ଗ୍ୟାଷ୍ଟ୍ରୋଇନ୍ଟେଷ୍ଟାଇନାଲ ବ୍ଳିଡ଼ିଂ ବନ୍ଦ କରିବାରେ ହେମୋସ୍ପ୍ରେର ବ୍ୟବହାର

କିମ୍ସ ଭାରତର ଦ୍ୱିତୀୟ ହସ୍ପିଟାଲ
ଭୁବନେଶ୍ୱର,୬ ।୪: କଳିଙ୍ଗ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ୍ ସାଇନ୍ସେସ୍(କିମ୍ସ)ରେ ଗ୍ୟାଷ୍ଟ୍ରୋଇନ୍ଟେଷ୍ଟାଇନାଲ୍ ବ୍ଲିଡ଼ିଂ(ଜିଆଇ) ବନ୍ଦ କରିବା ପାଇଁ ହେମୋସ୍ପ୍ରେର ବ୍ୟବହାର କରାଯାଇଛି । ହେମୋସ୍ପ୍ରେ ବ୍ୟବହାର କରିବାରେ କିମ୍ସ ହେଉଛି ଭାରତର ଦ୍ୱିତୀୟ ହସ୍ପିଟାଲ୍ । ଜଣେ ରୋଗୀ ଅସ୍ତ୍ରୋପଚାର ପରେ ନିମ୍ନ ଜିଆଇ ବ୍ଲିଡ଼ିଂର ଶିକାର ହୋଇଥିଲେ । ତେଣୁ ତୁରନ୍ତ ବ୍ଲିଡ଼ିଂ ବନ୍ଦ କରିବା ନିମନ୍ତେ କିମ୍ସର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଏବଂ ହେପାଟୋଲୋଜି ବିଭାଗର ଡ଼ାକ୍ତରମାନେ ହେମୋସ୍ପ୍ରେ ପାଉଡ଼ର ବ୍ୟବହାର ପାଇଁ ନିଷ୍ପତ୍ତି ନେଇଥିଲେ । ରୋଗୀଙ୍କଠାରେ ଏଣ୍ଡୋସ୍କୋପିକ୍ ହେମୋସ୍ପ୍ରେ ବ୍ୟବହାର କରାଯାଇଥିଲା ଏବଂ ଏହା ନିମ୍ନ ଗ୍ୟାଷ୍ଟ୍ରୋଇନ୍ଟେଷ୍ଟାଇନାଲ୍ ବ୍ଲିଡ଼ିଂକୁ ତୁରନ୍ତ ବନ୍ଦ କରିବାରେ ସଫଳ ହୋଇଥିଲା । ଫଳରେ ଦିନକ ପରେ ରୋଗୀଙ୍କୁ ଆଇସିୟୁରୁ ଡ଼ିସ୍ଚାର୍ଜ କରିଦିଆଯାଇଥିଲା । ଜରୁରୀକାଳୀନ ସ୍ଥିତିରେ ହେମୋସ୍ପ୍ରେ ପାଉଡ଼ର ବେଶ୍ ସହାୟକ ହୋଇଥାଏ, ଯେଉଁଠାରେ ଥେରାପେଟିକ୍ ଏଣ୍ଡୋସ୍କୋପିଷ୍ଟ ତୁରନ୍ତ ଶରୀର ଭିତରେ ଜିଆଇ ବ୍ଲିଡ଼ିଂ ବନ୍ଦ କରିବାରେ ସକ୍ଷମ ହୋଇଥାନ୍ତି ଏବଂ ରୋଗୀର ଜୀବନ ରକ୍ଷା କରିପାରିବେ । ହେମୋସ୍ପ୍ରେ ବ୍ୟବହାର ଦ୍ୱାରା ମାତ୍ର ୧୦ମିନିଟ୍ ମଧ୍ୟରେ ଜିଆଇ ବ୍ଲିଡିଂକୁ ବନ୍ଦ କରାଯାଇପାରିବ । ଜିଆଇ ବ୍ଲିଡ଼ିଂ ଚିକିତ୍ସା କ୍ଷେତ୍ରରେ ଅନ୍ୟାନ୍ୟ ଏଣ୍ଡୋସ୍କୋପିକ୍ ପଦ୍ଧତି ବିଫଳ ହେବାର ସମ୍ଭାବନା ଥିବା ବେଳେ କେତେକ କ୍ଷେତ୍ରରେ ଏଣ୍ଡୋସ୍କୋପିକ୍ ହେମୋସ୍ପ୍ରେ ନିରାପଦ ଓ ସଫଳ ହୋଇଥାଏ । ଜିଆଇ ବ୍ଲିଡ଼ିଂ ଚିକିତ୍ସା କ୍ଷେତ୍ରରେ ଗ୍ୟାଷ୍ଟ୍ରୋଏଣ୍ଟରଲୋଜି ପାଇଁ ଏହା ଗେମ୍ ଚେଞ୍ଜର ସାବ୍ୟସ୍ତ ହୋଇଛି ବୋଲି କିମ୍ସ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । ଏହାଦ୍ୱାରା ଜିଆଇ ବ୍ଲିଡ଼ିଂ ଜନିତ ମୃତ୍ୟୁହାରକୁ ଆଶାତୀତ ଭାବେ ହ୍ରାସ କରିଯାଇପାରିବ ବୋଲି ସେମାନେ କହିଛନ୍ତି । କିମ୍ସ ସବୁବେଳେ ଚିକିତ୍ସା କ୍ଷେତ୍ରରେ ନୂଆନୂଆ ସର୍ଜନା ଜ୍ଞାନକୌଶଳକୁ ଆପଣେଇ ଆସୁଛି । ରୋଗୀଙ୍କୁ ଅତ୍ୟାଧୁନିକ ଚିକିତ୍ସା ଯୋଗାଇଦେବା କ୍ଷେତ୍ରରେ ଏହି ନୂତନ ପଦ୍ଧତିକୁ ସଫଳତାର ଆପଣାଇ ଥିବାରୁ କିମ୍ସର ଡ଼ାକ୍ତର ଓ ବିଶେଷଜ୍ଞମାନଙ୍କୁ କିଟ୍, କିସ୍ ଓ କିମ୍ସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଶୁଭେଚ୍ଛା ଜଣାଇଛନ୍ତି । କିମ୍ସ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଓ ହେପାଟୋଲୋଜି ବିଭାଗରେ ଏଣ୍ଡୋସ୍କୋପିକ୍ ସମେତ ସମସ୍ତ ପ୍ରକାର ଅତ୍ୟାଧୁନିକ ଚିକିତ୍ସା ଯୋଗାଇ ଦିଆଯାଉଛି । କିଟ୍ ବିଶ୍ୱବିଦ୍ୟାଳୟର ଉପକୁଳାଧିପତି ପ୍ରଫେସର ସୁବ୍ରତ କୁମାର ଆଚାର୍ଯ୍ୟ, କିମ୍ସର ଏକାଡ଼େମିକ୍ ଚେୟାରମ୍ୟାନ୍ ପ୍ରଫେସର ୱାଇ.କେ.ଚାୱାଲା, ପ୍ରଫେସର ଏମେରିଟସ ଏ.ସି ଆନନ୍ଦଙ୍କ ଭଳି ଭାରତର ଖ୍ୟାତିସମ୍ପନ୍ନ ଡ଼ାକ୍ତରଙ୍କ ମାର୍ଗଦର୍ଶନ ଓ ବିଭାଗୀୟ ମୁଖ୍ୟ ପ୍ରଫେସର ମନୋଜ କୁମାର ସାହୁଙ୍କ ନେତୃତ୍ୱରେ କିମ୍ସ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଓ ହେପାଟୋଲୋଜି ବିଭାଗ ରୋଗୀସେବା ଯୋଗାଇ ଦେଇଆସୁଛି । ଏହି ବିଭାଗରେ ଡ଼ା.ଏସ.ସି.ପାଣିଗ୍ରାହୀ, ପ୍ରଫେସର ପ୍ରୀତମ୍ ନାଥ, ଡା. ବି. ମଲ୍ଲିକ, ଡା.ଡ଼ି. ପ୍ରହରାଜ, ଡ଼ା. ଏସ. କେ. ସାହୁ ଏବଂ ଡା.ଏସ୍.ଗିରିଙ୍କୁ ନେଇ ଏକ ଅଭିଜ୍ଞ ବିଶେଷଜ୍ଞ ଟିମ୍ ରୋଗୀସେବା ଯୋଗାଇ ଦେଇଆସୁଛନ୍ତି ।