କିମ୍‍ସରେ ଲାଗିଲା ଅତ୍ୟାଧୁନିକ କାର୍ଡିଆକ୍‍ ଲେଜର ମେସିନ୍‍

ଜଟିଳ ହୃଦରୋଗ ଚିକିତ୍ସା କ୍ଷେତ୍ରରେ ପୂର୍ବ ଭାରତରେ ପ୍ରଥମ ପ୍ରୟାସ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ଜଟିଳ ହୃଦରୋଗର ସରଳ ଚିକିତ୍ସା ପାଇଁ କିମ୍‍ସରେ ଆରମ୍ଭ ହୋଇଛି କାର୍ଡିଆକ୍‍ ଲେଜର ମେସିନ୍‍ ଜରିଆରେ ରୋଗୀ ସେବା । ଜଟିଳରୁ ଜଟିଳତମ ହୃଦରୋଗ ଚିକିତ୍ସା ପାଇଁ ସମଗ୍ର ପୂର୍ବ ଭାରତରେ ପ୍ରଥମ ଥର ଲାଗି କିମ୍‍ସରେ ଏଭଳି ଯନ୍ତ୍ର ସ୍ଥାପନା କରାଯାଇଛି । ଏହାକୁ କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଆଜି ଉଦ୍‍ଘାଟନ କରିଛନ୍ତି । ଶ୍ରୀ ସାମନ୍ତ କହିଛନ୍ତି ହୃଦରୋଗ ଚିକିତ୍ସା କ୍ଷେତ୍ରରେ କିମ୍‍ସ ଏକ ଉଦାହରଣ ସୃଷ୍ଟି କରିଛି । ଏହି ଲେଜର ମେସିନ୍‍ ଦ୍ୱାରା ଓଡ଼ିଶା ତଥା ପଡ଼ୋଶୀ ରାଜ୍ୟର ହୃଦରୋଗୀମାନେ ବିଶେଷ ଉପକୃତ ହୋଇପାରିବେ ।

ପାରମ୍ପରିକ ଆଞ୍ଜିଓପ୍ଲାଷ୍ଟି ଦ୍ୱାରା ଚିକିତ୍ସା ହୋଇପାରୁନଥିବା କରୋନାରୀ ଓ ପେରିଫେରା ଆଥେରେକ୍ଟୋମି, ଲିଡ୍‍ ମ୍ୟାନେଜମେଣ୍ଟ ଭଳି ଜଟିଳ ହୃଦ୍‍ଯନ୍ତ୍ର ସମସ୍ୟା ଏହି ଲେଜର ମେସିନ୍‍ ଜରିଆରେ ଚିକିତ୍ସା ହୋଇପାରୁଛି । ଏ ନେଇ କିମ୍‍ସର ବରିଷ୍ଠ ହୃଦ୍‍ଶଲ୍ୟ ବିଶେଷଜ୍ଞ ଡା. ଅନୁପମ ଜେନା କହିଛନ୍ତି ଏହା ଦ୍ୱାରା ଆମେ ଅତ୍ୟାଧୁନିକ ହୃଦରୋ ଗ ଚିକିତ୍ସା ଯୋଗାଇ ଦେଇପାରୁଛୁ । ଏଭଳି ଚିକିତ୍ସା ପୂର୍ବରୁ ଆମ ରାଜ୍ୟରେ ସମ୍ଭବ ହୋଇପାରୁ ନଥିଲା । ରୋଗୀର ଆର୍ଟେରୀରେ ବ୍ଲକେଜ୍‍ କିମ୍ବା ପେସ୍‍ମେକର୍‍ ଲିଡ ରିମୁଭାଲ ଭଳି ଜଟିଳ ପ୍ରକ୍ର୍ରିୟା ଏବେ ସହଜରେ ହୋଇପାରୁଛି । ମାତ୍ର ୨୦ରୁ ୩୦ ସେକେଣ୍ଡ ମଧ୍ୟରେ ଏହି ଲେଜର ମେସିନ୍‍ କମ୍‍ ବୟସର ରୋଗୀଙ୍କୁ ହୃଦ୍‍ ସମସ୍ୟାରୁ ମୁକ୍ତ କରିପାରୁଛି ।

କିମ୍‍ସ ହୃଦରୋଗ ବିଭାଗ ମୁଖ୍ୟ ଡା. ଶୁଭାଶିଷ ମିଶ୍ର କହିଛନ୍ତି ଏହି ଯନ୍ତ୍ର ଦ୍ୱାରା ରକ୍ତ ଜମାଟ ଓ ବ୍ଲକେଜ ଆଦି ସମସ୍ୟା ଅତି ସହଜରେ ସମାଧାନ ହୋଇପାରୁଛି । ଏହା ସହିତ ଜଟିଳ କରୋନାରୀ ହୃଦରୋଗର ଚିକିତ୍ସା କରିବା ସହ ରୋଗୀଠାରେ ଥିବା ଷ୍ଟେଣ୍ଟ ଜନିତ ବିପଦରୁ ହ୍ରାସ କରିଥାଏ ।

ସୂଚନାଯୋଗ୍ୟ, କିମ୍‍ସ ପ୍ରଦ୍ୟୁମ୍ନ ବଳ ମେଡିକାଲ୍‍ରେ ହୃଦରୋଗ ବିଭାଗରେ ସର୍ବାଧୁନିକ ଯନ୍ତ୍ରପାତି ସହ ଅତ୍ୟାଧୁନିକ, ଦକ୍ଷ ଓ ଉଚ୍ଚ ତାଲିମ ପ୍ରାପ୍ତ ବିଶେଷଜ୍ଞଙ୍କ ଦ୍ୱାରା ହୃଦରୋଗ ଚିକିତ୍ସା କରାଯାଇଥାଏ । ଡା ଅନୁପମ ଜେନା, ଡା ଶୁଭାଶିଷ ମିଶ୍ର, ଡା ପଞ୍ଚାନନ ସାହୁ ଓ ଡା ଚନ୍ଦନ କୁମାର ରାୟ ମହାପାତ୍ରଙ୍କ ଭଳି ଅନୁଭବୀ ଡାକ୍ତରମାନେ ରୋଗୀସେବା ଯୋଗାଇ ଦେଉଛନ୍ତି ।

Leave a Reply

Your email address will not be published. Required fields are marked *