ହୋମିଓପ୍ୟାଥିର ଜନକ ଡା. ସାମୁଏଲ

ହାନିମ୍ୟାନଙ୍କ ୨୬୯ତମ ଜନ୍ମଦିବସ ଅବସରରେ

ଡା. ଲୀନାଶ୍ରୀ ଗୈାଡ
                                                                                                                                                                                                
ହୋମିଓପ୍ୟାଥି ଚିକିତ୍ସା ର ସୃଷ୍ଟି ହୁଏ ୧୭୯୬ ମସିହାରେ, ଡା॰ ସାମୁଏଲ ହାନିମ୍ୟାନ ନାମକ ଏକ ଚିକିତ୍ସକଙ୍କ ଦ୍ଵାରା । ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଅବିରତ ଭାବରେ ଅଗଣିତ ଜନସାଧାରଣଙ୍କୁ ଚିକିତ୍ସାସେବା ଯୋଗାଇଦେଇ ଆଜି ଏହା ବିଶ୍ଵର ଦ୍ଵିତୀୟ ଜନାଦୃତ ଚିକିତ୍ସା ପଦ୍ଧତି ଭାବରେ ଉଭା ହୋଇଛି । ଆଜି ହୋମିଓପ୍ୟାଥିର ଜନକ ମହାତ୍ମା ହାନିମ୍ୟାନଙ୍କ ୨୬୭ତମ ଜୟନ୍ତୀ ଅବସରରେ ଆସନ୍ତୁ ସେହି ଅମରାତ୍ମାଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଏହି ଚିକିତ୍ସାପଦ୍ଧତି ବିଷୟରେ କିଛି ତଥ୍ୟ ଓ ସମାଜରେ ରହିଥିବା ଭ୍ରାନ୍ତ ଧାରଣା ବିଷୟରେ ଆଲୋଚନା କରିବା ପୂର୍ବରୁ ଏହି ଚିକିତ୍ସା ବିଜ୍ଞାନର ସୃଷ୍ଟି ବିଷୟରେ ସାମାନ୍ୟ ଆଲୋକପାତ କରିବା । ୧୭୫୫ ମସିହା ଏପ୍ରିଲ ମାସ ୧୦ ତାରିଖରେ ଜର୍ମାନୀ ଦେଶର ସାକ୍ସୋନୀ ପ୍ରଦେଶର ମିଶେନ ସହରରେ ପିତା ଗଟଫ୍ରେଡ ହାନିମ୍ୟାନ ଓ ମାତା ଯୋହାନା କ୍ରିଷ୍ଟାନଙ୍କ ପରିବାରରେ ସେ ଜନ୍ମ ନେଇଥିଲେ । ୧୮୪୩ ମସିହା ଜୁଲାଇ ୨ ତାରିଖରେ ସେ ଇହଲୀଳା ସମ୍ବରଣ କରିଥିଲେ । ୧୭୭୯ ମସିହାରେ ଭେଷଜ ବିଜ୍ଞାନରେ ତାଙ୍କର ଶିକ୍ଷା ସମାପ୍ତି ପରେ ସେ ଚିକିତ୍ସକ ହିସାବରେ ରୋଗୀ ସେବାରେ ମନୋନିବେଶ କଲେ । ଡ଼।॰ ହାନିମ୍ୟାନ ଜଣେ ତତ୍କାଳୀନ ପାରମ୍ପରିକ ଚିକିତ୍ସା ପଦ୍ଧତିରେ ଶିକ୍ଷାପ୍ରାପ୍ତ ଚିକିତ୍ସକ ଥିଲେ ମଧ୍ୟ ସେହି ଚିକିତ୍ସାର ଅସଫଳତା ଏବଂ କୁପ୍ରଭାବକୁ ନେଇ ସେ ସନ୍ତୁଷ୍ଟ ନଥିଲେ । ସେ ଥିଲେ ଅତ୍ୟନ୍ତ ଭାବରେ ମାନବବାଦୀ, ସତ୍ୟନିଷ୍ଠ ତଥା ପ୍ରଗାଢ ଧୀସମ୍ପନ୍ନ ବ୍ୟକ୍ତିତ୍ତ୍ଵ। ତାଙ୍କର ଅନେକ ଭାଷାରେ ପାରଦର୍ଶିତା ଥିଲା । ସେ ସମୟର ଜଣେ ନାମକରା ଅନୁବାଦକ ଭାବରେ, ୧୭୯୦ ମସିହାରେ ସଦ୍ୟ ପ୍ରକାଶିତ କୁଲ୍ଲେନ ମହାଶୟଙ୍କ ମ୍ୟାଟେରୀଆ ମେଡିକାର ଅନୁବାଦ କରିବା ସମୟରେ, ସେ ଏକ ତଥ୍ୟର ସମ୍ମୁଖୀନ ହେଲେ;; ସିଙ୍କୋନା ଗଛ ଛେଲିର ପିତା ଗୁଣ ମାଲେରିଆ ପରି ଜ୍ଵରକୁ ଭଲ କରିଦେଇଥାଏ । ଏକଥାଟି ତାଙ୍କ ଅନୁସନ୍ଧିତ୍ସୁ ମନକୁ ପାଇଲା ନାହିଁ, ସେ ଭାବିଲେ ପୃଥିବୀରେ ଅନେକ ପ୍ରକାର ପିତା ଦ୍ରବ୍ୟ ଥିବାବେଳେ ଏହି ନିର୍ଦିଷ୍ଟ ବସ୍ତୁଟି କାହିଁକି ମାଲେରିଆ ଭଲ କରିପାରୁଛି। ସେ ନିଜେ ଦୀର୍ଘ ଛ ବର୍ଷ କାଳ ତାହାଉପରେ ଗବେଷଣା କଲେ, ନିଜେ ସେହିଗଛର ଛେଲିକୁ ନିର୍ଦିଷ୍ଟ ମାତ୍ରାରେ ସେବନ କରି ଦେଖିଲେ ଯେ ତାଙ୍କଠାରେ ମାଲେରିଆ ପରି ଲକ୍ଷଣମାନ ପ୍ରକାଶ ପାଇଲା। ଦୀର୍ଘ ଦିନ ବିଭିନ୍ନ ଔଷଧ ଉପରେ ପରୀକ୍ଷା ନିରୀକ୍ଷା କରି ସେ ଏହି ସିଦ୍ଧାନ୍ତରେ ଉପନୀତ ହେଲେଯେ, କୌଣସି ଔଷଧ ସୁସ୍ଥ ବ୍ୟକ୍ତିଙ୍କ ଉପରେ ସୃଷ୍ଟି କରିପାରୁଥିବା ଲକ୍ଷଣହିଁ ସେହି ଔଷଧର ଆରୋଗ୍ୟ ତଥ୍ୟ ବା ଅନ୍ୟ ଭାବରେ କହିଲେ, କୌଣସି ଔଷଧର ଆରୋଗ୍ୟକାରି ଗୁଣ ଜାଣିବାକୁ ହେଲେ ଏହାକୁ ସୁସ୍ଥ ମାନବ ପରୀକ୍ଷଣ କରିବାକୁ ପଡିଥାଏ । ସାରା ବିଶ୍ଵରେ ଅଗଣିତ ହୋମିଓପ୍ୟାଥୀ ଚିକିତ୍ସକ ଏହି ସୁସ୍ଥ ମାନବ ପ୍ରମାଣିତ ଔଷଧ ହିଁ ବ୍ୟବହାର କରୁଛନ୍ତି । ସୁସ୍ଥ ମାନବଠାରେ ପ୍ରକାଶିତ ଲକ୍ଷଣସମୂହ ଆଧାରରେ ନିର୍ଦିଷ୍ଟ ଔଷଧକୁ ନିର୍ଦିଷ୍ଟ ରୋଗୀ ନିମନ୍ତେ ଚୟନ କରାଯାଇଥାଏ । ହୋମିଓପ୍ୟାଥି ଚିକିତ୍ସାର ମୂଳ ଦର୍ଶନଟି ହେଉଛି ସଦୃଶ ନିଦାନ- ସଦୃଶ ବିଧାନ। ଏହାର ଅର୍ଥ ହେଉଛି ରୋଗୀର ଲକ୍ଷଣ ସହିତ ସର୍ବାଧିକ ମେଳ ଖାଉଥିବା ହୋମିଓପ୍ୟାଥି ଔଷଧଟି ହିଁ ସମ୍ପୃକ୍ତ ରୋଗୀକୁ ସୁସ୍ଥ କରିପାରିବ।                                                                                                                                                                                                                                                                 

(ସରକାରୀ ହୋମିଓପାଥି ଚିକିତ୍ସାଳୟ, ଚମ୍ପତିପୁର)

Leave a Reply

Your email address will not be published. Required fields are marked *