‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଓ ‘କାଦମ୍ବିନୀ ପତ୍ରିକାହାଟ’ ଅନୁଷ୍ଠିତ
ଜ୍ଞାନେଶ୍ୱର ମୁଳେଙ୍କୁ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ-୨୦୨୫’ ପ୍ରଦାନ
ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ର ପକ୍ଷରୁ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଓ ‘କାଦମ୍ବିନୀ ପତ୍ରିକାହାଟ’ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଶିଷ୍ଟ ମରାଠୀ ସାହିତ୍ୟିକ ଡ. ଜ୍ଞାନେଶ୍ୱର ମୁଳେଙ୍କୁ ଚଳିତବର୍ଷର ସମ୍ମାନଜନକ ‘ନୀଳିମାରାଣୀ ସାହିତ୍ୟ ସମ୍ମାନ-୨୦୨୫’ ପ୍ରଦାନ କରାଯାଇଥିଲା । ପୁରସ୍କାର ସ୍ୱରୂପ ତାଙ୍କୁ ୧୦ଲକ୍ଷ ଟଙ୍କାର ନଗଦ ଅର୍ଥରାଶି, ରୌପ୍ୟ ଫଳକ, ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା । ସମ୍ମାନ ଗ୍ରହଣ କରି ଡ. ମୁଳେ କହିଲେ, ସାହିତ୍ୟର ମୂଲ୍ୟ ହେଉଛି ସ୍ୱତନ୍ତ୍ରତା, ସମତା ଓ ନ୍ୟାୟ । ଗୋଟିଏ ଭାଷା ସହ ଅନ୍ୟ ଭାଷାକୁ ଯୋଡ଼ିବା, ଗୋଟିଏ ସଂସ୍କୃତିକୁ ଅନ୍ୟ ସଂସ୍କୃତି ସହ ଯୋଡ଼ିବା, ଗୋଟିଏ ଅଞ୍ଚଳ ସହ ଅନ୍ୟ ଏକ ଅଞ୍ଚଳକୁ ଯୋଡ଼ିବା ଏବଂ ମୋଟାମୋଟି ଉପରେ ମାନବକୁ ପରସ୍ପର ସହ ଯୋଡ଼ିବା ହେଉଛି ସାହିତ୍ୟ । କାଦମ୍ବିନୀ ଦୀର୍ଘ ୨୫ବର୍ଷ ଧରି ଏହି କାର୍ଯ୍ୟ କରିଆସୁଥିବାରୁ ଡ. ମୁଳେ କାଦମ୍ବିନୀକୁ ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସହ ତାଙ୍କର ଦୀର୍ଘ ଦିନର ସମ୍ପର୍କ ରହିଆସିଥିବା ସେ କହିଥିଲେ । କାଦମ୍ବିନୀ ପୁରସ୍କାର ରାଶିକୁ ନେଇ ସେ ଅନୁଦାନ ହିସାବରେ ଜମା କରି ଏହାକୁ ଭଲ ସମାଜସେବା କରୁଥିବା ବ୍ୟକ୍ତି, ଉତ୍କୃଷ୍ଟ ସାହିତ୍ୟ ସୃଷ୍ଟି କରୁଥିବା ବ୍ୟକ୍ତି, ପ୍ରଶାସନ କ୍ଷେତ୍ରରେ ଭଲ କାମ କରୁଥିବା ବ୍ୟକ୍ତି ଓ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ନାରୀଙ୍କୁ ପ୍ରତିବର୍ଷ ୨୫ ହଜାର ଲେଖାଏଁ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ।
ମୁଖ୍ୟ ଅତିଥି ଭାବେ ଇନ୍ଦିରା ଗାନ୍ଧୀ ଜାତୀୟ କଳାକେନ୍ଦ୍ରର ସଦସ୍ୟ ସଚିବ ଡ. ସଚ୍ଚିଦାନନ୍ଦ ଯୋଶୀ ‘କିଟ୍ ଓ କିସ୍ ପରିଦର୍ଶନ କରି ଏହାର ପ୍ରଶଂସା କରିଥିଲେ । ସେ କହିଲେ, ଭବିଷ୍ୟତରେ ଯଦି କେହି ଭାରତର ବିଶ୍ୱବିଦ୍ୟାଳୟ ବିଷୟରେ ଇତିହାସ ଲେଖେ, ସେଥି ମଧ୍ୟରୁ ପ୍ରଥମ ୫ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ କିଟ୍ ଆସିବ ।’ ଏଥିପାଇଁ ସେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସେ କହିଲେ, ଦେଶର ଅନ୍ୟ ଭାଷାର ପତ୍ରପତ୍ରିକା ଏବଂ ଓଡ଼ିଆ ଭାଷାଠାରୁ ଅଧିକ ପ୍ରଚଳିତ ଭାଷାର ପତ୍ରପତ୍ରିକାଗୁଡ଼ିକର ପ୍ରକାଶନ ବନ୍ଦ ହୋଇଯାଉଥିବା ବେଳେ କାଦମ୍ବିନୀ ପ୍ରୟାସରେ ୫ଶହରୁ ଊର୍ଦ୍ଧ୍ୱ ପତ୍ରିକା ପ୍ରଦର୍ଶନୀ କରି ଏଠାରେ ଏକ ନୂଆ ଇତିହାସ ରଚନା କରିଛି । ଏହା ଆମକୁ ପତ୍ରିକା ପ୍ରକାଶନ ପାଇଁ ପ୍ରେରଣା ଯୋଗାଇଛି । ଭାରତରେ ଏତେ ସାହିତ୍ୟ ସର୍ଜନା ରହିଛି ଯେ, ବିଶ୍ୱରେ କୌଣସି ସ୍ଥାନରେ ଏତେ ସଂଖ୍ୟକ ସର୍ଜନା ଦେଖିବାକୁ ମିଳି ନଥାଏ । ବର୍ତ୍ତମାନ ସମୟରେ ସୂଚନା ପ୍ରଯୁକ୍ତି ବିଦ୍ୟାର ଗୁରୁତ୍ୱ ବଢ଼ିଛି । ‘ଏଆଇ’ ବ୍ୟବହାର ଦ୍ୱାରା ସର୍ଜନା ଧୀରେଧୀରେ କମିଯିବାର ସମ୍ଭାବନା ରହିଛି । ୫୦ବର୍ଷ ପରେ ମୌଳିକ ସାହିତ୍ୟ ଦେଖିବାକୁ ମିଳିବ ନାହିଁ କିମ୍ବା ସାହିତ୍ୟିକ, କବି ସୃଷ୍ଟି ହୋଇପାରିବେ ନାହିଁ । ଏଥିପ୍ରତି ଏବେଠାରୁ ଆମକୁ ସଜାଗ ହେବାକୁ ପଡ଼ିବ ବୋଲି ସେ କହିଥିଲେ ।
ମୁଖ୍ୟବକ୍ତା ଲେଖକ ଚନ୍ଦ୍ରପ୍ରକାଶ ଦ୍ୱିବେଦୀ କହିଲେ, ଯେଉଁଠି ଦୁଃଖ ଅଛି, ଯେଉଁଠି ପୀଡ଼ା ଅଛି ସେଠାରେ ସାହିତ୍ୟ ଅଛି । ଏହି ଦୁଃଖ ଓ ପୀଡ଼ା ସହ ଶବ୍ଦ ଯୋଡ଼ୁଥିବା ବ୍ୟକ୍ତି ଲେଖକ ହୋଇଯାଏ । କେତେକ ଲେଖକ ବ୍ୟକ୍ତିଗତ ପୀଡ଼ାର ପରିପ୍ରକାଶ କରନ୍ତି ମାତ୍ର ଯେଉଁମାନେ ସମଗ୍ର ବିଶ୍ୱର ପୀଡ଼ାର ପରିପ୍ରକାଶ କରନ୍ତି ସେମାନେ ମହାକବି ହୋଇଯାଆନ୍ତି । ଲେଖକ, ଅଭିନେତା ଓ ମଞ୍ଚ କଳାକାର ଅଖିଳେନ୍ଦ୍ର ମିଶ୍ର କହିଲେ, ସାହିତ୍ୟ ହେଉଛି ଋଗବେଦର ଅଂଶ । ବ୍ରହ୍ମାଣ୍ଡର ଉତ୍ପତି ହେଉଛି ସାହିତ୍ୟ । ପୁସ୍ତକ ପଠନ ଉପରେ ଗୁରୁତ୍ୱ ଦେଇ ଶ୍ରୀ ମିଶ୍ର କହିଲେ, ବହିକୁ ସ୍ପର୍ଶ କଲେ ଏକ ସ୍ୱତନ୍ତ୍ର ଅନୁଭବ ମିଳିଥାଏ । ସାହିତ୍ୟ ହେଉଛି ଜୀବନ । ସାହିତ୍ୟକୁ ପଢ଼ିବା ଦ୍ୱାରା