ସହରରେ ମହିଳାଙ୍କୁ ଗ୍ରାସ କରିଛି ଧଳାଜହର ମୋହ : ସ୍କୁଟିରେ ବୁଲି ବେଧଡକ ଚଳାଇଛନ୍ତି ବେପାର

ଖୋର୍ଦ୍ଧା : ୯/୯ ( ପ୍ରବାହ ନିଉଜ୍ ) ଖୋର୍ଦ୍ଧା ସହର ଏବଂ ଏହାର ଆଖପାଖ ଅଞ୍ଚଳ ଠାରୁ ନେଇ ଭୁବନେଶ୍ବର ଉପକଣ୍ଠ ଯାଆଁଳା, ଛତାବର, ମେଣ୍ଢାଶାଳ ପର୍ଯ୍ୟନ୍ତ ବେଧଡକ ଭାବେ ଚାଲିଛି ବ୍ରାଉନସୁଗାର ବ୍ୟବସାୟ ସହିତ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ।

ସହର ମଧ୍ୟରେ ଗଢ଼ି ଉଠିଥିବା ବେଆଇନ ବସ୍ତି ପରେ ଏବେ ଆବାସିକ ଅଞ୍ଚଳ ପାଲଟିଛି ବ୍ରାଉନ ସୁଗାର ବ୍ୟବସାୟର ପେଣ୍ଠସ୍ଥଳୀ। ଯାହାକି ପୋଲିସ୍ ର ସନ୍ଦେହ ଘେର ବାହାରେ। କମ୍ ସମୟରେ ଅଧିକ ଅର୍ଥ ଉପାର୍ଜନ ଲୋଭରେ ବେକାରୀ ଯୁବବର୍ଗ ପରେ ଏବେ ଏହି ଅପରାଧିକ ବ୍ୟବସାୟକୁ ନିଜର ପନ୍ଥା ରୂପେ ବାଛି ନେଉଛନ୍ତି ଏହି ଆବାସିକ ଅଞ୍ଚଳରେ ବସବାସ କରୁଥିବା ଆଗୂଆ ବର୍ଗର ସମ୍ଭ୍ରାନ୍ତ ମହିଳା । ଭଦ୍ର ସମାଜରେ ରହି ଏହିପରି ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ମହିଳା ମାନେ ସ୍ଥାନୀୟ ଅଧିବାସୀ ମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛନ୍ତି।

ଏବେ ସହରରେ କିଛି ଶିକ୍ଷିତା ମହିଳା ସକାଳ ହେଲେ କାର୍ଯ୍ୟକ୍ଷେତ୍ରକୁ ଯିବାବେଳେ ମଧ୍ୟ ଏହି ବ୍ୟବସାୟରୁ ନିବୃତ୍ତ ରହି ନଥାନ୍ତି, ସେହିପରି ଧଳାଜହର ବେପାରରେ ମାତିଥିବା ଏହି ମହିଳା ମାନେ ସନ୍ଧ୍ୟା ହେଲେ ସ୍କୁଟି ଧରି ବାହାରି ଯାଆନ୍ତି ନିଜର ନିତିଦିନିଆ ଗ୍ରାହକଙ୍କ ସନ୍ଧାନରେ। ଖୋର୍ଦ୍ଧା ସହରର ବିଭିନ୍ନ ନିଛାଟିଆ ସ୍ଥାନ, ଯେପରି ନୂଆ ବସଷ୍ଟାଣ୍ଡ ଠାରୁ ନେଇ ଚଣ୍ଡୀଚୁଆ ଛକ ମଧ୍ୟରେ ଥିବା ନିଛାଟିଆ ସ୍ଥାନ, ଗୁରୁଜଙ୍ଗ ହାଉସିଂବୋର୍ଡ ପଛପଟ ପଡିଆ ଠାରୁ ନେଇ ଠେଙ୍ଗାହାଟ ଛକ, ସେମିତି ବରୁଣେଇ ବାଇପାସ୍ ଓ ମହିଳା ମହାବିଦ୍ୟାଳୟ ଠାରୁ ନେଇ ବାଟମଙ୍ଗଳା ହାଉସିଂବୋର୍ଡର ଅନେକ ସ୍ଥାନରେ ଦେଖିବାକୁ ମିଳିଥାଏ ଏପରି ଉଚ୍ଚ ଶିକ୍ଷିତା ସୁନ୍ଦରୀଙ୍କୁ ।

ପୋଲିସ୍ର ସନ୍ଦେହ ଘେର ବାହାରେ ଥିବା ବ୍ରାଉନସୁଗାର ମାଫିଆଙ୍କ ଦ୍ୱାରା ନିୟୋଜିତ ଏହି ଉଚ୍ଚ ଶିକ୍ଷିତା ସୁନ୍ଦରୀ ମହିଳା ଏଜେଣ୍ଟମାନେ ନିଜ ଅନ୍ତଃବସ୍ତ୍ରରେ ବ୍ରାଉନ ସୁଗାରକୁ ଲୁଚାଇ ବେଧଡକ ଭାବେ ତାଙ୍କର ଧଳାଜହର ବ୍ୟବସାୟ ସୁରୁଖୁରୁରେ ଚଳାଇଥିବାର ସୂଚନା ମିଳିଛି ଆଉ ନିକଟରେ ଜେଲରୁ ମୁକୁଳିଥିବା ଖୋର୍ଦ୍ଧା ସହରର କିଛି ବ୍ରାଉନସୁଗାର ମାଫିଆଙ୍କର ଏଜେଣ୍ଟ ସାଜିଛନ୍ତି ଏହି ଉଚ୍ଚ ଶିକ୍ଷିତା ସୁନ୍ଦରୀ ମହିଳା ।

ତେବେ ଖୋର୍ଦ୍ଧା ସହରର ଏହି ଉଚ୍ଚ ଶିକ୍ଷିତା ସୁନ୍ଦରୀ ମହିଳାଙ୍କ ମଧ୍ୟରୁ ବରୁଣେଇ ସାହି ଅଞ୍ଚଳର ଜନୈକ ମହିଳା କିଛି ବ୍ରାଉନସୁଗାର ମାଫିଆଙ୍କ ସହିତ ମଧୁର ସମ୍ପର୍କ ସ୍ଥାପନ କରିଥିବା ବେଳେ ଦୀର୍ଘଦିନ ଧରି ସେମାନଙ୍କ ଠାରୁ ବ୍ରାଉନ ସୁଗାର୍ ଆଣି ଏହି ବେପାରରେ ଲିପ୍ତଥିବା ଜଣାପଡ଼ିଛି ଏବଂ ଏଥିରେ ସଂପୃକ୍ତ ମହିଳାଙ୍କୁ ତାଙ୍କ ମା ଓ ଭାଇ ମଧ୍ୟ ସହଯୋଗ କରୁଥିବାର ଜଣାପଡ଼ିଛି।

ଏହା ସହିତ ସବୁଠୁ ବଡ଼ କଥା, ଏହି ମହିଳା ଜଣକ ଉଚ୍ଚ ଶିକ୍ଷିତା ହୋଇଥିବା ସହିତ ଭୁବନେଶ୍ବର ଉପକଣ୍ଠ ଇନ୍ଫୋସିସ୍ ଅଞ୍ଚଳରେ ଏକ ଉଚ୍ଚ ପ୍ରତିଷ୍ଠିତ ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ବେଳେ ରାତାରାତି ବଡଲୋକ ହେବାର ନିଶାରେ ଧଳା ଜହର ବେପାରକୁ ଆପଣାଇଥିବା ସହିତ ଅନେକ ଅନୈତିକ କାର୍ଯ୍ୟରେ ଲିପ୍ତ ରହି ନିଜର ଚରିତାର୍ଥକୁ ସାକାର କରିବା ସହିତ ଅଳ୍ପଦିନରେ ବଡଲୋକି ହେବାର ସ୍ୱାଦ ମଧ୍ୟ ଚାଖି ସାରିଲେଣି ବୋଲି ଜଣାପଡ଼ିଛି। ନହେଲେ ଏତେ ସ୍ୱଳ୍ପ ଦରମାରେ ନିଜ ପିଲାକୁ ସହରର ପ୍ରତିଷ୍ଠିତ ଘରୋଇ ଶିକ୍ଷାନୁଷ୍ଠାନରେ ପଢ଼ାଇବା ସହିତ ଦାମିକିଆ ଚାରି ଚକିଆ ଚଢ଼ିବା ଓ ବିଳାସପୂର୍ଣ୍ଣ ଜୀବନ ବିତାଇବା ଅସମ୍ଭବ ବୋଲି ଉକ୍ତ ମହିଳା ରହୁଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି ।

ତେବେ ଏ ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ସୁଚନା ଅନୁଯାୟୀ ପୋଲିସ ଉକ୍ତ ମହିଳାଙ୍କ କାର୍ଯ୍ୟକଳାପ ବାବଦରେ ଅବଗତ ଥିଲେ ମଧ୍ୟ କାହା ପ୍ରୋତ୍ସାହନରେ ମହିଳା ଜଣକ ଅନାୟାସରେ ଏପରି ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି, ଏହା ବର୍ତ୍ତମାନ ସମୟରେ ପୋଲିସର କାର୍ଯ୍ଯ ଦକ୍ଷତା ଉପରେ ସବୁଠୁ ବଡ଼ ପ୍ରଶ୍ନବାଚୀ ।

ଏହି ଧଳା ଜହର ବେପାରୀଙ୍କୁ ନେଇ ଖୋର୍ଦ୍ଧା ବୁଦ୍ଧିଜୀବି ମାନେ ଚିନ୍ତା ପ୍ରକଟ କରିବା ସହିତ ବୃଦ୍ଧି ପାଉଥିବା ଅପରାଧୀଙ୍କ ବିରୁଦ୍ଧରେ କଡ଼ା ଆଭିମୁଖ୍ୟ ନେଇ ଖୋର୍ଦ୍ଧା ସହରକୁ ଏହି ମାରାତ୍ମକ ନିଶା କବଳରୁ ଯଥାଶୀଘ୍ର ମୁକ୍ତ କରିବା ପାଇଁ ଦାବୀ ରଖିଛନ୍ତି।

Leave a Reply

Your email address will not be published. Required fields are marked *