ଜଙ୍ଗଲ ମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ ଉଦ୍‌ଘାଟନ

ଭୁବନେଶ୍ୱର, ତା.୧୪/୦୧/୨୦୨୩ :ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ର ଓ ପ୍ଲାଣ୍ଟ ଲଭର୍ସ ଆସୋସିଏସନ୍‌ର ମିଳିତ ସହଯୋଗରେ ଏକାମ୍ର କାନନ ମଧ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ଉଦ୍‌ଘାଟନ କରିଛନ୍ତି ।
ମନ୍ତ୍ରୀ ଶ୍ରୀ ଅମାତ ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ ଓ ପିସିସିଏଫ୍‌ ତଥା ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀମତୀ ପୁଷାଝୁଲେ ମେକ୍ରେଙ୍କ ସହିତ ପ୍ରଦର୍ଶନୀ ବୁଲି ଦେଖିବା ସହ ଏହାର ଭୂୟସୀ ପ୍ରଶଂସା କରିଥିଲେ ।


ପ୍ରଦର୍ଶନୀରେ ଗୋଲାପ, ଡାହାଲିଆ, ସେବତୀ, ଗେଣ୍ଡୁ, ଜଣବେରା, ଜିନିଆ, ଆଷ୍ଟର, କାଲେଣ୍‌ଦୁଲା, ଲିଲିୟମ୍‌, ଗ୍ଲାଡିଓଲି, ଆନ୍‌ଥୁରୀୟମ୍‌ ସାଲଭିଆ, ଆଣ୍ଟିରିନି୍ରମ୍‌ ପ୍ରଭୃତି ବହୁ ଅଧିକ କିସମ ଫୁଲର ସମାହାର ସହ ବିଭିନ୍ନ କିସମର ପତ୍ର ଗଛ ଯତା ଫର୍ଣ୍ଣ, ଆଗ୍ଲୋନିମା, ପାମ୍‌, ଡାଇଫେନ୍‌ବେକିଆ, ଫିଲୋଡେଣ୍ଟ୍ରନ୍‌ ଇତ୍ୟାଦି ପ୍ରଦର୍ଶିତ ହୋଇଥିଲା । ଏ ବର୍ଷର ନୂତନ ଆକର୍ଷଣ ଥିଲା ବୋନ୍‌ସାଇ, ଅର୍କିଡ୍‌ ଓ ସକୁଲେଣ୍ଟ ଶ୍ରେଣୀର ସ୍ୱତନ୍ତ୍ର ପ୍ରଦର୍ଶନ । ଏହା ସହିତ ଅତିଥିମାନେ ମଧ୍ୟ ରିଜିଓନାଲ୍‌ ପ୍ଲାଣ୍ଟ ରିସୋର୍ସ ସେଣ୍ଟର ଓ ପ୍ଲାଣ୍ଟ ଲଭର୍ସ ଆସୋସିଏସନ୍‌ର କାଉଣ୍ଟର ପରିଦର୍ଶନ କରିବା ସହ ବାର୍ଷିକ ପତି୍ରକା ‘ସବୁଜିମା-୨୦୨୩’ ଉନ୍ମୋଚନ କରିଥିଲେ ।


ପୂର୍ବରୁ ଅନୁଷ୍ଠିତ ବଗିଚା ପ୍ରତିଯୋଗିତାରେ ୧୦୪ ବ୍ୟକ୍ତି ଓ ଅନୁଷ୍ଠାନ ଭାଗନେଇଥିବାବେଳେ ୭୦ ବ୍ୟକ୍ତି/ଅନୁଷ୍ଠାନ ପୁରସ୍କୃତ ହୋଇଥିଲେ । ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତାରେ ୬୫୦ ପ୍ରତିଯୋଗୀ ଭାଗ ନେଇଥିବାବେଳେ ୩୫ ଜଣ ଛାତ୍ରଛାତ୍ରୀ ପୁରସ୍କୃତ ହୋଇଥିଲେ ।
ବଗିଚା ପ୍ରତିଯୋଗିତାରେ ସରକାରୀ ବର୍ଗରେ ରାଜଭବନ, ରାଜ୍ୟ ସଂଗ୍ରହାଳୟ, ରାଜ୍ୟ ବଟାନିକାଲ ଉଦ୍ୟାନ, ରାଜ୍ୟ ଜନଜାତି ସଂଗ୍ରହାଳୟ, କର୍ପୋରେଟ୍‌ ବିଭାଗରେ ନାଲକୋ, ଓଡ଼ିଶା ଖଣି ନିଗମ, ଟେକ୍‌ ମହିନ୍ଦ୍ରା, ରିଜର୍ଭ ବ୍ୟାଙ୍କ ଏବଂ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ବର୍ଗରେ ଜାଭିୟର ବିଶ୍ୱବିଦ୍ୟାଳୟ, ସି.ଭି. ରମଣ ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ, ବେସରକାରୀ ବିଦ୍ୟାଳୟ ବର୍ଗରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ଉତ୍କର୍ଷ ପ୍ରଦର୍ଶନ କରିଛନ୍ତି ।


ପୁଷ୍ପ ପ୍ରଦର୍ଶନୀର ଅନ୍ୟତମ ଆକର୍ଷଣ ହୋଇଥିଲା ପ୍ଲାଣ୍ଟ ବଜାର । ଚଳିତ ବର୍ଷ ବହୁ ସଂଖ୍ୟାରେ ନର୍ସରୀ ଓ ବଗିଚା ଉପକରଣ ଇତ୍ୟାଦି ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ସେମାନଙ୍କର ଚାରା, ମଞ୍ଜି, କଲମୀକରା ଡାଳ, ବଲବ୍‌ ଓ ଉପକରଣର ବିକି୍ରବଟା କରିଛନ୍ତି । ଖୋଲା ସ୍ଥାନରେ ୩୦ଟି ଷ୍ଟଲ ଥିବାବେଳେ ୧୬ଟି ପ୍ରଦର ରହିଛି । ଫୁଲଫଳର ଚାରା ସହିତ ବିଭିନ୍ନ ରଙ୍ଗବେରଙ୍ଗର ସେରାମିକ ଫୁଲ କୁଣ୍ଡ, ଫୁଲଦାନୀ ଇତ୍ୟାଦି ପରିଦର୍ଶକଙ୍କର ଦୃଷ୍ଟି ଆକର୍ଷଣ କରୁଛି । ସର୍ବସାଧାରଣଙ୍କ ନିମନ୍ତେ ଦେୟମୁକ୍ତ ଭାବେ ଦୁଇଦିନ ପାଇଁ ଏହି ପ୍ରଦର୍ଶନୀ ଉନ୍ମୁକ୍ତ ରହିଥିବାବେଳେ ଆଜି ପ୍ରଥମ ଦିନରେ ପ୍ରାୟ ୨୦ ହଜାର ଦର୍ଶକଙ୍କର ସମାଗମ ହୋଇଥିଲା । ଆସନ୍ତାକାଲି ରବିବାର ଥିବାରୁ ଆଉ ଅଧିକ ଜନସମାଗମ ହେବ ବୋଲି ଆସୋସିଏସନ୍‌ ପକ୍ଷରୁ ଆଶା ପ୍ରକାଶ କରାଯାଇଛି ।

Leave a Reply

Your email address will not be published. Required fields are marked *