ଖୋର୍ଦ୍ଧା ଜିଲ୍ଲାରେ ନିୟମିତ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ ହେଲା ନିମୋକୋକାଲ୍ କନଜୁଗେଟ ଟିକା (ପିସିଭି)

ଖୋର୍ଦ୍ଧା : ୩୦/୦୬(ପ୍ରବାହ ନିଉଜ୍) ନିମୋନିଆ ଜନିତ ଶିଶୁ ମୃତ୍ୟୁକୁ ରୋକିବା ପାଇଁ ସାରା ରାଜ୍ୟରେ ନିମୋକୋକାଲ କନଜୁଗେଟ ଟିକା (ପିସିଭି) କୁ ନିୟମିତ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି। ରାଜ୍ୟସ୍ତରରେ ଏକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏହାକୁ ଉଦଘାଟନ କରିଥିଲେ ।

ଏ ଅବସରରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ଥିବା ମାତୃ ଓ ଶିଶୁସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ରଠାରେ ଜିଲ୍ଲାସ୍ତରୀୟ ନିମୋକୋକାଲ କନଜୁଗେଟ ଟିକାକରଣର ଶୁଭାରମ୍ଭ ଅନୁଷ୍ଠିତ ହୋଇଥିଲା। ଏହି ଟିକାକରଣ କାର୍ଯକ୍ରମକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ବିଶ୍ଵରଞ୍ଜନ ପତି ଶୁଭାରମ୍ଭ କରିଛନ୍ତି।

ନିମୋନିଆ ଜନିତ ଶିଶୁ ମୃତ୍ୟୁକୁ ରୋକିବାରେ ନିମୋକୋକାଲ ଟିକାର ଉପଯୋଗିତା ଉପରେ ଆଲୋକପାତ କରିବା ସହିତ ଏହି ଟିକା ପିଲାମାନଙ୍କୁ ନିମୋକୋକସ ଜୀବାଣୁଜନିତ ନିମୋନିଆ ଓ ମସ୍ତିଷ୍କ ସଂକ୍ରମଣରୁ ସୁରକ୍ଷା ପ୍ରଦାନ କରିବା ସହିତ ୫ବର୍ଷରୁ କମ୍ ବୟସ୍କ ପିଲାମାନଙ୍କୁ ନିମୋନିଆ ରୋଗରୁ ସୁରକ୍ଷା ପ୍ରଦାନ କରିବାରେ ଏହା ଏକ ସଫଳ ମାଧ୍ୟମ ବୋଲି ଡାକ୍ତର ପତି ଆୟୋଜିତ କାର୍ଯ୍ୟକ୍ରମ ରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି।

ତେବେ ଏହି ଟୀକା ପ୍ରଥମରେ ପିଲାମାନଙ୍କୁ ଜନ୍ମ ଗ୍ରହଣର ଦେଢ଼ ମାସ ମଧ୍ୟରେ, ସେହିପରି ଦ୍ଵିତୀୟ ଟିକା ୩ ମାସରେ ଏବଂ ବୁଷ୍ଟର ଟିକା ୯ ମାସରେ ଦିଆଯିବ ବୋଲି ସେ କହିଥିଲେ । ଏପରିକି ପିଲାଙ୍କୁ ପିସିଭି ଟିକା ସହିତ ଅନ୍ୟ ଟୀକା ଗୁଡିକ ମଧ୍ୟ ନିର୍ଦ୍ଧାରିତ ସମୟରେ ଦିଆଯିବ। ଏହି ଟୀକାକରଣ କାର୍ଯ୍ୟକ୍ରମ ବୁଧବାର ଦିନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଜଟଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ମେଣ୍ଢାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ବାଙ୍କୋଇ ଏବଂ ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆଦି ୫ଟି ସ୍ଥାନରେ କରାଯାଇ ଶିଶୁମାନଙ୍କୁ ଟୀକାକରଣ କରାଯାଇଛି।

ପ୍ରଥମ ଦିନରେ ୧୦୫ ଜଣ ଶିଶୁ ପିସିଭି ଟୀକା ନେଇଛନ୍ତି। ପରେ ପର୍ଯ୍ୟାୟକ୍ରମେ ଟିକା ଶିଶୁମାନଙ୍କୁ ପ୍ରଦାନ କରାଯିବ ବୋଲି ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପତି କହିଛନ୍ତି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା.ଦ୍ବାରିକାନାଥ ଶତପଥୀ, ଜିଲ୍ଲା ଜନସ୍ବାସ୍ଥ୍ୟ ସଞ୍ଚାର ଅଧିକାରୀ ପ୍ରସନ୍ନ କୁମାର ମହାପାତ୍ର, ସହକାରୀ ଜନସ୍ବାସ୍ଥ୍ୟ ସଞ୍ଚାର ଅଧିକାରୀ ପ୍ରଦ୍ୟୁମ୍ନ ମିଶ୍ର ଓ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।