ସଂକ୍ରମଣକୁ ଦୃଷ୍ଟିରେ ରଖି ଲକଡାଉନ୍‌ କରାଯିବ, ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ, କୋଭିଡ ନୀୟମ କଡାକଡ଼ି ହେବ : ଖୋର୍ଦ୍ଧା ଜିଲ୍ଲାପାଳ

ଖୋର୍ଦ୍ଧା : ୨୨/୦୨/୨୦୨୧: ବର୍ତ୍ତମାନ ଓଡ଼ିଶାରେ କରୋନା ସଂକ୍ରମଣ ସଂଖ୍ୟା ମାତ୍ରାଧିକ ହ୍ରାସ ପାଇଛି,  କିନ୍ତୁ ନିକଟ ଅତୀତରେ ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରେ କରୋନା ଭାଇରସ୍‌ର ନୂଆ ଷ୍ଟ୍ରେନ୍‌ ଦେଖିବାକୁ ମିଳିଛି । ଏବେଠାରୁ ସଚେତନ ଓ ସତର୍କ ନ ହେଲେ ଓଡ଼ିଶାରେ ବି କରୋନା ସଂକ୍ରମଣ ବଢ଼ିବାର ସମ୍ଭାବନା ରହିଛି । ତେଣୁ ଲୋକଙ୍କୁ ସଚେତନ ଓ ସତର୍କ କରିବାର ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।

ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ ସନତ ମହାନ୍ତି କହିଛନ୍ତି, ଜିଲ୍ଲାର ଯେଉଁ ଅଞ୍ଚଳରେ ସଂକ୍ରମଣ ବଢିବା ଦେଖାଯିବ, ସେଠାରେ ଆବଶ୍ୟକ ପଡ଼ିଲେ ଲକଡାଉନ କରାଯିବ ଓ ପରିସ୍ଥିତିକୁ  ଅନୁଧ୍ୟାନ କରି ଉକ୍ତ ସ୍ଥାନରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବ ।  ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବାକୁ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ
ନିର୍ଦ୍ଦେଶ ଦିଆଯାଇଛି । ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ପ୍ରଶାସନ ନଜର ରଖିଛି ବୋଲି ସେ କହିଛନ୍ତି।

ଲୋକେ ସତର୍କ ଓ ସଚେତନ ହେଲେ ଲକଡାଉନ୍‌ ର ଆବଶ୍ୟକତା ହେବ ନାହିଁ। ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ପରିସ୍ଥିତିକୁ  ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛି । ଏହା ସହିତ ଖୋର୍ଦ୍ଧାରେ ସାମାଜିକ ଦୂରତା ରକ୍ଷା କରିବା,  ମାସ୍କ ପରିଧାନ ସହିତ ଲୋକଙ୍କୁ ସଚେତନ ରହିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *