ବାଳକାଟୀରେ ମହାପ୍ରଭୁ ଶ୍ରୀଚୈତନ୍ୟ

ପ୍ରିୟଙ୍କା ମହାନ୍ତି

ଭୁବନେଶ୍ୱର ପ୍ରବାହ ନ୍ୟୁଜ୍‌ : ଉପକଣ୍ଠରେ ପୁଣ୍ୟତୋୟା ଭାର୍ଗବୀ ନଦୀକୂଳରେ ପୁରୁଣା ଜଗନ୍ନାଥ ସଡ଼କ ପାଶ୍ୱର୍ରେ ବାଳକାଟୀ ପ୍ରତାପଶାସନ ଅବସ୍ଥିତ। ଗବେଷଣାରୁ ଜଣାଯାଏ, ଏହି ଅଂଚଳ ପଛରେ ହଜାର ବର୍ଷର ଇତିହାସ ଲୁଚି ରହିଛି। କିନ୍ତୁ ଦୁର୍ଭାଗ୍ୟର ବିଷୟ, ଆଧୁନିକ ଇତିହାସ ରଚନା ପଦ୍ଧତି ଭିତରେ ଏହାକୁ ଅଦ୍ୟାବଧି ଗ୍ରହଣ କରାଯାଇ ପାରିନଥିବାରୁ ଓଡ଼ିଶାର ଧର୍ମ, ସଂସ୍କୃତି ଏବଂ କଂସାପିତ୍ତଳ ଶିଳ୍ପର ବିକାଶରେ ଅନେକ ଅବଦାନ ଥିବା ଏହି ଅଂଚଳଟି ଏବେ ମଧ୍ୟ ଓଡ଼ିଶାର ବୁଦ୍ଧିଜୀବୀ ଓ ଗବେଷକ ତଥା ଲୋକଲୋଚନ ଆଢୁଆଳରେ ରହିଯାଇଛି। ଅନ୍ୟପକ୍ଷରେ ଐତିହାସିକମାନେ ଯେଉଁସବୁ ଉପାଦାନକୁ ଯଥା ଶିଳାଲେଖ, ତାମ୍ରଲେଖ, ଦସ୍ତାବିଜ, ପୋଥି ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବିଷୟବସ୍ତୁ ଆଧାରର ଅଭାବ ହେତୁ ଓଡ଼ିଶାର ଏହିଭଳି ଗୋଟେ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ତଥା ସାଂସ୍କୃତିକ ଏବଂ ଐତିହାସିକ ସ୍ଥାନକୁ ଗୁରୁତ୍ୱ ଏବଂ ମର୍ଯ୍ୟାଦା ଦିଆଯାଇପାରିନାହିଁ।
କିନ୍ତୁ ସଂପ୍ରତି ଏହି ଅଂଚଳ ସମ୍ପର୍କରେ ଆମେ ଯେତିକି ତଥ୍ୟ ପାଇଛୁ, ତାହାକୁ ଭିତ୍ତି କରି ଅନୁଧ୍ୟାନ କଲେ ଜଣାଯାଏ, ବାଳକାଟୀ ପ୍ରତାପଶାସନ ଓଡ଼ିଶାର ଐତିହାସିକ, ଧାର୍ମିକ ତଥା ସାଂସ୍କୃତିକ ପରମ୍ପରାରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ବିଶେଷ କରି ଆମେ ସଂଗ୍ରହ କରିଥିବା ବଙ୍ଗଳା ଏବଂ ଓଡ଼ିଆ ମିଶ୍ରିତ ଭାଷାରେ ରଚିତ କଂସମାରୁଣି ନାଟକ ପୋଥି ଏହାର ଏକ ବଳିଷ୍ଠ ଉପାଦାନ। ପ୍ରେମ-ଭକ୍ତି-ଧର୍ମର ପ୍ରଚାରକ ମହାପ୍ରଭୁ ଶ୍ରୀଚୈତନ୍ୟ ୧୫୧୦ ମସିହାରେ ଯେତେବେଳେ ସର୍ବପ୍ରଥମେ ଏହି ପୁରୁଣା ଜଗନ୍ନାଥ ସଡ଼କ ବାଟରେ ତାଙ୍କର ଷଡ଼ଗୋସ୍ୱାମୀମାନଙ୍କ ସହିତ ଶ୍ରୀକ୍ଷେତ୍ର ଯାତ୍ରା କାଳରେ ଏହି ବାଳକାଟୀଠାରେ କିଛି ସମୟ ରହଣି କରିଥିବା ଜନଶ୍ରୁତିରୁ ଜଣାଯାଏ। ଏହାର ପ୍ରମାଣ ମଧ୍ୟ ବାଳକାଟୀର ଇଷ୍ଟଦେବ ଶ୍ରୀମଦନମୋହନଙ୍କ ମଠରେ ଦେଖାଯାଏ।
ଏଠାରେ ସ୍ଥାପିତ ମଦନମୋହନ ଠାକୁର ପ୍ରକୃତରେ ରାଧାକୃଷ୍ଣ ନୁହନ୍ତି, ଏଠାରେ ରାଧାକୃଷ୍ଣଙ୍କ ସ୍ଥାନରେ ନିତ୍ୟାନନ୍ଦ ଏବଂ ଗୌରାଙ୍ଗ ମହାପ୍ରଭୁଙ୍କର ଦାରୁ ନିର୍ମିତ ମୂର୍ତ୍ତି ପୂଜା ପାଇ ଆସୁଛନ୍ତି। ଶ୍ରୀଚୈତନ୍ୟଙ୍କ ବାଳକାଟୀ ରହଣି ସ୍ମୃତିକୁ ଏହି ପୀଠ ପ୍ରମାଣସିଦ୍ଧ କରିବା ସହିତ ଜୀବନ୍ତ କରି ରଖିଛି। ଶ୍ରୀଚୈତନ୍ୟ ମହାପ୍ରଭୁ ଏଠାରେ ତାଙ୍କର କଠଉ ଏବଂ ଯଷ୍ଟି ତତ୍କାଳୀନ ସମୟର ବୈଷ୍ଣବ ମାତା ମଠରେ ରହଣି ସମୟରେ ଛାଡ଼ି ଦେଇଯାଇଥିବା କୁହାଯାଏ। ଜନଶ୍ରୁତିରୁ ଜଣାଯାଏ ଶ୍ରୀଚୈତନ୍ୟ ମହାପ୍ରଭୁ ଏବଂ ତାଙ୍କର ଷଡ଼ଗୋସ୍ୱାମୀ ଶିଷ୍ୟମାନେ ଏକ ମଧ୍ୟାହ୍ନ ପ୍ରହରରେ ଏହି ମଠରେ କିଛି ସମୟ ବିଶ୍ରାମ କରିଥିଲେ। ମଠରେ ତାଙ୍କ ପାଇଁ ଭୋଜନ ବ୍ୟବସ୍ଥା ହୋଇଥିଲା। ଶ୍ରୀଚୈତନ୍ୟ ମହାପ୍ରଭୁ ଭାର୍ଗବୀ ନଦୀକୁ ସ୍ନାନ କରିବା ପାଇଁ ଯାଇଥିଲେ। ସେତେବେଳେ ସେହି ଭାର୍ଗବୀ ନଦୀବନ୍ଧରୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଶ୍ରୀମନ୍ଦିର ଚୂଡ଼ାରେ ଥିବା ନୀଳଚକ୍ରରେ ଫର୍‌ଫର୍ ହୋଇ ଉଡୁଥିବା ପତିତପାବନ ବାନାକୁ ଦେଖି ଶ୍ରୀଚୈତନ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରେମଭାବରେ ଏତେ ଆବେଶ ହୋଇଗଲେ ଯେ ସେ ପୁନର୍ବାର ମଠକୁ ପ୍ରତ୍ୟାବର୍ତ୍ତନ କରିବା ବଦଳରେ ନଦୀରେ ପଶି ପାଗଳଙ୍କ ପରି ନୀଳାଚଳ ଧାମ ଆଡ଼େ ଦୌଡ଼ି ପଳାଇଥିଲେ। ତା’ପରେ ତାଙ୍କ ଶିଷ୍ୟମାନେ ତାଙ୍କ ପଛେ ପଛେ ଅନୁଧାବନ କରିଥିଲେ। ସେତେବେଳେ ଆମର ଏହି ଭାର୍ଗବୀ ନଦୀବନ୍ଧରୁ ପତିତପାବନ ବାନା ଦୃଶ୍ୟମାନ ହେଉଥିଲା। ଏଠାରେ ମଧ୍ୟ ରଥଯାତ୍ରା ସମୟରେ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଆମ ବାଳକାଟୀ ଅଞ୍ଚଳର ଶ୍ରଦ୍ଧାଳୁମାନେ ପଥଭୋଗ ଅଦ୍ୟାବଧି ସମର୍ପଣ କରି ଆସୁଛନ୍ତି। ଏହାର କାରଣ ପ୍ରତାପଶାସନ ବାଳକାଟୀ ଶ୍ରୀକ୍ଷେତ୍ର ପରିମିତ ସୀମା ଭିତରେ ଅବସ୍ଥିତ। ତେଣୁ ଏହି ଅଞ୍ଚଳକୁ ଅନ୍ୟପକ୍ଷରେ ଶ୍ରୀକ୍ଷେତ୍ର ଅଞ୍ଚଳ କହିଲେ ଅତ୍ୟୁକ୍ତି ହେବ ନାହିଁ। ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ଜଷ୍ଟି ଏବଂ ତାଙ୍କ ପାଦର କଠଉ ସ୍ମୃତି ପ୍ରମାଣ ସ୍ୱରୂପ ଅଦ୍ୟାବଧି ମଦନମୋହନ ମଠରେ ସୁରକ୍ଷିତ ରହିଛି। କଠଉଟି ନଷ୍ଟ ହୋଇଯାଇଥିବାରୁ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କର ପାଦର ସ୍ମୃତି ଏକ କଳାମୁଗୁନି ପଥର ଉପରେ ଛାପ ଆକାରରେ ରହି ପୂଜା ପାଇ ଆସୁଛନ୍ତି ଏବଂ ତାଙ୍କର ଜଷ୍ଟି ଏବେ ମଧ୍ୟ ସୁରକ୍ଷିତ ହୋଇରହିଛି। ଏହା ବର୍ଷରେ ଏକ ନିର୍ଦ୍ଦିଷ୍ଟ ଉତ୍ସବ ଅବସରରେ ଶ୍ରୀଚୈତନ୍ୟ ମହାପ୍ରଭୁ ହାତରେ ଧରନ୍ତି ଏବଂ ଶ୍ରଦ୍ଧାଳୁ ଭକ୍ତମାନେ ଏହାକୁ ଦର୍ଶନ କରି ପ୍ରେମଭକ୍ତି ଭାବରେ ବିଭୋର ହୋଇପଡୁଥିବା ଲକ୍ଷ୍ୟ କରାଯାଏ।
ଯେତେବେଳେ ଶ୍ରୀଚୈତନ୍ୟ ମହାପ୍ରଭୁ ଏବଂ ତାଙ୍କ ଶିଷ୍ୟମାନେ ପୁରୀ ଶ୍ରୀକ୍ଷେତ୍ରରେ ପତିତପାବନ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିସାରିବା ପରେ ତାଙ୍କର ଗୌଡ଼ୀୟ ପ୍ରେମଭକ୍ତି ଧର୍ମର ପ୍ରଚାର ଓ ପ୍ରସାର କରିବାକୁ ପୁରୀ ଶ୍ରୀକ୍ଷେତ୍ରରେ ଆରମ୍ଭ କଲେ, ସେତେବେଳେ ପୁରୀର ପଣ୍ଡାମାନଙ୍କ ଦ୍ୱାରା ସେ ଅନେକ ବିରୋଧର ସମ୍ମୁଖୀନ ହେଲେ। କାରଣ ଗୌଡ଼ୀୟ ବୈଷ୍ଣବ ଧର୍ମ ବ୍ରାହ୍ମଣ୍ୟ ଧର୍ମର କେତେକାଂଶରେ ଘୋର ବିରୋଧୀ ଥିଲା। ସନାତନ ହିନ୍ଦୁ, ବ୍ରାହ୍ମଣ୍ୟ ଧର୍ମରେ ଜାତିଧର୍ମକୁ ଗୁରୁତ୍ୱ ଦିଆଯାଉଥିବାବେଳେ ଗୌଡ଼ୀୟ ପ୍ରେମଭକ୍ତି ଧର୍ମରେ ଏହାକୁ ମାନୁନଥିଲେ। ସେଥିପାଇଁ ଏବେ ମଧ୍ୟ ଜନଶ୍ରୁତିରୁ ଜଣାଯାଏ, ବାରଜାତି ତେରଗୋଲା ବୈଷ୍ଣବ ହେଲେ ସବୁ ଗଲା। ଏହି ଦୃଷ୍ଟିରୁ ପୁରୀରେ ସନାତନୀ ବ୍ରାହ୍ମଣ ଶ୍ରୀଚୈତନ୍ୟ ଓ ତାଙ୍କର ଶିଷ୍ୟମାନଙ୍କର ଗୌଡ଼ୀୟ ପ୍ରେମଭକ୍ତି ଧର୍ମକୁ ଘୋର ବିରୋଧ କରିଆସୁଥିଲେ। ଶ୍ରୀଚୈତନ୍ୟ ମହାପ୍ରଭୁ ଅନ୍ୟ କୌଣସି ଉପାୟ ନ ପାଇ ବିଜୟନଗରରେ ଅବସ୍ଥାନ କରୁଥିବା ଗଜପତି ପ୍ରତାପରୁଦ୍ର ଦେବଙ୍କର ମନ୍ତ୍ରୀ ରାୟ ରାମାନନ୍ଦଙ୍କ ମାଧ୍ୟମରେ ଗଜପତି ପ୍ରତାପରୁଦ୍ରଦେବ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ। ବଙ୍ଗଳାର ଏହି ଗୌଡ଼ୀୟ ପ୍ରେମଭକ୍ତି ଧର୍ମ ଯେତେବେଳେ ଓଡ଼ିଶାରେ ରାଜପୃଷ୍ଠପୋଷକତା ଲାଭ କଲା, ତା’ପରଠାରୁ ଓଡ଼ିଶାରେ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କର ଏହି ଧର୍ମ ପ୍ରଚାର ଏବଂ ପ୍ରସାର ପାଇଁ ମାର୍ଗ ପ୍ରସ୍ତୁତ ହୋଇଗଲା। କିନ୍ତୁ ତତ୍କାଳୀନ ସମୟରେ ଏହି ଧର୍ମ ରାଜପୃଷ୍ଠପୋଷକତା ଲାଭ କରିବା ସତ୍ତ୍ୱେ ପୁରୀର ସନାତନୀ ବ୍ରାହ୍ମଣମାନେ ଶ୍ରୀଚୈତନ୍ୟଙ୍କର ଏହି ଧର୍ମକୁ ଘୋର ବିରୋଧ କରିଆସୁଥିଲେ। ଏହି ଦୃଷ୍ଟିରୁ ତାଙ୍କର ଶିଷ୍ୟ ଗୁରୁଙ୍କର ଇଚ୍ଛାକୁ ପୂରଣ କରିବା ପାଇଁ ଆମର ଏହି ବାଳକାଟୀ ଅଞ୍ଚଳରେ ତାଙ୍କ ନାମ ଅନୁସାରେ ଏକ ଶାସନ ପ୍ରତିଷ୍ଠା କରିଥିଲେ। ସେହିଦିନଠାରୁ ଆମର ଏହି ସମୃଦ୍ଧ ଐତିହାସିକ ସ୍ଥାନର ନାମ ପ୍ରତାପଶାସନ ରାଜସ୍ୱ ଗ୍ରାମ ନାମରେ ରହିଆସିଛି। ଗଜପତି ପ୍ରତାପରୁଦ୍ରଦେବଙ୍କ ନାମ ଅନୁସାରେ ଏହି ଅଞ୍ଚଳର ନାମ ନାମିତ ହେବା ଫଳରେ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କର ପ୍ରେମଭକ୍ତି ଧର୍ମର ପ୍ରଚାର ଏବଂ ପ୍ରସାର ନିମନ୍ତେ ବିନା ବିରୋଧରେ ମାର୍ଗ ଉନ୍ମୁକ୍ତ ହୋଇଯାଇଥିଲା। ଏହି ଘଟଣା ଓଡ଼ିଶାର ଐତିହାସିକ, ଧାର୍ମିକ ତଥା ସାଂସ୍କୃତିକ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଯାହାକୁ ଅଦ୍ୟାବଧି ଆଜି ପର୍ଯ୍ୟନ୍ତ ଓଡ଼ିଶାର ଐତିହାସିକ ଏବଂ ଗବେଷକମାନେ ଅଣଦେଖା କରିଆସିଛନ୍ତି।
ତେଣୁ ବାଳକାଟୀ ପ୍ରତାପଶାସନ ହେଉଛି ଐତିହାସିକ ଦୃଷ୍ଟିରୁ ଓଡ଼ିଶାରେ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କର ପ୍ରେମଭକ୍ତି ଧର୍ମ ପ୍ରଚାର ଏବଂ ପ୍ରସାର କ୍ଷେତ୍ରରେ ସର୍ବପ୍ରଥମ ସ୍ଥାନ। ଏହାପରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତ ଏବଂ ଅଞ୍ଚଳରେ, ଗ୍ରାମରେ ପ୍ରେମଭକ୍ତି ଧର୍ମ, ସଂକୀର୍ତ୍ତନ, ରାସ, କୃଷ୍ଣଲୀଳା, ନାଟକ, ଦୋଳମେଲଣ, ବସନ୍ତ ରାସ ଏବଂ ଶରତ ରାସ ମାଧ୍ୟମରେ ପ୍ରଚାର ଓ ପ୍ରସାର ଘଟିଥିଲା। କିନ୍ତୁ ଏହି ଧାରାରେ ପ୍ରତାପଶାସନ ବାଳକାଟୀ ଏକ ସ୍ୱତନ୍ତ୍ର ଐତିହାସିକ ସ୍ଥାନର ମର୍ଯ୍ୟାଦା ରଖେ।
ଶ୍ରୀଚୈତନ୍ୟ ମହାପ୍ରଭୁ ଏବଂ ତାଙ୍କ ଶିଷ୍ୟମାନଙ୍କର ଧର୍ମ ପ୍ରଚାରର ସର୍ବପ୍ରଥମ ସ୍ଥାନ ବାଳକାଟୀ ପ୍ରତାପଶାସନରେ ସେହିଦିନ ଠାରୁ ତାଙ୍କର ପବିତ୍ର ଧର୍ମ ପ୍ରଚାର ପାଇଁ ବିଭିନ୍ନ କାର୍ଯ୍ୟ କରାଯାଇ ଆସୁଅଛି। ଗଜପତି ପ୍ରତାପରୁଦ୍ରଦେବଙ୍କ ପୃଷ୍ଠପୋଷକତାରେ ଏଠାରେ ଶ୍ରୀଚୈତନ୍ୟଙ୍କୁ ଶ୍ରୀଜଗନ୍ନାଥଙ୍କ ସହିତ ସମକକ୍ଷ କରିବା ପାଇଁ ଶ୍ରୀଚୈତନ୍ୟ ଏବଂ ନିତ୍ୟାନନ୍ଦଙ୍କର ଦାରୁମୂର୍ତ୍ତି ପୂଜା କରାଯାଇ ଆସୁଅଛି। କିନ୍ତୁ ତା’ର ନାମ ନିତାଇ ଗୌରାଙ୍ଗ ହେବା ବଦଳରେ ମଦନମୋହନ ନାମରେ ନାମିତ ହୋଇଆସୁଛନ୍ତି ଏବଂ ଶ୍ରୀଚୈତନ୍ୟଙ୍କର ପ୍ରେମ ଭକ୍ତିଧର୍ମକୁ ପ୍ରଚାର କରିବା ମାଧ୍ୟମ ଭାବରେ ଏଠାରେ ସେହି ସମୟରୁ ଶ୍ରୀଚୈତନ୍ୟଙ୍କର ଭକ୍ତ ଦୁଃଖୀଶ୍ୟାମ ଦାସଙ୍କ ଦ୍ୱାରା ରଚିତ ବଙ୍ଗଳା କଂସମାରୁଣୀ ନାଟକ ଅଭିନୀତ ହୋଇଆସୁଛି। ଏହି ନାଟକ ମାଧ୍ୟମରେ ଶ୍ରୀଚୈତନ୍ୟଙ୍କୁ ଶ୍ରୀକୃଷ୍ଣ ଏବଂ ଶ୍ରୀଜଗନ୍ନାଥଙ୍କ ସହିତ ସମତୁଲ କରି ଅଭିହିତ କରାଯାଇଥିବା ଦେଖାଯାଏ। ଏହି ନାଟକରେ କୁହାଯାଇଛି, କାଲୋ କୃଷ୍ଣ ଗୌର ହୈଲ କେମନ ଅର୍ଥାତ୍ ଦ୍ୱାପର ଯୁଗର ଶ୍ରୀକୃଷ୍ଣ କଳିଯୁଗରେ ପ୍ରେମସ୍ୱରୂପ ଗୌରବର୍ଣ୍ଣ ଧାରଣ କରି ଶ୍ରୀକୃଷ୍ଣଙ୍କର ଅବତାର ଭାବେ ଅବତରଣ କରିଥିବା କୁହାଯାଇଛି। ସେଥିପାଇଁ ଶ୍ରୀଚୈତନ୍ୟ ଚରିତାମୃତ ଗ୍ରନ୍ଥରେ କୁହାଯାଇଛି, ‘ଯେଇ ଗୌର ସେଇ କୃଷ୍ଣ ସେଇ ଜଗନ୍ନାଥ’ ଅର୍ଥାତ୍ ଶ୍ରୀଚୈତନ୍ୟ ଶ୍ରୀକୃଷ୍ଣ ଏବଂ ଶ୍ରୀଜଗନ୍ନାଥଙ୍କୁ ଏକ ଏବଂ ଅଭିନ୍ନ ଭାବରେ ପରିକଳ୍ପନା କରାଯାଇଛି ଏହି ଐତିହାସିକ ବାଳକାଟୀ ଅଞ୍ଚଳରେ। ଏହି ଦୃଷ୍ଟିରୁ ଦେଖିଲେ ଓଡ଼ିଶାର ଐତିହ୍ୟ, ଧର୍ମ ତଥା ସାଂସ୍କୃତିକ ପରମ୍ପରାରେ ବାଳକାଟୀରେ ଭୂମିକା ଅନନ୍ୟ ଏବଂ ଅତୁଳନୀୟ। ଗବେଷଣାର ଏହି ତଥ୍ୟକୁ ଆଧାର କରି କୁହାଯାଇପାରେ ଯେ, ବାଳକାଟୀ ପ୍ରତାପଶାସନ ଓଡ଼ିଶାର ଇତିହାସରେ ଏକ ଐତିହାସିକ ସ୍ଥାନ। ଐତିହାସିକମାନେ ଏହାକୁ ପୂର୍ବରୁ ଇତିହାସରେ ସ୍ଥାନ ଦେଇ ନ ଥିଲେ ମଧ୍ୟ ଓଡ଼ିଶାର ସୁବର୍ଣ୍ଣ ଇତିହାସରେ ବାଳକାଟୀ ପ୍ରତାପଶାସନର ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ, ଏହାକୁ ଏପର୍ଯ୍ୟନ୍ତ ସ୍ୱୀକାର କରାଯାଇ ନ ଥିଲେ ମଧ୍ୟ ସଂପ୍ରତି ଓଡ଼ିଶାର ଗବେଷକ, ଐତିହାସିକ ଏବଂ ଶ୍ରଦ୍ଧାଳୁ ପାଠକମାନେ ଗ୍ରହଣ କରିବାକୁ ବାଧ୍ୟ।
ବସନ୍ତପେଡ଼ି, ପ୍ରତାପଶାସନ, ବାଳକାଟୀ

Leave a Reply

Your email address will not be published. Required fields are marked *