ସିଆଇଆଇ ପକ୍ଷରୁ ଆୟୋଜିତ ୧୮ତମ ସୁରକ୍ଷା ସମ୍ମିଳନୀରେ ଟାଟା ଷ୍ଟିଲ୍‌କୁ ଏକାଧିକ ପୁରସ୍କାର

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପୂର୍ବାଂଚଳ ପକ୍ଷରୁ କୋଲକାତାରେ ଆୟୋଜିତ ୧୮ତମ ସୁରକ୍ଷା ସମ୍ମିଳନୀରେ ଟାଟା ଷ୍ଟିଲ୍‌ର ଫେରୋ ଆଲଏଜ୍ ଆଣ୍ଡ୍ ମିନେରାଲ୍ ଡିଭିଜନ (ଏଫ୍‌ଏଏମ୍‌ଡି) ତିନିଟି ପୁରସ୍କାର ହାସଲ କରିଛି।

ଖଣି ବର୍ଗରେ କମ୍ପାନିର କେନ୍ଦୁଝର ଜିଲ୍ଲାର ଯୋଡ଼ାରେ ଥିବା ଯୋଡ଼ା ୱେଷ୍ଟ ଆଇରନ୍ ଆଣ୍ଡ ମାଙ୍ଗାନିଜ ମାଇନ୍ ଆଂଚଳିକ ଫାଇନାଲ୍ ବିଜେତା ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାର ଗୋପାଳପୁରରେ ଥିବା ଫେରୋ ଆଲଏଜ୍ ପ୍ଲାଂଟ୍‌କୁ ଲାର୍ଜ-ସ୍କେଲ୍ ମାନୁଫାକ୍‌ଚରିଂ ବର୍ଗରେ (୨୫୦୦ କର୍ମଚାରୀ ବିଶିଷ୍ଟ ସଂସ୍ଥା) ପ୍ରଥମ ରନର୍ସ ଅପ୍ ପୁରସ୍କାର ମିଳିଛି। ଖଣି ବର୍ଗରେ କମ୍ପାନିର ଯାଜପୁର ଜିଲ୍ଲାର ସୁକିନ୍ଦାରେ ଥିବା ସାରୁଆବିଲ କ୍ରୋମାଇଟ୍ ଖଣି ଦ୍ୱିତୀୟ ରନର୍ସ ଅପ୍ ପୁରସ୍କାର ହାସଲ କରିଛି।

ଏହି ଦୁଇଦିନିଆ ସମ୍ମିଳନୀରେ କମ୍ପାନିର ଫେରୋ ଆଲଏଜ୍ ଓ ମିନେରାଲ୍ ଡିଭିଜନ ଅଧୀନରେ ପରିଚାଳିତ ଖଣି ଓ ଫେରୋ ଆଲଏଜ୍ କାରଖାନାକୁ ମିଳିଥିବା ସଫଳତା ଅତ୍ୟାଧୁନିକ ଡିଜିଟାଲ୍ ସମାଧାନ କାର୍ଯ୍ୟକାରୀ କରିବା ଓ ନିଜ ପରିଚାଳନା କ୍ଷେତ୍ରରେ ସୁରକ୍ଷାର ସର୍ବୋଚ୍ଚ ମାନକ ବଜାୟ ରଖିବା ପାଇଁ ଟାଟା ଷ୍ଟିଲ୍‌ର ପ୍ରତିବଦ୍ଧତାକୁ ଦର୍ଶାଉଛି।

ଏହି ଅବସରରେ ଫେରୋ ଆଲଏଜ୍ ଓ ମିନେରାଲ୍ସ ଡିଭିଜନର ଏକଜିକ୍ୟୁଟିଭ ଇନଚାର୍ଜ ପଙ୍କଜ ସତିଜା କହିଛନ୍ତି ଯେ, “ଏହି ପୁରସ୍କାର ଏକ ସୁରକ୍ଷିତ ଓ ଦୀର୍ଘସ୍ଥାୟୀ କାର୍ଯ୍ୟକ୍ଷେତ୍ର ସୃଷ୍ଟି କରିବା ପାଇଁ ଆମ ଟିମ୍‌କୁ ଅନୁପ୍ରାଣିତ କରିବ। ଆମ ପରିବେଶ, ସ୍ୱାସ୍ଥ୍ୟ ଓ ସୁରକ୍ଷା (ଇଏଚ୍‌ଏସ୍‌) ବ୍ୟବସ୍ଥା ଡିଜିଟାଲ୍ ମାଧ୍ୟମର ସୁରକ୍ଷାରେ ଉନ୍ନତି ଆଣିବା ସହ ଦୀର୍ଘସ୍ଥାୟୀ ଅଭ୍ୟାସକୁ ସୁଦୃଢ଼ କରିଥିବା ବେଳେ ଆମ କାର୍ଯ୍ୟକ୍ଷେତ୍ରଗୁଡ଼ିକରେ ପରିଚାଳନା ଉତ୍କର୍ଷକୁ ମଧ୍ୟ ଆଗକୁ ବଢ଼ାଉଛି।’’ ଏହି ସିମ୍ପୋଜିୟମ୍‌ର ବିଷୟବସ୍ତୁ ଥିଲା ‘ଇଏଚଏସ ଉତ୍କର୍ଷତା ପାଇଁ ଡିଜିଟାଲ ମାଧ୍ୟମର ବ୍ୟବହାର’।

କାର୍ଯ୍ୟକ୍ରମରେ କମ୍ପାନି ତରଫରୁ ଏଫଏଏମ୍‌ଡିର ସୁରକ୍ଷା ବିଭାଗ ମୁଖ୍ୟ ଠାକୁର ଅଜୟ କୁମାର ବିଶ୍ୱମ୍ବରନାଥ, ଫେରୋ ଆଲଏଜ୍ ପ୍ଲାଂଟ୍ ଓ ଷ୍ଟେନ୍‌ଲେସ୍ ଷ୍ଟିଲ୍ ପ୍ଲାଂଟ୍‌ର ସୁରକ୍ଷା ବିଭାଗ ମୁଖ୍ୟ କିଶୋର ବରଣ ମାଇଟି, ସାରୁଆବିଲ କ୍ରୋମାଇଟ ଖଣିର ସୁରକ୍ଷା ପ୍ରବନ୍ଧକ ଅରବିନ୍ଦ ସିଂହ, କମର୍ଦା କ୍ରୋମାଇଟ୍ ମାଇନ ଏରିଆ ପ୍ରବନ୍ଧକ ପ୍ରିୟଦର୍ଶୀ ଶୁଭକାନ୍ତ ପାଢ଼ୀ ଓ ଯୋଡ଼ା ୱେଷ୍ଟ ମାଙ୍ଗାନିଜ ଖଣି ଏରିଆ ମ୍ୟାନେଜର ସୁରକ୍ଷା ପୁଲୁରି ଶଶାଙ୍କ ପୁରସ୍କାରଗୁଡ଼ିକୁ ଗ୍ରହଣ କରିଥିଲେ।
ଏହି ସମ୍ମିଳନୀରେ ଟାଟ ଷ୍ଟିଲ୍‌କୁ ମିଳିଥିବା ପୁରସ୍କାର ଅଭିନବ ଅଭ୍ୟାସ ଗ୍ରହଣ କରିବାରେ କମ୍ପାନିର ଉଦମ୍ୟକୁ ଦର୍ଶାଉଛି ଯାହା ଏହାର ଶ୍ରମଶକ୍ତିର ସୁରକ୍ଷାକୁ ସୁନିଶ୍ଚିତ କରୁଥିବା ବେଳେ ପରିବେଶ ଉପରେ ପଡୁଥିବା ପ୍ରଭାବକୁ ହ୍ରାସ କରୁଛି।

ଏହି କାର୍ଯ୍ୟକ୍ରମରେ ଶିଳ୍ପ ବିଶେଷଜ୍ଞ, ନୀତି ନିର୍ଧାରଣକାରୀ ଓ ସୁରକ୍ଷା ଅଧିକାରୀମାନେ ଅଂଶଗ୍ରହଣ କରି ଶ୍ରେଷ୍ଠ ଅଭ୍ୟାସ ଉପରେ ଆଲୋଚନା କରିଥିଲେ ଯାହା ଡିଜିଟାଲ ମାଧ୍ୟମ ଜରିଆରେ ଉତ୍କର୍ଷ ହାସଲ କରିବାର ଲକ୍ଷ୍ୟକୁ ଆଗକୁ ବଢ଼ାଉଛି।

Leave a Reply

Your email address will not be published. Required fields are marked *