କିମ୍‌ସରେ ଖୁବ ଶୀଘ୍ର ବର୍ଣ୍ଣ ୟୁନିଟ୍‌ମାଗଣାରେ ହେବ ଗ୍ରହଣ ଖଣ୍ଡିଆ ଅସ୍ତ୍ରୋପଚାର

ଭୁବନେଶ୍ୱର ୧୫ ।୭: କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡିକାଲ ସାଇନ୍‍ସେସ (କିମ୍‍ସ) ହସ୍ପିଟାଲରେ ଖୁବ ଶୀଘ୍ର ବର୍ଣ୍ଣ ୟୁନିଟ୍  କାର୍ଯ୍ୟକାରୀ କରାଯିବା ସହ ଗ୍ରହଣ ଖଣ୍ଡିଆର ମାଗଣା ଅସ୍ତ୍ରୋପଚାର କରାଯିବ । ଆଜି ବିଶ୍ୱ ପ୍ଲାଷ୍ଟିକ୍ ସର୍ଜରୀ ଦିବସ ପାଳନ ଅବସରରେ କିମ୍‍ସ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ର୍ରମରେ କିମ୍‍ସ  ମେଡିକାଲ୍‍ କଲେଜ ଅଧ୍ୟକ୍ଷ ଡା. ଅମ୍ବିକା ପ୍ରସାଦ ମହାନ୍ତି, ଉପାଧ୍ୟକ୍ଷ ଡା. ଶୁଭ୍ରାଂଶୁ ପାତ୍ର, କିମ୍‍ସ ସୁପର ସ୍ପେଶିଆଲିଟି ହସ୍ପିଟାଲ୍‍ ଏବଂ କିମ୍‍ସ କ୍ୟାନସର ସେଣ୍ଟରର ନିର୍ଦ୍ଦେଶକ ଡା. ଶକ୍ତିମୟ ମହାପାତ୍ର, କିମ୍‍ସ ପ୍ରଦ୍ୟୁମ୍ନ ବଳ ମେମୋରିଆଲ୍‍ ହସ୍ପିଟାଲ୍‍ ଅଧୀକ୍ଷକ ଡା. ଆର.ସି.ଦାସ, ଉପ ଅଧୀକ୍ଷକ ଡା. ଅଶ୍ୱିନୀ ଶର୍ମା, ଡାକ୍ତର ହରିବନ୍ଧୁ ମହାନ୍ତି, ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ମୁଖ୍ୟ ଡା. ସୁନୀଲ କୁମାର ରାଉତ ପ୍ରମୁଖ ଯୋଗଦେଇ ବର୍ତ୍ତମାନ ସମୟରେ ପ୍ଲାଷ୍ଟିକ ସର୍ଜରୀ ଓ ଏହାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ।

ସାଧାରଣ ଲୋକଙ୍କ ମନରେ ପ୍ଲାଷ୍ଟିକ୍ ସର୍ଜରୀ ବିଷୟରେ ଅଧିକ ସୂଚନା ନ ଥିବା ବେଳେ ଏହାକୁ ନେଇ ଲୋକଙ୍କ ମନରେ ଅନେକ ଦ୍ୱନ୍ଦ୍ୱ ରହିଛି ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ । ପ୍ଲାଷ୍ଟିକ୍ ସର୍ଜରୀ ବିଷୟରେ ସଠିକ୍ ତଥା ଆବଶ୍ୟକ ସୂଚନା ଲୋକଙ୍କ ନିକଟରେ ପହଞ୍ଚାଇବା ବିଶ୍ୱ ପ୍ଲାଷ୍ଟିକ ସର୍ଜରୀ ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ । ରୋଗ, ଆଘାତ କିମ୍ବା ଅସ୍ତ୍ରୋପଚାର ଜନିତ କିମ୍ବା ଜନ୍ମରୁ ଅଙ୍ଗଗୁଡ଼ିକର ଗଠନରେ ସମସ୍ୟା କିମ୍ବା ଭିନ୍ନତା ଥିଲେ ପ୍ଲାଷ୍ଟିକ୍ ସର୍ଜରୀ ଦ୍ୱାରା ସେଗୁଡ଼ିକୁ ସୁଧାରିବାକୁ ଚେଷ୍ଟା କରାଯାଇଥାଏ ବୋଲି ବିଶେଷଜ୍ଞମାନେ କହିଥଲେ ।

ଏଥି ସହ ବର୍ତ୍ତମାନ ଯୁଗରେ ମୁଖମଣ୍ଡଳ ତଥା ଶରୀରର ଅନେକ ଅଂଶକୁ ପୂର୍ବ ରୂପ ଫେରାଇ ଆଣିବା ପାଇଁ ପ୍ଲାଷ୍ଟିକ୍ ସର୍ଜରୀ ଉପାୟ ଅବଲମ୍ବନ କରାଯାଉଛି । ପ୍ଲାଷ୍ଟିକ୍ ସର୍ଜରୀ ଦୁଇ ପ୍ରକାରର- ଗୋଟିଏ ହେଉଛି ପୁନଃ ନିର୍ମାଣକାରୀ ସର୍ଜରୀ ଏବଂ ଅନ୍ୟଟି କସମେଟିକ୍ ସର୍ଜରୀ । ଜନ୍ମରୁ ସୃଷ୍ଟି ହୋଇଥିବା ଅସମାନତାକୁ ଠିକ କରିବା ପାଇଁ ଅସ୍ତ୍ରୋପଚାର, ଯୋଡି ହୋଇ ରହିଥିବା ଆଙ୍ଗୁଳିକୁ ଆଲଗା କରିବା, ଜନ୍ମରୁ ଥିବା ଚିହ୍ନକୁ ହଟାଇବା, ଗୁରୁତର ଭାବେ ଜଳିଯାଇଥିବା ଅଙ୍ଗ ବା ଶରୀରର ଅଂଶ, ଦୁର୍ଘଟଣା କିମ୍ବା ଆଘାତ ଦ୍ୱାରା ସୃଷ୍ଟି ହୋଇଥିବା ଦାଗର ଅସ୍ତ୍ରୋପଚାରକୁ ପୁନଃ ନିର୍ମାଣକାରୀ ସର୍ଜରୀ କୁହାଯାଏ । ସେହିପରି ମୁଖମଣ୍ଡଳ ସୌନ୍ଦର୍ଯ୍ୟରେ ଉନ୍ନତି ପାଇଁ କସମେଟିକ୍ ସର୍ଜରୀ କରାଯାଇଥାଏ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *