ପରୀକ୍ଷାରେ ଅନିୟମିତତା ଓ ମାର୍କରେ ସଂଶୋଧନ ଦାବି, କଟକ ବୋର୍ଡ ଅଫିସ ଆଗରେ ଗର୍ଜିଲେ ଓଟିଇଟି ପରୀକ୍ଷାର୍ଥୀ

0
o.png

କଟକ: ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପରିଚାଳନା ଓ ଫଳ ପ୍ରକାଶନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ସୋମବାର କଟକସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ ସମ୍ମୁଖରେ ଶତାଧିକ ଓଟିଇଟି ପରୀକ୍ଷାର୍ଥୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ପରୀକ୍ଷାର୍ଥୀମାନେ ବୋର୍ଡ କାର୍ଯ୍ୟାଳୟ ଘେରାଉ କରିବା ସହ ମାର୍କର ଉପଯୁକ୍ତ ସଂଶୋଧନ ଓ ୧୦ଟି ଗ୍ରେସ ମାର୍କ ପ୍ରଦାନ ପାଇଁ ଦାବି କରିଥିଲେ। ସେହିପରି ପ୍ରଶ୍ନପତ୍ର ପ୍ରକାଶ ଓ ପରୀକ୍ଷା ଫଳ ପ୍ରକାଶରେ ମଧ୍ୟ ତ୍ରୁଟି ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି।

ପ୍ରତି ପ୍ରଶ୍ନ ପିଛା ୫୦୦ ଟଙ୍କା ଲେଖାଏଁ ଦେଇ ଆମେ ଉତ୍ତରକୁ ଚ୍ୟାଲେଞ୍ଜ କରିଥିଲୁ, କିନ୍ତୁ ଆମ ମାର୍କରେ ସଂଶୋଧନ କରାଯାଇନାହିଁ। ସେହିପରି ଅର୍ଥ ଫେରସ୍ତ କରିନଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଓଏମ୍ଆର୍ ସିଟ୍ ଆମକୁ ଯୋଗାଇ ଦେଲେ ସତ୍ୟାସତ୍ୟ ପଦାକୁ ଆସିବ। କିନ୍ତୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି।

ସେହିପରି ଓଟିଇଟି ପରୀକ୍ଷା ପାଇଁ ପ୍ରତିବର୍ଷ ଦୁଇଥର ପରୀକ୍ଷା କରାଯାଉ ବୋଲି ପରୀକ୍ଷାର୍ଥୀମାନେ ଦାବି କରିଛନ୍ତି। ଏପରିକି ଓଟିଇଟି ପରେ କନିଷ୍ଠ ଶିକ୍ଷକ ପରୀକ୍ଷା କରାଯାଉ ବୋଲି ସେମାନେ କହିଛନ୍ତି।

ଦେବୀ ପ୍ରସାଦ ଦାସ ନାମକ ଜଣେ ପରୀକ୍ଷାର୍ଥୀ କହିଛନ୍ତି, ମୁଁ ୮୯ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛି। ସାଧାରଣ ବର୍ଗ ପାଇଁ ଯୋଗ୍ୟତା ମାର୍କ ୯୦ ରହିଥିବା ବେଳେ ଓବିସି ଓ ଏସସି/ଏସଟି ପ୍ରାର୍ଥୀଙ୍କ ପାଇଁ ୭୫ ରହିଛି। ମୁଁ ଚାହୁଁଥିଲି ଯେ ସଠିକ୍ ଥିବା ଚାରିଟି ପ୍ରଶ୍ନର ପୁନଃମୂଲ୍ୟାୟନ କରାଯାଉ। ଆଉ ୩ରୁ ୪ ମାର୍କ ଅଧିକ ମିଳିବ ବୋଲି ମୁଁ ନିଶ୍ଚିତ। ସେ କହିଛନ୍ତି, ପ୍ରଶ୍ନକୁ ଚ୍ୟାଲେଞ୍ଜ କରିବା ପାଇଁ ମୁଁ ୨ ହଜାର ଟଙ୍କା ଦେଇଥିଲି। ମୁଁ କୌଣସି ଉତ୍ତର ପାଇନାହିଁ। ଏହି ଅଭିଯୋଗ ଉପରେ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Leave a Reply

Your email address will not be published. Required fields are marked *