ଜାତୀୟ ଜନଜାତୀ ଆୟୋଗ ସଦସ୍ୟଙ୍କ ଜନଶୁଣାଣୀ ଅନୁଷ୍ଠୀତ, ୧୫ଦିନ ଭିତରେ ସମାଧାନ ପାଇଁ ନିର୍ଦେଶ

ଯୋଡା, ୭ା୧୨ :(ପ୍ରବାହ ନିୟୁଜ) ଗୁରୁବାର ଜାତୀୟ ଜନଜାତୀ ଆୟୋଗ ସଦସ୍ୟ ଅନନ୍ତ ନାଏକ ଯୋଡା, ବଡବିଲ ଅଞ୍ଚଳ ଗସ୍ତ କରି ୨ଟି ସ୍ଥାନରେ ଅଭିଯୋଗ ଶୁଣାଣୀ କରିଥିବା ଜଣାପଡିଛି । ଏହି ସମୟରେ ଆଦିବାସୀ ସମ୍ପ୍ରଦାୟ ପକ୍ଷରୁ ଆପତ୍ତି ଅଭିଯୋଗକୁ ନେଇ ଜନଶୁଣାଣୀ କରାଯାଇଥିଲା । ପୂର୍ବାହ୍ନରେ ଯୋଡା ବ୍ଲକ ଗୁଆଲି ପଞ୍ଚାୟତ ଗନ୍ଦଲପଦା ଠାରେ ଏହି ଶୁଣାଣୀ ଅନୁଷ୍ଠୀତ ହୋଇଥିବା ବେଳେ ଏଥିରେ ବୁଲୁ ମୁଣ୍ଡା, ସନା ମୁଣ୍ଡା, ଗେର ମୁଣ୍ଡା ପ୍ରମୁଖ ଆଦିବାସୀମାନେ ସେମାନଙ୍କର ପଟ୍ଟାଭୁକ୍ତ ୧ ଏକର ୩୨ ଡିସମିଲ ଜାଗା ଖାତା ନଂ. ୫୮, ପ୍ଲଟ ନଂ. ୩୩୯/୩ ଜମିକୁ ନୂଆଗାଁସ୍ଥିତ ଜେଏସ୍ଡବ୍ଲୁ କମ୍ପାନୀ ଜବରଦଖଲ କରି ଭୋଗ କରିଆସୁଛି ।

ଏ ନେଇ ଅଭିଯୋଗ କଲେ ପ୍ରଶାସନ ସେମାନଙ୍କୁ ନାଲି ଆଖି ଦେଖାଇ ଜୋର ଜବରଦସ୍ତ ରାସ୍ତା ତିଆରି କରୁଛି ଏବଂ ବଳକା ଜାଗାକୁ ଦଖଲ କରୁଛି ବୋଲି ଅଭିଯୋଗ ହୋଇଥିଲା । ସେହିପରି ଭୂୟାଁବରପଦାର ଗ୍ରାମବାସୀମାନେ ଅଭିଯୋଗ କରିଥିଲେ ଯେ, ଭୂୟାଁବରପଦା ଗ୍ରାମରେ ଥିବା ଶଶ୍ମାନ ଜମି କୁ ଏହି ଜେଏସଡବ୍ଲୁ କମ୍ପାନୀ ଜବରଦଖଲ କରି ଜୋରଜବରଦସ୍ତ ଏହା ଉପରେ କ୍ରସର ପ୍ଲାଣ୍ଟ ନିର୍ମାଣ କରୁଛି ବୋଲି ଗ୍ରାମର ରୀନା ନାଏକ, ସବିତା ନାଏକ, ଶୁଶିଳା ନାଏକ, ବିଣାପାଣୀ ନାଏକ ପ୍ରମୁଖ ଅଭିଯୋଗ କରିଥିଲେ ।

ଉକ୍ତ ଶଶ୍ମାନ ଜମିକୁ ଗ୍ରାମବାସୀଙ୍କୁ ହସ୍ତାନ୍ତର ପାଇଁ ସେମାନେ ଦାବି ଜଣାଇଥିଲେ । ଅପରାହ୍ନରେ ବଡବିଲ ପୌରାଞ୍ଚଳରେ ଆୟୋଜିତ ଶୁଣାଣୀ କାର୍ଯ୍ୟକ୍ରମରେ ବହୁ ଆଦିବାସୀ ବାସିନ୍ଦା ଉପସ୍ଥିତ ରହି ବିଭିନ୍ନ ଆପତ୍ତି ଉତ୍ଥାପନ କରିଥିଲେ । ସେଥି ମଧ୍ୟରୁ ଯୋଡା ବ୍ଲକ କାରାଖେଣ୍ଡରା ପଞ୍ଚାୟତରେ ଥିବା ଜଗନ୍ନାଥ ଷ୍ଟିଲ ୧୩ ବର୍ଷ ପରେ ବିନା ଗ୍ରାମସଭାରେ ବନ୍ଦ ଖଣି ଖନନ ଓ ଏହାର ପ୍ରତିବାଦ କରୁଥିବା ଗ୍ରାମବାସୀଙ୍କ ବିରୋଧରେ ମିଥ୍ୟା ମାମଲା ଋଜୁ ଏବଂ ସେମାନଙ୍କୁ ଥାନା ଭିତରେ ପ୍ରବଳ ମାଡ ମାରାଯାଇଥିବା ନେଇ ମନେ ମୁଣ୍ଡା ଏବଂ ଅନ୍ୟ ଗ୍ରାମବାସୀମାନେ ଅଭିଯୋଗ କରିଥିଲେ । ଖଣି ଅଞ୍ଚଳର ଆଦିବାସୀମାନଙ୍କ ବିକାଶ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ବିଦୁ୍ୟତ୍, ରାସ୍ତା, ପାନୀୟ ଜଳ, ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଖାଦ୍ୟ ସୁରକ୍ଷା କାର୍ଡ ସମେତ ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ହୋଇଥିଲା ।

ଆଦିବାସୀମାନଙ୍କ ଉପରେ ଅତ୍ୟଧିକ ହୋଲଡିଙ୍ଗ ଟ୍ୟାକ୍ସ ଆଦାୟକୁ ନେଇ ମଧ୍ୟ ଏକାଧିକ ଅଭିଯୋଗ ହୋଇଥିଲା । ଖଣି କ୍ଷେତ୍ରରେ ଆଦିବାସୀମାନଙ୍କ ଉପରେ ପୁଲିସର ଜୁଲୁମ, ମିଥ୍ୟା ମାମଲା ନେଇ ମଧ୍ୟ ଅଭିଯୋଗ ହୋଇଛି । ଏହି ଶୁଣାଣୀ ସମୟରେ ବିଭିନ୍ନ ବିଭାଗର ଅଧିକାରୀ ଗଣ ଉପସ୍ଥିତ ରହିଥିଲେ । ଅଭିଯୋଗକାରିଙ୍କ ଦସ୍ତଖତ ଗ୍ରହଣ କରିବା ସହିତ ସମସ୍ୟା ଗୁଡିକର ୧୫ଦିନ ମଧ୍ୟରେ ସମାଧାନ କରିବାକୁ ଜନଜାତୀ କମିସନ ସଦସ୍ୟ ଅନନ୍ତ ନାଏକ ନିଦେ୍ର୍ଦଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *