ମାଗଣା ଔଷଧ ପାଇଁ ଓଡ଼ିଶାରେ ବଢ଼ୁଛନ୍ତି ଅଣଓଡ଼ିଆ କର୍କଟ ରୋଗୀ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ଅଣ ଓଡ଼ିଶା କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ କର୍କଟ ରୋଗ ପାଇଁ ଦିଆଯାଉଥିବା ଔଷଧ ଓ କେମୋ ମାଗଣାରେ ଉପଲବ୍ଧ ହେଉଥିବାରୁ ପଡ଼ୋଶୀ ରାଜ୍ୟମାନଙ୍କରୁ ରୋଗୀଙ୍କ ସୁଅ ଛୁଟୁଛି। ଯାହାଫଳରେ ଓଡ଼ିଶାର ରୋଗୀସେବା କ୍ଷେତ୍ରରେ ଏବେ ଚାପ ବଢ଼ିବାରେ ଲାଗିଛି। ୨୦୨୧-୨୨ବର୍ଷରେ ରାଜ୍ୟରେ ଯେତିକି ସଂଖ୍ୟକ ରୋଗୀ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି ତହିଁରୁ ୩ ପ୍ରତିଶତରୁ ଅଧିକ ହେଉଛନ୍ତି ଅଣ ଓଡ଼ିଆ। ଏହି ସଂଖ୍ୟା ରାଜ୍ୟର ୧୮ଟି ଜିଲ୍ଲାର ଜିଲ୍ଲାୱାରୀ ରୋଗୀଙ୍କ ତୁଳନାରେ ଅଧିକ। କେବଳ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ନୁହେଁ, ଏମ୍‌ସକୁ ମଧ୍ୟ ପଡ଼ୋଶୀ ରାଜ୍ୟରୁ ରୋଗୀଙ୍କ ଧାଡ଼ି ଲମ୍ବୁଛି। ରାଜ୍ୟରେ ଦିନକୁ ଦିନ କର୍କଟ ରୋଗ ଚିକିତ୍ସାର ଭିତ୍ତିଭୂମି ସୁଦୃଢ଼ ହେଉଥିବା ବେଳେ ଅଣ ଓଡ଼ିଆ ରୋଗୀଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ଡାଏଗ୍ନୋଷ୍ଟିକ କେନ୍ଦ୍ର ମେଡିକାଲ କଲେଜ ସମେତ ବରଗଡ଼, ଅନୁଗୁଳରେ ମିଳିବ ରେଡିଏସନ୍ ଥେରାପି

ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ୨୦୨୧-୨୨ବର୍ଷରେ କଟକସ୍ଥିତ ଆଚାର୍ଯ୍ୟ ହରିହରି କର୍କଟ କେନ୍ଦ୍ରରେ ବହିର୍ବିଭାଗରେ ୮୯୭୭ ପୁରୁଷ, ୯୩୧୮ ମହିଳାଙ୍କୁ ମିଶାଇ ସମୁଦାୟ ୧୮,୨୯୫ ଜଣ ଚିକିତ୍ସିତ ହୋଇଛନ୍ତି। ଏଥିରେ ଅଣ ଓଡ଼ିଆ ରୋଗୀଙ୍କ ସଂଖ୍ୟା ହେଉଛି ୫୭୦ ବା ୩.୧୨ ପ୍ରତିଶତ। ସେହିବର୍ଷରେ ଆଇପିଡି ବା ଅନ୍ତଃବିଭାଗରେ ୫୯୫୯ଜଣଙ୍କୁ ଚିକିତ୍ସା ମିଳିଛି। ଏଥିରେ ୮୮ଜଣ ପୁରୁଷ ଓ ୧୦୮ ଜଣ ମହିଳାଙ୍କୁ ମିଶାଇ ୧୯୬ଜଣ (୩.୨୯%) ଅଣ ଓଡ଼ିଆ ଚିକିତ୍ସିତ ହୋଇଛନ୍ତି। ୨୦୧୭/୧୮ ମସିହାରେ ଏହି ହାର ଥିଲା ୨.୨%। ଏହାର ପରବର୍ତୀ ବର୍ଷଗୁଡ଼ିକରୁ ଅଣ ଓଡ଼ିଆ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତି ସୃଷ୍ଟିର କାରଣ ହେଉଛି, ରାଜ୍ୟରେ କର୍କଟ ରୋଗ ପାଇଁ ଆବଶ୍ୟକ ୧୧୪ ପ୍ରକାରର ଔଷଧ ମାଗଣାରେ ଦିଆଯାଉଛି। ରାଜ୍ୟ ଔଷଧ ନିଗମ ପକ୍ଷରୁ ଏହି ଔଷଧ କିଣା ଯାଉଥିବା ବେଳେ ହସ୍ପିଟାଲମାନଙ୍କୁ ବିତରଣ ହେଉଛି। ଯଦିଓ ଏହି ସଂଖ୍ୟା ସ୍ଥାୟୀ ନୁହେଁ, ତଥାପି ୨ବର୍ଷରେ ଥରେ ଏଥିରେ ସଂଶୋଧନ କରାଯାଉଥିବା ଜଣାପଡ଼ିଛି।

କର୍କଟ ରୋଗ ଓ ଏହାର ନିରାକରଣ କ୍ଷେତ୍ରରେ ଯେଉଁ ପ୍ରସଙ୍ଗଟି ସବୁଠାରୁ ବେଶୀ ଚର୍ଚ୍ଚାରେ ରହିଛି, ତାହା ହେଲା-ରାଜ୍ୟରେ ନିର୍ଦ୍ଦିଷ୍ଟ କେତେ ସଂଖ୍ୟକ କର୍କଟ ରୋଗୀ ରହିଛନ୍ତି ତାହାର କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ। ଏଥିରେ ପ୍ରମୁଖ ବାଧକ ସାଜିଛନ୍ତି କର୍କଟ ରୋଗ ଚିକିତ୍ସା କରୁଥିବା ହସ୍ପିଟାଲ ଓ ଡାଏଗ୍ନୋଷ୍ଟିକ କେନ୍ଦ୍ର। ସେମାନେ ନିୟମିତଭାବେ ରାଜ୍ୟ ସରକାରଙ୍କୁ କର୍କଟ ରୋଗୀଙ୍କ ସଂପର୍କିତ ପ୍ରଦାନ କରୁନାହାନ୍ତି। ନିକଟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ନାଇଜରରେ ଟାଟା ସହାୟତାରେ କର୍କଟ ହସ୍ପିଟାଲ ପ୍ରତିଷ୍ଠା କରାଯାଉଛି। ଏଥିପାଇଁ ରାଜ୍ୟରେ ପ୍ରଥମଥର ଲାଗି ଖୋର୍ଧା ଜିଲ୍ଲାରେ ପପୁଲେସନ୍‌ ବେସ୍‌ଡ(ଜନସଂଖ୍ୟା ଆଧାରିତ) କ୍ୟାନସର ରେଜିଷ୍ଟ୍ରି ଆରମ୍ଭ ହୋଇଛି। ଏଥିରେ କର୍କଟ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯିବା ସହିତ କେତେ ଜଣ କର୍କଟରେ ପ୍ରାଣ ହରାଉଛନ୍ତି ସେମାନଙ୍କର ସମସ୍ତ ତଥ୍ୟ ସଂଗ୍ରହ କରାଯିବ। ଯଦି ଖୋର୍ଧା ଜିଲ୍ଲାରେ ଏହାର ସଫଳତା ମି‌ଳିଲା, ତେବେ ଅନ୍ୟ ଜିଲ୍ଲାକୁ ଏହାକୁ ସଂପ୍ରସାରଣ କରାଯିବ। ଏଥିରେ ମୁଖ ଗହ୍ବର, ଜରାୟୁ, ସ୍ତନ ଓ ଅନ୍ୟ କର୍କଟ ରୋଗର ତଥ୍ୟ ରହିବ।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ରାଜ୍ୟରେ କର୍କଟ ରୋଗ ଚିକିତ୍ସା କରୁଥିବା ହସ୍ପିଟାଲ ଓ ଡାଏଗ୍ନୋଷ୍ଟିକ କେନ୍ଦ୍ରମାନେ ରୋଗୀଙ୍କ ସଂପର୍କିତ ତଥ୍ୟ ପ୍ରଦାନ କରିବା ଲାଗି ନିକଟରେ ହୋଇଥିବା ଏଭ ଆଭାସୀ ବୈଠକରେ ଅନୁରୋଧ କରାଯାଇଥିଲା। ଅନେକ ହସ୍ପିଟାଲ ଏହାପରେ ରୋଗୀଙ୍କ ସଂପର୍କରେ ତଥ୍ୟ ଦେବା ଆରମ୍ଭ କରିଛନ୍ତି। ଅନୁରୋଧ ସତ୍ତ୍ବେ ଡାଏଗ୍ନୋଷ୍ଟିକ୍ କେନ୍ଦ୍ରମାନେ ରୋଗୀଙ୍କ ସଂପର୍କିତ ସୂଚନା ଦେଉ ନାହାନ୍ତି। ଖୋର୍ଧା ଜିଲ୍ଲାରେ ଟାଟା ମେମୋରିଆଲ ପକ୍ଷରୁ ଜନସଂଖ୍ୟା ଆଧାରିତ କ୍ୟାନସର ରେଜିଷ୍ଟ୍ରି ଆରମ୍ଭ ହୋଇଥିବା ବେଳେ ବର୍ଷେ ପରେ ଏହାର ସମୀକ୍ଷା କରାଯିବ। ଯାହାଫଳରେ ଏଥିରେ କେତେ ସଫଳତା ମିଳିଛି ତାହା ସ୍ପଷ୍ଟ ହୋଇପାରିବ।

ଅପରପକ୍ଷରେ ରାଜ୍ୟରେ ଅଣ ସଂକ୍ରାମକ ରୋଗ(ଏନ୍‌ସିଡି) ଜରିଆରେ ମୁଖଗହ୍ବର, ସ୍ତନ ଓ ଜରାୟୁ କର୍କଟ ରୋଗର ସ୍କ୍ରିନିଂ ଜାରି ରହିଛି। ପ୍ରତି ଜିଲ୍ଲାରେ ଡେ କେୟାର ସେଣ୍ଟରରେ କର୍କଟ ରୋଗୀଙ୍କୁ କେମୋ ଥେରାପି ସୁବିଧା ମିଳିପାରୁଛି। ନିଜ ଜିଲ୍ଲାରେ ଏହି ସୁବିଧା ଥିବାରୁ ସେମାନଙ୍କୁ ଅନ୍ୟତ୍ର ଯିବାକୁ ପଡ଼ୁନାହିଁ। ଏହାସହ ସବୁ ମେଡିକାଲ କଲେଜ ସମେତ ଅନୁଗୁଳ ଓ ବରଗଡ଼ ଜିଲ୍ଲାରେ ରେଡିଏସନ୍ ଥେରାପି ପ୍ରଦାନ କରାଯିବ। ଏଥିପାଇଁ ଏସବୁ ହସ୍ପିଟାଲଗୁଡ଼ିକରେ ବଙ୍କର ନିର୍ମାଣ ଜାରି ରହିଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *