୧୩ବର୍ଷପରେ ବିନା ଗ୍ରାମସଭାରେ ବନ୍ଦ ଖଣି ଖନନ

ଗ୍ରାମବାସୀଙ୍କ ବିରୋଦ୍ଧ, ମିଥ୍ୟାମାମଲା ଋଜୁ, ୧୪୪ଧାରା ଜାରି

ଯୋଡା,୨ା୧୦ : ଯୋଡା ଖଣିକ୍ଷେତ୍ର ଅନ୍ତର୍ଗତ କାରାଖେଣ୍ଡରା ପଞ୍ଚାୟତ ଉଲିବୁରୁ-ହାୟରପୁର ସୀମାରେ ଅବସ୍ଥିତ କେନ୍ଦ୍ର ସରକାରଙ୍କ ଓଡିଶା ମିନେରାଲ ଡେଭେଲପମେଣ୍ଟ କମ୍ପାନୀ ଲିମିଟେଡ (ଓଏମ୍ଡିସି) ଅଧିନ ବାଗିଆବୁରୁ ଲୌହ ଖଣିଟି ୨୦୧୦ପରଠାରୁ ଜଙ୍ଗଲ ଓ ପରିବେଶ ମଞ୍ଜୁରୀ ନଥିବାରୁ ବନ୍ଦ ରହିଥିଲା ।

୨୧.୫୨ ହେକ୍ଟର ପରିମିତ ଏହି ଖଣିଟି ବନ୍ଦ ରହିବାଫଳରେ ଏହାରି ଉପରେ ନିର୍ଭରକରି ଚଳୁଥିବା ସ୍ଥାନୀୟ ଆଦିବାସୀ ବାସିନ୍ଦାମାନେ କାମଧନ୍ଦା ହରାଇ ବସିଥିଲେ । ତେବେ ଏହାରି ଭିତରେ ଖଣିଟି ସରକାରୀ ମଞ୍ଜୁରୀ ପ୍ରାପ୍ତ କରିଥିବାବେଳେ ବିନା ଗ୍ରାମସଭାରେ ତରବରିଆଭାବେ ଖଣି ଖନନ ଆରମ୍ଭ କରିଦିଆଯାଇଛି । ଏହାକୁ ସ୍ଥାନୀୟ ଗ୍ରାମବାସୀମାନେ ବିରୋଧକରି ବିକ୍ଷୋବ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା ।

ଏହା ସତ୍ୱେ ସେପ୍ଟେମ୍ବର ମାସ ୨୦ ତାରିଖ ବିଦ୍ଧି ବଦ୍ଧ ଭାବେ ଖଣି ପୂଜା ଅନୁଷ୍ଠିତ କରିଯାଇ ବ୍ୟାପକ ପୁଲିସ ଛାଉଣି ମଧ୍ୟରେ ୨୯ ତାରିଖଠାରୁ ଖଣି ନିକଟବର୍ତ୍ତି ଅଞ୍ଚଳରେ ୧୪୪ଧାରା ଜାରି କରାଯାଇ ଖଣିଜ ଉତ୍ତୋଳନ କାର୍ଯ୍ୟ ଆରମ୍ଭ କରାଯାଇଛି । ଖଣିଟିକୁ କେପି ଏଣ୍ଟରପ୍ରାଇଜେସ ନାମକ ଏକ ଠିକା ସଂସ୍ଥାକୁ ହସ୍ତାନ୍ତର କରାଯାଇଥିବାବେଳେ ଏହି ସଂସ୍ଥା ସ୍ଥାନୀୟ ଲୋକଙ୍କୁ ଅଣଦେଖାକରି ବାହାର ରାଜ୍ୟର କର୍ମଚାରୀ ମାନଙ୍କ ଦ୍ୱାରା ଖଣିକାର୍ଯ୍ୟ ଆରମ୍ବ କରିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ, ସରକାରୀ ନିୟମ ଅନୁଯାଇ ଖଣି ଖନନ ପୁର୍ବରୁ ଗ୍ରାମବାସୀଙ୍କ ସହ ଆଲୋଚନା କରାନଯାଇ ଖଣି ପରିଚାଳନା କରାଯାଉଥିବା ବେଳେ ଏହାର ବିରୋଧ ଯୋଗୁ ଓଏମଡିସିର ସିଏସ୍ଆର ମୁଖ୍ୟ ଆଲୋଚନା ନିମନ୍ତେ ଦିନ ଧାର୍ଯ୍ୟ କରିବାସହ ଆଲୋଚନାପରେ ଖଣି ଖନନର ପ୍ରତିଶୃତି ଦେଇଥିଲେ ।

ତେବେ ଏହାରି ଭିତରେ କୌଣସି ଆଲୋଚନା ନକରି କମ୍ପାନୀ ଅଧିକାରୀ ଜ୍ୟୋତିରଞ୍ଜନ ପାତ୍ର, ବ୍ୟବସାୟୀକ ମୁଖ୍ୟ ଜେଆର ପରିଡା, ସୁରକ୍ଷା ଅଧିକାରୀ ସାନ୍ତନୁ ବେହେରା ବଡବିଲ ଥାନାରେ ଗ୍ରାମର ଚିଟୁ ପଲେଇ, କାହ୍ନୁ ମୁଣ୍ଡା, ମାନା ମୁଣ୍ଡା, ଗଙ୍ଗାରାମ ମୁଣ୍ଡା, ଶକ୍ତି ମୁଣ୍ଡା ଏହିପରି ୫ଜଣଙ୍କ ନାମରେ ସଙ୍ଗୀନ ଦଫାରେ ମାମଲା ରୂଜୁ କରାଯାଇଥିବା ଗ୍ରାମବାସୀମାନେ ସୂଚନା ଦେଇଛନ୍ତି । ସେମାନେ ଶାନ୍ତିପୂର୍ଣ୍ଣଭାବେ ଗଣତାନ୍ତ୍ରୀକ ଉପାୟରେ କମ୍ପାନୀର ମନମୁଖି କାର୍ଯ୍ୟକୁ ବିରୋଧ କରିଥିବାବେଳେ ତାଙ୍କ ନାମରେ ମିଥ୍ୟା ମାମଲା କରାଯାଇଥିବା ଅଭିଯୋଗକରି ସେମାନେ ଉଚ୍ଚ ଅଧିକାରୀ ମାନଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି । ତୁରନ୍ତ ମିଥ୍ୟା ଏତଲା ପ୍ରତ୍ୟାହାର, ଖଣିରେ ସ୍ଥାନୀୟ ବାସିନ୍ଦାଙ୍କୁ କର୍ମନିୟୋଜନ ଏବଂ ଗ୍ରାମସଭା ମାଧ୍ୟମରେ ଖଣିକାର୍ଯ୍ୟ କରିବାକୁ ଚେତାବନୀ ଦେଇଛନ୍ତି, ନଚେତ୍ ଏହି ଆନେ୍ଦାଳନକୁ ବ୍ୟାପକ କରାଯିବବୋଲି ଦୃଢୋକ୍ତି ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *