ଅନ୍ତର୍ଜାତୀୟ ଯୋଗ ଦିବସରେ ମୁଖ୍ୟବାର୍ତ୍ତା ସୁସ୍ଥତା ପାଇଁ ଯୋଗ

ଖୋର୍ଦ୍ଧା : ୨୧/୦୬(ପ୍ରବାହ ନିଉଜ୍) : ପ୍ରକୃତି ସହ ମଣିଷ ଓ ମଣିଷର ମନ ସହ ଶରୀରର ମିଳନର ଏକମାତ୍ର ମାଧ୍ୟମ ହେଉଛି ଯୋଗାଭ୍ୟାସ । ପ୍ରାୟ ୫ ହଜାର ବର୍ଷ ତଳେ ଭାରତର ୠଷି ମହର୍ଷି ଏବଂ ସନ୍ୟାସୀଙ୍କ ଦ୍ୱାରା ଯୋଗର ଜନ୍ମ ହୋଇଥିଲା । ସୁସ୍ଥ ଶରୀର ହେଉ କି ସୁନ୍ଦର ତ୍ୱଚା, ଚିନ୍ତା ସହ ଚେତନାର ମିଳନ ହେଉକି ଅବସାଦ ମନକୁ ସତେଜ କରିବାର ପ୍ରମୁଖ ମାଧ୍ୟମ ହେଉଛି ଦୈନିକ ଯୋଗାଭ୍ୟାସ । ବିଭିନ୍ନ ମାରାତ୍ମକ ଦୂରାସାଧ୍ୟ ରୋଗକୁ ମଧ୍ୟ ଭଲ କରିବାରେ ଯୋଗର ଭୂମିକା ରହିଛି । ଯୋଗ ଅଭ୍ୟାସ ଦ୍ବାରା କେବଳ ଶରୀର ରୋଗ ମୁକ୍ତ ହୋଇନଥାଏ; ବରଂ ମନକୁ ମଧ୍ୟ ଶାନ୍ତି ମିଳିଥାଏ ।

ଆତ୍ମନିୟନ୍ତ୍ରଣ, ଆମ୍ବ-ଶୃଙ୍ଖଳା ଓ ଆତ୍ମଜ୍ଞାନ ପ୍ରଦାନ କରିବାରେ ଯୋଗ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ | ଦୈନନ୍ଦିନ ଯୋଗାଭ୍ୟାସ ମାନସିକ ଓ ଆଧ୍ୟାତ୍ମିକ ଅଭିବୃଦ୍ଧିରେ ସହାୟକ ହୋଇଥାଏ | ଯୋଗକୁ ଭାରତୀୟ ସଂସ୍କୃତିର ମହତ୍ତ୍ୱପୂର୍ଣ ଅଂଶ ବିବେଚନା କରାଯାଇ ଜୁନ ମାସ ୨୧ ତାରିଖକୁ ସମଗ୍ର ବିଶ୍ବରେ ଏବେ ଅନ୍ତର୍ଜାତୀୟ ଯୋଗ ଦିବସ ଭାବରେ ପାଳନ କରାଯାଉଛି।

ଏହି ପରିପ୍ରେକ୍ଷୀରେ ଆଜି ଜୁନ ମାସ ୨୧ ତାରିଖକୁ ଗତ ୨୦୧୪ ରୁ ପଲ୍ଲୀରୁ ଦିଲ୍ଲୀ ସବୁଠି ଯୋଗ ଶିବିର କରାଯାଇ ଯୋଗ ଉତ୍ସବ ପାଳନ କରାଯାଏ। କିନ୍ତୁ କରୋନା ଆତଙ୍କ ଯୋଗୁ କେନ୍ଦ୍ର ସରକାରଙ୍କ ନିୟମକୁ ମାନି କେହି ଏକାଠି ହୋଇ ପାରୁନାହାନ୍ତି। ବିଭିନ୍ନ ଶିକ୍ଷାନୁଷ୍ଠାନ ରେ ଚଳିତ ବର୍ଷ ଆନ୍ତର୍ଜାତିକ ଯୋଗ ଦିବସ ଭର୍ଟୁଆଲ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯାଇଛି।

ଅନ୍ତର୍ଜାତୀୟ ଯୋଗ ଦିବସ ପାଇଁ ଚଳିତବର୍ଷର ଥିମ୍ “ସୁସ୍ଥତା ପାଇଁ ଯୋଗ” କୁ ପାଥେୟ କରି ଖୋର୍ଦ୍ଧାର ବାଲୁଗାଁ ସ୍ଥିତ ଆଇ.ଏନ.ଏସ ଚିଲିକା ପରିସରରେ ପ୍ରଶିକ୍ଷାର୍ଥୀ ଯୋଗ ଦିବସକୁ କୋଭିଡ ନିୟମକୁ ପାଳି ଯୋଗଦିବସ ପାଳନ କରିଥିବା ବେଳେ ଖୋର୍ଦ୍ଧା ସହରର ଗୀତା ଭବନରେ ମଧ୍ୟ ଯୋଗଭ୍ୟାସ କରୁଥିବା ବ୍ୟକ୍ତି ଵିଶେଷଙ୍କ ଦ୍ୱାରା ଯୋଗଦିବସକୁ ପାଳନ କରାଯାଇଛି ।

ସେହିପରି ସିଗମା ପବ୍ଲିକ ସ୍କୁଲ ପକ୍ଷରୁ ଯୋଗ ଦିବସ ପାଳନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ସମସ୍ତ ଛାତ୍ରଛାତ୍ରୀ , ଅଭିଭାବକ ଘରେରହି ଅନଲାଇନରେ ଭର୍ଚୁଆଲ ମାଧ୍ୟମରେ ଯୋଗ ଦିବସକୁ ପାଳନ କରିଥିଲେ । ଯୋଗ ଗୁରୁ ସୀତାକାନ୍ତ ପଣ୍ଡା ସମସ୍ତଙ୍କୁ ସୂର୍ଯ୍ୟ ନମସ୍କାର, ପ୍ରାଣୟମ, କପାଳ ଭାରତୀ, ଅନୁଲମ ବିଲମ, ବିଭିନ୍ନ ମୁଦ୍ରା ସମ୍ପର୍କରେ ଶିକ୍ଷା ପ୍ରଦାନ କରିଥିଲେ।

ପିଲାମାନେ ଘରେ ରହି ନିଜ ନିଜର ମୋବାଇଲ ମାଧ୍ୟମ ରେ ଶିକ୍ଷା ଗ୍ରହଣ କରି ପରେ ଅଭ୍ୟାସ କରିଥିଲେ।।କରୋନାର ଆଗମୀ ତୃତୀୟ ଲହରୀ ପିଲାମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଚେତାବନୀ ଦେଇଥିବାରୁ ଯୋଗ ମାଧ୍ୟମରେ ଶିଶୁମାନେ ନିଜକୁ ସୁସ୍ଥ ଓ ନିରୋଗ ରଖିବାର ଏହି ପ୍ରୟାସକୁ ଅଭିଭାବକ ମହଲରେ ସ୍ୱାଗତ କରାଯାଇଛି।

ବର୍ତ୍ତମାନ କରୋନା ମହାମାରୀର କବଳରେ ସମଗ୍ର ବିଶ୍ବବାସୀ ଆତଙ୍କିତ ଅବସ୍ଥାରେ ଥିବାବେଳେ ଏହି ଦୁର୍ଦିନ ପରିସ୍ଥିତିରେ କେବଳ ନିରାଡ଼ମ୍ବର ଜୀବନଚର୍ଯ୍ୟା ସହିତ ଯୋଗ ଓ ପ୍ରାଣାୟମ ଦ୍ବାରା ମଣିଷ ସୁସ୍ଥଭାବେ ଜୀବନ ଅତିବାହିତ କରିପାରିବ।