ଦିଲ୍ଲୀରେ ବିଜେପିର ପ୍ରଚଣ୍ଡ ବିଜୟ ପରେ ପ୍ରବାସୀ ଓଡିଆଙ୍କୁ କୃତଜ୍ଞତା ଜଣାଇଲେ କେନ୍ଦୁଝର ସାଂସଦ ଅନନ୍ତ ନାୟକ
• ଦିଲ୍ଲୀ ବିଜେପି ଓଡିଆ ସେଲର ପ୍ରଭାରୀ ଭାବେ 17ଟି ଆସନରେ କରିଥିଲେ ପ୍ରଚାର, 14ଟି ଆସନରେ ବିଜେପି ପ୍ରାର୍ଥୀ ମାନେ ହେଲେ ବିଜୟୀ
ନୂଆଦିଲ୍ଲୀ /କେନ୍ଦୁଝର, ପ୍ରବାହ ନ୍ୟୁଜ୍ : ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟୀ ସପକ୍ଷରେ ମିଳିଥିବା ପ୍ରଚଣ୍ଡ ଜନାଦେଶ ପରେ କେନ୍ଦୁଝର ସାଂସଦ ତଥା ଦିଲ୍ଲୀ ବିଜେପି ଓଡିଆ ସେଲର ପ୍ରଭାରୀ ଅନନ୍ତ ନାୟକ ଦିଲ୍ଲୀରେ ରହୁଥିବା ପ୍ରବାସୀ ଓଡିଆ ମାନଙ୍କ ପ୍ରତି ଦଳ ପକ୍ଷରୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଗତ ବିଧାନସଭା ନିର୍ବାଚନରେ ଦିଲ୍ଲୀରେ ରହୁଥିବା ପ୍ରବାସୀ ଓଡିଆ ମାନେ ଭାରତୀୟ ଜନତା ପାର୍ଟି ପ୍ରତି ଅଜସ୍ର ସମର୍ଥନ ପ୍ରଦାନ କରିଥିବା କାରଣରୁ ପ୍ରବାସୀ ଓଡିଆ ବହୁଳ ବିଧାନସଭା ଆସନ ଗୁଡିକରେ ବିଜେପି ପ୍ରାର୍ଥୀ ମାନେ ବିଜୟୀ ହୋଇ ପାରିଛନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି ।
ଉଲ୍ଲେଖନୀୟ ଯେ, କେନ୍ଦୁଝର ସାଂସଦ ଅନନ୍ତ ନାୟକଙ୍କୁ ଦଳର କେନ୍ଦ୍ରୀୟ ନେତୃତ୍ୱ ଦିଲ୍ଲୀ ବିଜେପି ଓଡିଆ ସେଲର ପ୍ରଭାରୀ ଭାବେ ଦାୟିତ୍ୱ ଦେଇଥିଲା ଓ ବିଧାନସଭା ନିର୍ବାଚନ ପରିଚାଳନାରେ ତାଙ୍କର ଗୁରୁତ୍ୱପୂର୍ଣ ଭୂମିକା ରହିଥିଲା । ଦିଲ୍ଲୀରେ ରହୁଥିବା ପ୍ରବାସୀ ଓଡିଆ ମାନଙ୍କ ନିକଟକୁ ପହଂଚିବା ଓ ସେମାନଙ୍କର ସମର୍ଥନ ହାସଲ କରିବା ପାଇଁ ସେ ରଣନୀତି ପ୍ରସ୍ତୁତ କରିଥିଲେ । ସେ ନିଜେ ପ୍ରବାସୀ ଓଡିଆ ବହୁଳ 17ଟି ବିଧାନସଭା ଆସନରେ ଯାଇ ପ୍ରଚାର କରିଥିଲେ । ସେ ପ୍ରଚାର କରିଥିବା 17ଟି ବିଧାନସଭା ଆସନରୁ 14ଟି ଆସନରେ ବିଜେପି ପ୍ରାର୍ଥୀ ମାନେ ବିଜୟୀ ହୋଇଛନ୍ତି ।
ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ପ୍ରତିକ୍ରିୟାରେ ଶ୍ରୀ ନାୟକ କହିଛନ୍ତି ଯେ,
ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ମିଳିଥିବା ପ୍ରଚଣ୍ଡ ବିଜୟ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଓ ଭାରତୀୟ ଜନତା ପାର୍ଟିର ନୀତି ପ୍ରତି ବିଶ୍ୱାସର ପ୍ରତୀକ । ଆଜିର ଏହି ବିଶାଳ ବିଜୟ ପ୍ରମାଣିତ କରି ଦେଇଛି ଯେ ଦେଶର ଜନସାଧାରଣଙ୍କର ବିଶ୍ୱାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଅଛି । ରାଜଧାନୀ ଦିଲ୍ଲୀର ହୃଦୟରେ ମଧ୍ୟ ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଛନ୍ତି ।
ସେ କହିଛନ୍ତି ପାଖାପାଖି 27 ବର୍ଷର ଦୀର୍ଘ ବ୍ୟବଧାନ ପରେ ଭାରତୀୟ ଜନତା ପାର୍ଟି ଦିଲ୍ଲୀରେ କ୍ଷମତାକୁ ଫେରୁଛି । ଏହି ବିଶାଳ ବିଜୟ ପାଇଁ ମୁଁ ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା, ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବା ଓ ଦଳ ପାଇଁ କଠିନ ପରିଶ୍ରମ କରିଥିବା ଦେବଦୁର୍ଲଭ କାର୍ଯ୍ୟକର୍ତା ମାନଙ୍କୁ ହାର୍ଦିକ ଅଭିନନ୍ଦନ ଜଣାଇବା ସହ ଦିଲ୍ଲୀର ଜନ ସାଧାରଣଙ୍କ ପ୍ରତି କୃତଜ୍ଞତା ଜଣାଉଛି ବୋଲି ସେ କହିଛନ୍ତି ।