ସମାଜବାଦୀ ଜନନାୟକ ବିପ୍ଲବୀ ଡ଼. ରାମ ମନୋହର ଲୋହିଆଙ୍କ ୧୧୫ତମ ଜୟନ୍ତୀ

ଭୁବନେଶ୍ୱର : ଓଡିଶା ଇତିହାସରେ ସବୁଠାରୁ ଅବହେଳିତ ତଥା ନିର୍ଯ୍ୟାତିତ ଅଞ୍ଚଳ ଭାବେ ପଶ୍ଚିମ ଓଡିଶା ସମେତ କୋରାପୁଟ ଅଞ୍ଚଳ ବେଶ ପରିଚିତ। ପ୍ରାକ୍ ଐତିହାସିକ ଯୁଗରୁ ସଭ୍ୟତା ଆରମ୍ଭ କରି ଏହି ଅଞ୍ଚଳ ସବୁ ବର୍ତ୍ତମାନ ଦେଶରେ ଭୋକର ଭୂଗୋଳ ନାମରେ ପରିଚିତ। ମଧ୍ୟଯୁଗରେ ଏହାର ଦର୍ଶନ ବିଭିନ୍ନ ଧର୍ମ ଓ ମତାବିଲମ୍ବିମାନଙ୍କୁ ପ୍ରଭାବିତ କରିପାରିଥିଲା। ମଧ୍ୟଯୁଗ ପରେ ରାଜାମାନଙ୍କ ଶାସନ ଆସିଥିଲା ବେଳେ ପରବର୍ତ୍ତୀ ସମୟରେ ଅଞ୍ଚଳରେ ଶୋଷଣର ମାତ୍ରା ବଢିବାରେ ଲାଗିଲା। ରାଜାମାନଙ୍କ ଶାସନ ପରେ ଇଂରେଜମାନେ ମଧ୍ୟ ଲୋକଙ୍କ ଉପରେ ଆର୍ଥିକ, ସାମାଜିକ ଓ ଶାରୀରିକ ଶୋଷଣର ମୂଳଦୁଆ ପକାଇଥିଲେ। ସମୟ ବଦଳୁଥିବା ବେଳେ ଇତିହାସର ଧାରାରେ ଶାସକୀୟ ବ୍ୟବସ୍ଥା ସବୁବେଳେ ଶୋଷଣର ଧାରା ଅବ୍ୟାହତ ରହିଛି ଯାହାର ଫଳସ୍ୱରୂପ ଦାଦନ। ସରକାର ଲୋକଙ୍କୁ ନିଜ ଭିଟାମାଟିରୁ ବିସ୍ଥାପନ କରିବା ସହ ସେମାନଙ୍କ ଜୀବନ-ଜୀବିକାରୁ ଜୋରଜବରଦସ୍ତି ଭାବେ ଛଡାଇ ଦିଆଯିବା ଫଳରେ ସେମାନେ ନିଜ ପେଟ ପାଇଁ ଦାଦନ ଖଟିବାକୁ ନିଜ ଜନ୍ମମାଟି ଛାଡ଼ୁଛନ୍ତି। ବର୍ତ୍ତମାନ ସରକାର ସାରା ଦେଶରେ ସମ୍ପଦ ଓ କ୍ଷମତାର କେନ୍ଦ୍ରୀକରଣ କରୁଥିବା ବେଳେ ବିକେନ୍ଦ୍ରୀକରଣ ହିଁ ଏକ ମାତ୍ର ସମାଧାନର ରାସ୍ତା ବୋଲି ଲୋହିଆ ଏକାଡେମୀ ପକ୍ଷରୁ ବିଶିଷ୍ଟ ସମାଜବାଦୀ ଜନନାୟକ ବିପ୍ଲବୀ ଡ଼. ରାମ ମନୋହର ଲୋହିଆଙ୍କ ୧୧୫ତମ ଜୟନ୍ତୀ ଅବସରରେ ‘ଦାଦନ – ପ୍ରାକ୍ ଐତିହାସିକ ଯୁଗରୁ ଜଗତୀକରଣ ଯାଏ’ ଶୀର୍ଷକ ବିଶେଷ ଆଲୋଚନାରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସାମ୍ବାଦିକ ଓ ସାମାଜିକ କର୍ମୀ ଶ୍ରୀ ରାଜୀବ ସାଗରିଆ ବକ୍ତବ୍ୟ ରଖିଥିଲେ। 

ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ପ୍ରଫେସର ବିରେନ୍ଦ୍ର ନାୟକ, ପ୍ର. ସ୍ୱାଧୀନ ପଟ୍ଟନାୟକ, ପ୍ର. ନିଳମଣି ସାହୁ, ମନୋରଞ୍ଜନ ମହାନ୍ତି, ରାଧାକାନ୍ତ ସେଠୀ, ଡଃ ବିଶ୍ୱଜିତ, ମିହିର ପ୍ରତାପ ଦାସ,ପ୍ରହ୍ଲାଦ ସିଂହ, ସୁମିତ୍ରା ପଟେଲ, ମହେନ୍ଦ୍ର ପରିଡା, ମହମ୍ମଦ ସୁକୃ, ନିରଞ୍ଜନ ମହାନ୍ତି, ବ୍ରଜ କିଶୋର ପ୍ରଧାନ, ଅର୍ଜୁନ ସାମନ୍ତରାୟ, ଦେବୀପ୍ରସାଦ ପୃଷ୍ଟି, ସୁକାନ୍ତ ମହାପାତ୍ର, ଦିଲ୍ଲୀପ ବେହେରା, ଅମର ପାଲ, ନଳିନୀକାନ୍ତ ନାୟକ, ପ୍ରଦ୍ୟୁମ୍ନ ନାଏକ, ମୀର ଅହମ୍ମଦ ଅଲ୍ଲୀ, ବିଶ୍ଵରଞ୍ଜନ ଦାସପ୍ରମୁଖ ଉପସ୍ଥିତ ରହି ଡ଼. ଲୋହିଆଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ନିଜ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ସତ୍ତ୍ୱେ ଲୋହିଆ ଏକାଡେମୀର ଉପ-ସଭାପତି ଶାରଦା ପ୍ରସନ୍ନ ମହାନ୍ତି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ୧୦୩ତମ ବାର୍ଷିକୀ ଓ ଶହୀଦ – ଏ – ଆଜମ ଭଗତ ସିଂଙ୍କ ଶହୀଦ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଲୋହିଆ ଏକାଡେମୀର ସମ୍ପାଦକ ଦେବପ୍ରସାଦ ରାୟ କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସୂଚନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ। 

Leave a Reply

Your email address will not be published. Required fields are marked *