ଅନାସ୍ଥା ଭୋଟ୍‌ରେ ହାରିଲେ ଗିରଫ ହୋଇ ପାରନ୍ତି ଇମ୍ରାନ୍‌ ଖାଁ: ଗୃହମନ୍ତ୍ରୀ ଶେଖ୍ ରଶିଦ୍‌

ଇସ୍‌ଲାମାବାଦ୍: ଯଦି ସଂସଦରେ ଆଗତ ଅନାସ୍ଥା ଭୋଟ୍‌ରେ ହାରି ଯାଆନ୍ତି ତେବେ ଅତ୍ୟନ୍ତ ଜଟିଳ ପରିସ୍ଥିତିରେ ପଡ଼ିଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଗିରଫ ହୋଇପାରନ୍ତି ବୋଲି ଆଜି ଗୃହମନ୍ତ୍ରୀ ଶେଖ୍‌ ରଶିଦ୍‌ କହିଛନ୍ତି।

ଗଣମାଧ୍ୟମକୁ ମନ୍ତ୍ରୀ ଶେଖ୍‌ ରଶିଦ୍‌ କହିଛନ୍ତି ଯେ, ଅନାସ୍ଥା ପ୍ରସ୍ଥାବ ଆଗତ ଆଗରୁ ‘ପାକିସ୍ତାନ ତେହ୍‌ରିକ୍‌-ଏ-ଇନ୍‌ସାଫ୍‌’ (ପିଟିଆଇ) ପାର୍ଟି ନେତୃତ୍ବାଧୀନ ଶାସକ ମେଣ୍ଟର ୧୫୫ଜଣ ସଦସ୍ୟ ଇସ୍ତଫା ଦେବେ।

ଅନାସ୍ଥା ପ୍ରସ୍ତାବ ଆଗତ କରିଥିବା ବିରୋଧୀ ଦଳକୁ ଉଦ୍ଦେଶ୍ୟ କରି ସେ କହିଛନ୍ତି, ମୋର ମନେହୁଏ, ସେମାନେ ଇମ୍ରାନ୍‌ ଖାଁଙ୍କୁ ସହ୍ୟ କରିବେ ନାହିଁ, ସେମାନେ ତାଙ୍କୁ ଗିରଫ କରିବେ।

ଇମ୍ରାନ୍‌ଙ୍କୁ ବହିଷ୍କାର କରିବା ପାଇଁ ବିଦେଶୀ ଷଡ଼ଯନ୍ତ୍ର ବିଷୟରେ ପଚରାଯିବାରୁ ଗୃହମନ୍ତ୍ରୀ କହିଲେ, ପାକିସ୍ତାନର ଗଣତନ୍ତ୍ର ପ୍ରତି ସାଙ୍ଘାତିକ ବିପଦ ରହିଛି। ସାମ୍ପ୍ରତିକ ଜଟିଳ ପରିସ୍ଥିତି ସମାଧାନ ପାଇଁ ତୁରନ୍ତ ନିର୍ବାଚନ କରାଯିବା ଆବଶ୍ୟକ।

ତେଣେ, ଅନାସ୍ଥା ଭୋଟ୍‌ ପୂର୍ବରୁ ହିଂସାକାଣ୍ଡ ଘଟିବାର ସମ୍ଭାବନା ଥିବାରୁ ଆଜି ଇସ୍‌ଲାମାବାଦ୍‌ରେ ଜିଲ୍ଲା ପ୍ରଶାସନ ୧୪୪ ଧାରା ଜାରି କରିଛି। ଦୁଇଚକିଆ ଯାନ ପଛ ସିଟ୍‌ରେ ବସି ଯାତ୍ରା କରିବା ମଧ୍ୟ ନିଷେଧ କରାଯାଇଛି।

ସଦ୍ୟତମ ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କୁ ବିତାଡ଼ନ କରିବା ଲାଗି ପାକିସ୍ତାନ ବିରୋଧୀ ଦଳର ସଦସ୍ୟମାନେ ଆଜି ଜାତୀୟ ବିଧାନସଭାର ବାଚସ୍ପତି ଅସଦ୍‌ କାଇଜର୍‌ଙ୍କ ନିକଟରେ ପ୍ରସ୍ତାବ ଆଗତ କରିଛନ୍ତି।

Leave a Reply

Your email address will not be published. Required fields are marked *