ମୃତ ବାୟୁସେନା ସର୍ଜେଣ୍ଟଙ୍କୁ ଗାର୍ଡ ଅଫ ଅନର ପ୍ରଦାନ

କରଞ୍ଜିଆ, ପ୍ରବାହ : କରଞ୍ଜିଆର ୱାର୍ଡ ନଂ ୩ରେ ରହୁଥିବା ଅବସରପ୍ରାପ୍ତ ବାୟୁସେନା ସୈନିକ ସର୍ଜେଣ୍ଟ ତନୁରାମ ପାତ୍ର(୬୫)ଙ୍କ ହୃଦଘାତରେ ଗୁରୁବାର ମୃତ୍ୟୁ ହୋଇଯାଇଛି । ବାୟୁସେନାରେ ଜଣେ ଶୃଙ୍ଖଳିତ ସୈନିକ ଭାବେ କାର୍ଯ୍ୟ କରିବା ପରେ ଆସାମର ଜରହଟରୁ ୧୯୯୩ରେ ଅବସର ପରେ ଓଡିଶାର ଚାରବାଟିଆସ୍ଥିତ ଏଭିଏସନ ରିସର୍ଚ୍ଚ ସେଣ୍ଟରରେ ୧୯୯୫ରୁ ୨୦୧୯ ପର୍ଯ୍ୟନ୍ତ ବୈଷୟିକ ଅଧିକାରୀ ଭାବେ କାର୍ଯ୍ୟ କରି ଅବସର ନେଇଥିଲେ । ତାଙ୍କର ମୃତ୍ୟୁ ଖବର ପାଇବାପରେ କଲେଇକୁଣ୍ଡାସ୍ଥିତ ବାୟୁସେନା କାର୍ଯ୍ୟାଳୟରୁ ଜୁନିୟର ୱାରେଣ୍ଟ ଅଧିକାରୀ ତ୍ରିଲୋଚନ ତ୍ରିପାଠୀଙ୍କ ନେତୃତ୍ୱରେ ୨୦ଜଣ ସୈନିକ ତାଙ୍କ ବାସଭବନରେ ପହଞ୍ଚିଥିଲେ । ଯଶିପୁରରେ ଉକ୍ତ ଦଳଙ୍କୁ ଅବସରପ୍ରାପ୍ତ ମେଜର ଡି ଏନ ଦାସ, କ୍ୟାପଟେନ କ୍ଷିତିଶ ସିଂ, ସୁବେଦାର ମେଜର ପି କେ ଗିରି, ସୁବେଦାର ପ୍ରଭାକର ମହାନ୍ତ, ସର୍ଜେଣ୍ଟ ବିଜୟ କୁମାର ମହାନ୍ତ, ଫ୍ଲାଇଟ ଲେଫ୍ଟନେଣ୍ଟ ଜନାର୍ଦ୍ଦନ ମହାନ୍ତ ପ୍ରମୁଖ ସ୍ୱାଗତ କରି କରଞ୍ଜିଆକୁ ପାଛୋଟି ଆଣିଥିଲେ । ସୈନିକମାନେ ସ୍ବର୍ଗତ ପାତ୍ରଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପୂର୍ବକ ତାଙ୍କ ମରଶରୀରରେ ଜାତୀୟ ପତାକା ଓ ପୁଷ୍ପ ମାଲ୍ୟ ଦେଇ ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ । ବାୟୁସେନା କାର୍ଯ୍ୟାଳୟ ପକ୍ଷରୁ ତାଙ୍କ ସହଧର୍ମିଣୀଙ୍କୁ ଅନ୍ତ୍ୟେଷ୍ଟିକ୍ରିୟା ନିମନ୍ତେ ନଗଦ ୧୦ହଜାର ଟଙ୍କା ପ୍ରଦାନ କରିଥିଲେ । ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ ସମୟରେ କରଞ୍ଜିଆସ୍ଥିତ ଅବସରପ୍ରାପ୍ତ କ୍ୟାପଟେନ ଜୟରାମ ଦେହୁରୀଙ୍କ ନେତୃତ୍ୱରେ ସୁବେଦାର ମେଜର ଭୂଷଣ କୁମାର ଦାସ, ସୁବେଦାର ଗୋପାଳ ଦାସ, ସିପିଓ ସୌରଭ ଦାସ, ସୁବେଦାର ସିଙ୍କୁ, ନାଏକ ସୁବେଦାର ସୋଡ଼ା ଫାୟାନ ସର୍ଜେଣ୍ଟ ମନୋଜ କୁମାର ପୃଷ୍ଟି ଓ ସର୍ଜେଣ୍ଟ ସତ୍ୟେନ୍ଦ୍ର ନାରାୟଣ ଦାସ ଜାତୀୟ ପତାକାକୁ ତାଙ୍କ ମରଶରୀର ଉପରେ ବିଛାଇ ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ । ସରସ୍ୱତୀ ଶିଶୁମନ୍ଦିର ^òKUùe ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ପୁଅ ବିକାଶ କୁମାର ପାତ୍ର ମୁଖାଗ୍ନି ଦେଇଥିବା ଜଣାଯାଇଛି ।