ଏଫ୍‌ଆଇଭିବି ସଭାପତି ଆରି ଗ୍ରାସାଙ୍କୁ ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ

0
ଏଫ୍‌ଆଇଭିବି ସଭାପତି ଆରି ଗ୍ରାସାଙ୍କୁ ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ

ମାନବିକ ଓ ସାମାଜିକ ମୂଲ୍ୟବୋଧର ପ୍ରତିବିମ୍ବ ହେଉଛି ଏହି ସମ୍ମାନ: ରାଜ୍ୟପାଳ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍‌ : ଆନ୍ତର୍ଜାତିକ ଭଲିବଲ୍ ଫେଡେରେସନ୍ (ଏଫ୍‌ଆଇଭିବି)ର ସଭାପତି ଡ. ଆରି ଗ୍ରାସାଙ୍କୁ ସମ୍ମାନଜନକ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ-୨୦୨୦ ପ୍ରଦାନ କରାଯାଇଛି। ଶୁକ୍ରବାର ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଓଡ଼ିଶା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ଓଡ଼ିଶା ରାଜ୍ୟପାଳ ରଘୁବର ଦାସ ଡ. ଗ୍ରାସାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ସମଗ୍ର ବିଶ୍ୱରେ ଭଲିବଲ୍‌ର ବିକାଶ ନେଇ ଡ. ଗ୍ରାସାଙ୍କ ଉଲ୍ଲେଖନୀୟ ଅବଦାନ ସକାଶେ ତାଙ୍କୁ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ ପ୍ରଦାନ କରାଯାଇଥିଲା। ୨୦୨୦ରେ ତାଙ୍କୁ ଏହି ସମ୍ମାନ ଦିଆଯିବା ପାଇଁ ନିଷ୍ପତି ହୋଇଥିଲେ ମଧ୍ୟ କୋଭିଡ୍ ମହାମାରୀ ଯୋଗୁଁ ଏହି ସମ୍ମାନ ପ୍ରଦାନ କରାଯାଇପାରି ନ ଥିଲା ।

ଏହି କାର୍ଯ୍ୟକ୍ରମରେ ଡ. ଗ୍ରାସାଙ୍କ ସମ୍ପର୍କରେ ସୂଚନା ଦେଇ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ବ୍ରାଜିଲ୍ ବାସିନ୍ଦା ୮୧ ବର୍ଷ ବୟସ୍କ ଗ୍ରାସା ଦୀର୍ଘ ୧୨ ବର୍ଷ ହେଲା ଆନ୍ତର୍ଜାତିକ ଭଲିବଲ୍ ଫେଡେରେସନ୍‌ର ସଭାପତି ଅଛନ୍ତି । ଏଫ୍‌ଆଇଭିବି ହେଉଛି ବିଶ୍ୱର ସର୍ବ ବୃହତ କ୍ରୀଡ଼ା ସଂଘ। ଏଥିରେ ୨୨୨ଟି ରାଷ୍ଟ୍ର ସଦସ୍ୟ ରହିଛନ୍ତି। ଡ. ଗ୍ରାସା ଏହି ସମ୍ମାନଜନକ କିସ୍ ହ୍ୟୁମାନିଟାରିଆନ୍ ସମ୍ମାନ ଗ୍ରହଣ କରିଥିବାରୁ ଏହା କିସ୍ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ଶ୍ରୀ ସାମନ୍ତ କହିଥିଲେ। ଶ୍ରୀ ସାମନ୍ତ ଭାରତୀୟ ଭଲିବଲ୍ ସଂଘର ସଭାପତି ଥିବା ବେଳେ ଶ୍ରୀ ସାମନ୍ତ  ଆନ୍ତର୍ଜାତିକ ଭଲିବଲ୍ ସଂଘ ଜରିଆରେ ଭାରତରେ ଭଲିବଲ୍‌ର ବିକାଶ ନେଇ ବହୁ ଉଦ୍ୟମ କରିଥିଲେ। ଡ. ଗ୍ରାସା  ଶ୍ରୀ ସାମନ୍ତଙ୍କ କାର୍ଯ୍ୟ ସକାଶେ ତାଙ୍କୁ ଅନେକ ଭଲ ପାଉଥିଲେ। ଆଜି ବହୁ ପ୍ରତୀକ୍ଷିତ ଐତିହାସିକ କିସ୍ ଭଲିବଲ୍ ମହୋତ୍ସବରେ ଯୋଗଦେବା ନେଇ ଶ୍ରୀ ସାମନ୍ତ ଡ. ଗ୍ରାସାଙ୍କୁ ନିମନ୍ତ୍ରଣ କରିବା ପରେ ସେ ଏଥିରେ ସମ୍ମତି ପ୍ରକାଶ କରିଥିଲେ । କେବଳ କିଟ୍ ଓ କିସ୍ ପରଦର୍ଶନ କରିବା ପାଇଁ ଡ. ଗ୍ରାସା ଭାରତ ତଥା ଓଡ଼ିଶା ଆସିଥିବା ପ୍ରକାଶ କରିଥିଲେ। ଗ୍ରାସାଙ୍କୁ ସମ୍ମାନୀତ କରିବା ଦ୍ୱାରା ବିଶ୍ୱର ୨୨୨ ଦେଶରେ ଓଡ଼ିଶାର ପରିଚିତି ସୃଷ୍ଟି ହୋଇପାରିଲା।

ଏହି ଅବସରରେ ଉଦ୍‌ବୋଧନ ଦେଇ ରାଜ୍ୟପାଳ ଶ୍ରୀ ଦାସ କହିଲେ, କିସ୍ ହ୍ୟୁମାନିଟାରିଆନ୍ ପୁରସ୍କାର ହେଉଛି ମାନବିକ ଓ ସାମାଜିକ ମୂଲ୍ୟବୋଧର ପ୍ରତିବିମ୍ବ। ସାମାଜିକ ଓ ମାନବିକତା କ୍ଷେତ୍ରରେ ସମଗ୍ର ବିଶ୍ୱରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କୁ ଏହି ସମ୍ମାନ ପ୍ରୋତ୍ସାହିତ କରିବା ସହ ଏ ଦିଗରେ ଅଧିକରୁ ଅଧିକ କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିଥିଲେ।

ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଲେ, କିସ୍ ହ୍ୟୁମାନିଟାରିଆନ୍ ପୁରସ୍କାର ଭଳି ଏକ ବିଶ୍ୱସ୍ତରୀୟ ସମ୍ମାନ ପ୍ରତିଷ୍ଠା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ । ଏଥିପାଇଁ ମୁଁ ସମଗ୍ର ଓଡ଼ିଶାବାସୀଙ୍କ ପକ୍ଷରୁ ଶ୍ରୀ ସାମନ୍ତଙ୍କୁ ଧନ୍ୟବାଦ ଜଣାଉଛି । ବିଶ୍ୱସ୍ତରରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ଏହି ସମ୍ମାନ ପ୍ରଦାନ କରି ଶ୍ରୀ ସାମନ୍ତ ସମଗ୍ର ବିଶ୍ୱରେ ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଶ୍ରୀ ସିଂହଦେଓ କହିଥିଲେ।

କିସ୍ ହ୍ୟୁମାନିଟାରିଆନ୍ ସମ୍ମାନ ଗ୍ରହଣ କରି ଡ. ଗ୍ରାସା କହିଲେ, ଏହି ସମ୍ମାନ ଗ୍ରହଣ କରିବା ମୋ ପାଇଁ ଗର୍ବ ଓ ଗୌରବର ବିଷୟ । ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଶ୍ରୀ ସାମନ୍ତ କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ପାଇଁ ଜଣେ ଉଦାହରଣ ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ, ପୂର୍ବରୁ ଏହି ସମ୍ମାନଜନକ ସମ୍ମାନ ଲାଭ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ବିଶ୍ୱର ବହୁ ବିଶିଷ୍ଟ ରାଷ୍ଟ୍ରନେତା, ନୋବେଲ୍‍ ବିଜେତା ଏବଂ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିମାନେ ଅଛନ୍ତି । ଏହା  କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନର ବ୍ୟାପକ ଅନ୍ତର୍ଜାତୀୟ ଗ୍ରହଣୀୟତା ଓ ସମ୍ମାନକୁ ସୂଚୀତ କରିଥାଏ।

Leave a Reply

Your email address will not be published. Required fields are marked *

You may have missed