କିଟ୍‍ ବିଶ୍ୱବିଦ୍ୟାଳୟରେ ଏନ୍‍ଏସ୍‍ଏସ୍‍ ଦିବସ ପାଳିତ

ଛାତ୍ରଛାତ୍ରୀମାନେ ପାଠପଢ଼ା ସହ ସମାଜସେବାରେ ନିଜକୁ ନିୟୋଜିତ କରନ୍ତୁ

ଭୁବନେଶ୍ୱର, ୨୪ ।୯ : କିଟ୍‍ ବିଶ୍ୱବିଦ୍ୟାଳୟରେ ଜାତୀୟ ସେବା ଯୋଜନା(ଏନ୍‍ଏସ୍‍ଏସ୍‍) ଦିବସ ରବିବାର ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଜାତୀୟ ସେବା ଯୋଜନାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ । ଶ୍ରୀ ପାତ୍ର କହିଥିଲେ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେବା ମନୋଭାବ ଜାଗ୍ରତ କରାଇବା ହେଉଛି ଏନ୍‍ଏସ୍‍ଏସ୍‍ର ମୁଖ୍ୟ ଉଦ୍ଦେଶ୍ୟ । ଛାତ୍ରଛାତ୍ରୀମାନେ ପାଠପଢ଼ା ସହ ନିଜକୁ ସମାଜସେବାରେ ନିୟୋଜିତ କରିବା ଆବଶ୍ୟକ ବୋଲି ସେ କହିଥିଲେ ।

କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସମାଜସେବା କାର୍ଯ୍ୟରେ ଅନୁପ୍ରାଣିତ ହେବାକୁ ମନ୍ତ୍ରୀ ଶ୍ରୀ ପାତ୍ର ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଯୋଗଦେଇ ଶ୍ରୀ ସାମନ୍ତ କହିଥିଲେ, ସମାଜସେବା ଆମକୁ ଆନନ୍ଦ ପ୍ରଦାନ କରିଥାଏ । ଅନ୍ୟମାନଙ୍କୁ ସାହାଯ୍ୟ ଓ ସହାନୁଭୂତି ପ୍ରଦାନ କରି ଆମେ ସେମାନଙ୍କ ମନରେ ଖୁସି ଭରିଦେବା ସହ ନିଜେ ମଧ୍ୟ ଆନନ୍ଦ ପାଇଥାଉ ବୋଲି ଶ୍ରୀ ସାମନ୍ତ କହିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସବୁବେଳେ ସେବା ମନୋବୃତି ରହିବା ଉଚିତ ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ କିଟ୍‍ ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଶ୍ୱବିଦ୍ୟାଳୟ ଏନ୍‍ଏସ୍‍ଏସ୍‍ ବ୍ୟୁରୋ ଉପନିର୍ଦ୍ଦେଶକ ପ୍ରଫେସର କାଜଲ ପରାଶର ଧନ୍ୟବାଦ ଅର୍ପଣ କରିଥିଲେ । ଏନ୍‍ଏସ୍‍ଏସ୍‍ ଦିବସ ଅବ୍ୟବହିତ ପୂର୍ବରୁ ସପ୍ତାହ ବ୍ୟାପୀ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *