ଟାଟା ଷ୍ଟିଲ ମାଇନିଂର ସୁକିନ୍ଦା କ୍ରୋମାଇଟ୍ ଖଣିରେ ଦୃଷ୍ଟିବାଧିତଙ୍କ ପାଇଁ ଆନ୍ତଃ-ରାଜ୍ୟ କ୍ରିକେଟ୍ ମ୍ୟାଚ୍ ଆୟୋଜିତ

  • ଟାଟା ଷ୍ଟିଲ ଫାଉଣ୍ଡେସନ୍ ସହଭାଗିତାରେ ସବଳ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ପଦକ୍ଷେପ ଗ୍ରହଣ
  • ଏକ ରୋମାଞ୍ଚକ ମ୍ୟାଚ୍‌ରେ ଓଡ଼ିଶା ଏକାଦଶଠାରୁ ଝାଡ଼ଖଣ୍ଡ ଏକାଦଶ ୧୫୭ ରନ୍‌ରେ ପରାସ୍ତ

ସୁକିନ୍ଦା, ଜାନୁଆରୀ ୧୮, ୨୦୨୩: ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ (ଟିଏସ୍‌ଏମ୍‌ଏଲ୍‌) ପକ୍ଷରୁ ଟାଟା ଷ୍ଟିଲ ଫାଉଣ୍ଡେସନ୍ (ଟିଏସ୍‌ଏଫ୍‌) ସହଭାଗିତାରେ ବୁଧବାର ଦିନ ଓଡ଼ିଶା ଏକାଦଶ ଓ ଝାଡ଼ଖଣ୍ଡ ଏକାଦଶ ମଧ୍ୟରେ ଦୃଷ୍ଟିବାଧିତଙ୍କ ନିମନ୍ତେ ସବଳ ଆନ୍ତଃ ରାଜ୍ୟ କ୍ରିକେଟ୍ କପ୍ ଆୟୋଜିତ ହୋଇଯାଇଛି ।

ଓଡ଼ିଶାର ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍‌ରେ ଅବସ୍ଥିତ ଟିଏସ୍‌ଏମ୍‌ଏଲ୍‌ର ସୁକିନ୍ଦା କ୍ରୋମାଇଟ୍ ଖଣି କ୍ୟାମ୍ପସ୍ ମଧ୍ୟରେ ଥିବା ଷ୍ଟିୱାର୍ଟ ସ୍କୁଲ ପଡ଼ିଆରେ ଏକ ୨୦ ଓଭର ବିଶିଷ୍ଟ କ୍ରିକେଟ୍ ମ୍ୟାଚ୍‌ର ଆୟୋଜନ କରାଯାଇଥିଲା ।

ଓଡ଼ିଶାର ଦୃଷ୍ଟିବାଧିତଙ୍କ କ୍ରିକେଟ ଆସୋସିଏସନ୍ ଏବଂ ଝାଡ଼ଖଣ୍ଡର ଦୃଷ୍ଟିବାଧିତ କ୍ରିକେଟ୍ ଆସୋସିଏସନ୍‌ର ଖେଳାଳିମାନେ ନିଜର ଅପୂର୍ବ ଦକ୍ଷତା ଓ ଅତୁଳନୀୟ ପ୍ରତିଭା ସହିତ ନିଜର ଉଚ୍ଚକୋଟୀର କ୍ରୀଡ଼ାନୈପୁଣତାର ପ୍ରଦର୍ଶନ ମାଧ୍ୟମରେ ବହୁସଂଖ୍ୟାରେ ଉପସ୍ଥିତ ଦର୍ଶକମାନଙ୍କୁ ରୋମାଞ୍ଚିତ କରିପାରିଥିଲେ ।

ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସଶକ୍ତିକରଣ ବିଭାଗର ଅଣ୍ଡର ସେକ୍ରେଟେରୀ ସନ୍ନ୍ୟାସୀ ବେହେରା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ଖୁସି ବ୍ୟକ୍ତି କରିବା ସହିତ ଟିଏସ୍‌ଏମ୍‌ଏଲ୍ ଓ ଟିଏସ୍‌ଏଫ୍‌ର ଏହି ପଦକ୍ଷେପକୁ ପ୍ରସଂଶା କରିଥିଲେ ।

ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ର ଅଧ୍ୟକ୍ଷ ଡି ବି ସୁନ୍ଦରା ରାମମ୍ ବିଜୟୀ ଟିମ୍ ଓଡ଼ିଶା ଏକାଦଶକୁ ଟ୍ରଫି ପ୍ରଦାନ କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ, “ଆମେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସଠିକ୍ ଦକ୍ଷତାରେ ସଶକ୍ତ କରିବା ସହିତ ସେମାନଙ୍କୁ ନିଜ ପ୍ରତିଭାର ପ୍ରଦର୍ଶନ ପାଇଁ ସୁଯୋଗ ପ୍ରଦାନ କରିବାକୁ ମିଳିତ ଭାବେ ପ୍ରୟାସ କରିବା ଉଚିତ । ଏହାସହିତ ଟାଟା ଷ୍ଟିଲ ମାଇନିଂ ଓ ଟାଟା ଷ୍ଟିଲ ଫାଉଣ୍ଡେସନ୍‌ର ଏହି ପଦକ୍ଷେପ ଦିବ୍ୟାଙ୍ଗମାନଙ୍କୁ ପ୍ରମୁଖ କ୍ରୀଡ଼ାଗୁଡ଼ିକରେ ଅଂଶଗ୍ରହଣ କରିବାକୁ ପ୍ରୋତ୍ସାହିତ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ ।”

ଏହି ଅବସରରେ ଉଦ୍‌ବୋଧନ ଦେଇ ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପଙ୍କଜ ସତିଜା କହିଥିଲେ ଯେ, “ଏକ ଦାୟିତ୍ୱବାନ ଖଣି କମ୍ପାନୀ ଭାବେ ଟାଟା ଷ୍ଟିଲ ମାଇନିଂ କ୍ରୀଡ଼ା ପ୍ରତିଭା ଚିହ୍ନଟ, ସେମାନଙ୍କ ଦକ୍ଷତାର ବିକାଶ ଓ ସ୍ୱପ୍ନକୁ ସାକାର ପାଇଁ ନିଜର ଉଦ୍ୟମ ଜାରି ରଖିଛି । ଦିବ୍ୟାଙ୍ଗ ବ୍ୟକ୍ତି ଆମ ସମାଜର ଏକ ଅବିଚ୍ଛିନ୍ନ ଅଂଗ ଏବଂ ଏଭଳି ପଦକ୍ଷେପ ଅନ୍ତର୍ଭୁକ୍ତିକରଣ ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି ।”

ଏହି ମ୍ୟାଚ୍‌ରେ ଝାଡ଼ଖଣ୍ଡ ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଓଡ଼ିଶା ଟିମ୍ ୩୦୯ ରନ୍ କରି ଝାଡ଼ଖଣ୍ଡ ଟିମ୍‌କୁ ୩୧୦ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା । ଏହି ରନ୍‌ର ପିଛା କରି ଝାଡ଼ଖଣ୍ଡ ଟିମ୍ ମାତ୍ର ୧୫୨ ରନ୍‌ରେ ଅଲ୍‌ଆଉଟ୍ ହେବା ସହିତ ଓଡ଼ିଶା ଟିମ୍ ୧୫୭ ରନ୍‌ରେ ବିଜୟୀ ହୋଇଥିଲା ।

ମାତ୍ର ୬୦ ବଲ୍‌ରେ ୧୩୦ ରନ୍‌ର ଧୂଆଁଧାର ଇନିଂସ୍ ଖେଳିଥିବା ଓଡ଼ିଶା ଟିମ୍‌ର ନକୁଳ ବଡ଼ନାୟକଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା ।

ବ୍ୟାପକ ସ୍ତରରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସମ୍ପର୍କରେ ସ୍ଥାନୀୟ ଲୋକମାନଙ୍କୁ ସଚେତନ ଓ ଜାଗୃତ କରିବା ଲକ୍ଷ୍ୟରେ ଟିଏସ୍‌ଏମ୍‌ଏଲ୍ ଏବଂ ଟିଏସ୍‌ଏଫ୍ ପକ୍ଷରୁ ବିଭିନ୍ନ କ୍ରୀଡ଼ା କ୍ଷେତ୍ରରେ ଯୁବବର୍ଗଙ୍କୁ ପ୍ରୋତ୍ସାହନ ଦେବା ସହିତ ଏଭଳି ଅନେକ ଉତ୍ତମ ପଦକ୍ଷେପମାନ ଗ୍ରହଣ କରାଯାଉଛି ।

Leave a Reply

Your email address will not be published. Required fields are marked *

You may have missed