ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆଜି ସେହି ଦିନ ଉପନୀତ, ଯାହା ପାଇଁ ଆମେ ଫେବୃଆରୀ ମାସ ଠାରୁ ପ୍ରତୀକ୍ଷାରତ ଥିଲୁ । ମୁଁ ‘ମନ୍ କି ବାତ୍’ ଜରିଆରେ ପୁଣିଥରେ ଆପଣମାନଙ୍କ ଗହଣକୁ, ନିଜ ପରିବାରବର୍ଗଙ୍କ ଗହଣକୁ ଆସିଛି । ଗୋଟିଏ ସୁନ୍ଦର ଉକ୍ତି ରହିଛି – “ଇତି ବିଦା ପୁନର୍ମିଳନାୟ” – ଏହାର ଅର୍ଥ ମଧ୍ୟ ସେତିକି ସୁନ୍ଦର – ମୁଁ ବିଦାୟ ନେଉଛି, ପୁଣିଥରେ ଭେଟିବା ପାଇଁ । ମନରେ ଏହି ଭାବନା ବହନ କରି ମୁଁ ଫେବୃଆରୀ ମାସରେ ଆପଣମାନଙ୍କୁ କହିଥିଲି ଯେ, ନିର୍ବାଚନ ଫଳାଫଳ ପରେ ପୁଣି ଭେଟିବି । ଆଉ ଆଜି ‘ମନ୍ କି ବାତ୍’ ସହିତ ମୁଁ ପୁଣି ଆପଣମାନଙ୍କ ଗହଣରେ ଉପସ୍ଥିତ । ଆଶା କରୁଛି, ଆପଣ ସମସ୍ତେ ଭଲ ଥିବେ । ଘରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ଥିବ ଏବେ ତ ମୌସୁମୀ ମଧ୍ୟ ଆସିଗଲାଣି । ମୌସୁମୀ ଯେବେ ଆସେ, ମନ ମଧ୍ୟ ଆନନ୍ଦିତ ହୋଇଯାଏ । ଆଜିଠୁ ପୁଣି ଥରେ ଆମେ ‘ମନ୍ କି ବାତ୍’ରେ ଏଭଳି ଦେଶବାସୀମାନଙ୍କ ବିଷୟରେ ଆଲୋଚନା କରିବା ଯେଉଁମାନେ ନିଜ କାର୍ଯ୍ୟ ଦ୍ୱାରା ସମାଜ ଓ ଦେଶର ପରିସ୍ଥିତିକୁ ଉନ୍ନତ କରୁଛନ୍ତି । ଆମେ ଆଲୋଚନା କରିବା – ଆମ ସମୃଦ୍ଧ ସଂସ୍କୃତି, ଗୌରବପୂର୍ଣ୍ଣ ଇତିହାସ ଏବଂ ବିକଶିତ ଭାରତର ପ୍ରଚେଷ୍ଟା ସମ୍ପର୍କରେ ।

ବନ୍ଧୁଗଣ, ଫେବୃଆରୀ ଠାରୁ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ମାସର ଶେଷ ରବିବାର ଦିନ ମୁଁ ଆପଣଙ୍କ ସହିତ ଭାବବିନିମୟର ଅଭାବକୁ ଅନୁଭବ କରୁଥିଲି । କିନ୍ତୁ ଏହି ସମୟରେ ଆପଣ ମୋତେ ପଠାଇଥିବା ଲକ୍ଷ ଲକ୍ଷ ବାର୍ତ୍ତାଗୁଡ଼ିକୁ ଦେଖି ମୋତେ ଖୁବ ଭଲ ମଧ୍ୟ ଲାଗିଲା । ‘ମନ୍ କି ବାତ୍’ ରେଡିଓ କାର୍ଯ୍ୟକ୍ରମ ପଛେ କିଛି ମାସ ପାଇଁ ବନ୍ଦ ରହିଥିଲା, କିନ୍ତୁ ‘ମନ୍ କି ବାତ୍’ର ଯେଉଁ ଭାବନା ଦେଶରେ, ସମାଜରେ ରହିଛି ତାକୁ ନେଇ ପ୍ରତ୍ୟହ କିଛି ଭଲ କାମ, ନିଃସ୍ୱାର୍ଥ ଭାବରେ କାମ, ସମାଜ ଉପରେ ସକାରାତ୍ମକ ପ୍ରଭାବ ପକାଉଥିବା କାର୍ଯ୍ୟ ନିରନ୍ତର ଭାବେ ଚାଲି ରହୁଥାଉ । ନିର୍ବାଚନ ଖବର ମଧ୍ୟରେ ନିଶ୍ଚିତ ରୂପେ ମନକୁ ଛୁଇଁପାରୁଥିବା ଏଭଳି ଖବରଗୁଡ଼ିକ ଉପରେ ଆପଣମାନଙ୍କ ଦୃଷ୍ଟି ପଡ଼ିଥିବ ।

ବନ୍ଧୁଗଣ, ଆଜି ମୁଁ ଦେଶବାସୀମାନଙ୍କୁ ଧନ୍ୟବାଦ ମଧ୍ୟ ଅର୍ପଣ କରିବାକୁ ଚାହୁଁଛି କାରଣ ସେମାନେ ଆମ ସମ୍ବିଧାନ ଏବଂ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ନିଜର ଅତୁଟ ବିଶ୍ୱାସ ଦୋହରାଇଛନ୍ତି । ୨୦୨୪ ନିର୍ବାଚନ ବିଶ୍ୱର ସବୁଠାରୁ ବଡ଼ ନିର୍ବାଚନ ଥିଲା । ବିଶ୍ୱର କୌଣସି ଦେଶରେ ଏତେ ବଡ଼ ନିର୍ବାଚନ କେବେହେଲେ ଅନୁଷ୍ଠିତ ହୋଇନାହିଁ, ଯେଉଁଥିରେ ୬୫ କୋଟି ଲୋକ ମତଦାନ କରିଛନ୍ତି । ମୁଁ ନିର୍ବାଚନ ଆୟୋଗ ଏବଂ ମତଦାନ ପ୍ରକ୍ରିୟା ସହ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏଥିପାଇଁ ଅଭିନନ୍ଦନ ଜଣାଉଛି ।

ମୋର ପ୍ରିୟ ଦେଶବାସୀଗଣ, ୩୦ ଜୁନ୍ – ଆଜିର ଏହି ଦିନଟି ବହୁତ ଗୁରୁତ୍ୱପୂର୍ଣ୍ଣ । ଏହି ଦିନଟିକୁ ଆମ ଆଦିବାସୀ ଭାଇଭଉଣୀମାନେ ହୁଲ୍ ଦିବସ ଭାବେ ପାଳନ କରିଥାନ୍ତି । ଏହି ଦିନଟି ବୀର ସିନ୍ଧୋ-କାହ୍ନୁଙ୍କ ଅଦମ୍ୟ ସାହସ ସହିତ ଜଡ଼ିତ, ଯିଏ ବିଦେଶୀ ଶାସକମାନଙ୍କ ଅତ୍ୟାଚାରର ଘୋର ବିରୋଧ କରିଥିଲେ । ବୀର ସିନ୍ଧୋ-କାହ୍ନୁ ହଜାର ହଜାର ସାନ୍ତାଳୀ ବନ୍ଧୁମାନଙ୍କୁ ଏକଜୁଟ କରି ପୂର୍ଣ୍ଣପ୍ରାଣରେ ଇଂରେଜମାନଙ୍କ ମୁକାବିଲା କରିଥିଲେ । ଏହା କେବେ ଘଟିଥିଲା ଜାଣିଛନ୍ତି କି ? ଏହା ଘଟିଥିଲା ୧୮୫୫ ମସିହାରେ, ଅର୍ଥାତ୍ ୧୮୫୭ରେ ଘଟିଥିବା ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମଠାରୁ ମଧ୍ୟ ଦୁଇବର୍ଷ ଆଗରୁ ଘଟିଥିଲା ଏହି ଘଟଣା । ସେତେବେଳେ ଝାଡ଼ଖଣ୍ଡର ସାନ୍ତାଳ ପ୍ରଗଣାରେ ଆମ ଆଦିବାସୀ ଭାଇଭଉଣୀମାନେ ବିଦେଶୀ ଶାସକମାନଙ୍କ ବିରୁଦ୍ଧରେ ହତିଆର ଉଠାଇଥିଲେ । ଆମ ସାନ୍ତାଳୀ ଭାଇଭଉଣୀମାନଙ୍କ ଉପରେ ଇଂରେଜମାନେ ବହୁତ ଅତ୍ୟାଚାର କରିଥିଲେ, ସେମାନଙ୍କ ଉପରେ ଅନେକ ପ୍ରକାର କଟକଣା ମଧ୍ୟ ଲଗାଇ ଦେଇଥିଲେ । ଏହି ସଂଗ୍ରାମରେ ଅପୂର୍ବ ବୀରତ୍ୱ ପ୍ରଦର୍ଶନ କରି ବୀର ସିନ୍ଧୋ ଏବଂ କାହ୍ନୁ ଶହୀଦ ହୋଇଯାଇଥିଲେ । ଝାଡ଼ଖଣ୍ଡ ମାଟିର ଏହି ଅମର ସୁପୁତ୍ରମାନଙ୍କ ବଳିଦାନ ଆଜି ମଧ୍ୟ ଦେଶବାସୀଙ୍କୁ ପ୍ରେରଣା ଯୋଗାଉଛି । ଆସନ୍ତୁ ଶୁଣିବା, ଏମାନଙ୍କୁ ସମର୍ପିତ ସାନ୍ତାଳୀ ଗୀତର କିଛି ଅଂଶ ।

ମୋର ପ୍ରିୟ ବନ୍ଧୁଗଣ, ଯଦି ମୁଁ ଆପଣଙ୍କୁ ପ୍ରଶ୍ନ କରେ ଯେ, ଦୁନିଆର ସବୁଠାରୁ ଅମୂଲ୍ୟ ସମ୍ପର୍କ କେଉଁଟି ? ତା’ହେଲେ ଆପଣ ନିଶ୍ଚୟ କହିବେ – ମା’  । ଆମ ସମସ୍ତଙ୍କ ଜୀବନରେ ମା’ଙ୍କ ସ୍ଥାନ ସବୁଠୁ ଉପରେ ଥାଏ । ମା’ ସବୁ ଦୁଃଖ ସହି ନିଜ ପିଲାମାନଙ୍କୁ ଲାଳନ-ପାଳନ କରିଥାଏ । ପ୍ରତ୍ୟେକ ମା’ ନିଜ ସନ୍ତାନକୁ ବହୁତ ସ୍ନେହ କରିଥାଏ । ଜନ୍ମଦାତ୍ରୀ ମା’ର ସେହି ସ୍ନେହ ଆମ ସମସ୍ତଙ୍କ ଉପରେ ଗୋଟିଏ ଋଣ ସଦୃଶ ହୋଇଥାଏ, ଯାହାକୁ କେହି ଶୁଝିପାରେନା । ମୁଁ ଭାବୁଥିଲି ଯେ, ମା’ଙ୍କୁ ତ ଆମେ କିଛି ଦେଇପାରିବା ନାହିଁ ! ହେଲେ ତା’ପାଇଁ କିଛି କରିପାରିବା କି ? ଏହି ଚିନ୍ତାଧାରାକୁ ଆଧାର କରି ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସଠାରୁ ଗୋଟିଏ ବିଶେଷ ଅଭିଯାନ ଆରମ୍ଭ କରାଯାଇଛି । ଏହି ଅଭିଯାନର ନାମ ହେଉଛି – “ମା’ଙ୍କ ନାମରେ ଗୋଟିଏ ବୃକ୍ଷ” । ମୁଁ ମଧ୍ୟ ମୋ ମାଆଙ୍କ ଉଦ୍ଦେଶ୍ୟରେ ଗୋଟିଏ ଗଛ ଲଗାଇଛି । ମୁଁ ସମସ୍ତ ଦେଶବାସୀଙ୍କୁ, ବିଶ୍ୱର ସମସ୍ତ ଦେଶର ଜନସାଧାରଣଙ୍କୁ ଅନୁରୋଧ କରିଛି ଯେ, ସେମାନେ ନିଜ ମା’ଙ୍କ ସହ ମିଶି କିମ୍ବା ତାଙ୍କ ଉଦ୍ଦେଶ୍ୟରେ ଗୋଟିଏ ଗଛ ନିଶ୍ଚୟ ଲଗାନ୍ତୁ । ଏଥିଯୋଗୁଁ ମା’ଙ୍କ ସ୍ମୃତିରେ କିମ୍ବା ତାଙ୍କ ସମ୍ମାନରେ ବୃକ୍ଷରୋପଣର ଏହି ଅଭିଯାନ ତୀବ୍ର ଗତିରେ ଅଗ୍ରସର ହେଉଥିବା ଦେଖି ମୁଁ ବହୁତ ଖୁସି ଅନୁଭବ କରୁଛି । ଲୋକେ ନିଜ ମା’ଙ୍କ ସହିତ କିମ୍ବା ତାଙ୍କ ଫଟୋ ସହ ବୃକ୍ଷରୋପଣ କରୁଥିବା ଫଟୋ ସାମାଜିକ ଗଣମାଧ୍ୟମରେ ଶେୟାର କରୁଛନ୍ତି । ଧନୀ ହୁଅନ୍ତୁ କି ଗରିବ, ଜଣେ କର୍ମଜୀବି ମହିଳା ହୁଅନ୍ତୁ ବା ଗୃହିଣୀ, ସମସ୍ତେ ନିଜ ମା’ଙ୍କ ପାଇଁ ବୃକ୍ଷରୋପଣ କରୁଛନ୍ତି । ଏହି ଅଭିଯାନ ସମସ୍ତଙ୍କୁ ନିଜ ମା’ଙ୍କ ପ୍ରତି ସମ୍ମାନ ପ୍ରଦର୍ଶନର ସମାନ ସୁଯୋଗ ପ୍ରଦାନ କରିଛି । ସେମାନେ ନିଜ ଫଟୋଗୁଡ଼ିକୁ #Plant4Mother ଏବଂ #ଏକ୍ପପେଡ଼ପମାଁପକେପନାମ୍ ସହ ଶେୟାର୍ କରି ଅନ୍ୟମାନଙ୍କୁ ପ୍ରେରଣା ଯୋଗାଉଛନ୍ତି ।

ବନ୍ଧୁଗଣ, ଏହି ଅଭିଯାନ ଦ୍ୱାରା ଆଉ ଗୋଟିଏ ଲାଭ ହେବ । ଧରିତ୍ରୀ ମଧ୍ୟ ମାଁ ଭଳି ଆମ ଯତ୍ନ ନେଇଥାଏ । ମାଟି ମାଆ ହିଁ ଆମ ସମସ୍ତଙ୍କ ଜୀବନର ଆଧାର । ତେଣୁ ମାଟି ମାଆର ଯତ୍ନ ନେବା ଆମମାନଙ୍କର ମଧ୍ୟ କର୍ତ୍ତବ୍ୟ ଅଟେ । ମା’ଙ୍କ ନାମରେ ବୃକ୍ଷରୋପଣ ଦ୍ୱାରା ମାଆ ତ ସମ୍ମାନିତ ହେବେ, ଏହାଛଡ଼ା ମାଟି ମାଆର ମଧ୍ୟ ସୁରକ୍ଷା ହେବ । ବିଗତ ଦଶନ୍ଧିରେ ଭାରତରେ ସମସ୍ତଙ୍କ ପ୍ରଚେଷ୍ଟା ଫଳରେ ଜଙ୍ଗଲ କ୍ଷେତ୍ରର ଅଭୂତପୂର୍ବ ଅଭିବୃଦ୍ଧି ଘଟିଛି । ଅମୃତ ମହୋତ୍ସବ ସମୟରେ ସମଗ୍ର ଦେଶରେ ୬୦ ହଜାରରୁ ଅଧିକ ଅମୃତ ସରୋବର ନିର୍ମାଣ କରାଯାଇଛି । ସେହିଭଳି ଏଥର ମା’ଙ୍କ ନାମରେ ବୃକ୍ଷରୋପଣ ଅଭିଯାନକୁ ମଧ୍ୟ ତ୍ୱରାନ୍ୱିତ କରାବାକୁ ହେବ ।

