କିସ୍‍ ଓ ଏଭିଏନ୍‍ଏଲ୍‍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର : କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ସୋସିଆଲ୍‍ ସାଇନ୍‍ସେସ୍‍ (କିସ୍‍) ଓ ଆର୍ମୋର୍ଡ଼ ଭାଇକିଲ୍‍ସ୍‍ ନିଗମ ଲିମିଟେଡ଼ (ଏଭିଏନ୍‍ଏଲ୍‍) ମଧ୍ୟରେ ଏକ ବୁଝାମଣାପତ୍ର ଆଜି ସ୍ୱାକ୍ଷରିତ ହୋଇଛି । କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତିରେ କିସ୍‍ ପକ୍ଷରୁ କିସ୍‍ ବିଶ୍ୱବିଦ୍ୟାଳୟ କୁଳସଚିବ ଡ଼. ପ୍ରଶାନ୍ତ କୁମାର ରାଉତରାୟ ଓ ଏଭିଏନ୍‍ଏଲ୍‍ ପକ୍ଷରୁ ଏହାର ମାନବସମ୍ବଳ ନିର୍ଦ୍ଦେଶକ ବିଶ୍ୱରଞ୍ଜନ ପଟ୍ଟନାୟକ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ । ଆର୍ମୋର୍ଡ଼ ଭାଇକିଲ୍‍ସ୍‍ ନିଗମ ଲିମିଟେଡ଼ (ଏଭିଏନ୍‍ଏଲ୍‍) ହେଉଛି ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରାଳୟର ଡ଼ିଫେନ୍‍ସ ପ୍ରଡ଼କ୍‍ସନ୍‍ ବିଭାଗ ଅଧିନରେ ଥିବା ଏକ ନିଗମ। ଏହି ବୁଝାମଣା ଅନୁଯାୟୀ ଉଭୟ କିସ୍‍ ଓ ଏଭିଏନ୍‍ଏଲ୍‍ ଶିକ୍ଷା, ଗବେଷଣା, ତାଲିମ, କନ୍‍ସଲ୍‍ଟାନ୍‍ସି, ଆଡ଼ଭାଇଜରୀ ଏବଂ କର୍ପୋରେଟ୍‍ ସାମାଜିକ ଦାୟିତ୍ୱବୋଧ (ସିଏସ୍‍ଆର୍‍) ଆଦି କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବେ । ଉଭୟ ଅନୁଷ୍ଠାନ ଗ୍ରାମାଞ୍ଚଳ ଓ ଅନୁନ୍ନତ ଅଞ୍ଚଳରେ ସ୍ୱାସ୍ଥ୍ୟ ଶିବିର, ଶୈକ୍ଷିକ କର୍ମଶାଳା, ଧନ୍ଦାମୂଳକ ତାଲିମ ଏବଂ ପରିବେଶ ସୁରକ୍ଷା ଆଦି କମ୍ୟୁନିଟି ଆଉଟ୍‍ରିଚ୍‍ ଓ ସିଏସ୍‍ଆର କାର୍ଯ୍ୟକ୍ରମ କରିବେ । ଏଭିଏନ୍‍ଏଲ କିସ୍‍ରେ ପାଠ ପଢୁଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରିବା ସହ କିସ୍‍ର ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‍ଙ୍କୁ ସହଯୋଗ ନିମନ୍ତେ ଆର୍ଥିକ ସହାୟତା ସମେତ ଏଭିଏନ୍‍ଏଲ୍‍ର ସିଏସ୍‍ଆର ନୀତି ଅନୁଯାୟୀ ଉଭୟ କିସ୍‍ ଓ ଏଭିଏନ୍‍ଏଲ୍‍ ବିଭିନ୍ନ ପ୍ରକାର ସିଏସ୍‍ଆର୍‍ କାର୍ଯ୍ୟକ୍ରମ ମିଳିତ ଭାବେ କରିବେ । ପ୍ରତିରକ୍ଷା ଓ ଅଟୋମେଟିଭ୍‍ କ୍ଷେତ୍ରରେ କିସ୍‍ ଓ କିଟ୍‍ କିସ୍‍ ଛାତ୍ରଛାତ୍ରୀଙ୍କ ନିଯୁକ୍ତି ସୁଯୋଗ ବୃଦ୍ଧି ଲକ୍ଷ୍ୟରେ କିସ୍‍ ଓ ଏଭିଏନ୍‍ଏଲ୍‍ ସାଧରଣ ଶ୍ରମଭିତ୍ତିକ ତାଲିମଠାରୁ ଆରମ୍ଭ କରି ଅତ୍ୟାଧୁନିକ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବେ । କିସ୍‍ ଓ ଏଭିଏନ୍‍ଏଲ୍‍ ମିଳିତଭାବେ ଯୁଗ୍ମ ଗବେଷଣା ଓ ବିକାଶ କେନ୍ଦ୍ର ପ୍ରତିଷ୍ଠା କରିବା ସହ ଇନ୍‍କ୍ୟୁବେସନ୍‍ ସେଲ୍‍ ଖୋଲିବେ । ଏହା ବ୍ୟତୀତ ଉଭୟ ଅନୁଷ୍ଠାନ ମିଳିତ ଭାବେ ଯୁଗ୍ମ ଗବେଷଣା ପ୍ରକଳ୍ପ କାର୍ଯ୍ୟକାରୀ କରିବେ । ଗବେଷଣା ପାଠ୍ୟକ୍ରମ ପାଇଁ ବିଭିନ୍ନ ବିଭିନ୍ନ ବିଷୟରେ ସ୍ନାତକୋତ୍ତର କରୁଥିବା ଛାତ୍ରଛାତ୍ରୀଙ୍କୁ ପଞ୍ଜୀକରଣ କରିବେ । ଯେଉଁ ଗବେଷଣାରତ ଛାତ୍ରଛାତ୍ରୀମାନେ ଅନ୍ୟ କୌଣସି ଅନୁଷ୍ଠାନରୁ ବୃତ୍ତି ପାଉ ନ ଥିବେ ସେମାନଙ୍କୁ ଏଭିଏନ୍‍ଏଲ୍‍ ପକ୍ଷରୁ ସର୍ବାଧିକ ୪ବର୍ଷ ପାଇଁ ବୃତ୍ତି ପ୍ରଦାନ କରାଯିବ । ଏହି ବୁଝାମଣାପତ୍ର ଅନୁଯାୟୀ କିସ୍‍ ଓ ଏଭିଏନ୍‍ଏଲ୍‍ର କର୍ମଚାରୀଙ୍କୁ ସେମାନଙ୍କର ଦକ୍ଷତା ଓ ଜ୍ଞାନର ବିକାଶ ନିମନ୍ତେ ମିଳିତ ଭାବେ କିମ୍ବା ବ୍ୟକ୍ତିଗତ ଭାବେ ୧ରୁ ୪ ସପ୍ତାହ ପର୍ଯ୍ୟନ୍ତ ସ୍ୱଳ୍ପ ଅବଧି ତାଲିମ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ବୁଝାମଣା ପାଇଁ ପ୍ରତିଷ୍ଠାତା ଶ୍ରୀ ସାମନ୍ତ ଏଭିଏନ୍‍ଏଲ୍‍କୁ କୃତଜ୍ଞତା ଜଣାଇଛନ୍ତି । ଭବିଷ୍ୟତରେ ଉଭୟ ଅନୁଷ୍ଠାନ ମଧ୍ୟରେ ସମ୍ପର୍କ ଦୃଢ଼ ରହିବ ବୋଲି ସେ ଆଶା ପୋଷଣ କରିଛନ୍ତି । ଏହି ବୁଝାମଣା ସ୍ୱାକ୍ଷର କାର୍ଯ୍ୟକ୍ରମରେ କିସ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ କୁମାର ବେହେରା, କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, ଏଭିଏନ୍‍ଏଲ୍‍ର ମାନବ ସମ୍ବଳ ସାଧାରଣ ପରିଚାଳକ ରଞ୍ଜନ କୁମାର ବଳ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *