ଭାରତୀୟ ଲ କମିଶନ ଅଧ୍ୟକ୍ଷ ଜଷ୍ଟିସ୍ ଦିନେଶ ମହାଶ୍ୱେରୀଙ୍କ ଦ୍ୱାରା ପ୍ରଥମ କିଟ୍ ଇଣ୍ଟରନ୍ୟାସ୍ନାଲ୍ ମୁଟ୍ କୋର୍ଟ ପ୍ରତିଯୋଗିତା ଉଦ୍ଘାଟିତ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ଭାରତର ୨୩ତମ ଭାରତୀୟ ବିଧି ଆୟୋଗ ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଦିନେଶ ମାହେଶ୍ୱରୀଙ୍କ ଦ୍ୱାରା କିଟ୍ ଲ ସ୍କୁଲରେ ପ୍ରଥମ କିଟ୍ ଇଣ୍ଟରନ୍ୟାସ୍ନାଲ୍ ମୁଟ୍ କୋର୍ଟ ପ୍ରତିଯୋଗିତା ୨୦୨୫ ଉଦ୍ଘାଟିତ ହୋଇଯାଇଛି। ତିନି ଦିନ ଧରି ଚାଲିବାକୁ ଥିବା ପ୍ରଥମ କିଟ୍ ଇଣ୍ଟରନ୍ୟାସ୍ନାଲ୍ ମୁଟ୍ କୋର୍ଟ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଷ୍ଟିସ୍ ମାହେଶ୍ୱରୀ କହିଲେ, ଆଇନ୍ ଛାତ୍ରଛାତ୍ରୀମାନେ ସର୍ବଦା ସେମାନଙ୍କ ବୃତ୍ତିରେ ଉତ୍କର୍ଷତା ବଜାୟ ରଖିବା ଉଚିତ। ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସେ କହିଲେ, ଆଇନ୍ ଶିକ୍ଷାଲାଭ ସମୟରେ ଛାତ୍ରଛାତ୍ରୀଙ୍କୁ ମୁଟ୍ କୋର୍ଟ ପ୍ରତିଯୋଗିତାର ଯଥେଷ୍ଟ ଆବଶ୍ୟକତା ରହିଛି। ଆର୍ବିଟ୍ରେସନ୍ ଆଜି କେବଳ ଏକ ବିକଳ୍ପ ବିବାଦ ସମାଧାନର ବ୍ୟବସ୍ଥା ହୋଇନାହିଁ, ଏହା ଆଇନଗତ ବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି ବୋଲି ସେ କହିଥିଲେ। ସର୍ବଦା ସ୍ପଷ୍ଟବାଦୀ, ସଠିକତା ଏବଂ ସମାଲୋଚନାମୂଳକ ଚିନ୍ତାଧାରା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଛାତ୍ରଛାତ୍ରୀମାନେ ସ୍ପଷ୍ଟ ହେବାକୁ ଶିଖନ୍ତୁ, ପ୍ରଶ୍ନ ପଚାରି ଚାଲନ୍ତୁ, ସେମାନଙ୍କ ପାଇଁ ସଫଳତା ନିଶ୍ଚିତ ଆସିବ ବୋଲି ସେ କହିଥିଲେ। ଏହି ଅବସରରେ ସେ କୋର୍ଟ କାର୍ଯ୍ୟକଳାପରେ ନିଜକୁ ସଂପୂର୍ଣ୍ଣ ଭାବରେ ପ୍ରତିବଦ୍ଧ କରିବା ସହ ବିଶ୍ୱାସ ସୃଷ୍ଟି କରିବା ଏବଂ ଜଟିଳ ସୂଚନାରୁ ଅର୍ଥ ବାହାର କରିବାର କ୍ଷମତା ବିକଶିତ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଏଭଳି କାର୍ଯ୍ୟ ପାଇଁ ମୁଟ୍ କୋର୍ଟ ନିଶ୍ଚିତ ଭାବେ ସହାୟକ ହୋଇଥାଏ ବୋଲି ସେ କହିଥିଲେ।
ଜଷ୍ଟିସ୍ ମାହେଶ୍ୱରୀଙ୍କ ଦୁଇ ଦିନିଆ କିଟ୍ ଓ କିସ୍ ଗସ୍ତ ଅବସରରେ ଆଜି କିଟ୍ର ସମସ୍ତ କ୍ୟାମ୍ପସ ଓ କିସ୍ର ସମସ୍ତ ୟୁନିଟ୍ ପରିଦର୍ଶନ କରି କିସ୍ ଛାତ୍ରଛାତ୍ରୀଙ୍କ ସହ ଦୀର୍ଘ ସମୟ ଅତିବାହିତ କରିଥିଲେ। ଜଷ୍ଟିସ୍ ମାହେଶ୍ୱରୀ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟର ଉଚ୍ଚ ପ୍ରଶଂସା କରିବା ସହ ତାଙ୍କର ଇଣ୍ଡିଆ ଏଗେନ୍ଷ୍ଟ ନେଗେଟିଭିଟି ଦର୍ଶନର ଉଦାହରଣ ଦେଇ କହିଲେ, ସଫଳତା ପାଇବାକୁ ହେଲେ ନକାରାତ୍ମକତା ବିରୋଧରେ ଏକାଠି ହେବାକୁ ପଡ଼ିବ।
କାର୍ଯ୍ୟକ୍ରମରେ କିଟ୍ ବିଶ୍ୱବିଦ୍ୟାଳୟ କୁଳାଧିପତି ଅଶୋକ କୁମାର ପରିଜା ଛାତ୍ରଛାତ୍ରୀମାନଙ୍କୁ ନିଷ୍ଠାର ସହିତ ଆଇନ ପାଠ ପଢିବାକୁ ଉତ୍ସାହିତ କରି କହିଲେ, ଆଇନ ଏକ କଷ୍ଟକର ବୃତ୍ତି। ଏହି ବୃତ୍ତିରେ ସଫଳତା ପାଇବାକୁ ହେଲେ ଆଇନ୍ ଛାତ୍ରଛାତ୍ରୀ ଦିନକୁ ୨୦ ଘଣ୍ଟା ପରିଶ୍ରମ କରିବାକୁ ପଡ଼ିବ। ପ୍ରଫେସର ଏମେରିଟସ୍ ଏନ. ଏଲ୍. ମିତ୍ର ମୁଟ୍ କୋର୍ଟର ଇତିହାସ ଉପରେ ଆଲୋଚନା କରିଥିଲେ। ୧୯ଶ ଶତାବ୍ଦୀର ଶେଷ ଭାଗରେ ମୁଟ୍ କୋର୍ଟର ଉତ୍ପତ୍ତି ଏବଂ ୧୯୬୦ ଦଶକରେ ଆର୍ବିଟ୍ରେସନ୍ ମାମଲାଗୁଡ଼ିକର ଅଭ୍ୟୁଦୟ ହୋଇଥିବା ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କିଟ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, ଉପକୁଳପତି ପ୍ରଫେସର ରାଜୁ କେ. ଡି. ଏବଂ କିଟ୍ ଲ ସ୍କୁଲ ନିର୍ଦ୍ଦେଶକ ପ୍ରଫେସର ରୋଜ୍ ଭାର୍ଗୀଜ୍ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, କିଟ୍ ଲ ସ୍କୁଲ୍ର ଦେଶର ପ୍ରତିଷ୍ଠିତ ଆଇନ ବିଦ୍ୟାଳୟ ମଧ୍ୟରୁ ଅନ୍ୟତମ। କିଟ୍ ଲ ସ୍କୁଲ୍ ଛାତ୍ରଛାତ୍ରୀମାନେ ତିନିତିନି ଥର ବିସିଆଇ ଜାତୀୟ ମୁଟ୍ କୋର୍ଟ ପ୍ରତିଯୋଗିତା ଜିତି ସମଗ୍ର ଦେଶରେ ଇତିହାସ ସୃଷ୍ଟି କରିଛନ୍ତି। ଏହା ବ୍ୟତୀତୀ ଅନ୍ୟାନ୍ୟ ମୁଟ୍ କୋର୍ଟ ପ୍ରତିଯୋଗିତାରେ ମଧ୍ୟ ଉଲ୍ଲେଖନୀୟ ସଫଳତା ହାସଲ କରି କିଟ୍ ଦେଶର ଅଗ୍ରଣୀ ଲ ସ୍କୁଲ୍ ହେବାର ଗୌରବ ଅର୍ଜନ କରିଛି। କିଟ୍ ଲ ସ୍କୁଲ୍ ଦ୍ୱାରା ଆୟୋଜିତ ଏହି ପ୍ରଥମ ଇଣ୍ଟରନ୍ୟାସନାଲ ମୁଟ୍ କୋର୍ଟ ସଂସ୍କରଣରେ ଅନ୍ତର୍ଜାତୀୟ ଅଂଶଗ୍ରହଣକାରୀଙ୍କ ସମେତ ୫୪ରୁ ଅଧିକ ଦଳ ଅଂଶଗ୍ରହଣ କରିଛନ୍ତି।