ଗରିବ ଓ ବଞ୍ଚିତଙ୍କ ଜୀବନ ବଦଳାଉଛି କେନ୍ଦ୍ର ସରକାରଙ୍କ

ଭୁବନେଶ୍ୱର, ୨୦ ଫେବୃଆରୀ :
କେନ୍ଦ୍ର ସରକାରଙ୍କ ପ୍ରମୁଖ କଲ୍ୟାଣକାରୀ ଯୋଜନା ଗ୍ରାମାଞ୍ଚଳର ଗରିବଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି। ଏହାର ପରିଣାମ ସ୍ୱରୂପ ବିଗତ ୧୦ ବର୍ଷ ମଧ୍ୟରେ ଦେଶର ୨୫ କୋଟିରୁ ଅଧିକ ଲୋକ ଦାରିଦ୍ର‌୍ୟ କବଳରୁ ମୁକ୍ତି ପାଇଛନ୍ତି। ଗରିବ ହିତାଧିକାରୀ ଏବେ କେନ୍ଦ୍ରୀୟ ଯୋଜନାର ସୁଫଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି। ନିକଟରେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ବାଘଦିଆନି ଗ୍ରାମପଞ୍ଚାୟତରେ ।
କେନ୍ଦ୍ର ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାର ଶତପ୍ରତିଶତ ପ୍ରସାର ପାଇଁ ଜାରି ରହିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା କାର‌୍ୟ୍ୟକ୍ରମରେ ଅଂଶଗ୍ରହଣ କରି କେନ୍ଦ୍ରୀୟ ଯୋଜନାର ହିତାଧିକାରୀମାନେ ସେମାନଙ୍କ ଜୀବନରେ ଆସିଥିବା ପରିବର୍ତ୍ତନ ସମ୍ପର୍କରେ ସୂଚନା ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ରମା ନାଏକ କହିଛନ୍ତି, ପୂର୍ବରୁ ସେ ପାରମ୍ପରିକ ଚୁଲିରେ ରୋଷେଇ କରୁଥିଲେ। ଜାଳେଣି କାଠ ସଂଗ୍ରହ ପାଇଁ ତାଙ୍କୁ ନାନା ହଇରାଣ ହରକତ ହେବାକୁ ପଡ଼ୁଥିଲା। ଏବେ ଉଜ୍ଜ୍ୱଳା ଯୋଜନା ତାଙ୍କର ଭାଗ୍ୟ ବଦଳାଇ ଦେଇଥିବାରୁ ଶ୍ରୀମତୀ ନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସେହି ପଞ୍ଚାୟତର ଅନ୍ୟ ଜଣେ ମନରେଗା ହିତାଧିକାରୀ ସଂକଳ୍ପ ଯାତ୍ରାରେ ସାମିଲ ହୋଇ କହିଛନ୍ତି, ପୂର୍ବରୁ ସେ ଦାଦନ ଖଟିବାକୁ ଗାଁ ଛାଡ଼ି ବାହାର ରାଜ୍ୟକୁ ଯାଉଥିଲେ। କିନ୍ତୁ ଏବେ ତାଙ୍କ ଅଞ୍ଚଳରେ ମନରେଗା ଯୋଜନାର ସଫଳ ରୂପାୟନ ହେଉଥିବାରୁ ସେ ଘର ପାଖରେ କାମ ପାଇପାରୁଛନ୍ତି ।
କେବଳ ଏହି ଦୁଇ ହିତାଧିକାରୀ ନୁହନ୍ତି, ସ୍ଥାନୀୟ ଅଞ୍ଚଳରେ ଏମିତି ଅନେକ ଗରିବ, ବଞ୍ଚିତ, ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗର ଲୋକଙ୍କ ଜୀବନରେ କେନ୍ଦ୍ର ସରକାରଙ୍କ ସାମାଜିକ ଯୋଜନାଗୁଡ଼ିକ ବ୍ୟାପକ ପରିବର୍ତ୍ତନ ଆଣିପାରିଛି ।

Leave a Reply

Your email address will not be published. Required fields are marked *