରଶ୍ନବାଚୀ।