ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ଗୁଳିକାଣ୍ଡ : ପୂର୍ବତନ ସାମରିକ ବାହିନୀ କର୍ମଚାରୀ ଗିରଫ
ଖୋର୍ଦ୍ଧା : ୧୫/୧୦(ପ୍ରବାହ ନିଉଜ୍) ବେଗୁନିଆ ନୂଆସାହିରେ ଦଶହରାରେ ଘଟିଯାଇଛି ଗୁଳିକାଣ୍ଡ। ଏଥରେ ନୟାଗଡ଼ ଜିଲ୍ଲା ଓଡ଼ଗାଁର ବିଭୂତିଭୂଷଣ ଜେନାଙ୍କ ତଳିପେଟରେ ଗୁଳି ବାଜିଥିବା ବେଳେ ଗୁରୁତର ଅବସ୍ଥାରେ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାରେ ସଂପୃକ୍ତ ଅଭିଯୁକ୍ତ ପୂର୍ବତନ ସାମରିକ କର୍ମଚାରୀ ପ୍ରସନ୍ନ ନାୟକଙ୍କୁ ବେଗୁନିଆ ପୋଲିସ ଜଟଣୀରୁ ଗିରଫ କରିବା ସହିତ ଅଭିଯୁକ୍ତ ନିକଟରୁ ଏକ ରିଭଲଭର ଏବଂ ୧୩ ରାଉଣ୍ଡ ଜୀବନ୍ତ ଗୁଳି ସମେତ ଏକ ବାଇକକୁ ଜବତ କରିଛି । ତେବେ ଟଙ୍କା ଦେଶ ନେଣ ଘଟଣାକୁ ନେଇ ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ମଧପୁର ଗ୍ରାମର ପୂର୍ବତନ ସାମରିକ କର୍ମଚାରୀ ପ୍ରସନ୍ନ ନାୟକ ଏହି ଗୁଳିକାଣ୍ଡ ଘଟାଇଥିବା ଜଣାପଡିଛି ।
ସୂଚନା ମୁତାବକ, ଅଭିଯୁକ୍ତ ପ୍ରସନ୍ନ ପୂର୍ବତନ ସାମରିକ କର୍ମଚାରୀ ହୋଇଥିବା ବେଳେ ସେ ବର୍ତ୍ତମାନ ଭୁବନେଶ୍ଵର ସ୍ଥିତ ଅରୁଗୁଳ ଆଇ.ଆଇ.ଟି. ରେ ସୁରକ୍ଷାକର୍ମୀ ଭାବେ କାମ କରନ୍ତି । ତାଙ୍କର ପ୍ରଥମ ପତ୍ନୀଙ୍କର ମୃତ୍ୟୁ ପରେ ସେ ୨୦୧୭ ମସିହାରେ ଦ୍ଵିତୀୟ ବିବାହ କରିଥିଲେ। ପ୍ରସନ୍ନ ନିଜ ଦ୍ଵିତୀୟ ପତ୍ନୀ ସହିତ ସିମୋର ସ୍ଥିତ ବିଦ୍ୟୁତପ୍ରଭା ଓରଫ ମିଲିଙ୍କ ପୈତୃକ ବାସଭବନରେ ଭଡାସୂତ୍ରରେ ରହୁଥିବା ବେଳେ ବିଭିନ୍ନ କାରଣରୁ ଦ୍ବିତୀୟ ପତ୍ନୀଙ୍କ ଚରିତ୍ର ଉପରେ ପ୍ରସନ୍ନର ସନ୍ଦେହ ହୋଇଥିଲା। ଏହି ସମୟରେ ଘର ମାଲିକଙ୍କ ଝିଅ ମିଲିଙ୍କ ସହ ପ୍ରସନ୍ନ ଙ୍କ ପରିଚୟ ହେବା ପରେ ତାଙ୍କ ପତ୍ନୀ ତାଙ୍କ ଆଢୁଆଳରେ କାହା ସହିତ ସମ୍ପର୍କ ରଖୁଛନ୍ତି, ତା’ ଉପରେ ନଜର ରଖିବାକୁ ମିଲିକୁ କହିଥିଲେ ଏବଂ ଏଥିପାଇଁ ସେ ୨୧ ହଜାର ଟଙ୍କା ମିଲିକୁ ଦେଇଥିବା ଜଣାପଡିଥିବା ବେଳେ ଏ ନେଇ ମିଲି ପ୍ରସନ୍ନଙ୍କୁ କୌଣସି ସୂଚନା ଦେଇପାରି ନଥିବାରୁ ନିଜ ଟଙ୍କା ଫେରସ୍ତ ପାଇଁ ଗତକାଲି ବେଗୁନିଆ ନୂଆସାହିରେ ରହୁଥିବା ମିଲିଙ୍କ ପାଖରୁ ପ୍ରସନ୍ନ ଆସିଥିବା ବେଳେ ଟଙ୍କା ମାଗିବାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏ ସମୟରେ ବିଭୂତି ମଧ୍ୟସ୍ଥତା କରିବାରୁ ପ୍ରସନ୍ନ ତାଙ୍କ ଉପରେ ଗୋଟିଏ ରାଉଣ୍ଡ ଗୁଳି ମାଡ଼ କରିଥିବା ତଦନ୍ତ ସମୟରେ ଜଣାପଡ଼ିଥିବା ନେଇ ଏସ୍.ଡି.ପି.ଓ. ଶ୍ରୀ ସୁଶୀଲ ମିଶ୍ର କହିଛନ୍ତି। ଅନ୍ୟ ପଟେ ମିଲିଙ୍କ ସ୍ୱାମୀ ଆଦିତ୍ୟଙ୍କ ଅଭିଯୋଗ ଅନୁଯାୟୀ, ବେଗୁନିଆ ପୁଲିସ ଅଭିଯୁକ୍ତ ଙ୍କ ବିରୁଦ୍ଧରେ ୨୦୪/୨୧ରେ ମାମଲା ରୁଜୁ କରି ଗୁଳିକାଣ୍ଡ ଅଭିଯୋଗରେ ପୂର୍ବତନ ସାମରିକ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।