କିମ୍ସରେ ନୂତନ ପଦ୍ଧତିରେ ଅସ୍ତ୍ରୋପଚାର: ଛାତିରୁ ବାହାରିଲା ୨କେଜି ଓଜନର ଟ୍ୟୁମର

ଭୁବନେଶ୍ୱର,୨୬ ।୪: କିମ୍ସ କ୍ୟାନ୍ସର ସେଣ୍ଟରରେ ଏକ ନୂତନ ପଦ୍ଧତିରେ ଅସ୍ତ୍ରୋପଚାର କରାଯାଇ ମଧ୍ୟଚ୍ଛଦା (ଡାୟାଫ୍ରାମ୍)ରୁ ଟ୍ୟୁମର ବାହାର କରିବାରେ ଡାକ୍ତରମାନେ ସଫଳ ହୋଇଛନ୍ତି । ସର୍ଜିକାଲ ଅନ୍କୋଲୋଜି କ୍ଷେତ୍ରରେ ଏହି ପଦ୍ଧତି ଏକ ମହତ୍ତ୍ୱପୂର୍ଣ୍ଣ ସଫଳତା ବୋଲି କୁହାଯାଉଛି । ଜନୈକ ରୋଗୀଙ୍କ ବାମ ପାଶ୍ୱର୍ ଛାତି ଭିତରେ ଅସାମାନ୍ୟ ଭାବେ ବୃଦ୍ଧି ଘଟିଥିବା ପ୍ରାୟ ୨କେଜି ଓଜନର ଏକ ଟ୍ୟୁମରକୁ କିମ୍ସର ବରିଷ୍ଠ ସର୍ଜିକାଲ ଅନ୍କୋଲୋଜିଷ୍ଟ ଡା. ସବ୍ୟସାଚୀ ପରିଡ଼ାଙ୍କ ନେତୃତ୍ୱରେ ଡାକ୍ତରୀଦଳ ବାହାର କରିବାରେ ସଫଳ ହୋଇଛନ୍ତି । ଏହି ଟ୍ୟୁମର ବୃଦ୍ଧି ପାଇବା ଯୋଗୁଁ ରୋଗୀ ଖାଦ୍ୟ ଗ୍ରହଣ ଓ ଅନ୍ୟାନ୍ୟ ପ୍ରକ୍ରିୟାରେ ବ୍ୟାଘାତ ସୃଷ୍ଟି ହେଉଥିଲା ।
ପୂର୍ବରୁ ଏଭଳି ଟ୍ୟୁମରକୁ ତୁରନ୍ତ ବାହାର କରିବା ପାଇଁ ଉଭୟ ତଳିପେଟ ଓ ଛାତିରେ ଅସ୍ତ୍ରୋପଚାର କରିବାକୁ ପଡ଼ୁଥିଲା । ଏହା ରୋଗୀକୁ ଯନ୍ତ୍ରଣା ସହ ବହୁ ଅସୁବିଧାରେ ପକାଉଥିଲା । ତେବେ ଡା. ପରିଡ଼ାଙ୍କ ଏହି ନୂଆ କୌଶଳ ରୋଗୀଙ୍କ ଯନ୍ତ୍ରଣା କମ କରିବା ସହ ଶୀଘ୍ର ଉପଶମ ମିଳିବା ସମ୍ଭାବନା ଦେଖାଦେଇଛି । ଡାକ୍ତରୀ ଦଳରେ ଡା. ମୋନିକା ଦାବଗୋତ୍ର, ନିଶ୍ଚେତକ ବିଶେଷଜ୍ଞ ଡା. ବିଭାସ ପ୍ରସାଦ ବାରିକ, ଟେକ୍ନିସିଆନ୍ କଳ୍ପନା ଓଝା, ବରିଷ୍ଠ ସେବିକା ମିକିନା ପ୍ରଧାନ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀ ଦୀର୍ଘ ୬ଘଣ୍ଟା ଅକ୍ଳାନ୍ତ ପରିଶ୍ରମ ପରେ ଏହି ଅସ୍ତ୍ରୋପଚାର ସଫଳ ହୋଇଛି ।
କିମ୍ସ କ୍ୟାନ୍ସର ସେଣ୍ଟରରେ ଅସ୍ତ୍ରୋପଚାର ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ଉପଲବ୍ଧ ହେଉଥିବାରୁ ଏଭଳି ଅସ୍ତ୍ରୋପଚାର ସମ୍ଭବ ହୋଇପାରିଲା ବୋଲି ଡା. ପରିଡ଼ା ସୂଚନା ଦେଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅନ୍ତଃ-ଅପରେଟିଭ ଜଟିଳତା ବା ରକ୍ତଦାନ ବିନା ଏହି ଅସ୍ତ୍ରୋପଚାର ସଫଳ ହୋଇପାରିଛି । ଅସ୍ତ୍ରୋପଚାର ପରେ ରୋଗୀ ଅସ୍ତ୍ରୋପଚାର ଟେବଲରୁ ସ୍ୱତଃ ଉଠିବାରେ ସକ୍ଷମ ହୋଇଥିଲେ ଓ ଉପଶମ ପାଇଁ ତାଙ୍କୁ ଆଇସିୟୁର ଆବଶ୍ୟକତା ପଡ଼ିନଥିଲା ।
ଏଭଳି ନୂତନ ପ୍ରକ୍ରିୟାରେ ସଫଳ ଅସ୍ତ୍ରୋପଚାର କରିଥିବା ଡା. ପରିଡ଼ା ଓ ଡାକ୍ତରୀ ଦଳକୁ କିଟ୍, କିସ୍ ଓ କିମ୍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଧନ୍ୟବାଦ ଜଣାଇଥିବା ବେଳେ ରୋଗୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।