ମହମ୍ମଦ ଅଲୀ ଯୌହର
ଏମ୍ଡି ଓବୈଦୁଲା
ଭାରତର ଅଗ୍ରଣୀ ସାଧୀନତା ସଂଗ୍ରାମୀ ମାନଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ମହମ୍ମଦ ଅଲୀ ଯୌହର । ସେ ଏକାଧାରରେ ବିଶିଷ୍ଟ ସମାଜସେବୀ, ଲେଖକ, ସୁବକ୍ତା ଓ କୁଶଳୀ ରାଜନୀତିଜ୍ଞ ଥିଲେ । ସେ ଡିସେମ୍ବର ୧୦, ୧୮୭୮ ମସିହାରେ ଉତ୍ତର ପ୍ରଦେଶର ରାମପୁର ଠାରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟକାଳରେ ନିଜର ପିତାଙ୍କୁ ହରାଇ ଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ନିଜର ପ୍ରଚେଷ୍ଟା ବଳରେ ସେ ଆଲ୍ଲାହବାଦ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରି, ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଅର୍ନ୍ତଗତ ଲିଙ୍କନ ମହାବିଦ୍ୟାଳୟରେ ଅଧ୍ୟୟନ କରିବାର ସୁଯୋଗ ପାଇଥିଲେ ।
ସଦେଶ ପ୍ରତ୍ୟାବର୍ତ୍ତନ କରି ସେ ରାମପୁର ଠାରେ ଶିକ୍ଷା ନିର୍ଦ୍ଦେଶକ ଭାବେ ଯୋଗଦେଇଥିଲେ ଏବଂ ପରେ ବରୋଦା ଠାରେ ସିଭିଲ ସେବାରେ ଯୋଗଦାନ କରିଥିଲେ । ଏହି ସମୟରେ ସେ ଜଣେ କୁଶଳୀ ଲେଖକ ଭାବରେ “ଦ ଟାଇମସ”, ‘ଦ ଅବସରଭର”, “ଦ ମଂଚେଷ୍ଟର ଗାର୍ଡିୟନ” ଭଳି ଅନେକ ଇଂରାଜୀ ଏବଂ ଭାରତୀୟ ଖବର କାଗଜ ଗୁଡିକରେ ଅନେକ ଇଂରାଜୀ ଓ ଉର୍ଦୁ ଲେଖାମାନ ପ୍ରକାଶ କରିଥିଲେ । ୧୯୧୧ ସେ ଇଂରାଜୀ ଖବରକାଗଜ ‘ଦ କମ୍ରେଡ”ର ସମ୍ପାଦନା କରିବ । ସହ ୧୯୧୩ ମସିହାରେ ଦୈନିକ ଉର୍ଦୁ ଖବରକାଗଜ “ହମଦର୍ଦ” ର ମଧ୍ୟ ପ୍ରକାଶନ କରିଥିଲେ । ତାଙ୍କ ଲେଖନୀର ସୃଜନଶୀଳତାକୁ ଅନେକ ଲୋକ ପସନ୍ଦ କରୁଥିଲେ ଏବଂ ଏହା ମାଧ୍ୟମରେ ସେ ଦେଶ ମଧ୍ୟରେ ହିନ୍ଦୁ ଓ ମୁସଲମାନ ମାନଙ୍କ ମଧ୍ୟରେ ହିନ୍ଦୁ-ମୁସଲମାନ ଭାଇଚାରା ଓ ଦେଶାତ୍ମବୋଧକୁ ପ୍ରୋତ୍ସାହିତ କରୁଥିଲେ । ଏହାବ୍ୟତୀତ ଇଂରେଜ ମାନଙ୍କ ବିରୋଧୀ ଏକାଠି ହୋଇ ଲଢିବାକୁ ଆହ୍ୱାନ ଦେଉଥିଲେ । ଶିକ୍ଷା କ୍ଷେତ୍ରରେ ମହମ୍ମଦ ଅଲୀ ଯୌହର ବହୁ ପ୍ରୟାସ ପରେ ମହମ୍ମଡାନ ଆଗ୍ନେ ଓରିଏଣ୍ଟାଲ କଲେଜର ସଂପ୍ରସାରଣ କରାଯାଇଥିଲା । ଯାହା ପରବର୍ତ୍ତୀ ସମୟରେ ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟର ରୂପ ନେଇଥିଲା । ସେ ୧୯୨୦ ମସିହାରେ ସ୍ଥାପିତ ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟର ସହସଂଗଠକ ଥିଲେ । ୧୯୨୧ ମସିହାର ଖିଲାଫତ୍ ଆନ୍ଦୋଳନ ସମୟରେ ଶୌକତ ଅଲୀ, ହାକିମ୍ ଅଜମଲ ଖାନ୍ ଭଳି ଅନ୍ୟ ସାଧୀନତା ସଂଗ୍ରାମୀଙ୍କ ସହିତ ଯୋଗଦାନ କରିଥିଲେ । ଏହି ଆନ୍ଦୋଳନ ମସୟରେ ମହାତ୍ମାଗାନ୍ଧୀଙ୍କ ନେତୃତ୍ୱରେ ଅନେକ ହିନ୍ଦୁ ଜନତା ସହଯୋଗ କରିବା ପାଇଁ ଆଗେଇ ଆସିଥିଲେ । ୧୯୨୩ ମସିହାରେ ମହମ୍ମଦ ଅଲୀ ଯୌହର ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷତା କରିଥିଲେ ।
ପରବତ୍ତୀ ସମୟରେ ୧୯୩୦ ମସିହାରେ ଲଣ୍ଡନରେ ଅନୁଷ୍ଠିତ ଗୋଲ୍ ଟେବୁଲ ବୈଠକରେ ଯୋଗଦାନ କରି ଭାରତର ପୂର୍ଣସାଧୀନତା ପାଇଁ ଦାବୀ କରିଥିଲେ । ନିଜ ସାସ୍ଥ୍ୟଗତ ସମସ୍ୟାକୁ ଖାତିର ନକରି ଏହି ବୈଠକରେ ସେ କହିଥିଲେ ଯେ ମୁଁ ମୋ ଦେଶକୁ ଫେରିବାକୁ ଚାହୁଁଛି, ହେଲେ ଏହି ସର୍ଭରେ ଯେ ମୋ ଦେଶ ଭାରତକୁ ସମ୍ପୂର୍ଣ ସାଧୀନତା ଦିଆଯାଉ । ଏହା ପରିବର୍ତ୍ତେ ଏହି ବିଦେଶୀ ମାଟିରେ ମରିବା ପସନ୍ଦ କରିବି କାରଣ ଏହା ଏକ ସାଧୀନ ଦେଶ । ଯଦି ତମେ ଭାରତକୁ ସାଧୀନତା ଦେଇପାରିବ ନାହିଁ, ତେବେ ମୋତେ ଏଠାରେ କବର ଦିଅ ।
ଏହି ବୈଠକ ପରେ ହୃଦଘାତ ଯୋଗୁଁ ୧୯୩୧ ମସିହା ଜାନୁଆରୀ ୦୪ ତାରିଖରେ ତାଙ୍କର ନିଧନ ହୋଇଥିଲା । ତାଙ୍କ ଆତ୍ମୀୟ ସଜନଙ୍କ ଇଚ୍ଛାନୁସାରେ ଜେରୁସାଲେମ୍ ଠାରେ କବର ଦିଆଯାଇଥିଲା । ନିଜ ମାତୃଭୂମିର ସାଧୀନତା ପାଇଁ ନିଜଶେଷ ଜୀବନ ପର୍ଯ୍ୟନ୍ତ ତାଙ୍କର ସଂର୍ଘଷ ଆମ ସମସ୍ତଙ୍କ ପାଇଁ ଚିରସ୍ମରଣୀୟ, ଯାହା ଆମଭାରତୀୟଙ୍କ ମଧ୍ୟରେ ଭାଇଚାରା ଓ ସାମାଜିକ ସୌହାଦ୍ୟକୁ ନିବିଡ କରିବା ପାଇଁ ଆହୁରି ସହାୟକ ହେବ ।