ମୋର ପ୍ରିୟ ଦେଶବାସୀଗଣ, ମୌସୁମୀ ଦେଶର ବିଭିନ୍ନ ଭାଗକୁ ଅଗ୍ରସର ହୋଇ ନିଜର ରଙ୍ଗ ଦେଖାଇ ଚାଲିଛି । ଆଉ, ବର୍ଷାଋତୁରେ ସମସ୍ତଙ୍କ ଘରେ ଯେଉଁ ଜିନିଷଟି ଖୋଜାହୁଏ ତାହା ହେଉଛି ଛତା । ‘ମନ୍ କି ବାତ୍’ରେ ଆଜି ମୁଁ ଆପଣମାନଙ୍କୁ ଗୋଟିଏ ବିଶେଷ ପ୍ରକାର ଛତା ବିଷୟରେ କହିବାକୁ ଚାହୁଁଛି । ଏହି ଛତା ତିଆରି ହୁଏ ଆମ କେରଳରେ । ସେମିତି ବି କେରଳର ସଂସ୍କୃତିରେ ଛତାର ବିଶେଷ ଗୁରୁତ୍ୱ ରହିଛି । ସେଠାରେ ଅନେକ ପରମ୍ପରା ଏବଂ ବିଧିବିଧାନର ଏକ ଗୁରୁତ୍ୱପୂର୍ଣ୍ଣ ବସ୍ତୁ ହୋଇଥାଏ ଛତା । କିନ୍ତୁ ମୁଁ ଯେଉଁ ଛତା କଥା କହିବାକୁ ଯାଉଛି ତାହା ହେଲା କାର୍ଥୁମ୍ବୀ ଛତା । ଆଉ ଏହା ତିଆରି କରାଯାଏ କେରଳର ଅଟ୍ଟାପଡ଼ିରେ । ଏହି ରଙ୍ଗୀନ ଛତାଗୁଡ଼ିକ ଦେଖିବାକୁ ବହୁତ ସୁନ୍ଦର ହୋଇଥାଏ । ଏହାର ବିଶେଷତ୍ୱ ହେଲା, ଏହାକୁ କେରଳର ଆମ ଆଦିବାସୀ ଭଉଣୀମାନେ ତିଆରି କରନ୍ତି । ଆଜି ସାରାଦେଶରେ ଏହି ଛତାର ଚାହିଦା ବୃଦ୍ଧି ପାଇଛି । ଅନଲାଇନରେ ମଧ୍ୟ ଏହା ବିକ୍ରି ହେଉଛି । ‘ୱଟ୍ଟାଲକ୍କୀ ସହକାରୀ କୃଷି ସମବାୟ ସମିତି’ର ତତ୍ତ୍ୱାବଧାନରେ ଏହି ଛତାଗୁଡ଼ିକ ତିଆରି କରାଯାଉଛି । ଏହି ସମିତିର ନେତୃତ୍ୱ କରୁଛନ୍ତି ଆମ ନାରୀଶକ୍ତି । ମହିଳାମାନଙ୍କ ନେତୃତ୍ୱରେ ଅଟ୍ଟାପଡ଼ିର ଆଦିବାସୀମାନେ ଅଂତ୍ରପ୍ରିନିଉରସିପର ଗୋଟିଏ ଚମତ୍କାର ଉଦାହରଣ ସୃଷ୍ଟି କରିଛନ୍ତି । ଏହି ସମିତିଟି ଗୋଟିଏ ବାଉଁଶ ହସ୍ତଶିଳ୍ପ ୟୁନିଟ୍ ମଧ୍ୟ ପ୍ରତିଷ୍ଠା କରିଛି । ଏବେ ସେମାନେ ଗୋଟିଏ ରିଟେଲ୍ ଆଉଟଲେଟ୍ ଏବଂ ଗୋଟିଏ ପାରମ୍ପରିକ କ୍ୟାଫେ ଖୋଲିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ସେମାନଙ୍କ ଉଦ୍ଦେଶ୍ୟ କେବଳ ନିଜ ଛତା ଏବଂ ଅନ୍ୟାନ୍ୟ ଉତ୍ପାଦନ ବିକ୍ରୟ କରିବା ନୁହେଁ, ବରଂ ସେମାନେ ବିଶ୍ୱକୁ ନିଜ ପରମ୍ପରା ଓ ସଂସ୍କୃତି ସହିତ ମଧ୍ୟ ପରିଚିତ କରାଉଛନ୍ତି । ଆଜି କାର୍ଥୁମ୍ବୀ ଛତା କେରଳର ଗୋଟିଏ ଛୋଟ ଗାଁ ଠାରୁ ଆରମ୍ଭ କରି ବହୁରାଷ୍ଟ୍ରୀୟ କମ୍ପାନୀ ପର୍ଯ୍ୟନ୍ତ ଯାତ୍ରା ଅତିକ୍ରାନ୍ତ କରିସାରିଲାଣି । ଲୋକାଲ୍ ପାଇଁ ଭୋକାଲ୍ ହେବାର ଏହାଠାରୁ ଭଲ ଉଦାହରଣ ଆଉ କ’ଣ ହୋଇପାରେ ?

ମୋର ପ୍ରିୟ ଦେଶବାସୀଗଣ, ଆସନ୍ତା ମାସର ଏଇ ସମୟରେ ପ୍ୟାରିସ୍‌ ଅଲିମ୍ପିକ୍ସ ଆରମ୍ଭ ହୋଇଯାଇଥିବ । ମୋର ବିଶ୍ୱାସ ଯେ ଆପଣମାନେ ମଧ୍ୟ ଅଲିମ୍ପିକ୍‌ କ୍ରୀଡ଼ାରେ ଭାରତୀୟ ଖେଳାଳିଙ୍କ ଉତ୍ସାହ ବଢ଼ାଇବା ପାଇଁ ଅପେକ୍ଷା କରିଥିବେ । ମୁଁ ଭାରତୀୟ ଦଳକୁ ଅଲିମ୍ପିକ୍‌ କ୍ରୀଡ଼ା ପାଇଁ ବହୁତ ବହୁତ ଶୁଭକାମନା ଜଣାଉଛି । ଆମ ସମସ୍ତଙ୍କ ମନରେ ଟୋକିଓ ଅଲିମ୍ପିକ୍ସର ସ୍ମୃତି ଏବେ ମଧ୍ୟ ସତେଜ ରହିଛି । ଟୋକିଓରେ ଆମର ଖେଳାଳିଙ୍କ ପ୍ରଦର୍ଶନ ପ୍ରତ୍ୟେକ ଭାରତୀୟଙ୍କ ହୃଦୟ ଜିଣିନେଇଥିଲା । ଟୋକିଓ ଅଲିମ୍ପିକ୍ସ ପରଠାରୁ ହିଁ ଆମର ଆଥଲେଟ୍‌ମାନେ ପ୍ୟାରିସ୍‌ ଅଲିମ୍ପିକ୍ସର ପ୍ରସ୍ତୁତିରେ ଆନ୍ତରିକତାର ସହ ଲାଗିପଡ଼ିଥିଲେ । ସମସ୍ତ ଖେଳାଳିଙ୍କୁ ମିଶାଇଦେଲେ ତ ଏମାନେ ପ୍ରାୟ ନଅ ଶହ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ଏହା ବହୁତ ବଡ଼ ସଂଖ୍ୟା ଅଟେ ।

ବନ୍ଧୁଗଣ, ପ୍ୟାରିସ୍‌ ଅଲିମ୍ପିକ୍ସରେ ଆପଣଙ୍କୁ କେତେକ କଥା ପ୍ରଥମ ଥର ପାଇଁ ଦେଖିବାକୁ ମିଳିବ । ବନ୍ଧୁକ ଚାଳନାରେ ଆମ ଖେଳାଳିମାନଙ୍କର ପ୍ରତିଭା ଆହୁରି ଉଜ୍ଜ୍ୱଳ ହୋଇଚାଲିଛି । ଟେବୁଲ୍‌ ଟେନିସ୍‌ରେ ପୁରୁଷ ଓ ମହିଳା ଉଭୟ ଦଳ ଯୋଗ୍ୟତା ଅର୍ଜନ କରିସାରିଛନ୍ତି । ଭାରତୀୟ ଶଟ୍‌ଗନ୍‌ ଦଳରେ ଆମର ଶୁଟର୍‌ ଝିଅମାନେ ମଧ୍ୟ ସାମିଲ୍‌ ହୋଇଛନ୍ତି । ଏଥର କୁସ୍ତି ଓ ଅଶ୍ୱାରୋହଣରେ ଆମ ଦଳର ଖେଳାଳି ସେହି ଶ୍ରେଣୀରେ ମଧ୍ୟ ପ୍ରତିଯୋଗିତା କରିବେ, ଯେଉଁଥିରେ ଆଗରୁ ସେମାନେ କେବେ ଭାଗ ନେଇନଥିଲେ । ଏଥିରୁ ଆପଣ ଅନୁମାନ କରିପାରୁଥିବେ ଏଥର ଆମକୁ କ୍ରୀଡ଼ାରେ ଅଲଗା ସ୍ତରର ରୋମାଞ୍ଚ ଦେଖିବାକୁ ମିଳିବ । ଆପଣଙ୍କର ମନେଥିବ ଯେ କିଛିମାସ ତଳେ ବିଶ୍ୱ ପାରା ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ସିପ୍‌ରେ ଆମର ଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା । ସେହିପରି ଚେସ୍‌ ଓ ବ୍ୟାଡ଼ମିଣ୍ଟନରେ ମଧ୍ୟ ଆମର ଖେଳାଳିମାନେ ବିଜୟ ପତାକା ଉଡ଼ାଇଥିଲେ । ଏବେ ସମଗ୍ର ଦେଶ ଆଶା କରୁଛି ଆମର କ୍ରୀଡ଼ାବିତ୍‌ ଅଲିମ୍ପିକ୍ସରେ ମଧ୍ୟ ଉତ୍ତମ ପ୍ରଦର୍ଶନ କରିବେ । ଏହି କ୍ରୀଡ଼ାଗୁଡ଼ିକରେ ପଦକ ମଧ୍ୟ ଜିତିବେ, ଆଉ ଦେଶବାସୀଙ୍କ ହୃଦୟ ମଧ୍ୟ ଜିଣିବେ । ଆଗାମୀ ଦିନରେ, ମୋତେ ଭାରତୀୟ ଦଳ ସହ ସାକ୍ଷାତ କରିବାର ସୁଯୋଗ ମଧ୍ୟ ମିଳିବ । ମୁଁ ଆପଣମାନଙ୍କ ତରଫରୁ ସେମାନଙ୍କର ଉତ୍ସାହବର୍ଦ୍ଧନ କରିବି । ଆଉ ହଁ … ଏଥର ଆମର ହ୍ୟାଶ୍‌ଟ୍ୟାଗ୍‌ #Cheer4Bharat ରହିଛି । ଏହି ହ୍ୟାଶ୍‌ଟ୍ୟାଗ୍‌ ଜରିଆରେ ଆମକୁ ନିଜର ଖେଳାଳିମାନଙ୍କର ଉତ୍ସାହ ବଢ଼ାଇବାର ଅଛି … ସେମାନଙ୍କର ଉତ୍ସାହ ସବୁବେଳେ ବଢ଼ାଇବାକୁ ହେବ । ଗତିକୁ ବଜାୟ ରଖିବାକୁ ହେବ … ଆପଣଙ୍କ ଏହି ଗତି … ଭାରତର ମ୍ୟାଜିକ୍, ଦୁନିଆକୁ ଦେଖାଇବାରେ ସାହାଯ୍ୟ କରିବ ।

Leave a Reply

Your email address will not be published. Required fields are marked *