ସ୍ୱେଚ୍ଛାସେବୀ ସଙ୍ଗଠନ ସତ୍କାର ଦ୍ୱାରା ନୂତନ ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ
ଖୋର୍ଦ୍ଧା : ୨୨/୦୧ : ଖୋର୍ଦ୍ଧାର ଏକ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ “ସତ୍କାର” ର ପ୍ରଚେଷ୍ଟାରେ ସ୍ଥାନୀୟ ଗୁରୁଜଙ୍ଗ ର ଶ୍ମଶାନ ଭୂମିରେ ଶବଦାହ ନିମନ୍ତେ ବ୍ୟବହୃତ ହେଉଥିବା ଜାଳେଣି କାଠ ଉପଯୋଗିତା କୁ ଦୃଷ୍ଟିରେ ରଖି ଏକ ଜାଳେଣି କାଠ ସଂଗୃହିତ ଗୃହର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାକୁ ଅନୁଷ୍ଠାନର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ ପରିଚାଳନା କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀଯୁକ୍ତ ସନତ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସତ୍କାର ଅନୁଷ୍ଠାନ ର ଏହି ମହତକାଂକ୍ଷୀ କାର୍ଯ୍ୟକୁ ଭୁରିୟସୀ ପ୍ରଶଂସା କରିଥିଲେ ଓ ଏହା ସହିତ ଆଗାମୀ ଦିନରେ ଏହା ଦ୍ୱାରା ଶବ ସଂସ୍କାର କରିବାକୁ ଆସୁଥିବା ଆତ୍ମୀୟ ମାନଙ୍କୁ କୌଣସି ପ୍ରକାର ର ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ବୋଲି କହିଥିଲେ। ଏହା ସହିତ ନିକଟ ଭବିଷ୍ୟତରେ ଗୁରୁଜଙ୍ଗ ର ଏହି ଶ୍ମଶାନ ସମେତ ଖୋର୍ଦ୍ଧାରେ ଅନ୍ୟ ସ୍ଥାନରେ ଥିବା ଶ୍ମଶାନ ମାନଙ୍କରେ ଶବଦାହ ନିମନ୍ତେ ସମସ୍ତ ପ୍ରକାର ର ଆନୁସଙ୍ଗିକ ବ୍ୟବସ୍ଥା ର ଯଥାଶୀଘ୍ର ବନ୍ଦୋବସ୍ତ କରାଯିବା ପାଇଁ ସଭାରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବା ଖୋର୍ଦ୍ଧା ପୌର ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଡି ଶତପଥୀ ଙ୍କୁ ଅନୁରୋଧ କରିଥିଲେ ।
ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଜେୟ ପ୍ରତାପ ସ୍ୱାଇଁ ଶ୍ମଶାନରେ ନବନିର୍ମିତ ଜାଳେଣି କାଠ ସଂଗୃହୀତ ଗୃହକୁ ଯଥାରୀତି ପୂର୍ବକ ଉଦଘାଟନ କରିବା ସହିତ ଆମ ଓଡ଼ିଆଙ୍କ ଜୀବନରେ ଶ୍ମଶାନର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିବା ସହିତ ଏସ୍.ପି. ଅଫିସରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ସମେତ ଖୋର୍ଦ୍ଧାର ସମସ୍ତ ଜନ ସାଧାରଣଙ୍କୁ ଏହି ମହାନ କାର୍ଯ୍ୟ ପାଇଁ ଯଥାଚିତ ସାହାଯ୍ୟ କରିବା ପାଇଁ କାର୍ଯ୍ୟକ୍ରମ ଜରିଆରେ ଅନୁରୋଧ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମ ରେ ସତ୍କାର ସ୍ବେଚ୍ଛାସେବୀ ଅନୁଷ୍ଠାନ ର ଅଧ୍ୟକ୍ଷ ତଥା ଆଇନଜୀବୀ ଶକ୍ତି ଶଙ୍କର ମିଶ୍ର ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।
ଏହି ସଭାରେ ଗୁରୁଜଙ୍ଗ ଗ୍ରାମ ତଥା ଖୋର୍ଦ୍ଧାର ବିଶିଷ୍ଟ ଗଣ୍ୟମାନ୍ୟ ବ୍ୟକ୍ତି, ଶିକ୍ଷାବିତ, ଆଇନଜୀବୀଙ୍କ ସମେତ ଗ୍ରାମର ବହୁ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ ।
ପରିଶେଷରେ ଯୁବନେତା ତଥା ସାମ୍ବାଦିକ ଅବ୍ୟକ୍ତ ହରିହର ଖାଡଙ୍ଗା ଧନ୍ୟବାଦ ଅର୍ପଣ କରିଥିଲେ ।