ଯୌତୁକ ପାଇଁ ସ୍ୱାମୀ, ଶାଶୁ ଓ ଶ୍ୱଶୁର ମିଶି କରିଲେ ବଧୂ ହତ୍ୟା

ଚିଲିକା: ୨/୯(ପ୍ରବାହ ନିଉଜ) ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଘଟି ଯାଇଛି ଏକ ଦୁଃଖଦ ଘଟଣା। ଯୌତୁକ ପାଇଁ ସ୍ୱାମୀ, ଶାଶୁ ଓ ଶ୍ୱଶୁର ମିଶି ବଧୂ ହତ୍ୟା କରିଥିବା ନେଇ ଆସିଛି ଅଭିଯୋଗ । ଅଭିଯୋଗ ଆଣିଛନ୍ତି ବଧୂଙ୍କ ଭାଇ ଗୋପାଳକୃଷ୍ଣ ପଣ୍ଡା।

ଅଭିଯୋଗ ମୁତାବକ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅଞ୍ଚଳର ମୋରଡା ଗ୍ରାମର ଗୋପାଳଙ୍କ ସାନ ଭଉଣୀ ସ୍ଵାଗତିକା ପଣ୍ଡା ଗତ ଜୁନ ୨୦୨୦ରେ ବାଲୁଗାଁ ଥାନା ଅନ୍ତର୍ଗତ ସିଙ୍ଗେଶ୍ୱର ଗ୍ରାମର ଆଇନଜୀବୀ ଅରୁଣ ହୋତାଙ୍କ ପୁଅ ପ୍ରିତମ ହୋତାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ପରେ ସ୍ଵାଗତିକାଙ୍କୁ ସ୍ୱାମୀ ପ୍ରିତମଙ୍କ ସମେତ ଶାଶୁ ଶ୍ୱଶୁର ବାରମ୍ବାର ଯୌତୁକଜନିତ ନିର୍ଯ୍ୟାତନା ଦେଇଆସୁଥିଲେ। ତେବେ ଗତକାଲି ସନ୍ଧ୍ୟାରେ ଗୋପାଳ ତାଙ୍କ ଭଉଣୀ ସ୍ଵାଗତିକାଙ୍କ ସହ କଥା ହେବା ନିମନ୍ତେ ତାଙ୍କୁ ଏବଂ ତାଙ୍କ ସ୍ୱାମୀ, ଶାଶୁ ଓ ଶ୍ୱଶୁରଙ୍କୁ ଫୋନ କରିଥଲେ ସୁଦ୍ଧା କେହି ଫୋନ ଉଠାଇନଥିଲେ। ଏବଂ ସେ ପରବର୍ତ୍ତୀ ସମୟରେ ଜଣେ ସମ୍ପର୍କୀୟଙ୍କ ଠାରୁ ଜାଣିବାକୁ ପାଇଥିଲେ ଯେ, ତାଙ୍କ ଭଉଣୀ ସ୍ଵାଗତିକାଙ୍କ ମର ଶରୀର ବାଲୁଗାଁ ମେଡିକାଲରେ ପଡ଼ିଛି।

ତେବେ ଭଉଣୀ ସ୍ୱାଗତିକାକୁ ଯୋଜନାବଦ୍ଧ ହତ୍ୟା କରାଯାଇଛି ବୋଲି ଗୋପାଳ ଅଭିଯୋଗ କରିଛନ୍ତି। ଖବର ପାଇ ବାଲୁଗାଁ ଏସଡିପିଓ, ଆଇଆଇସି ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ କେସ ନମ୍ବର ୧୭୨/୨୨ ରେ ଦଫା ୩୦୨, ୩୦୪ (ଖ) ରେ ମାମଲା ରୁଜ୍ଜୁ କରି ପ୍ରାଥମିକ ପର୍ଯ୍ୟାୟରେ ସ୍ୱାଗତିକାଙ୍କ ସ୍ୱାମୀ ଓ ଶ୍ୱଶୁରଙ୍କୁ ଗିରଫ କରିଛନ୍ତି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ବାଲୁଗାଁ ଥାନା ଅଧିକାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *