ଶିଶିର ସରସରେ ଓଡ଼ିଶାର ଜିଆଇ ଟ୍ୟାଗ୍ ହସ୍ତତନ୍ତ-ହସ୍ତଶିଳ୍ପର ଚାହିଦା
- ହ୍ୟୁମାନ ସାଗରଙ୍କ ଗୀତରେ ଭାବ ପ୍ରବଣ ହେଲେ ଦର୍ଶକ
- ମକରରେ ରେକର୍ଡ଼ କଲା ବ୍ୟବସାୟ
- ୧୬ରେ ହେବ ‘ସ୍ୱ-ତନ୍ତ’ ଫ୍ୟାସନ ଶୋ’
ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ : ଓଡ଼ିଶା ନିଜର ସମୃଦ୍ଧ ଐତିହ୍ୟ, କଳା ଓ ହସ୍ତଶିଳ୍ପ ଓ କୃଷି ଉତ୍ପାଦ ପାଇଁ ସମଗ୍ର ଦେଶ ଓ ବିଶ୍ୱରେ ପରିଚିତ । ଏହି ଐତିହ୍ୟ ଓ ପାରମ୍ପରିକ ପରିଚୟର ସୁରକ୍ଷା ସହିତ ସେଗୁଡ଼ିକୁ ଅଧିକ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ରାଜ୍ୟର ଅନେକ ବିଶିଷ୍ଟ ଉତ୍ପାଦକୁ ଭୌଗୋଳିକ ସୂଚକ (ଜିଆଇ) ଟ୍ୟାଗ୍ ପ୍ରଦାନ କରାଯାଇଛି ।
ଓରମାସ୍ ଓ ସୁଭଦ୍ରା ଶକ୍ତି ମିଳିତ ଉଦ୍ୟମରେ ଆୟୋଜିତ ହୋଇଥିବା ଶିଶିର ସରସ ମେଳା-୨୦୨୬ ରେ ଓଡ଼ିଶାର ପ୍ରମୁଖ ଜିଆଇ ଟ୍ୟାଗ୍ ପ୍ରାପ୍ତ ଉତ୍ପାଦନ ସ୍ୱତନ୍ତ୍ର ଷ୍ଟଲ ଲାଗିଛି । ଓଡ଼ିଶାର ପ୍ରମୁଖ ଜିଆଇ ଟ୍ୟାଗ୍ ପ୍ରାପ୍ତ ଉତ୍ପାଦମାନଙ୍କ ମଧ୍ୟରେ ପୁରୀ ଏବଂ ଖୋର୍ଦ୍ଧା ଜିଲାର ପଟ୍ଟଚିତ୍ର, ପିପିଲିର ଚାନ୍ଦୁଆ, ଗଜପତି ଜିଲାର ଖଜୁରୀ ଗୁଡ଼, କେନ୍ଦ୍ରାପଡ଼ା ରସାବଳୀ, କନ୍ଧମାଳ ହଳଦୀ ଏବଂ ହସ୍ତତନ୍ତ କ୍ଷେତ୍ରରେ ବଲାଙ୍ଗୀର ବୋମ୍କେଇ, ବୌଦ୍ଧ, ବରଗଡ, ସମ୍ବଲପୁର ଓ ସୋନପୁର ଜିଲାର ଓଡ଼ିଶା ଇକ୍କତ୍ ଓ ସମ୍ବଲପୁରୀ ବାନ୍ଧ, କୋରାପୁଟ ଜିଲାର କୋଟପାଡ, କଳାହାଣ୍ଡିର ହବସପୁରୀ, ଯାଜପୁର ଜିଲା ଗୋପାଳପୁର ଅଞ୍ଚଳର ଟସର୍ ଶିଳ୍ପ ଆଦି ଜିଆଇ ଟ୍ୟାଗ୍ ପ୍ରାପ୍ତ ଉତ୍ପାଦ ଶିଶିର ସରସ-୨୦୨୬ର ପ୍ରମୁଖ ଷ୍ଟଲରେ ବିକ୍ରି ହେଉଛି । ଏ ସମସ୍ତ ଉତ୍ପାଦ ଓ ହସ୍ତତନ୍ତ ତଥା ହସ୍ତକଳାକୁ କିଣିବା ପାଇଁ ଷ୍ଟଲଗୁଡ଼ିକରେ ଗ୍ରାହକମାନଙ୍କ ଭିଡ଼ ଦେଖିବାକୁ ମିଳୁଛି ।
ଜିଆଇ ଟ୍ୟାଗ୍ ପ୍ରାପ୍ତ ଫଳରେ ସ୍ଥାନୀୟ କାରିଗର, ବୁଣାକାର ଓ କୃଷକମାନେ ସେମାନଙ୍କର ଉତ୍ପାଦର ଯଥୋଚିତ ମୂଲ୍ୟ ପାଇପାରୁଛନ୍ତି । ଏହା ସହିତ ରାଜ୍ୟର ଆର୍ôଥକ ବିକାଶ ଓ ରୋଜଗାର ସୃଷ୍ଟିରେ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ରାଜ୍ୟ ସରକାର ଓ ବିଭିନ୍ନ ସହକାରୀ ସଂସ୍ଥାଗୁଡ଼ିକ ଜିଆଇ ଟ୍ୟାଗ୍ ଉତ୍ପାଦକୁ ପ୍ରଚାର ପ୍ରସାର, ବ୍ୟବସାୟୀକରଣ ଓ ରପ୍ତାନୀ କ୍ଷେତ୍ରରେ ବହୁମୁଖୀ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି କ୍ରମରେ ଓର୍ମାସ୍ ପ୍ରମୁଖ ଜିଆଇ ଟ୍ୟାଗ୍ ପ୍ରାପ୍ତ ଉତ୍ପାଦଗୁଡ଼ିକର ବିକ୍ରିକୁ ସହଜ କରିବା ପାଇଁ ଉଦ୍ୟୋଗୀମାନଙ୍କୁ ବଜାର ସଂଯୋଗ ପ୍ରଦାନ କରୁଛି ।
ଶିଶିର ସରସ-୨୦୨୬ ମେଳାର ୫ମ ଦିନ ମକର ସଂକ୍ରାନ୍ତି ଅବସରରେ ୨ କୋଟି ୭୫ ଲକ୍ଷ ଟଙ୍କାର କିଣାବିକା ହୋଇଛି, ଯାହାକି ଚଳିତ ବର୍ଷର ସମସ୍ତ ରେକର୍ଡ଼ ଭଙ୍ଗ କରି ମେଳାର ସର୍ବୋଚ୍ଚ ବ୍ୟବସାୟ କରିଛି ।
ମେଳାର ୬ଷ୍ଠ ତମ ଦିବସ ଅବସରରେ ଶିଶିର ସରସ ପଡ଼ିଆରେ ଗ୍ରାହକଙ୍କ ଭିଡ଼ ଲକ୍ଷ୍ୟ କରାଯାଇଛି । ମେଳା ବୁଲିବା ସହ ଗ୍ରାହକମାନେ ଚଟ୍ପଟା ଖାଦ୍ୟର ଉପଭୋଗ କରିଛନ୍ତି । ସନ୍ଧ୍ୟାରେ ଦିବଙ୍ଗତ ଓଲିଉଡ୍ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ସ୍ମୃତିରେ ‘ହ୍ୟୁମାନ୍ ସାଗର ନାଇଟ୍’ ଆୟୋଜନ ହୋଇଥିଲା । ହ୍ୟୁମାନ ସାଗରଙ୍କ ଲୋକପ୍ରିୟ ଗୀତରେ ଦର୍ଶକମାନେ ଭାବପ୍ରବଣ ହୋଇ ସ୍ୱର୍ଗତ ଗାୟକଙ୍କ ସ୍ମୃତିକୁ ସ୍ନେହପୂର୍ଣ୍ଣ ଭାବେ ସ୍ମରଣ କରିଥିଲେ ।
ଆସନ୍ତା ୧୬ ତାରିଖ ଶିଶିର ସରସ ମେଳା ପଡ଼ିଆରେ ‘ସ୍ୱ-ତନ୍ତ’ ଫ୍ୟାସନ ଶୋ’ ଆୟୋଜିତ ହେବାକୁ ଯାଉଛି । ଏହି ଫ୍ୟାସନ ଶୋ’ରେ ଭାଗ ନେଇଥିବା ମଡେଲମାନେ ଓଡ଼ିଶାର ପାରମ୍ପରିକ ବସ୍ତ୍ର ଓ ଶାଢୀ ପରିଧାନ କରି ର୍ୟାମ୍ପ୍ ୱାକ୍ କରିବେ । ଫ୍ୟାସନ ଶୋ’ରେ ଉଭୟ ମହିଳା ଓ ପୁରୁଷ ମଡେଲମାନେ ଅଂଶଗ୍ରହଣ କରୁଛନ୍ତି । ଏହି ଫ୍ୟାସନ ଶୋ’ ମାଧ୍ୟମରେ ଓଡ଼ିଶାର ପ୍ରମୁଖ ହସ୍ତତନ୍ତକୁ ପ୍ରଦର୍ଶନ କରାଯିବ । ଏହା ଏକ ସମସାମୟିକ ହସ୍ତତନ୍ତ ପ୍ରଦର୍ଶନୀ, ଯେଉଁଥିରେ ଆଧୁନିକ ଦୃଷ୍ଟିକୋଣ ମାଧ୍ୟମରେ ଓଡ଼ିଶାର ସମୃଦ୍ଧ ବୟନ ପରମ୍ପରାକୁ ନୂତନ ଭାବେ ପ୍ରସ୍ତୁତ କରେ । ‘ସ୍ୱ-ତନ୍ତ’ ଫ୍ୟାସନ ଶୋ’ ଜୀବନ୍ତ ପରମ୍ପରାକୁ ପାଳନ ଐତିହ୍ୟକୁ ଅତୀତରେ ସୀମିତ ନ ରଖି ବର୍ତ୍ତମାନ ଓ ଭବିଷ୍ୟତ ସହ ଯୋଡ଼ିବ ବୋଲି ଆଶା କରାଯାଉଛି । ଏହି କାର୍ଯ୍ୟକ୍ରମ ସନ୍ଧ୍ୟା ୭ ଟା ରେ ଆରମ୍ଭ ହେବ ।