ବିଭିନ୍ନ ବିଚାର ପ୍ରାପ୍ତ ହୋଇଥାଏ । କବିତା ପାଠ ଦ୍ୱାରା ଜୀବନର ଲୟ ପ୍ରାପ୍ତ ହୋଇଥାଏ । ଯେଉଁ ବ୍ୟକ୍ତି ସାହିତ୍ୟକୁ ଯେତେ ସମ୍ମାନ ଦିଏ ସେ ସେତେ ସମୃଦ୍ଧ ବୋଲି ଜଣାପଡ଼ିଥାଏ ବୋଲି ସେ କହିଥିଲେ । ଅନ୍ୟତମ ଅତିଥି ବିଶିଷ୍ଟ ଲେଖିକା, ସମ୍ପାଦିକା ଓ ବ୍ଲଗର୍ ନୀନା ବର୍ମା କହିଲେ, ସାହିତ୍ୟ ହିଁ ମନୁଷ୍ୟକୁ ସଭ୍ୟ କରିଥାଏ । ପ୍ରତ୍ୟେକ ମଣିଷ ତାଙ୍କ ଜୀବନରେ ସାହିତ୍ୟକ ଏକ ସ୍ୱତନ୍ତ୍ର ସ୍ଥାନ ଦେବା ଆବଶ୍ୟକ । ଡିଜିଟାଲ୍ ଏନ୍ଗେଜମେଣ୍ଟ ଛାପା ଗଣମାଧ୍ୟମର ବିକଳ୍ପ ହୋଇପାରିବ ନାହିଁ ବୋଲି ସେ କହିଥିଲେ । ବିଶିଷ୍ଟ ସାହିତ୍ୟିକା ବନଜ ଦେବୀ କହିଲେ, କାଦମ୍ବିନୀ ହେଉଛି ପତ୍ରିକା ଇତିହାସର ଏକ ଅନନ୍ୟ ଉଦାହରଣ । ଆତ୍ମୀୟତା ହେଉଛି ସବୁଠାରୁ ବଡ଼କଥା । କାଦମ୍ବିନୀରେ ଭରି ରହିଛି ଆତ୍ମୀୟତା । ପତ୍ରିକା ସାହିତ୍ୟକୁ ଚଳଚଞ୍ଚଳ ଓ ଗତିଶୀଳ କରିଥାଏ । ପତ୍ରିକା ଲେଖକ ତିଆରି କରେ ଓ ଲେଖକୁ ପରିଚୟ ପ୍ରଦାନ କରିଥାଏ ।
ଏହି ଅବସରରେ କାଦମ୍ବିନୀ ଓ କୁନିକଥାର ଜାନୁଆରୀ ସଂଖ୍ୟା ଉନ୍ମୋଚନ ହୋଇଥିଲା । ଚଳିତବର୍ଷ ‘ପରାଗ’ର ସମ୍ପାଦକ ବନମାଳୀ ସେନାପତି ଏବଂ ‘କାବ୍ୟଲୋକ’ର ସମ୍ପାଦକ ଭିକାରୀ ଧଳଙ୍କୁ ‘କାଦମ୍ବିନୀ ସମ୍ପାଦକ ସମ୍ମାନ-୨୦୨୫’ ଓ ବରିଷ୍ଠ ସାହିତ୍ୟିକ ରମେଶ ପ୍ରସାଦ ପାଣିଗ୍ରାହୀ, ଜୟକୃଷ୍ଣ ସାମଲ, ଶୈଳଜା କୁମାରୀ ଅପରାଜିତା ମହାନ୍ତି ଓ ପ୍ରଭାକର ଶତପଥୀଙ୍କୁ ‘କାଦମ୍ବିନୀ ସାହିତ୍ୟ ସମ୍ବର୍ଦ୍ଧନା-୨୦୨୫’ରେ ସମ୍ବର୍ଦ୍ଧିତ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କିଟ୍, କିସ୍ ଓ କାଦମ୍ବିନୀ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଶିଷ୍ଟ ସାହିତ୍ୟିକ କଇଳାଶ ପଟ୍ଟନାୟକ ସଭାପତିତ୍ୱ କରିଥିଲେ ଏବଂ କାଦମ୍ବିନୀ ସମ୍ପାଦିକା ଡ. ଇତିରାଣୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ‘ସେମାନେ ଓ ସେମାନଙ୍କ କବିତା’ ଶୀର୍ଷକରେ କବିତା ପାଠୋତ୍ସବ ଅନୁଷ୍ଠିତ ହେବା ସହ ଶିଶୁ କବିତା ପାଠୋତ୍ସବ ‘ଚୁଲବୁଲୀ, ଚୁଲ୍ବୁଲ୍ମାନଙ୍କ ସରସ ପଦ୍ୟ’ ଓ ‘ନୃତ୍ୟ, ଅଭିନୟର ଯୁଗଳବନ୍ଦୀ ଓ କୁନାକୁନିମାନେ’ ଅନୁଷ୍ଠିତ ହୋଇଥିଲା ।