ନୟାଗଡ଼ରେ ଭୂତ ଭିନ୍ନକ୍ଷମ ହିତାଧିକାରୀଙ୍କୁ ମିଳୁଛି ଭତ୍ତା : ସନ୍ଦେହ ଘେରରେ ସାମାଜିକ ସୁରକ୍ଷା ଅଧିକାରୀ ଓ ଡାଟା ଏଣ୍ଟ୍ରି ଅପରେଟର

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ମାଳ ମାଳ ଭୂତ ଭତ୍ତା ହିତାଧିକାରୀଙ୍କୁ ନେଇ ଜିଲ୍ଲା ପ୍ରଶାସନ ଅଡୁଆରେ ପଡ଼ିଛି। ଜଣେ କି ଦୁଇଜଣ ନୁହଁ ଶହ ଶହ ଭୂତ ହିତାଧିକାରୀ ଭତ୍ତା ହାତେଇବାରେ ସଫଳ ହୋଇଛନ୍ତି। ସେତିକି ନୁହଁ, ଦିବ୍ୟାଙ୍ଗ ନହୋଇ ମଧ୍ୟ ସରକାରଙ୍କ ଏହି ଯୋଜନାକୁ ମାଡ଼ି ବସିଥିବାର ଠୋସ୍ ପ୍ରମାଣ ମଧ୍ୟ ରହିଛି। ଜିଲ୍ଲାରେ ଏହି ଯୋଜନା ସୀମା ଟପିଥିବା ବେଳେ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଓ ଡାଟା ଏଣ୍ଟ୍ରି ଅପରେଟର୍‌ଙ୍କ ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲାର ୮ଟି ବ୍ଲକ୍, ୪ଟି ଏନ୍‌ଏସି ଓ ପୌରପାଳିକା ବୃଦ୍ଧବୃଦ୍ଧା, ବିଧବା, ଦିବ୍ୟାଙ୍ଗ, ଅସହାୟ ମାନଙ୍କୁ ଭତ୍ତା ଯୋଜନାରେ ସାମିଲ୍ କରିବାକୁ କେନ୍ଦ୍ର ତଥା ରାଜ୍ୟ ସରକାର ଯୋଜନା କାର୍ଯ୍ୟକାରୀ କରିଛନ୍ତି। କିନ୍ତୁ ଯୋଗ୍ୟଙ୍କ ବଦଳରେ ଅଯୋଗ୍ୟ ମାନଙ୍କୁ ଏହି ଯୋଜନାରେ ସାମିଲ୍ କରାଯାଇଛି। ଜିଲ୍ଲାରେ ମଧୁବାବୁ ଭତ୍ତା ଯୋଜନାରେ ୧ ଲକ୍ଷ ୩ ହଜାର ୩୯୩ ଜଣ ଭତ୍ତା ପାଇଁ ଟାର୍ଗେଟ ଥିବାବେଳେ ୧ ଲକ୍ଷ ୧ ହଜାର ୮୫୬ ଜଣ ହିତାଧିକାରୀଙ୍କୁ ସାମିଲ୍ କରାଯାଇଛି। ସେହିପରି ଇନ୍ଦିରାଗାନ୍ଧି ଭତ୍ତା ଯୋଜନାରେ ୫୩ ହଜାର ୧୯୭ ଜଣଙ୍କ ମଧ୍ୟରୁ ୫୧ ହଜାର ୯୫୯ ଜଣଙ୍କୁ ଭତ୍ତା ପ୍ରଦାନ କରାଯାଉଛି। ଏହା ମଧ୍ୟରୁ ଦିବ୍ୟାଙ୍ଗ ଭତ୍ତା ପାଇଁ ୪୨ ହଜାର ଟାର୍ଗେଟ ଥିବାବେଳେ ୩୫ ହଜାର ଦିବ୍ୟାଙ୍ଗ ଭତ୍ତା ପାଉଥିବା ଜଣାପଡ଼ିଛି। କିଛି ଦଲାଲଙ୍କୁ ହାତବାରିସି କରି ଦିବ୍ୟାଙ୍ଗ ପ୍ରମାଣପତ୍ର ହାସଲ କରି ଭତ୍ତା ଯୋଜନାକୁ ଆତ୍ମସାତ୍ କରିବାକୁ ଯୋଜନା କରାଯାଇଛି। ଏଥିରେ କେବଳ ଯେ ଦଲାଲଙ୍କ ହାତ ରହିଛି ତାହା ନୁହେଁ, ଡାଟା ଏଣ୍ଟ୍ରି ଅପରେଟର ଓ ବ୍ଳକ୍ ସାମାଜିକ ସୁରକ୍ଷା ଅଧିକାରୀଙ୍କ ସଂପୂର୍ଣ୍ଣ ହାତ ଥିବା କୁହାଯାଉଛି। ଏହା ପଛରେ ଏକ ରାକେଟ୍ କାମ କରୁଥିବାରୁ ଏହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ବିଭିନ୍ନ ବ୍ଲକ୍‌କୁ ଅନୁଧ୍ୟାନ କଲେ ନୟାଗଡ଼ ବ୍ଲକ୍ ରେ ମଧୁବାବୁ ଭତ୍ତା ଯୋଜନାରେ ୧୬ ହଜାର ୪୮୬ ଓ ଇନ୍ଦିରାଗାନ୍ଧି ଜାତୀୟ ଭତ୍ତା ଯୋଜନାରେ ୮ ହଜାର ୫୮ ଜଣ ସାମିଲ୍ ହୋଇଛନ୍ତି। ଭାପୁର ବ୍ଲକ୍‌ ରେ ମଧୁବାବୁ ଯୋଜନାରେ ୧୦ ହଜାର ୭୨୩ ଜଣ ଓ ଇନ୍ଦିରାଗାନ୍ଧି ଭତ୍ତା ଯୋଜନାରେ ୫ ହଜାର ୮୭୦ ଜଣ ସାମିଲ୍ ହୋଇଛନ୍ତି, ଦଶପଲ୍ଲା ବ୍ଲକ୍ ରେ ମଧୁବାବୁ ଯୋଜନାରେ ୮ ହଜାର ୩୦୭ ଜଣ ଓ ଇନ୍ଦିରାଗାନ୍ଧି ଭତ୍ତା ଯୋଜନାରେ ୫ ହଜାର ୨୦୯ ଜଣ ସାମିଲ୍ ହୋଇଛନ୍ତି। ସେହିପରି ଗଣିଆ ବ୍ଲକ୍‌ରେ ମଧୁବାବୁ ଯୋଜନାରେ ୪ ହଜାର ୩୧୪ ଜଣ ଓ ଇନ୍ଦିରାଗାନ୍ଧି ଭତ୍ତା ଯୋଜନାରେ ୨ ହଜାର ୫୩ ଜଣ ସାମିଲ୍ ହୋଇଛନ୍ତି। ଖଣ୍ଡପଡ଼ା ବ୍ଲକ୍‌ ରେ ମଧୁବାବୁ ଯୋଜନାରେ ୧୧ ହଜାର ୭୮୪ ଜଣ ଓ ଇନ୍ଦିରାଗାନ୍ଧି ଭତ୍ତା ଯୋଜନାରେ ୫ ହଜାର ୯୩୧ ଜଣ ଭତ୍ତା ପାଉଛନ୍ତି। ନୂଆଗାଁ ବ୍ଲକ୍ ରେ ମଧୁବାବୁ ଭତ୍ତା ଯୋଜନାରେ ୧୦ ହଜାର ୫୭୦ ଜଣ ଓ ଇନ୍ଦିରାଗାନ୍ଧି ଭତ୍ତା ଯୋଜନାରେ ୫ ହଜାର ୧୨୦ ଜଣ ସାମିଲ୍ ହୋଇଛନ୍ତି। ଓଡ଼ଗାଁ ବ୍ଲକ୍‌ ରେ ମଧୁବାବୁ ଭତ୍ତା ଯୋଜନାରେ ୧୭ ହଜାର ୯୮୭ ଜଣ ଓ ଇନ୍ଦିରାଗାନ୍ଧି ଭତ୍ତା ଯୋଜନାରେ ୮ ହଜାର ୯୫୧ ଜଣ ଓ ରଣପୁର ବ୍ଲକ୍‌ ରେ ମଧୁବାବୁ ଭତ୍ତା ଯୋଜନାରେ ୧୬ ହଜାର ୬୧୬ ଜଣ ଓ ଇନ୍ଦିରାଗାନ୍ଧି ଭତ୍ତା ଯୋଜନାରେ ୮ ହଜାର ୩୬୫ ଜଣଙ୍କୁ ସାମିଲ୍ କରି ଭତ୍ତା ପ୍ରଦାନ କରାଯାଉଛି। ସେହିପରି ଦଶପଲ୍ଲା ଏନ୍‌ଏସିରେ ମଧୁବାବୁ ଭତ୍ତା ଯୋଜନାରେ ୧୮୦୧ ଜଣ ଓ ଇନ୍ଦିରାଗାନ୍ଧି ଭତ୍ତା ଯୋଜନାରେ ୫୦୧ ଜଣ, ଖଣ୍ଡପଡ଼ା ଏନ୍ଏସିରେ ମଧୁବାବୁ ଭତ୍ତା ଯୋଜନାରେ ୬୪୨ ଜଣ ଓ ଇନ୍ଦିରାଗାନ୍ଧି ଭତ୍ତା ଯୋଜନାରେ ୫୧୩ ଜଣଙ୍କୁ ସାମିଲ୍ କରାଯାଇଛି। ନୟାଗଡ଼ ପୌରାଞ୍ଚଳରେ ମଧୁବାବୁ ଯୋଜନାରେ ୫୯୯ ଜଣ ଓ ଇନ୍ଦିରାଗାନ୍ଧି ଭତ୍ତା ଯୋଜନାରେ ୪୭୧ ଜଣଙ୍କୁ ସାମିଲ୍ କରାଯାଇଛି। ଓଡ଼ଗାଁ ଏନ୍‌ଏସିରେ ମଧୁବାବୁ ଯୋଜନାରେ ୧୦୯୬ ଜଣ ଓ ଇନ୍ଦିରାଗାନ୍ଧି ଭତ୍ତା ଯୋଜନାରେ ୨୪୩ ଜଣ, ରଣପୁର ଏନ୍‌ଏସିରେ ମଧୁବାବୁ ଯୋଜନାରେ ୧୩୯୦ ଜଣ ଓ ଇନ୍ଦିରାଗାନ୍ଧି ଭତ୍ତା ଯୋଜନାରେ ୫୬୪ ଜଣଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଜିଲ୍ଲାରେ ସମସ୍ତ ବାଦ୍ଧକ୍ୟ, ବିଧବା, ଭିନ୍ନକ୍ଷମ, କିନ୍ନର, ସ୍ଵାମୀ ପରିତ୍ୟକ୍ତା କିମ୍ବା ଅବିବାହିତ ମହିଳାଙ୍କୁ ସାମିଲ୍ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ବେଳେ ଗାଁ ଗାଁରେ ଦଲାଲ ମାନେ ପଶି ଭତ୍ତା କରିବାକୁ କହି ଲୋକଙ୍କୁ ଶୋଷଣ କରୁଛନ୍ତି। ସେମାନଙ୍କ ଠାରୁ ୧୦ ହଜାରରୁ ଊର୍ଦ୍ଧ୍ବ ଟଙ୍କା ନେଇ ଦିବ୍ୟାଙ୍ଗ ପ୍ରମାଣପତ୍ର କରି ଭତ୍ତା ଯୋଜନାରେ ସାମିଲ୍ କରାଯାଉଛି। ଏହି ଯୋଜନା ବାଟ ହୁଡ଼ିଥିବା ବେଳେ କେବେ ଏହି ରାକେଟ ଧରାପଡ଼ିବ ଓ କାର୍ଯ୍ୟାନୁଷ୍ଠାନ ହେବ ତାହା ଦେଖିବାକୁ ବାକି ରହିଲା। ପ୍ରତି ବ୍ଲକରେ କାର୍ଯ୍ୟ କରୁଥିବା ସାମାଜିକ ସୁରକ୍ଷା ଅଧିକାରୀ ୬ ବର୍ଷରୁ ଊର୍ଦ୍ଧ ଦିନ ରହିଥିବାରୁ ଦୁର୍ନୀତି ହେଉଥିବା ଯୋଗ୍ୟ ହିତାଧିକାରୀ କହିଛନ୍ତି। ଏହି ଘଟଣାରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଆଦିପତି କଅଁର, ଭତ୍ତା ଦୁର୍ନୀତି ଅଭିଯୋଗ ଆସିବା ପରେ ଆମେ କାର୍ଯ୍ୟାନୁଷ୍ଠାନ ନେଉଛୁ :  ଜିଲ୍ଲାରେ ପାଖାପାଖି ଦେଢ଼ଲକ୍ଷ ହିତାଧିକାରୀଙ୍କୁ ଯାଞ୍ଚ କରିବା ସମ୍ଭବ ହେଉନାହିଁ। ଦିବ୍ୟାଙ୍ଗ ପ୍ରମାଣପତ୍ରକୁ ନେଇ ସେ କହିଛନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ରିପୋର୍ଟ ଅନୁଯାୟୀ ଆମେ ଭତ୍ତା ମଞ୍ଜୁର କରୁଛୁ। ତଥାପି ୨୦୨୧ ମସିହା ପରଠାରୁ ଦୁଇଥର ଲେଖାଏଁ ଯାଞ୍ଚ ପାଇଁ ଆମେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପାଖକୁ ପଠାଉଛୁ। ଏହା ପୂର୍ବରୁ ଯଦି କିଛି ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇଥାଇପାରନ୍ତି ତାହା କହିବା ଅସମ୍ଭବ ବୋଲି କହିଥିଲେ। ତଥାପି ଆମେ ତଦନ୍ତ କରିବୁ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *