ପାରାଦୀପ ବନ୍ଦର ୬୪ତମ ପ୍ରତିଷ୍ଠା ଦିବସ ଅବସରରେ ମାରାଥନ ପ୍ରତିଯୋଗିତା
ପ୍ରବାହ ନ୍ୟୁଜ୍ : ପ୍ରତି ବର୍ଷ ପରି ପାରାଦୀପ ବନ୍ଦର ଏ ବର୍ଷ ୩ ଜାନୁଆରୀ ଦିନ ତାର ୬୪ତମ ପ୍ରତିଷ୍ଠା ଦିବସ ଅବସରରେ ୨୦ତମ ପାରାଦୀପ ବନ୍ଦର ମାରାଥନ ପ୍ରତିଯୋଗିତା ୨୦୨୫ ଆୟୋଜନ କରିଥିଲା । ୩ ତାରିଖ ସକାଳେ ବନ୍ଦର ଅଧ୍ୟକ୍ଷ ପି ଏଲ ହରନାଧ ହନୁମାନ ମନ୍ଦିର ଠାରେ ପତାକା ଦେଖାଇ ମାରାଥନ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ । ପ୍ରତିଯୋଗୀ ମାନେ ବନ୍ଦର ସହରର ବିଭିନ୍ନ ଅଞ୍ଚଳ ବୁଲି ୧୪ କିଲୋମିଟର ରାସ୍ତା ଅତିକ୍ରମ କରି ଗୋପବନ୍ଧୁ ଷ୍ଟାଡିୟମ୍ ଠାରେ ପହଞ୍ଚିଥିଲେ । ପ୍ରତିଯୋଗୀ ମାନେ ରାସ୍ତାରେ ଦୌଡୁ ଥିବା ବେଳେ ବିଭିନ୍ନ ସ୍କୁଲ, ସଂଗଠନର କର୍ମକର୍ତ୍ତା ତଥା ବନ୍ଦରର ଅନ୍ତେବାସୀ ମାନେ ରାସ୍ତା କଡ଼ରେ ଠିଆ ହୋଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ । ଏ ବର୍ଷ ମାରାଥନରେ ୩୮୮ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ଯେଉଁଥିରେ ୩୨୫ ଜଣ ପୁରୁଷ ଓ ୬୩ ଜଣ ମହିଳା ଥିଲେ । ପୁରୁଷ ବର୍ଗରେ ଓଡ଼ିଶା ପୋଲିସର ଅଶୋକ ଦଣ୍ଡସେନା ପ୍ରଥମ, ଝାଡ଼ଖଣ୍ଡର ଅର୍ଜୁନ ଟୁଡୁ ଦ୍ଵିତୀୟ ଓ ସୋନପୁରର ଦୟାନିଧି ମୁଣ୍ଡା ତୃତୀୟ ହୋଇଥିବା ବେଳେ ମହିଳା ବର୍ଗରେ ଓଡ଼ିଶା ପୋଲିସର ସୁସ୍ମିତା ଟିଗା ପ୍ରଥମ, ମୟୂରଭଞ୍ଜର ସନ୍ଧ୍ୟା ମୁର୍ମୁ ଦ୍ଵୀତିୟ ଓ କେନ୍ଦ୍ରାପଡ଼ାର ଦୀପ୍ତି ରାଣୀ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି ଅବସରରେ ଗୋପବନ୍ଧୁ ଷ୍ଟାଡିୟମ୍ ଠାରେ ଆୟୋଜିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ବନ୍ଦର ଅଧ୍ୟକ୍ଷ ପି ଏଲ ହରନାଧ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ମାରଥନରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସଙ୍ଗେ ସଙ୍ଗେ ପାରାଦୀପ ବନ୍ଦର ପଣ୍ୟ କାରବାରରେ ଆଗକୁ ବଢିବା ସଙ୍ଗେ ସଙ୍ଗେ ସବୁ କ୍ଷେତ୍ରରେ ସଫଳତା ହାସଲ କରିବ ବୋଲି ଆଶା କରିଥିଲେ । ସେ ଉଭୟ ପୁରୁଷ ଓ ମହିଳା ବର୍ଗରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ଯଥାକ୍ରମେ ୨୧୦୦୦, ୧୫୦୦୦ ଓ ୧୦୫୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲେ । ସେହିପରି ଉଭୟ ପୁରୁଷ ଓ ମହିଳା ବର୍ଗରେ ଚତୁର୍ଥ ସ୍ଥାନ ପାଇଁ ୫୦୦୦ ଟଙ୍କା ଲେଖାଏଁ ୩ ଜଣଙ୍କୁ, ପଞ୍ଚମ ସ୍ଥାନ ପାଇଁ ୩୦୦୦ ଟଙ୍କା ଲେଖାଏଁ ୬ ଜଣଙ୍କୁ ଓ ଷଷ୍ଠ ସ୍ଥାନ ପାଇଁ ୨୦୦୦ ଟଙ୍କା ଲେଖାଏଁ ୯ ଜଣଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଏହି ଅବସରରେ ଓଡ଼ିଶାର ଆନ୍ତର୍ଜାତିକ ଧାବିକା ଶ୍ରାବଣୀ ନନ୍ଦଙ୍କୁ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବନ୍ଦର ଅଧ୍ୟକ୍ଷ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଜାଗୃତିର ୫ ଜଣ ଭିନ୍ନ କ୍ଷମ ଛାତ୍ର ଛାତ୍ରୀଙ୍କୁ ଭିନ୍ନ କ୍ଷମ ଦିବସରେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାରେ ସଫଳତା ପାଇଁ ବନ୍ଦର ଅଧ୍ୟକ୍ଷ ପ୍ରତ୍ୟେକ ୨୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ପରେ ପରେ ଅଧ୍ୟକ୍ଷ କ୍ରୀଡ଼ା ଉପରେ ପର୍ଯ୍ୟବେସିତ ସ୍ମରଣିକା ବଢ଼ତେ କଦମର ତୃତୀୟ ସଂସ୍କରଣକୁ ଉନ୍ମୋଚନ କରିଥିଲେ । ଗୋପବନ୍ଧୁ କ୍ରୀଡ଼ା ସଂସଦର ସଭାପତି ଡି ଏନ୍ ସୋନ୍ଧିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ବନ୍ଦର ଉପାଧ୍ୟକ୍ଷ ନିଲାଭ୍ର ଦାସଗୁପ୍ତା, କୋଷ୍ଟଗାର୍ଡ କମାଣ୍ଡର ସଞ୍ଜୟ ନେଗି, ବନ୍ଦର ଟ୍ରାଫିକ ପରାମର୍ଶଦାତା ଆଶିଷ ବୋଷ ମଞ୍ଚରେ ଉପସ୍ଥିତ ଥିଲେ । କାର୍ଯ୍ୟକାରୀ ସଭାପତି ଡକ୍ଟର ଦୁର୍ଗା ପ୍ରସାଦ ସେଠୀ ସ୍ଵାଗତ ଘୁ ଭାଷଣ ଦେଇଥିବା ବେଳେ ସମ୍ପାଦକ ରଞ୍ଜନ ରଶ୍ମୀ ବେଉରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ଫୁଟବଲ କୋଚ ରବି ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ ।