ଯୁବକ ନିଖୋଜ ଘଟଣାରେ ପୋଲିସର କାର୍ଯ୍ୟାନୁଷ୍ଠାନ ଶୁନ , କେବଳ ପୋଷ୍ଟର ମାରିଦେଇ ନିଜର ଦାୟିତ୍ୱ ତୁଲାଇଛି ପୋଲିସ

ଖୋର୍ଦ୍ଧା: ୧୬/୧୧(ପ୍ରବାହ ନିଉଜ୍) ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ କୁମ୍ଭୀଲୋ ଗ୍ରାମର ସନ୍ତୋଷ ବେହେରା(୨୪) ଓରଫ ରାଜା ନିଖୋଜ ଘଟଣାକୁ କୋଡ଼ିଏ ଦିନରୁ ଉର୍ଦ୍ଧ ସମୟ ବିତିଗଲାଣି । ଅର୍ଥାତ ଗତ ଅକ୍ଟୋବର ୨୪ ତାରିଖରୁ ଗାଈ ଚରେଇବାକୁ ଯାଇ ଯୁବକ ନିଖୋଜ ଘଟଣାରେ ଏବେ ମଧ୍ୟ ପୋଲିସର ହାତ ଖାଲି । ରାଜାର ନିଖୋଜ ଘଟଣାର ଖିଅ ମିଳୁନଥିବା ବେଳେ କେବଳ କର୍ତ୍ତବ୍ୟ ତୁଲେଇ ଦେବା ପରି ପୋଷ୍ଟର ମାରିଦେଇ ଚୁପ୍ ବସିଛି ଖୋର୍ଦ୍ଧା ପୋଲିସ । ରାଜାର ନିଖୋଜକୁ ନେଇ ପରିବାର ଲୋକଙ୍କୁ କେବଳ ସାନ୍ତ୍ୱନା ଛଡ଼ା ଆଉ କିଛି ମିଳିନାହିଁ ବର୍ତ୍ତମାନ ସୁଦ୍ଧା ।

ରାଜାର ବାପା ମା ଏବେ ଆଣିଛନ୍ତି ସଙ୍ଗିନ ଅଭିଯୋଗ । ପ୍ରେମ ବ୍ୟାପରକୁ ନେଇ ତାଙ୍କ ପୁଅକୁ ଅପହରଣ କରାଯାଇଥିବା ବେଳେ ସିଧାସଳଖ ଅଭିଯୋଗ ଲାଗେଇଛନ୍ତି ନିକଟସ୍ଥ ପତନୀବର ଗ୍ରାମର ସତ୍ୟ ବଳିୟାରସିଂ ଙ୍କ ଉପରେ । ରାଜା ର ଅପହରଣ ପଛରେ ସତ୍ୟ ବଳିୟାରସିଂଙ୍କ ହାତ ଥିବା ସହିତ ହତ୍ୟା କରାଯାଇଥିବାର ସଦେହ କରୁଛନ୍ତି ରାଜାଙ୍କ ପରିବାର ଲୋକେ । ଏ ନେଇ ରାଜାର ପରିବାର ଲୋକ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ନିଜର ଦୁଃଖ ଜଣାଇବା ସହିତ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଦେଇଛନ୍ତି । ଏ ସମ୍ପର୍କରେ ନିଖୋଜ ରାଜାର ପରିବାର ଲୋକ ଭୁବନେଶ୍ୱର ସାଂସଦଙ୍କ ସମେତ ମାନ୍ୟବର ପ୍ରଧାନମନ୍ତ୍ରୀ, ପୋଲିସ ମହା ନିର୍ଦ୍ଦେଶକ, ଓଡିଶା ଏବଂ ରାଜ୍ୟ ମାନବାଧିକାର କମିଶନ ଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି । ପୁଅକୁ ଶୀଘ୍ର ଖୋଜି ନ ଆଣିଲେ ଆମରଣ ଅନଶନ ସହିତ ଆତ୍ମାହୁତି ପରି ଚରମ ପନ୍ଥା ଆପଣେଇବେ ବୋଲି କହିଛନ୍ତି । ଏପଟେ ଘଟଣାକୁ ନେଇ ପୋଲିସ ପକ୍ଷରୁ ତିନୋଟି ଟିମ ଗଠନ କରାଯାଇ ନିଖୋଜ ଯୁବକଙ୍କୁ ଖୋଜାଯିବା ଜାରି ରହିଥିବା ସହ ବିଭିନ୍ନ ଦିଗରୁ ଅନୁସନ୍ଧାନ ଚଳାଇଥିବା ନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଏସ୍.ଡି. ପି.ଓ ସୁଶୀଲ ମିଶ୍ର ।

Leave a Reply

Your email address will not be published. Required fields are marked *