ଖୋର୍ଦ୍ଧା ମହୋତ୍ସବ କାହା ସ୍ୱାର୍ଥରେ

ଖୋର୍ଦ୍ଧା: ୧୭/୧୨(ପ୍ରବାହ ନିଉଜ୍) ସ୍ଥାନୀୟ ହାବେଳୀ ପଡ଼ିଆଠାରେ ସ୍ବେଛାସେବୀ ଅନୁଷ୍ଠାନ ନ୍ୟୁ ଥିଙ୍କିଙ୍ଗ ଫୋରମ ଆନୁକୂଲ୍ୟରେ
ଆୟୋଜିତ ଖୋର୍ଦ୍ଧା ମହୋତ୍ସବ ମହା ଆଡମ୍ବରରେ ଚାଲିଥିବା ବେଳେ ପ୍ରଥମ ସନ୍ଧ୍ୟାରେ ଏହାକୁ ଆନ୍ଧ୍ରପ୍ରଦେଶର ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ବଭୂଷଣ ହରିଚନ୍ଦନ ଉଦଘାଟନ କରିଛନ୍ତି। କିନ୍ତୁ ଏଠାରେ ଖୋର୍ଦ୍ଧା ଆଖପାଖ ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ସମାଗମ ହେଉଥିବା ବେଳେ ସେମାନଙ୍କ ସୁରକ୍ଷା ନିମିତ୍ତ ଆନୁସଙ୍ଗିକ ବ୍ୟବସ୍ଥାରେ ତ୍ରୁଟି ରହିଥିବା ପରିଲିକ୍ଷିତ ହୋଇଛି।

ପଡ଼ିଆ ମଧ୍ୟରେ ରାମଦୋଳି ଠାରୁ ଆରମ୍ଭ କରି ମୌତ୍ କା କୂଆଁ ଏବଂ ଅନେକ ଗୁଡ଼ିଏ ଖେଳ ର ବ୍ୟବସ୍ଥା କରାଯାଇଛି ହେଲେ, ଦର୍ଶକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମହୋତ୍ସବ କମିଟି ପକ୍ଷରୁ ସେମିତି କିଛି ଆଖି ଦୃଷ୍ଟିଆ ବ୍ୟବସ୍ଥା କରାଯାଇ ନଥିବା ସହିତ ପଡ଼ିଆ ମଧ୍ୟରେ ବିଭିନ୍ନ ଫୁଡଷ୍ଟଲ୍ ଗୁଡ଼ିକର ମାଲିକ ମାନେ ମଧ୍ଯ ଗ୍ରାହକଙ୍କୁ ବାସି ଖାଦ୍ୟ ଦେଉଥିବା ସହିତ ନିଜ ସୁରକ୍ଷା ସହିତ ଗ୍ରାହକଙ୍କ ସୁରକ୍ଷାକୁ ମଧ୍ଯ ଅଣଦେଖା କରୁଛନ୍ତି। ଗୋଟିଏ ଦୁଇଟି ଷ୍ଟଲକୁ ଛାଡ଼ିଦେଲେ ବାକି ଅନ୍ୟ ସମସ୍ତ ଦୋକାନରେ ଘରୋଇ ଗ୍ୟାସ୍ ସିଲିଣ୍ଡର୍ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି। ତା ସହିତ ନା ଅଛି ସେମାନଙ୍କ ପାଖରେ ଅଗ୍ନି ନିର୍ବାପକ ଯନ୍ତ୍ର ନା ଧୂଳିମଳି ରୁ ଖାଦ୍ୟକୁ ସୁରକ୍ଷିତ ରଖିବାପାଇଁ କୌଣସି ବ୍ୟବସ୍ଥା। ତେବେ ସତରେ କଣ ଏ ସମ୍ପର୍କରେ ଜିଲ୍ଲା ଯୋଗାଣ ବିଭାଗ ପାଖରେ କୌଣସି ସୂଚନା ନାହିଁ ନା ସବୁ ଜାଣି ମଧ୍ଯ ଆଖି ବନ୍ଦ କରି ବସିଛି ଯୋଗାଣ ବିଭାଗ। ଦୋକାନୀ ମାନେ ଘରୋଇ ଗ୍ୟାସ୍ ବ୍ୟବହାର କରୁଥିବା ବେଳେ ଯଦି କୌଣସି ଦୁର୍ଘଟଣା ଘଟି ଗ୍ରାହକ ଅଥବା ଦର୍ଶକ ଏହାର ଶିକାର ହୁଅନ୍ତି, ତାହାକୁ ନିୟନ୍ତ୍ରଣ କରିବା ପାଇଁ ଅଗ୍ନିଶ୍ରମ ବିଭାଗ ପକ୍ଷରୁ ପଡ଼ିଆ ମଧ୍ୟରେ ରଖା ଯାଇଥବା ଗୋଟିଏ ଦମକଳ ଗାଡ଼ି କଣ ସୁରକ୍ଷା ଦେବାପାଇଁ ସକ୍ଷମ ହେଵ କି,  ତେବେ ଏଥିପାଇଁ କାହାକୁ ଦାୟୀ କରାଯିବ। କଟକ ବାଲିଯାତ୍ରାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ଦିନ ଦୋକାନୀ ମାନଙ୍କ ଖାଦ୍ୟ ଯାଞ୍ଚ କରାଯାଇଥିବା ଦେଖିବାକୁ ମିଳିଥିଲା ହେଲେ, ଖୋର୍ଦ୍ଧା ମହୋତ୍ସବରେ ଯୋଗାଣ ବିଭାଗର ଜଣେ ହେଲେ ବି ଅଧିକାରୀଙ୍କୁ ଦେଖିବାକୁ ମିଳିନାହିଁ। ଦୋକାନୀ ମାନେ ନିଜର ମନମୁଖୀ କାର୍ଯ୍ୟ ଚଳାଇଥିବା ବେଳେ ଏବେ ଗ୍ରାହକ ମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସେହିପରି ମହୋତ୍ସବ ବୁଲିବାକୁ ଆସୁଥିବା ଦର୍ଶକଙ୍କ ସମାଗମକୁ ଦେଖି ହାବେଳୀ ପଡିଆର ନିକଟବର୍ତ୍ତୀ ସ୍ଥାନ, ଯେମିତି କି, ଠେଙ୍ଗାହାଟ ମେଳଣ ପଡିଆ, ମହିଳା ମହାବିଦ୍ୟାଳୟ ସମ୍ମୁଖ ପଡ଼ିଆ ଏଵଂ ନବିନାବାଗ ଓ ଡମସାହି ସ୍ଥିତ ଖୋଲା ପଡ଼ିଆରେ ଗାଡ଼ି ମଟର ରଖିବାକୁ ପାର୍କିଙ୍ଗ ବ୍ୟବସ୍ଥା କରାଯାଇଛି, କିନ୍ତୁ ସନ୍ଧ୍ୟାପରେ ପାର୍କିଂ ଦାୟିତ୍ୱରେ ନିୟୋଜିତ ଯୁବକମାନେ ଠେଙ୍ଗାହାଟ ଠାରୁ ନାବିନାବାଗ ଦେଇ ପଲ୍ଲା ନୂଆ ବସଷ୍ଟାଣ୍ଡକୁ ସଂଯୋଗ ହୋଇଥିବା ମୂଖ୍ୟ ରାସ୍ତାକୁ ଅବରୋଧ କରି ନିଜ କାମରେ ଯାଉଥିବା ସ୍ଥାନୀୟ ଅଧିବାସୀ ଏବଂ ଯାତ୍ରୀ ମାନଙ୍କ ଗାଡ଼ି ଅଟକାଇ ଜୋର ଜବରଦସ୍ତି କରୁଥିବା ସହିତ ଗାଡ଼ି ପାର୍କିଂରେ ରଖିବାକୁ ବାଧ୍ୟ କରୁଥିବାରୁ କିଛି ଯାତ୍ରୀ ନିରୁପାୟ ହୋଇ ଗାଡ଼ି ରଖି ଚାଲିକରି ଯାଉଥିବା ବେଳେ ଅନ୍ୟ କିଛି ଯାତ୍ରୀ ଅନେକ ବାଟ ବୁଲିକରି ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚୁଥିବା ଜଣାପଡ଼ିଛି, ତେବେ ଏହି ପାର୍କିଂ ଦାୟିତ୍ୱରେ ଥିବା ଯୁବକ ମାନଙ୍କୁ ଯାତାୟାତ ନିମିତ୍ତ ମୁଖ୍ୟରାସ୍ତା ଅବରୋଧ କରିବାକୁ ଅନୁମତି କିଏ ପ୍ରଦାନ କରିଛି । ପ୍ରକାରାନ୍ତରେ ମହୋତ୍ସବ କମିଟି ଏଥିରେ ସାମିଲ ନାହିଁ ତ, ତାହା ମଧ୍ଯ ଏବେ ସନ୍ଦେହ ଘେରରେ। କେବଳ ମହୋତ୍ସବ ର ପ୍ରବେଶ ଫାଟକ ଛଡ଼ା ଯାତ୍ରୀଙ୍କ ସୁବିଧା ନିମନ୍ତେ ପୋଲିସ୍ ପକ୍ଷରୁ ଏହି ରାସ୍ତାରେ କୌଣସି କର୍ମଚାରୀ ନିୟୋଜିତ କରାଯାଇନାହିଁ, ଯାହା ଫଳରେ ପାର୍କିଂ ଦାୟିତ୍ୱରେ ନିୟୋଜିତ ଯୁବକମାନେ ନିଜର ମନମୁଖୀ କାର୍ଯ୍ୟ ଚଳାଇଥିବା ଦେଖିବାକୁ ମିଳିଛି। ତେବେ ଏ ସମ୍ପର୍କରେ ପାର୍କିଂ ଦାୟିତ୍ୱରେ ଥିବା ଯୁବକମାନଙ୍କୁ ପଚାରିବାର, ଆମେ ଠେଙ୍ଗାହାଟ ଠାରୁ ନେଇ ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ହୋଇଥିବା ଆଲୋକିକରଣ ପାଇଁ ମହୋତ୍ସବ କମିଟିକୁ ଏକଲକ୍ଷ ତିରିଶ ହଜାର ଟଙ୍କା ପ୍ରଦାନ କରିଛୁ, ତେବେ ତାହା କେମିତି ଭରଣା କରିବୁ । ମହୋତ୍ସବ କମିଟିର ଏପରି ଅବ୍ୟବସ୍ଥାକୁ ନେଇ ସ୍ଥାନୀୟ ଜନ ସାଧାରଣ ଅସନ୍ତୋଷ ବ୍ୟକ୍ତ କରିଥିବା ବେଳେ ଜିଲ୍ଲା ପ୍ରଶାସନ ଏହା ଉପରେ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *