କୁକୁର କାମୁଡିଥିବା ଗାଈ କ୍ଷୀରରେ ପ୍ରସ୍ତୁତ ପ୍ରସାଦ ଖାଇ ଗ୍ରାମବାସୀ ଆତଙ୍କିତ, ଲସର୍ଦ୍ଦା ଗ୍ରାମରେ ପହଁଚିଲେ ଡାକ୍ତରୀ ଦଳ

ବଡ଼ବିଲ,୧୯/୧ (ଧରଣୀଧର ମହାନ୍ତ): କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ବଲାଣି ପଞ୍ଚାୟତର ଲସର୍ଦା ଗ୍ରାମରେ କୁକୁର କାମୁଡା ଗାଈ କ୍ଷୀରରେ ପ୍ରସ୍ତୁତ ପ୍ରସାଦ ସେବନ କରି ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ତେବେ ଏ ନେଇ ସ୍ୱାସ୍ଥ୍ୟ ବିଭାଗ ଖବର ପାଇବା ପରେ ତତ୍ପରତା ପ୍ରକାଶ କରି ଗ୍ରାମରେ ପହଞ୍ଚି ସୂଚନା ସଂଗ୍ରହ କରିବାର ପରିଲିକ୍ଷିତ ହୋଇଛି । ସୂଚନାନୁସାରେ ଗତ ମାସ ୨୯ ତାରିଖରେ ଉକ୍ତ ଗ୍ରାମର ଠାକୁରାଣୀ ପୀଠରେ ପାରମ୍ପରିକ ବାର୍ଷିକ ଠାକୁରାଣୀ ଓଷା ଆୟୋଜନ ହୋଇଥିଲା ଓ ଚଳିତ ମାସ ୭ ତାରିଖ ପର୍ଯ୍ୟନ୍ତ ଏହି ଓଷା ପାଳନ କରାଯାଇଥିଲା । ପ୍ରତ୍ୟେହ ଉକ୍ତ ପୂଜାରେ ଠାକୁରାଣୀଙ୍କ ପୀଠରେ ବିଭିନ୍ନ ଭୋଗ ଲାଗି ହୋଇଥିବା ବେଳେ ପାରମ୍ପରିକ ଗାଈ କ୍ଷୀର ରେ ଦହି ପ୍ରସ୍ତୁତ କରାଯାଇ ଶ୍ରଦ୍ଧାଳୁ ଙ୍କ ମଧ୍ୟରେ ପଣା ବଣ୍ଟନ କରାଯାଇଥିଲା । ତେବେ ପରେ ଯେଉଁ ଗାଈର କ୍ଷୀରରେ ଦହି ପ୍ରସ୍ତୁତ କରାଯାଇ ଗ୍ରାମବାସୀଙ୍କ ମଧ୍ୟରେ ପଣା ବଣ୍ଟନ କରାଯାଇଥିଲା ଉକ୍ତ ଗାଈ ଠାରେ କୁକୁର କାମୁଡା ଲକ୍ଷଣ ପ୍ରକାଶ ପାଇଥିଲା ।
ଏ ସମ୍ବନ୍ଧରେ ଗତ ରବିବାର ଗ୍ରାମବାସୀ ପଶୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିଥିଲେ ଯେଉଁଥିରେ ପଶୁ ଡାକ୍ତର ଏହା କୁକୁର କାମୁଡା ଲକ୍ଷଣ ବୋଲି ଚିନ୍ହଟ କରିଥିଲେ । ଏହା ପରେ ଲୋକ ଆତଙ୍କିତ ଅବସ୍ଥାରେ ରହିଛନ୍ତି ବୋଲି ବଲାଣି ପଞ୍ଚାୟତର ସରପଞ୍ଚ ମୁଗା ମୁଣ୍ଡା କହିଛନ୍ତି । ତେବେ ଉକ୍ତ ଗ୍ରାମର ଦୁଇ ସାହିର ଛୋଟ ଛୁଆ ଠାରୁ ଆରମ୍ଭ କରି ବୃଦ୍ଧ ବୃଦ୍ଧା ଓ ବିଭିନ୍ନ ପରିବାର ନିକଟକୁ ଅନ୍ୟସ୍ଥାନରୁ ଆସିଥିବା ମୋଟ ୪୦୦ ରୁ ଉର୍ଦ୍ଧ୍ଵ ଜନସାଧରଣ ବର୍ତ୍ତମାନ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ତେବେ ବୁଧବାର ବାସୁଦେବପୁର ସ୍ୱାସ୍ଥ୍ୟକେନ୍ଦ୍ରରୁ ଡା. ଚନ୍ଦନ ବାରିକଙ୍କ ନେତୃତ୍ତ୍ୱରେ ଡା. ମଧୁସ୍ମିତା ମହାରଣା, ପୁରୁଷ ସ୍ୱାସ୍ଥ୍ୟ କର୍ମୀ ବସନ୍ତ କୁମାର ସାହୁ, ମହିଳା ସ୍ୱାସ୍ଥ୍ୟ କର୍ମୀ ରଙ୍ଗଲତା ସାହୁ , ଫାର୍ମାସିଷ୍ଟ ସସ୍ମିତା ବେହେରା ସମେତ ପାଞ୍ଚ ଜଣିଆ ସ୍ୱାସ୍ଥ୍ୟସେବା ଦଳ ଲସର୍ଦା ଗ୍ରାମରେ ଲୋକଙ୍କ ଠାରୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଗ୍ରହଣ କରିଥିଲେ ।
ତେବେ ଗ୍ରହଣ କରାଯାଇଥିବା ତଥ୍ୟ ଉପରିସ୍ଥ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଦେବା ପରେ ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଗ୍ରାମବାସୀଙ୍କୁ କହି ଉକ୍ତ ଦଳ ଫେରିଯାଇଛନ୍ତି । ଏ ନେଇ ବାସୁଦେବପୁର ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସକ ଡା. ଏଲ କେ ସିଂହ ଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ତାଙ୍କ ସହିତ ସମ୍ପର୍କ ସ୍ଥାପନ ହୋଇ ପାରିନଥିବାରୁ ତାଙ୍କର ପ୍ରତିକ୍ରିୟା ମିଳି ପାରIନାହିଁ । ଅନ୍ୟ ପକ୍ଷରେ ଏବେ ମଧ୍ୟ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ଜିଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ କଣ ପଦକ୍ଷେପ ଗ୍ରହଣ କରୁଛି ତାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି ।