ନେଚର କେୟାର ଇନିସିଏଟିଭ ଜାତୀୟ ସମ୍ମିଳନୀ
ଜଳାଶୟର ସଂରକ୍ଷଣ ପାଇଁ ପ୍ରତ୍ୟେକ ଭାରତୀୟ ଆଗେଇ ଆସନ୍ତୁ : ଜଷ୍ଟିସ୍ ସଞ୍ଜୀବ ପାଣିଗ୍ରାହୀ
ଭୁବନେଶ୍ୱର,୧୯ା୧୧: ଭୂତଳଜଳସ୍ତର ହ୍ରାସ ରୋକିବା ନିମନ୍ତେ ପୋଖରୀ ଏବଂ ଜଳାଶୟଗୁଡ଼ିକର ସଂରକ୍ଷଣ ପାଇଁ ପ୍ରତ୍ୟେକ ଭାରତୀୟ ଆଗେଇ ଆସିବାକୁ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜିବ ପାଣିଗ୍ରାହୀ ଆହ୍ୱାନ କରିଛନ୍ତି । ନେଚର କେୟାର ଇନ୍ସିଏଟିଭ୍ ତରଫରୁ ଭୁବନେଶ୍ୱର ସ୍ଥିତ ଲା ଫ୍ରାଙ୍କିଲିନ୍ ହୋଟେଲ ଠାରେ ଆୟୋଜିତ ‘କ୍ଲାଇମେଟ ଚେଞ୍ଜ ଆଣ୍ଡ ରିଜିଲିଆନ୍ସ ଡେଭଲପମେଣ୍ଟ’ ଶୀର୍ଷକ ଜାତୀୟ ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଜଷ୍ଟିସ ପାଣିଗ୍ରାହୀ ଯୋଗଦେଇ କହିଥିଲେ ଯେ, କେବଳ ମଣିଷ ହିଁ ପ୍ରକୃତିକୁ ନଷ୍ଟ କରୁଛି ।
ସମୁଦ୍ରତଟରେ ହେନ୍ତାଳବଣର ସୁରକ୍ଷା ନହେଲେ ଆଗାମୀ ଦିନରେ ଭୟାବହ ପରିସ୍ଥିତି ସୃଷ୍ଟି ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ । ସାମୁଦ୍ରିକ ବାତ୍ୟାର ଭୟାବହତାରୁ ରକ୍ଷା ପାଇବା ପାଇଁ ହେନ୍ତାଳବଣର ସୁରକ୍ଷା ଅତ୍ୟନ୍ତ ଜରୁରୀ । ପରିବେଶ ଶିକ୍ଷା କେବଳ କ୍ଲାସ୍ ରୁମ୍ରେ ସୀମିତ ନହୋଇ ଫିଲ୍ଡ ଷ୍ଟଡି ମାଧ୍ୟମରେ ଶିକ୍ଷା ବ୍ୟବସ୍ଥା ପ୍ରଚଳନ ପାଇଁ ଜଷ୍ଟିସ ପାଣିଗ୍ରାହୀ ମରାମର୍ଶ ଦେଇଥିଲେ । ଜଳବାୟୁ ପରିବର୍ତ୍ତନର ଚ୍ୟାଲେଞ୍ଜକୁ ସମ୍ମୁଖୀନ ହେବା ପାଇଁ ଯଦିଓ ସରକାରୀସ୍ତରରେ ବହୁ ଯୋଜନା ଅଛି ସମସ୍ୟାର ସମାଧାନ ତଥା ସଫଳ ରୂପାୟନ ପାଇଁ ଯୋଜନା ଗୁଡ଼ିକର ପରଫରମାନସ୍ ଅଡିଟି କରିବାକୁ ପରାମର୍ଶ ଦେଇଥିଲେ । ପରିବେଶକୁ ଦୃଷ୍ଟିରେ ରଖି ସହରାଞ୍ଚଳରେ ପ୍ରଚଳିତ ନିୟମର କଡ଼ାକଡ଼ି ପାଳନ, ପ୍ରାକୃତିକ ସମ୍ପଦର ସୁପରିଚାଳନା, ଜଳବାୟୁର ପରିବର୍ତ୍ତନ ସମସ୍ୟାର ନିରାକରଣ ପାଇଁ ଗାନ୍ଧୀଙ୍କ ସବୁଜ ତତ୍ତ୍ୱକୁ ଆପଣାଇବା ପାଇଁ ଗୁରୁତ୍ୱ ଆରୋପ କରିଥିଲେ ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ କୁମାର ଯୋଗଦେଇ କହିଥିଲେ ଯେ, ଓଡ଼ିଶା କ୍ଲାଇମେଟ୍ ଆକ୍ସନ ପ୍ଲାନ ଲାଗୁ କରିବାରେ ଏକ ଅଗ୍ରଣୀ ରାଜ୍ୟ । ସେହିପରି ପ୍ରଥମ ରାଜ୍ୟ ଭାବେ ଗ୍ରୀନ ବଜେଟ ଉପସ୍ଥାପନ ସହ ଗ୍ରୀନ କ୍ଲାଇମେଟ ଫଣ୍ଡ ଗଠନ ହୋଇଛି । ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ବିଗତ ୨୨ ବର୍ଷରେ ରାଜ୍ୟ ୮ଟି ବଡ଼ବାତ୍ୟାର ସମ୍ମୁଖୀନ ହୋଇଛି । ବାତ୍ୟା ପରିସ୍ଥିତିରେ ମଣିଷ ଏବଂ ପଶୁଙ୍କ ଜୀବନ ରକ୍ଷା ପାଇଁ ରାଜ୍ୟ ସରକାର ୫ଶହ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିଛନ୍ତି । ଆଗାମୀ ୭ ବର୍ଷରେ ଓଡ଼ିଶାରେ ୧୦ ହଜାର ମେଗାୱାଟ ସବୁଜ ବିଦ୍ୟୁତ ଉତ୍ପାଦନ ଲକ୍ଷ୍ୟ ରହିଛି ଯାହାକି ପରିବେଶ ସୁରକ୍ଷା ଦିଗରେ ଓଡ଼ିଶା ସରକାରଙ୍କର ବଡ଼ ପଦକ୍ଷେପ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ରାଜ୍ୟ ସୂଚନା ଆୟୁକ୍ତ ସୁଶାନ୍ତ କୁମାର ମହାନ୍ତି ଯୋଗ ଦେଇ କହିଥିଲେ ଯେ, ଜଳବାୟୁ ପରିବର୍ତ୍ତନ ଯୋଗୁ ନଭେମ୍ବର ମାସ ତୃତୀୟ ସପ୍ତାହରେ ଗରମ ଅନୁଭବ ହେଉଛି ।
ପ୍ରଦୂଷଣ ଯୋଗୁଁ ଲୋକମାନେ ମାସ୍କ ପିନ୍ଧି ବୁଲୁଛନ୍ତି । ପ୍ରଦୂଷଣ ପାଇଁ ଆମେ ନିଜେ ଦାୟୀ । ଏ ଦିଗରେ ମାନବ ସମାଜ ସଚେତନ ନହେଲେ ଆଗକୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ । କେବଳ ସରକାର ଏବଂ କୌଣସି ଅନୁଷ୍ଠାନ କାର୍ଯ୍ୟ କଲେ ହେବନାହିଁ ଏଥିପାଇଁ ବ୍ୟକ୍ତିଗତ ଭାବେ ସମସ୍ତେ ଉଦ୍ୟମ କରିବା ନିମନ୍ତେ ଶ୍ରୀ ମହାନ୍ତି ଆହ୍ୱାନ ଦେଇଥିଲେ । ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀକାନ୍ତ ଶେଖର ସାହୁ କାର୍ଯ୍ୟ୍କ୍ରମର ଅଧ୍ୟକ୍ଷତା କରିଥିଲେ । ଅନୁଷ୍ଠାନର ପରାମର୍ଶଦାତା ଦୂର୍ଗାପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଷୟିକ ଅଧିବେଶନରେ କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଡିନ୍ ପ୍ରଫେସର ଶରତ କୁମାର ପାଳିତ, ଜାଭିୟର ବିଶ୍ୱବିଦ୍ୟାଳୟର ଡିନ୍ ଡ. ସୁତପା ପତି ଓ ଆଇଆଇଟି ଭୁବନେଶ୍ୱରର ଆସୋସିଏଟ ପ୍ରଫେସର ସନ୍ଦିପ ପଟ୍ଟନାୟକ ଯୋଗ ଦେଇଥିଲେ ।