ନିଖିଳ ଉତ୍କଳ ଏଲିମେଣ୍ଟାରୀ ଟି.ଜି. ଶିକ୍ଷକ ସଂଘର ସପ୍ତମ ସାମ୍ବିଧାନିକ ସମ୍ମିଳନୀ


ଭୁବନେଶ୍ୱର, ତା ୧୮.୨.୨୦୨୪ : ନିଖିଳ ଉତ୍କଳ ଏଲିମେଣ୍ଟାରୀ ଟି.ଜି. ଶିକ୍ଷକ ସଂଘ ସପ୍ତମ ସାମ୍ବିଧାନିକ ସମ୍ମିଳନୀ ଓ ଚାଣକ୍ୟ ସମ୍ବର୍ଦ୍ଧନା ଉତ୍ସବ ଗତ ତା ୧୭.୨.୨୦୨୪ରିଖ ଶନିବାର ଅପରାହ୍ନରେ କଟକ ଦୋଳ ମୁଣ୍ଡାଇସ୍ଥିତ ବାବାସାଗର ବିଦ୍ୟାପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟସଂଘର ବିଦାୟୀ ସଭାପତି ଶ୍ରୀଯୁକ୍ତ ଲକ୍ଷ୍ମଣ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ବ୍ଲକର ଶିକ୍ଷକ ପ୍ରତିନିଧିମାନେ ଯୋଗଦେଇଥିଲେ । ଏହି ଅବସରରେ ରାଜ୍ୟର ବିଭିନ୍ନ ବିଦ୍ୟାଳୟରୁ ଅବସର ନେଇଥିବା ପ୍ରାୟ ୭୦ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ‘ଚାଣକ୍ୟ ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଥିଲା । ପରେପରେ ରାଜ୍ୟ ସଂଘର ବିଦାୟୀ ସାଧାରଣ ସମ୍ପାଦକ ମୁରଲୀଧର ନାୟକ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସପ୍ତମ ସାମ୍ବିଧାନିକ ସମ୍ମିଳନୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସଂଘର ଅନେକ ପଦାଧିକାରୀ ଅବସର ଗ୍ରହଣ କରିସାରିଥିବାରୁ ତଥା ବହୁ ବରିଷ୍ଠ ସଭ୍ୟ ପଦୋନ୍ନତି ପାଇସାରିଥିବାରୁ ସଂଘ ପୁନର୍ଗଠନର ଆବଶ୍ୟକତା ଦେଖାଦେଇଥିବା ବିଷୟ ଅବଗତ କରିଥିଲେ । ଏହି ଅବସରରେ ରାଜ୍ୟସଂଘକୁ ପୁନର୍ଗଠନ କରାଯାଇ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ଜାକିର ହୁସେନ୍ ରାଜ୍ୟସଭାପତି, ଶ୍ରୀ ସରୋଜ କୁମାର ପଣ୍ଡା, ରାଜ୍ୟ ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ । ଏମାନଙ୍କ ବ୍ୟତୀତ କାର୍ଯ୍ୟକାରୀ ସଭାପତି ଭାବରେ ଶ୍ରୀମତୀ ଉର୍ମିଳା ରାଣୀ ପାଣିଗ୍ରାହୀ ଓ ସର୍ବେଶ୍ୱର ମଲ୍ଲିକ, ଉପସଭାପତି ଭାବରେ ଶ୍ରୀଗୁରୁ ପ୍ରସାଦ ଦାଶ, ବିଶ୍ୱନାଥ ରଣା, କମଳାକାନ୍ତ ଦାସ, ପୂର୍ଣ୍ଣଚନ୍ଦ୍ର ଜେନା, ସମ୍ପାଦକ ଭାବରେ ନମିତା ମହାପାତ୍ର, ଅଞ୍ଜନ କୁମାର ରାଉତରାୟ, ମନୋଜ କୁମାର ଚକ୍ର, ନିରଞ୍ଜନ ପଣ୍ଡା, ସାଙ୍ଗଠନିକ ତଥା ଜୋନାଲ୍ ସମ୍ପାଦକ ଭାବରେ ଯୁଧିଷ୍ଠିର ମହନ୍ତ, ବୀରେନ୍ଦ୍ର କୁମାର ସାହୁ, ସହ ସମ୍ପାଦକ ଭାବରେ ସୁଦର୍ଶନ ହରିଜନ ଓ ପ୍ରମୁଖ ନିର୍ବାଚିତ ହୋଇ ଶପଥ ଗ୍ରହଣ କରିଥିଲେ । ମୁଖ୍ୟ ପରାମର୍ଶଦାତା ଭାବରେ ସଂଘର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଲକ୍ଷ୍ମଣ କୁମାର ମହାନ୍ତି, ମୁରଲୀଧର ନାୟକ, ସନ୍ତୋଷ କୁମାର ମିଶ୍ର, ସତ୍ୟବ୍ରତ ରାଉତ, ସଚିକାନ୍ତ ମିଶ୍ର, ବଳରାମ ପତି, ଇନ୍ଦ୍ରଜିତ୍ ମହାକୁଡ, ଅକ୍ଷୟ କୁମାର ମିଶ୍ର, ପ୍ରଫୁଲ୍ଲ କୁମାର ଚକ୍ର, ଅଭିମନ୍ୟୁ ସାହୁ ପ୍ରମୁଖଙ୍କୁ ମନୋନୟନ କରାଯାଇଥିଲା । ସଂଘର ସମସ୍ତ କର୍ମକର୍ତ୍ତା ନୂତନ ସଭାପତି ଓ ସାଧାରଣ ସମ୍ପାଦକଙ୍କୁ ଦାୟୀତ୍ୱ ହସ୍ତାନ୍ତର କରି ଆଗାମୀ ଦିନରେ ସଂଘକୁ ଶିକ୍ଷକ ମାନଙ୍କ କଲ୍ୟାଣ ନିମନ୍ତେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ରାଜ୍ୟସଂଘର ନବନିର୍ବାଚିତ ସଭାପତି ଓ ସାଧାରଣ ସମ୍ପାଦକ ତୁରନ୍ତ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ବି.ଏଡ୍ ଯୋଗ୍ୟତା ଭିତ୍ତିରେ ନିଯୁକ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସମସ୍ୟା ଓ ପଦୋନ୍ନତି ସମ୍ପର୍କରେ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।

Leave a Reply

Your email address will not be published. Required fields are marked *