ଖୋର୍ଦ୍ଧା ସମବାୟ ସମିତି କାର୍ଯ୍ୟାଳୟର ପାରିପାର୍ଶ୍ବିକ ପରିସ୍ଥିତି ଶୋଚନୀୟ : ଭୟଭୀତ ଅବସ୍ଥାରେ କର୍ମଚାରୀ : ସାର ଓ ବିହନରୁ ବଞ୍ଚିତ ଅନେକ ଚାଷୀ

ଖୋର୍ଦ୍ଧା : ୩/୮(ପ୍ରବାହ ନିଉଜ୍) : ଖୋର୍ଦ୍ଧା ଜିଲ୍ଲାର ଚାଷୀ ମାନଙ୍କ କାରବାରର ମୁଖ୍ୟ ମାଧ୍ୟମ ହୋଇଥିବା ଖୋର୍ଦ୍ଧା କେନ୍ଦ୍ର ସମବାୟ ସମିତିର ଜିଲ୍ଲା ବ୍ୟାପୀ ଶାଖା ଗୁଡ଼ିକ ଦୁର୍ନୀତିର ଗନ୍ତାଘର ହୋଇଥିବା ବେଳେ ଦୁଃରାବସ୍ଥା କହିଲେ ନ ସରେ । ସାଂବାଳୁଆ ପରି ମୂଳରୁ ଶେଷ ପର୍ଯ୍ୟନ୍ତ ସବୁ ଜାଗାରେ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ଭାବରେ ବାରି ହୋଇ ପଡୁଛି । ଜିଲ୍ଲାର ମୁଖ୍ୟ ଶାଖା ଠାରୁ ଆରମ୍ଭ କରି ପ୍ରତ୍ୟେକଟି ଶାଖା ଏଥିରୁ କେହି ବାଦ ପଡିନାହାନ୍ତି ।

ଜିଲ୍ଲାର ପ୍ରାୟ ପ୍ରତ୍ୟେକ ଶାଖା ଗୁଡିକରେ ଦୈନିକ ଶହ ଶହ ଲୋକଙ୍କର ଟଙ୍କା ନେଣଦେଣ ସହିତ ହଜାର ହଜାର ପଞ୍ଜିକୃତ ଚାଷୀଙ୍କର ବାର୍ଷିକ କୋଟି କୋଟି ଟଙ୍କାର ଧାନ ବିକ୍ରି ବାବଦ ଅର୍ଥର ଆଦାନ ପ୍ରଦାନ ହୋଇଥାଏ। ଖୋର୍ଦ୍ଧା କେନ୍ଦ୍ର ସମବାୟ ସମିତିର ଖୋର୍ଦ୍ଧା ଠାରୁ ଆରମ୍ଭ କରି ଜିଲ୍ଲାର ବିଭିନ୍ନ ଶାଖାରେ ହଜାର ହଜାର ଗ୍ରାହକ ଥିଲେ ମଧ୍ୟ ପ୍ରାୟତଃ ସମସ୍ତ ଶାଖାର ଅବସ୍ଥା ଦେଖିଲେ, ସେଠିକି ଯିବାକୁ ଯେ କୌଣସି ଲୋକ ଭୟ କରିବ, ତେବେ ଏଥିରୁ ସ୍ପଷ୍ଟ ଭାବରେ ଅନୁମାନ କରିହେବ କି,  ସେହି କାର୍ଯ୍ୟାଳୟ ମାନଙ୍କରେ କାମ କରୁଥିବା କର୍ମଚାରୀ ସଦାବେଳେ କେଉଁ ବାତାବରଣରେ  କାମ କରୁଥିବେ ।

ପ୍ରାପ୍ତ ସୂଚନା ମୁତାବକ ଖୋର୍ଦ୍ଧା ବ୍ଲକର ପାଇକତିଗିରିଆ ସେବା ସମବାୟ ସମିତି, ବେଗୁନିଆ ବ୍ଲକର ବଡ଼ବେରଣା ସେବା ସମବାୟ ସମିତିର ଛାତ ବିପଦପୂର୍ଣ୍ଣ ଭାବରେ ରହିଛି। ବେଳେବେଳେ ଛାତରୁ ସିମେଣ୍ଟ ଖଣ୍ଡ ପଡି କର୍ମଚାରୀ ଆହତ ହେଉଛନ୍ତି। କାର୍ଯ୍ୟାଳୟ ର ଛାତ ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ଝୁଲି ରହିଛି।କେତେବେଳେ ଯେ ବଡ଼ ଦୁର୍ଘଟଣା ନହେବ କିଏ କହିବ।

ପୁରାତନ କୋଠା ହୋଇଥିବାରୁ କେତେବେଳେ ଭୁଶୁଡି ଯାଇପାରେ।ସ୍ନାନେ ସ୍ଥାନେ ଛାତମାନ ଓହଳି ରହିଥିବାର ଦେଖାଯାଉଛି। ଏପରିକି ମରାମତି ମଧ୍ଯ ବର୍ଷ ବର୍ଷ ଧରି ହେଉନି ଯାହାକି ବ୍ୟାଙ୍କ କର୍ମଚାରୀ କାମ କଲାବେଳେ ସାମାନ୍ୟ ବର୍ଷା ହେଲେ ଛାତରୁ ପାଣି ଗଳି ଅନେକ କମ୍ପୁଟର ନଷ୍ଟ ହେଲାଣି ଏପରିକି ମୂଲ୍ୟବାନ କାଗଜପତ୍ର ମଧ୍ୟ ବର୍ଷା ପାଣିରେ ଭିଜି ବତୁରି ନଷ୍ଟ ହେବା ଦେଖିବାକୁ ମିଳିଛି ।

ଏହି ସବୁ କାରଣରୁ ଦୀର୍ଘଦିନ ଧରି ଜିଲ୍ଲାର ବିଭିନ୍ନ ଶାଖାରେ ବିହନ ସାର ନଷ୍ଟ ହେବାର ଆଳ ଦେଖାଇ ପର୍ଯ୍ୟାପ୍ତ ଶସ୍ୟ ବିହନ ନ ଯୋଗାଇ ଚାଷୀମାନଙ୍କୁ ଭୁଆଁ ବୁଲାଉଥିବାର ଦେଖିବାକୁ ମିଳିଛି । ଯାହା ଫଳରେ ଖୋର୍ଦ୍ଧା ଜିଲ୍ଲାର ଚାଷୀମାନେ ଦୀର୍ଘଦିନ ଧରି ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଚାଷ କାମ ପାଇଁ ବାହାର ଜିଲ୍ଲାରୁ ଶସ୍ଯ ବିହନ ଏବଂ ସାର କିଣୁଥିବାର ଜଣାପଡୁଛି । ଏପଟେ କର୍ମଚାରୀ ମାନଙ୍କ କହିବା ଅନୁଯାୟୀ ସେମାନେ ଭୟଭୀତ ଅବସ୍ଥାରେ କାମ କରୁଥିବା ବେଳେ ବାରମ୍ବାର ଅଭିଯୋଗ କଲେବି ଉପରିସ୍ଥ ଅଧିକାରୀ ସେମାନଙ୍କ ଅଭିଯୋଗକୁ କର୍ଣ୍ଣପାତ କରୁନାହାନ୍ତି ।

ସେହିପରି ଜିଲ୍ଲା ସମବାୟ ସମିତିର ସହକାରୀ ଉପ-ନିବନ୍ଧକ ଏ ବାବଦରେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନଥିବା ବେଳେ ଯଥାଶୀଘ୍ର ସମସ୍ତ କାର୍ଯ୍ୟାଳୟର ପୁନଃଉଦ୍ଧାର କାମ ଆରମ୍ଭ ହେବ ଏବଂ ଜିଲ୍ଲାର ପ୍ରତ୍ୟେକ କାର୍ଯ୍ୟାଳୟରେ ଯଥେଷ୍ଟ ପରିମାଣର ବିହନ ସାର ଗଛିତ ଅଛି ବୋଲି କହିଛନ୍ତି । ତେବେ ତୁରନ୍ତ ୟେ ଦିଗରେ ଜିଲ୍ଲାପାଳ ଏବଂ ବିଭାଗୀୟ ଉପରିସ୍ଥ ଅଧିକାରୀ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ସୋସାଇଟ କର୍ମଚାରୀ ଏବଂ ଏହା ଉପରେ ନିର୍ଭର କରୁଥିବା ଚାଷୀମାନେ ।

Leave a Reply

Your email address will not be published. Required fields are marked *