ଏଲ୍ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ ଶିଶୁମାନଙ୍କରେ ଉପେକ୍ଷିତ ଚକ୍ଷୁରୋଗ ରିଫ୍ରାକ୍ଟିଭ୍ ଏରର୍ ର ଚିକିତ୍ସାରେ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛି
ଭୁବନେଶ୍ୱର, ନଭେମ୍ବର ୨୩, ୨୦୨୩ ଏଲ୍ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ (ଏଲଭିପିଇଆଇ) ପକ୍ଷରୁ ଏକ ସଚେତନତା ପଦଯାତ୍ରା କରାଯିବା ସହିତ ଶିଶୁ ଚକ୍ଷୁ ଯତ୍ନ ସପ୍ତାହ ଶେଷ ହୋଇଛି । ଏଥର ଶିଶୁମାନଙ୍କଠାରେ ରିଫ୍ରାକ୍ଟିଭ୍ ଏରର୍ ରୋଗ ଉପରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇଥିଲା । ସପ୍ତାହବ୍ୟାପୀ ଏହି କାର୍ଯ୍ୟକ୍ରମରେ ଏଲଭିପିଇଆଇର ଉତ୍ସର୍ଗୀକୃତ ଶିଶୁ ଚକ୍ଷୁ ଯତ୍ନ ୟୁନିଟ୍ ମିରିୟମ୍ ହାଇମାନ୍ ଶିଶୁ ଚକ୍ଷୁ ଯତ୍ନ କେନ୍ଦ୍ରର ୧୫ ବର୍ଷ ପୂର୍ତି ପାଳନ କରାଯାଇଥିଲା । ଏଲଭିପିଇଆଇର ଚାଇଲ୍ଡ ସାଇଟ୍ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଡାକ୍ତର ରମେଶା କେକୁନ୍ନୟା ଓ ଭୁବନେଶ୍ୱର ଏଲଭିପିଇଆଇର ମୁଖ୍ୟ ଡାକ୍ତର ଶ୍ରୀକାନ୍ତ ସାହୁ ଏହି ଶିଶୁ ରୋଗ କେନ୍ଦ୍ରରେ ନବନିର୍ମିତ ବର୍ହି ବିଭାଗକୁ ଉଦଘାଟନ କରିବା ସହ ଉତମ ଚକ୍ଷୁ ଚିକିତ୍ସା ସେବା ଯୋଗାଇଦେବା ଏବଂ ଶିଶୁମାନଙ୍କ ଅନ୍ଧତ୍ୱ ଦୂର କରିବା ଦିଗରେ ସେଂଟରର ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଲାଇଭ୍ ଆର୍ଟ ପ୍ରଦର୍ଶନୀ, ଶିଶୁଙ୍କ ମଧ୍ୟରେ ଚିତ୍ରକଳା ପ୍ରତିଯୋଗିତା, ଜ୍ଞାନବର୍ଦ୍ଧକ ସଚେତନତା ବାର୍ତାଳାପ, ବିଶେଷଜ୍ଞଙ୍କ ବକ୍ତୃତା ଏବଂ ଏକ ଦୂରଦଷ୍ଟିସମ୍ପନ୍ନ ଅସ୍ତ୍ରୋପଚାର କର୍ମଶାଳା ସମେତ ଅନେକ ଆକର୍ଷଣୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରିଫ୍ରାକ୍ଟିଭ୍ ଏରର ଯେପରିକି ମାୟୋପିଆ (ସମୀପଦୃଷ୍ଟି), ହାଇପରମେଟ୍ରୋପିଆ (ଦୂରଦୃଷ୍ଟି) ଏବଂ ଆଷ୍ଟିଗମ୍ୟାଟିଜିମ୍ ଆଖିଡୋଳାର ଆକାରରେ ଅସାମଞ୍ଜସ୍ୟ ହେତୁ ଶିଶୁମାନଙ୍କୁ ପ୍ରଭାବିତ କରିପାରେ, ଯାହା ଦ୍ୱାରା ଚକ୍ଷୁ ଛବିଗୁଡିକ ସଠିକ୍ ଭାବରେ ପ୍ରକ୍ରିୟାକରଣ କରିବାରେ ଅସୁବିଧା ହୁଏ । ଏହି କାରଣରୁ ପ୍ରାୟତଃ ପଢ଼ିବା ସମୟରେ ମୁଣ୍ଡବିନ୍ଧା, ଆଖିଯନ୍ତ୍ରଣା ଏବଂ ଥକାପଣ ଭଳି ଲକ୍ଷଣ ଦେଖାଦିଏ ଏବଂ ପରେ ଶିଶୁମାନଙ୍କଠାରେ ଟେରାଦୋଷ ମଧ୍ୟ ହୋଇପାରେ ।
ଅସଂଶୋଧିତ ରିଫ୍ରାକ୍ଟିଭ୍ ଏରର୍ ସାରା ବିଶ୍ୱରେ ଏକ ଚିନ୍ତାଜନକ ବିଷୟ ଏବଂ ଏହା ଅନ୍ଧତ୍ୱର ଏକ ପ୍ରମୁଖ କାରଣ । ଭାରତରେ ୨୦ ପ୍ରତିଶତ ଦୃଷ୍ଟିହୀନ ବ୍ୟକ୍ତି ରିଫ୍ରାକ୍ଟିଭ୍ ଏରର୍ ରୋଗର ଚିକିତ୍ସା ନ ହେବା ଦ୍ୱାରା ପ୍ରଭାବିତ ଅଟନ୍ତି । ଯଦି ଏହି ରୋଗର ଚିକିତ୍ସା କରାନଯାଏ ତେବେ ୨୦୫୦ ସୁଦ୍ଧା ବିଶ୍ୱର ପ୍ରାୟ ଅଧା ଜନସଂଖ୍ୟା ମାୟୋପିଆ ଦ୍ୱାରା ପ୍ରଭାବିତ ହୋଇପାରନ୍ତି ବୋଲି ଏକ ଆକଳନରୁ ଜଣାପଡିଛି ।
ଏଲଭିପିଇଆଇ ଭୁବନେଶ୍ୱରର ମିରିୟମ୍ ହାଇମାନ୍ ଶିଶୁ ଚକ୍ଷୁ ଯତ୍ନ କେନ୍ଦ୍ରର ମୁଖ୍ୟ ଡାକ୍ତର ବିବେକ ୱାରକଡ଼ ରିଫ୍ରାକ୍ଟିଭ୍ ଏରର୍ ରୋଗର ପ୍ରାରମ୍ଭିକ ଲକ୍ଷଣକୁ ଚିହ୍ନଟ କରିବା ସହ ତୁରନ୍ତ ଚକ୍ଷୁ ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ ଗୁରୁତ୍ୱାରୋପ କରିଥିଲେ । ଶିଶୁଙ୍କ ପାଇଁ ଚକ୍ଷୁ ଯତ୍ନ ପଦଯାତ୍ରା ଅବସରରେ ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧିତ କରିବା ଅବସରରେ ସେ ଏକ ଶିଶୁର ରିଫ୍ରାକ୍ଟିଭ୍ ଏରର୍ ରୋଗ ଅଛି କି ନାହିଁ କେମିତି ଜାଣିବା ସେ ନେଇ ମାନକ ପ୍ରାରମ୍ଭିକ ଲକ୍ଷଣଗୁଡ଼ିକ ବିଷୟରେ କହିଥିଲେ, ଯେପରିକି ପାଖରୁ ପଢ଼ିବା କିମ୍ବା ଟେଲିଭିଜନ ଦେଖିବା, ବିଦ୍ୟାଳୟରେ ବ୍ଲାକବୋର୍ଡକୁ ସ୍ପଷ୍ଟ ଭାବରେ ଦେଖିବାରେ ଅସୁବିଧା ହେବା, ବାରମ୍ବାର ମୁଣ୍ଡବିନ୍ଧା ହେବା, ଆଖି ଯନ୍ତ୍ରଣା ହେବା ଏବଂ ଆଖିକୁ ମଳିବା କିମ୍ବା ଆଖି ମକଚିବା ଆଦି ବିଷୟରେ କହିଥିଲେ ।
ବଂଶାନୁକ୍ରମିକତା ଏକ ଭୂମିକା ଗ୍ରହଣ କରିଥାଏ, ଯଦି ଜଣେ କିମ୍ବା ଉଭୟ ପିତାମାତାଙ୍କର ମାୟୋପିଆ ରୋଗ ଥାଏ ତେବେ ସନ୍ତାନର ଏହା ହେବାର ସମ୍ଭାବନା ଅଧିକ । ପରିବେଶଗତ କାରଣ, ଯେପରିକି ଦୀର୍ଘ ସମୟ ଧରି କାମ କରିବା, ଅତ୍ୟଧିକ ସମୟ ଧରି ସ୍କ୍ରିନକୁ ଚାହିଁବା ଏବଂ ବାହାରକୁ କମ୍ ଯିବା ଫଳରେ ମାୟୋପିଆ ହୁଏ । ଧୂଳି ଏବଂ ଧୂଆଁ ସଂସ୍ପର୍ଶରେ ଆସିବା ଦ୍ୱାରା ଆଖିରେ ଆଲର୍ଜି ହୋଇପାରେ ଏବଂ ଲଗାତାର ଭାବେ ଆଖିକୁ ଘଷିବା ଦ୍ୱାରା ଅସମଦୃଷ୍ଟି ହେବାର ଆଶଙ୍କା ବଢିଯାଏ ।
ଏଲଭିପିଇଆଇର ଶିଶୁ ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ଦେବସ୍ମିତା ମାଝୀ ରିଫ୍ରାକ୍ଟିଭ୍ ଏରର୍ ରୋଗ ନିର୍ଣ୍ଣୟ ନ ହେବା ଏବଂ ଚିକିତ୍ସା ନ ହେବା ଦ୍ୱାରା ଶିଶୁ ସଫଳତା ହାସଲ କରିବାରେ ବିଳମ୍ୱ ହେବା, ପାଠପଢ଼ା, ବିଭିନ୍ନ କାର୍ଯ୍ୟକଳାପରେ ଅଂଶଗ୍ରହଣ ଓ ସାମାଜିକ ଆଚରଣ ଉପରେ କୁପ୍ରଭାବ ପଡ଼ିବା ନେଇ ଆଲୋକପାତ କରିଥିଲେ । ମାୟୋପିଆରେ ପୀଡ଼ିତ ଶିଶୁମାନେ ଗୁରୁତର ଚକ୍ଷୁ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ଅଧିକ ଥିବା ବେଳେ ଶିଶୁଙ୍କ ସୁସ୍ଥତା ସୁନିଶ୍ଚିତ କରିବା ପାଇଁ ପରିବାର, ଶିକ୍ଷକ, ସ୍ୱାସ୍ଥ୍ୟକର୍ମୀ ଏବଂ ସରକାରଙ୍କ ସାମୂହିକ ଦାୟିତ୍ୱ ରହିଥିବା ସେ ଗୁରୁତ୍ୱାରୋପ କରିଥିଲେ