ଅଲ୍ ଓଡ଼ିଶା ଇଂଜିନିୟରିଂ ୱାର୍କଚାର୍ଜଡ୍ ଓ ରେଗୁଲାର କର୍ମଚାରୀ ମିଳିତମଞ୍ଚର ସାଧାରଣ ଅଧିବେଶନ
ଭୁବନେଶ୍ୱର, ତା ୨୦ା୨ : ଓଡ଼ିଶା ସରକାରଙ୍କ ଅଧିନରେ ଥିବା ସମସ୍ତ ଇଂଜିନିୟରିଂ ବିଭାଗର କାର୍ଯ୍ୟରତ ୱାର୍କଚାର୍ଜଡ୍ ଓ ରେଗୁଲାର କର୍ମଚାରୀ ସଂଘର ମିଳିତମଞ୍ଚର ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଅଛି । ଗ୍ରାମ୍ୟ ଉନ୍ନୟନ ବିଭାଗର କର୍ମଚାରୀ ସଂଘର ଆବାହକ କୃଷ୍ଣଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଧିବେଶନରେ ଜଳସମ୍ପଦ ବିଭାଗର କର୍ମଚାରୀ ଏବଂ ତାଙ୍କର ଆବାହକ, ସହରାଞ୍ଚଳ ପାନୀୟଜଳ ଯୋଗାଣ ବିଭାଗର କର୍ମଚାରୀ ଏବଂ ତାଙ୍କର ଆବାହକ, ଗ୍ରାମ୍ୟ ଜଳ ଯୋଗାଣ ଓ ଜନସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଓ ତାଙ୍କର ଆବାହକ ପ୍ରମୁଖ ଯୋଗଦେଇ ମିଳିତମଞ୍ଚର ଆଗାମୀ କାର୍ଯ୍ୟକ୍ରମ ଓ ସେମାନଙ୍କର ଦାବିଗୁଡ଼ିକ ସମ୍ପର୍କରେ ଆଲୋଚନା କରାଯାଇଥିଲା । ମିଳିତମଞ୍ଚର ମୁଖ୍ୟ ସଂଯୋଜକ ଭାବେ ଦାୟିତ୍ୱ ତୁଲାଇ ଆସୁଥିବା ଶ୍ରୀ ଗଗନ ବିହାରୀ ଭଞ୍ଜ ଗତ ୩୧.୧.୨୦୨୪ରିଖରେ ସରକାରୀ ଚାକିରିରୁ ଅବସର ଗ୍ରହଣ କରିଥିବା ଯୋଗୁଁ ତାଙ୍କୁ ଆଉ ମୁଖ୍ୟ ସଂଯୋଜକ ଭାବେ ରଖା ନଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ଏବଂ ଆଜିଠାରୁ ଅର୍ଥାତ୍ ତା୨୦.୦୨.୨୦୨୪ରିଖ ଠାରୁ ମୁଖ୍ୟ ସଂଯୋଜକ ଦାୟିତ୍ୱରୁ ସର୍ବସମ୍ମତିକ୍ରମେ ଅବ୍ୟାହତି ଦିଆଯାଇଛି ବୋଲି ଅଧ୍ୟକ୍ଷତା କରୁଥିବା କୃଷ୍ଣଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି । ଏପରିକି ଶ୍ରୀ ଗଗନ ବିହାରୀ ଭଞ୍ଜଙ୍କ ଦସ୍ତଖତରେ ମିଳିତମଞ୍ଚ ପ୍ୟାଡ୍ରେ ଆଉ କୌଣସି ଚିଠି ସରକାରଙ୍କର ବିଭିନ୍ନ ଇଂଜିନିୟରିଂ ବିଭାଗକୁ ଦିଆଯିବା ଉଚିତ୍ ହେବନାହିଁ ବୋଲି ମିଳିତମଞ୍ଚ ତରଫରୁ ବିଭିନ୍ନ ବିଭାଗର ପଦାଧିକାରୀମାନଙ୍କୁ ଅବଗତ କରାଇ ଦିଆଯାଇଅଛି । ଏବେ ମିଳିତମଞ୍ଚ ତରଫରୁ ଶ୍ରୀ ଗଗନ ବିହାରୀ ଭଞ୍ଜଙ୍କୁ କେବଳ ଉପଦେଷ୍ଟା ରଖାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ଓ ଏ ସମ୍ବନ୍ଧରେ ତାଙ୍କର ପରାମର୍ଶକୁ ଅପେକ୍ଷା କରାଯାଇଅଛି ବୋଲି ମଞ୍ଚ ତରଫରୁ କୁହାଯାଇଅଛି । ଏତଦ୍ବ୍ୟତୀତ ଖୁବ୍ଶୀଘ୍ର ମିଳିତମଞ୍ଚର ସମସ୍ତ ବିଭାଗର କର୍ମଚାରୀ ନେତାମାନଙ୍କର ଏକ ସମ୍ମିଳନୀ ଡକାଯାଇ ନୂତନ ମୁଖ୍ୟ ସଂଯୋଜକ ନାମ ବଛାଯିବାର ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି କର୍ମଚାରୀ ସଂଘ ମିଳିତମଞ୍ଚର ଅସ୍ଥାୟୀ ମୁଖ୍ୟସଂଯୋଜକ ଶ୍ରୀକୃଷ୍ଣଚନ୍ଦ୍ର ନାୟକ ଜଣାଇଛନ୍ତି । ଆଜିର ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଆଶିଷ କୁମାର ନନ୍ଦ, ଅଶୋକ କୁମାର ମୁଦୁଲି, ପ୍ରସନ୍ନ କୁମାର ପ୍ରଧାନ ପ୍ରମୁଖ କର୍ମଚାରୀ ନେତୃବୃନ୍ଦ ଯୋଗଦେଇଥିଲେ ।