୧୧ରୁ ଭାରତୀୟ କର୍ଣ୍ଣ ବିଜ୍ଞାନ ସଂଘର ୩୦ତମ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର,୧୦ ।୧୧:  ଭାରତୀୟ କର୍ଣ୍ଣ ବିଜ୍ଞାନ ସଂଘ (ଇଣ୍ଡିଆନ୍‍ ସୋସାଇଟି ଅଫ୍‍ ଓଟୋଲୋଜି)ର ୩୦ତମ ଜାତୀୟ ସମ୍ମିଳନୀ ISOCON ଆସନ୍ତା ନଭେମ୍ବର୧୧ରୁ ନଭେମ୍ବର୧୩ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡିକାଲ୍‍ ସାଇନସେସ୍‍ ସହଯୋଗରେ ଏହି ସମ୍ମିଳନୀ ପ୍ରଥମ ଥର ଲାଗି  ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀର ଉଦ୍‍ଘାଟନୀ ଉତ୍ସବରେ ଓଡ଼ିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଏବଂ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ତଥା ସମ୍ମିଳନୀର ମୁଖ୍ୟ ପୃଷ୍ଠପୋଷକ ଅଚ୍ୟୁତ ସାମନ୍ତ ଅତିଥି ଭାବେ ଯୋଗଦେବେ ବୋଲି ସମ୍ମିଳନୀ ଆୟୋଜନ କମିଟିର ଯୁଗ୍ମ ଅଧ୍ୟକ୍ଷ ତଥା କିମ୍‍ସର କର୍ଣ୍ଣ, ନାଶା, ଗଳା ବିଭାଗ ମୁଖ୍ୟ ପ୍ରଫେସର ଡା. କବିକାନ୍ତ ସାମନ୍ତରାୟ ସୂଚନା ଦେଇଛନ୍ତି। ଆଜି ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଡା.ସାମନ୍ତରାୟ କହିଲେ, ଏହି ସମ୍ମିଳନୀରେ ଦେଶ ବିଦେଶରୁ ହଜାରେରୁ ଊର୍ଦ୍ଧ୍ୱ କର୍ଣ୍ଣ ଅସ୍ତ୍ରୋପଚାର ବିଶେଷଜ୍ଞ (ଓଟୋଲୋଜିଷ୍ଟ) ଯୋଗଦେବେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସମ୍ମିଳନୀରେ ଯୋଗ ଦେଉଥିବା ବ୍ରିଟେନ୍‍, ବ୍ରାଜିଲ୍‍ ଓ ଅନ୍ୟାନ୍ୟ ୟୁ୍‍ରୋପୀୟ ଦେଶର କର୍ଣ୍ଣ ଅସ୍ତ୍ରୋପଚାର ବିଶେଷଜ୍ଞଙ୍କ ଅସ୍ତ୍ରୋପଚାରର ସିଧା ପ୍ରସାରଣ ଦେଖିବାକୁ ମିଳିବ। ଏଥିରେ ସେମାନେ କର୍ଣ୍ଣ ଅସ୍ତ୍ରୋପଚାର ଓ ଚିକିତ୍ସା ପ୍ରକ୍ରିୟାରେ ନୂତନ କୌଶଳ ପ୍ରଦର୍ଶନ କରିବେ। ଏହି ସମ୍ମିଳନୀ ଡାକ୍ତର, ସରକାରୀ କାର୍ଯ୍ୟକର୍ତ୍ତା ଏବଂ ସାଧାରଣ ଲୋକଙ୍କ ମଧ୍ୟରେ କାନ ସମ୍ପର୍କିତ ବିଭିନ୍ନ ନୂତନ ଦିଗ ଉପରେ ସଚେତନତା ସୃଷ୍ଟି କରିବାରେ ସହାୟକ ହେବ ବୋଲି ସେ କହିଥିଲେ। କାରଣ କର୍ଣ୍ଣ, ନାଶା ଓ ଗଳା ରୋଗ ଓ ଚିକିତ୍ସା କ୍ଷେତ୍ରରେ ଅନେକ ବିକାଶ ଘଟିଥିବାବେଳେ ଏ ସମ୍ପର୍କିତ ଲୋକଙ୍କ ଧାରଣାରେ ଆଖିଦୃଶିଆ ପରିବର୍ତ୍ତନ ଘଟିଛି। ସମ୍ମିଳନୀରେ କାନରୋଗ ଚିକିତ୍ସା କ୍ଷେତ୍ରରେ ଅଗ୍ରଗତି ବିଶେଷକରି ଶିଶୁ କାନରୋଗ, ଶିଶୁମାନଙ୍କ ଶ୍ରବଣ ଶକ୍ତି ହ୍ରାସର ଚିକିତ୍ସା ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ବୋଲି ଡା. ସାମନ୍ତରାୟ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମିଳନୀ ଆୟୋଜନ କମିଟିର ସମ୍ପାଦକ ତଥା କିମ୍‍ସ କର୍ଣ୍ଣ, ନାସା ଓ ଗଳା ବିଭାଗ ପ୍ରଫେସର ଡା. ଖଗେଶ୍ୱର ରାଉତ, ସମ୍ମିଳନୀ ଆୟୋଜନ କମିଟି ଅଧ୍ୟକ୍ଷ ଡା. ଏସ୍‍.ଏନ୍‍. ପଣ୍ଡା, ଭାରତୀୟ ଅଟୋଲୋଜି ସଂଘର ପ୍ରତିଷ୍ଠାତା ତଥା ଉପଦେଷ୍ଟା ପ୍ରଫେସର କେ କେ ରାମଲିଂଗମ, ଡା. ରାଜଲକ୍ଷ୍ମୀ ପାଣିଗ୍ରାହୀ, ଡା. ଏମ୍‍. ଇଲାମ୍ବବର୍ତ୍ତି, ଡା. ଆପ୍ପା ରାଓ ଏବଂ ଡା. ରବି ରାମଲିଙ୍ଗମ ପ୍ରମୁଖ ଯୋଗଦେଇ ସମ୍ମିଳନୀର ବିଭିନ୍ନ ଦିଗ ଉପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *

You may have missed